ବିଜେଡ଼ି ପରେ ବିଜେପିରେ ବିଭୀଷଣ

0
9

ଭୁବନେଶ୍ୱର,(ଓଟି): ବିଜେଡ଼ିରେ ଗୃହ ଭେଦି ବିଭୀଷଣ ଅଛନ୍ତି ବୋଲି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ଡ଼ା. ଦାମୋଦର ବାରମ୍ୱାର ଅଭିଯୋଗ କରି ଆସୁଥିଲେ। ଏହି ବିଭୀଷଣମାନେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଲୁଚାଛପା ବୈଠକ କରି ବିଜେଡ଼ି ବିରୋଧି କାର୍ଯ୍ୟକଳାପରେ ଲିପ୍ତ ଥିଲେ ବୋଲି ସେ ମତ ଦେଉଥିଲେ। ଡ଼ା. ରାଉତଙ୍କ କଥାକୁ ଗୁରୁତ୍ୱ ଦେଇ ବିଜେଡ଼ି ପକ୍ଷରୁ ଧର୍ମେନ୍ଦ୍ରଙ୍କ ଟିମରେ ଜଣେ ବିଭୀଷଣକୁ ଠାବ କରିଛନ୍ତି। ଏହି ବଭୀଷଣ ଧର୍ମେନ୍ଦ୍ରଙ୍କ ସବୁ ଯୋଜନା ଓ ଗୋପନ ମନ୍ତ୍ରଣା ସମ୍ପର୍କରେ ବିଜେଡ଼ି ମୁଖିଆଙ୍କୁ ଅବଗତ କରାଉଛନ୍ତି। ଯାହାଫଳରେ ବିଜେଡ଼ି ସଂଗଠନ ସୁରକ୍ଷିତ ହେବା ସହିତ ଲୋକହସାରୁ ବଞ୍ଚିଯାଉଛନ୍ତି।
ଏଭଳି କଥା ନିକଟରେ ଘଟିଥିବା ତିନିଟି ଘଟଣାକୁ ଅନୁଧ୍ୟାନ କଲେ ତାହା ଜଣାପଡ଼ୁଛି। ପଶ୍ଚିମ ଓଡିଶାର ଜଣେ ବରିଷ୍ଠ ବିଜେଡ଼ି ନେତା ବିଜେପିରେ ଯୋଗ ଦେଇଥାନ୍ତେ। ଏକଥା ବିଜେଡ଼ି ସୁପ୍ରିମୋଙ୍କ କାନରେ ପଡ଼ିବାରୁ ତାଙ୍କୁ ସେ ରାଜ୍ୟସଭାକୁ ପଠାଇ ସନ୍ତୁଷ୍ଟ କରିଛନ୍ତି। ଯାହାଫଳରେ ବିଜେପିର ଯୋଜନା ପାଣିରେ ପଡ଼ିବା ସହିତ ବିଜେଡ଼ି ଲୋକହସାରୁ ରକ୍ଷା ପାଇଲା।
ଢ଼େଙ୍କାନାଳର ପୂର୍ବତନ ବିଧାୟକ ତଥା କଂଗ୍ରେସ ଜିଲ୍ଲା ସଭାପତି ସୁଧିର ସାମଲ ବିଜେପିରେ ଯୋଗ ଦେବେ ବୋଲି ଚୂଡାନ୍ତ ହୋଇଥିଲା। ସେ ବିଜେପିକୁ ଯିବା ପୂର୍ବରୁ ବିଜେଡ଼ି ତାଙ୍କୁ ଲୋକସଭା ପ୍ରାର୍ଥୀ କରିବାର ପ୍ରତିଶ୍ରୁତି ଦେଇ ନିଜ ଆଡ଼କୁ ଟାଣି ନେବାରେ ସକ୍ଷମ ହୋଇଛି। ଫଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଯୋଜନା ଫସର ଫାଟିଗଲା।
ଆଉ ଏକ ଘଟଣା ହେଉଛି ବାଲେଶ୍ୱର ଜିଲ୍ଳାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତି ବିଜେପି ଯୋଗ ଦେବେ ବୋଲି ନିଷ୍ପତ୍ତି ଚୂଡାନ୍ତ ହୋଇଥିଲା। ଏ କଥା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋଙ୍କ କାନରେ ପଡ଼ିବା ପରେ ସେ ଦୁଇ ଦିନ ତଳେ ରଘୁନାଥ ମହାନ୍ତିଙ୍କୁ ନବୀନ ନିବାସ ଡ଼କାଇ ମାନ ଭଞ୍ଜନ କରି ଜିଲ୍ଲାରେ ସଂଗଠନ ସମ୍ଭାଳିବାକୁ ଦାୟିତ୍ୱ ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଏସବୁ ଯୋଜନା ଫସର ଫାଟିବା ପଛରେ ତାଙ୍କ ଟିମରେ ଥିବା ବିଭୀଷଣ ଥିବା ନେଇ ସନ୍ଦେହ ଆରମ୍ଭ ହୋଇଛି। ଏହି ବିଭୀଷଣ କିଏ ଓ କାହା ପାଇଁ କାମ କରୁଛି ତାହା ଖୋଜି ବାହାର କରିବା ପାଇଁ ତନାଘନା ଆରମ୍ଭ ହୋଇଗଲାଣି ବୋଲି ଦଳୀୟ ସ୍ତରରେ ଆଲୋଚନା ହେଉଛି।

Loading...