ନବୀନଙ୍କ ଉପରେ ଦାମଙ୍କ ରାଜନୈତିକ ଆକ୍ରମଣ ଜାରୀ

0
548

ନବୀନ ଯେତେ ଶୀଘ୍ର ଓଡ଼ିଶାରୁ ଯିବେ ରାଜ୍ୟର ମଙ୍ଗଳ ହେବ

ପାରାଦୀପବାସୀଙ୍କ ସେବା କରିବି

ନବୀନଙ୍କ ଇଙ୍ଗିତରେ ହିଁ ସବୁ ହେଉଛି

ଭୁବନେଶ୍ୱର,(ଓଟି): ଗତକାଲି ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସିଧାସଳଖ ରାଜନୈତିକ ଆକ୍ରମଣ କରିଛନ୍ତି। ନବୀନ ଯେତେ ଶୀଘ୍ର ଓଡ଼ିଶାରୁ ଯିବେ ରାଜ୍ୟର ମଙ୍ଗଳ ହେବ ବୋଲି ଦାମ କହିଛନ୍ତି। ଦାମ କହିଛନ୍ତି,ମୁଁ ତାଙ୍କ ପାଖକୁ ଯାଇ ନଥଲି। ନବୀନ ପଟ୍ଟନାୟକ ମୋତେ ଡାକି ଦଳରେ ମିଶାଇଥିଲେ। ବିଜୁ ବାବୁଙ୍କ ନାଁ ବିକି ଦଳେ ଲୋକ ଓଡ଼ିଶାକୁ ଲୁଟ୍ କରୁଛନ୍ତି। ଏହା ବିଜୁ ବାବୁଙ୍କ ଆତ୍ମାକୁ କଷ୍ଟ ଦେଉଥିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ଥିତି ରକ୍ଷା କରିବା ପାଇଁ ଯେଭଳି ନୀତି ବଦଳାଉଛନ୍ତି, ତାହା ବିଜୁ ବାବୁଙ୍କ ଆଦର୍ଶର ପରିପନ୍ଥୀ ବୋଲି ଦାମ କହିଛନ୍ତି। ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ଚାରିପାଖରେ ଯେଉଁମାନେ ଅଛନ୍ତି, ସେମାନେ ବିଜୁ ବାବୁଙ୍କୁ ଦେଖି ନାହାନ୍ତି କି ତାଙ୍କ ସାଙ୍ଗରେ କାମ କରି ନାହାନ୍ତି। ସେମାନେ ବିଜୁ ବାବୁଙ୍କୁ ବିରୋଧ କରୁଥିଲେ। ଅଧିକାଂଶ ଲୋକଙ୍କର ରାଜନୀତିରେ ପ୍ରବେଶ ଦୁର୍ନୀତିରୁ ହୋଇଛି। ସେମାନଙ୍କର ନୀତି ଆଦର୍ଶ ବୋଲି କିଛି ନାହିଁ।

ନବୀନ ପଟ୍ଟନାୟକଙ୍କ ପ୍ରତି ମୋର ଭୁଲ୍ ଧାରଣା ଥିଲା। ବିଜୁ ବାବୁଙ୍କ ପୁଅ ହୋଇଥିବାରୁ ସେ ତାଙ୍କ ନୀତି ଆଦର୍ଶରେ ଚାଲିବେ ବୋଲି ବିଶ୍ୱାସ ରହିଥିଲା। କିନ୍ତୁ ମତେ ବହିଷ୍କାର କରିବା ପରେ ମୋର ଧାରଣା ବଦଳିଗଲା। ଦଳରେ ଯେଉଁମାନେ ଦୁର୍ନୀତି, ଭ୍ରଷ୍ଟାଚାର କରୁଛନ୍ତି ସେମାନଙ୍କୁ ନବୀନ ଭଲ ପାଉଛନ୍ତି। ଯେଉଁମାନେ ଦୁର୍ନୀତି, ଭ୍ରଷ୍ଟାଚାରର ପେଡ଼ି ଖୋଲୁଛନ୍ତି ସେମାନଙ୍କୁ ନବୀନ ଦଳରୁ ତଡ଼ୁଛନ୍ତି। ଏହା ମୋ କ୍ଷେତ୍ରରେ ଘଟିଛି ବୋଲି ଦାମ କହିଛନ୍ତି।

ସେ ଆହୁରି କହିଛନ୍ତି,ରାଜ୍ୟ ସରକାର ୪୮ଟି ଇସ୍ପାତ କାରଖାନା ପାଇଁ ଏମ୍‌ଓୟୁ କରି ଆମ ଖଣିଖାଦାନକୁ ପ୍ରତିଦିନ ଲୁଟ୍ କରୁଛନ୍ତି। ଆମକୁ ବିଜୁ ପଟ୍ଟନାୟକ ରାଜନୀତିକୁ ଆଣିଥିଲେ ଓଡ଼ିଶା ଜାତିର ସ୍ୱାଭିମାନ ଓ ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରିବା ପାଇଁ। ସେଥିପାଇଁ ଧନ ସମ୍ପତ୍ତି ଲୋଡ଼ିବନି ବୋଲି କହିଥିଲେ। ଆମେ ଯେତେ ଲୋକ ବିଜୁ ଜନତା ଦଳରେ ଥିଲୁ, ଗୋଟିଏ ଲୋକ କଥା କୁହନ୍ତୁ ଯିଏ ସମ୍ପତ୍ତି ଆହରଣ କରିଥିବା ଅଭିଯୋଗ ହୋଇଛି। ସେ ବିଜୟ ମହାପାତ୍ର, ପଞ୍ଚାନନ କାନୁନଗୋ, ଜୟୀରାମ ପାଙ୍ଗି ନା ମୋ ବିରୋଧରେ ସେମିତି ଅଭିଯୋଗ ଅଛି? କିନ୍ତୁ ନବୀନ ସାଙ୍ଗରେ ଥିବା ସମସ୍ତଙ୍କ ମୁଣ୍ଡରେ ସିବିଆଇ ଖଣ୍ଡା ଝୁଲୁଛି।

ବିଜେଡିରେ ଆପଣଙ୍କ ପୁଅ ଅଛନ୍ତି, କେମିତି ତାଙ୍କ ସହିତ ଆପଣଙ୍କର ସମନ୍ୱୟ ରକ୍ଷା କରିବେ ବୋଲି ପଚରାଯିବାରେ, ସେ କହିଛନ୍ତି,’ସେ ଅଶୋକ ଦାସଙ୍କ ପୁଅ ନୁହେଁ କି କଳ୍ପତରୁ ଦାସଙ୍କ ପୁଅ ନୁହେଁ, ସେ ବାପର ପୁଅ’।

ବିଜୁ ବାବୁ ପାରାଦୀପକୁ ଭଲ ପାଉଥିଲେ। ମତେ ଚାକିରୀରୁ ଛଡ଼ାଇ ଆଣି ପାରାଦୀପର କଥା ବୁଝିବାକୁ ଦାୟିତ୍ବ ଦେଇଥିଲେ। ସେବେଠାରୁ ମୁଁ ପାରାଦୀପ କଥା ବୁଝୁଛି। ଆଗକୁ ମଧ୍ୟ ପାରାଦୀପ କଥା ବୁଝିବି। ମୁଁ କେଉଁ ଦଳକୁ ଯିବାର ନାହିଁ କି କୌଣସି ମଞ୍ଚ ଗଠନ କରିବାର ନାହିଁ। ପାରାଦୀପବାସୀଙ୍କ ସହ ଆଲୋଚନା କରି ମୁଁ ଆଗାମୀ ପଦକ୍ଷେପ ନେବି ବୋଲି ଦାମ କହିଛନ୍ତି। ଦାମ ଆହୁରି କହିଛନ୍ତି ଯେ ନିର୍ବାଚନ ଲଢ଼ିବା ପାଇଁ କୌଣସି ଦଳୀୟ ଟିକେଟର ଆବଶ୍ୟକତା ନାହିଁ। ଲୋକେ ମତେ ଭଲ ପାଉଛନ୍ତି ଏବଂ ସେମାନେ ହିଁ ଭୋଟ ଦେଇ ମତେ ବିଧାନସଭାକୁ ନିର୍ବାଚିତ କରିବେ।