କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହେଁ

0
117

ଭୁବନେଶ୍ୱର,(ଓଟି): ଓଡିଶାରେ ୧୨୦ ଆସନ ଜିଣିବାର ସ୍ୱପ୍ନ ଦେଖୁଥିବା ବିଜେପି ଏବେ ଶାସକ ବିଜେଡିକୁ କୌଣସି ସ୍ଥିତିରେ କ୍ଷମତା ହାସଲର ବାଟ ଛାଡିବାକୁ ରାଜି ନୁହେଁ। ଆମ ଗାଁ ଆମ ବିକାଶ ହେଉ କିମ୍ୱା ତେଲ ଆନ୍ଦୋଳନ, ସବୁଥିରେ ଦୁଇ ଦଳ ମୁହାଁମୁହିଁ ହେବାରେ ଲାଗିଛନ୍ତି। ଦୁଇ ଦଳ ଏବେ ପ୍ରତି କଥାରେ ପରସ୍ପରର ବାଟ ଓଗାଳି ରାଜ୍ୟ ରାଜନୀତିକୁ ସରଗରମ କରିବାରେ ଲାଗିଛନ୍ତି। ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଲା ସଭାରେ ରାଜ୍ୟ ସରକାରଙ୍କୁ ଆକ୍ଷେପ କରିବାପରେ ଏହି କଳି ଜୋରଦାର ହେବାରେ ଲାଗିଛି।

କିଛି ଦିନ ହେଲା ବିଜେଡି ଆରମ୍ଭ କରିଛି ଆମ ଗାଁ ଆମ ବିକାଶ ଓ ଆମ ମୁଖ୍ୟମନ୍ତ୍ରୀ ଯୋଜନା କାର୍ଯ୍ୟକ୍ରମ। ଏହି ଦୁଇଟି ସରକାରୀ ଯୋଜନାରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବେ ଭିଡିଓ କନ‍୍‌ଫରେନ୍ସି ମାଧ୍ୟମରେ ଗାଁ ଗହଳର ଲୋକଙ୍କ ସହିତ ଯୋଡି ହେଉଛନ୍ତି। ଏହାର ଜୋରଦାର ପ୍ରଚାର ବି ହେଉଛି। ଏହାର ଜବାବରେ ବିଜେପି ଏବେ ଉଜ୍ୱଳା ଯୋଜନା ଆଢୁଆଳରେ ଅନୁରୂପ ଢଙ୍ଗରେ ଏଲ‍୍‌ପିଜି ପଞ୍ଚାୟତ ଯୋଜନା ମାଧ୍ୟମରେ ଗାଁ ଲୋକଙ୍କ ସହିତ ଯୋଡି ହେବାରେ ଲାଗିଛି। କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସିଧାସଳଖ ଗାଁ ଲୋକଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି।

ସେହିଭଳି ତେଲ ଦର ବୃଦ୍ଧିକୁ ନେଇ ବି କେହି କାହାରିକୁ ବାଟ ଛାଡିବାକୁ ରାଜି ନୁହନ୍ତି। ତୈଳଦର ବୃଦ୍ଧିକୁ ନେଇ ବିଜେଡି ଯେଉଁ ଢଙ୍ଗରେ କେନ୍ଦ୍ର ବିରୁଦ୍ଧରେ ଆନ୍ଦୋଳନ ଚଳାଇଥିଲା କେନ୍ଦ୍ର ସରକାର ତେଲ ଦର ୨ଟଙ୍କା ୫୦ ପଇସା କମାଇବା ପରେ ଠିକ୍ ସେହି ଢଙ୍ଗରେ ବିଜେପି କାଉଣ୍ଟର ଆଟାକ ଆରମ୍ଭ କରିଛି। ବିଜେଡିର ବାଟ ଓଗାଳିବାପାଇଁ ତୁରନ୍ତ ତେଲ ଦର କମାଇବା ଲାଗି ରାଲି ବାହାର କରିଛି। ବିଜେଡିର ଉଜ୍ୱଳା ବିରୋଧି ଆନ୍ଦୋଳନକୁ ନେଇ କେନ୍ଦ୍ର ମନ୍ତ୍ରୀ ଗାଁ ଲୋକଙ୍କ ସହିତ ଆଲୋଚନା କରିବାରେ ଲାଗିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଟଙ୍କିକିଆ ଚାଉଳ ବଣ୍ଟନକୁ ନେଇ ବି ଦୁଇ ଦଳ ମୁହାଁମୁହିଁ ଅବସ୍ଥାରେ। ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରି ବାହାବା ନେବାକୁ ଚେଷ୍ଟା କରୁଥିବାବେଳେ ରାଜ୍ୟ ବିଜେପି ଏବେ ଏହାର ହିତାଧିକାରୀ ତାଲିକା ମାଗିଲାଣି। ସେହିଭଳି ଓଡିଶା ସରକାରଙ୍କ ୧୭ଲକ୍ଷ ଇନ୍ଦିରା ଆମାସ ନିର୍ମାଣ ଯୋଜନା ବିଜ୍ଞାପନକୁ ନେଇ ବିଜେପି ଆପତ୍ତି ଉଠାଇଥିବାବେଳେ ବିଜୁ ଯୁବବାହିନୀ ଖର୍ଚ୍ଚର ହିସାବ ବି ବିଜେପି ମାଗୁଛି।

କେନ୍ଦ୍ର ସରକାର ଓଡିଶାକୁ ବିଭିନ୍ନ ଯୋଜନାରେ ଅର୍ଥକାଟ‍୍‌, ମହାନଦୀ ଜଳ ପ୍ରସଙ୍ଗ, ପୋଲାଭରମ ଆଦିରେ କେନ୍ଦ୍ରର ପାତର ଅନ୍ତରକୁ ନେଇ ବିଜେପି ଉପରେ ଆକ୍ରମଣ କରୁଥିବାବେଳେ ରାଜ୍ୟ ବିଜେପି ମଧ୍ୟ ଛାତ୍ରସଂସଦ ନିର୍ବଚାନୀ ହିଂସା, ରାଜ୍ୟର ଆଇନଶୃଙ୍ଖଳା ପ୍ରସଙ୍ଗ ଆଦିକୁ ନେଇ ପ୍ରତିଦିନ ସାମ୍ୱାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛି। ଏପରିକି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମୁହଁରୁ ବାହାରିଥିବା ଶବ୍ଦକୁ ନେଇ ବିଜେପି ମହିଳା ମୋର୍ଚ୍ଚା ରାସ୍ତାରୁ ଯାଇ ଥାନାରେ ପହଞ୍ଚିଲାଣି। ନିର୍ବାଚନ ଯେତେ ନିକଟତର ହେବ ଦୁଇ ଦଳର ଏଭଳି ଖୋଲା ଲଢେଇ ରାଜ୍ୟରେ ବେଶ‍୍‌ ଜମିବ ବୋଲି କୁହାଯାଉଛି।

Loading...