ପ୍ରସାଦ ହଟାଅ ଅଭିଯାନ: ବିରୋଧିଙ୍କ ଦୁର୍ଭାଗ୍ୟ ବି ଖରାପ

0
8
ପିସିସି ଅଧ୍ୟକ୍ଷ ପାଇଁ ମୁଖ୍ୟ ଦାବିଦାର ନିରଞ୍ଜନ ପଟ୍ଟନାୟକ ( ଫାଇଲ ଫଟୋ)

ଭୁବନେଶ୍ୱର, (ଓଟି): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦବୀରୁ ପ୍ରସାଦ ହରିଚନ୍ଦନଙ୍କୁ ହଟାଇବାର ଅଭିଯାନ ପୁଣିଥରେ ଫସର ଫାଟିବାକୁ ଯାଉଛି। କାରଣ ପୂର୍ବ ଅଭିଯାନଗୁଡ଼ିକରେ ଉପାଧ୍ୟକ୍ଷ ତଥା କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି ଯେଉଁଭଳି ଭାବେ ଆଶ୍ୱାସନା ଦେଇ ଚୁପ‍୍‌ ରହିଛନ୍ତି ଏଥର ତାହା ବି ନ ହୋଇପାରେ ବୋଲି ସନ୍ଦେହ ଉପୁଜିଛି। ବାରମ୍ୱାର ବିଧାୟକଙ୍କ ଇସ୍ତଫା ଓ ଦଳ ବିଭାଜନର ଧମକ ତାଙ୍କ ଉପରେ କେତେ ପଡ଼ିବ ସେ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ଉପାଧ୍ୟକ୍ଷ ବା ତାଙ୍କ ନିକଟତମ ଶିବିର କିନ୍ତୁ ଏନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ଗତ ଦୁଇଦିନ ହେଲା ଓଡ଼ିଶା କଂଗ୍ରେସରେ ଚାଲିଥିବା ଏହି ବିଦ୍ରୋହ ଖବର ତାଙ୍କ ପାଖରେ ଗୁପ୍ତ ରିପୋର୍ଟ ମାଧ୍ୟମରେ ପହଞ୍ଚିଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ଏଣୁ ସେ ବିଧାୟକଙ୍କ ଦାବି ପ୍ରତି ସମ୍ୱେଦନଶୀଳ ହେବା ବଦଳରେ ବିଦେଶଗସ୍ତକୁ ଅଧିକ ଜରୁରୀ ବୋଲି ଗ୍ରହଣ କରିଛନ୍ତି।
କିଛିଦିନ ତଳେ ଦିଲ୍ଲୀରେ ସମାନ ଅଭିଯୋଗ ନେଇ ରାହୁଲଙ୍କୁ ବିଧାୟକ ଦଳ ଭେଟିବା ପରେ ପ୍ରସାଦ ହଟିବା ଥୟ ବୋଲି ବିରୋଧୀ ମହଲ ଏକ ପ୍ରକାର ସ୍ପଷ୍ଟ ହୋଇଥିଲେ। ସେତେବେଳେ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ହୁକୁମ‍୍‌ ଦେଲେ, “ଏକତାହିଁ ବଳ’ ସାବ୍ୟସ୍ତ କରିବାକୁ ଏକ ଗ୍ରୁପ‍୍‌ ଫଟୋ ବି ଉଠାଇଲେ କିଛି ବି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ନା ବିକେ ହରିପ୍ରସାଦଙ୍କୁ ଓଡ଼ିଶା ଦାୟିତ୍ୱରୁ ହଟାଗଲା ନା ପ୍ରସାଦଙ୍କୁ ପିସିସି ଦାୟିତ୍ୱରୁ। ଅର୍ଥାତ୍ ପରୋକ୍ଷଭାବେ ରାହୁଲ ପ୍ରସାଦଙ୍କୁ ସମର୍ଥନ କଲେ ବୋଲି ଆଲୋଚନା ହେଲା।
ଏହାପରେ କିଛିଦିନ ବିରୋଧୀ ଶିବିର ଚୁପ‍୍‌ ରହିବା ପରେ ପୁଣିଥରେ ବିରୋଧୀଦଳ ନେତାଙ୍କୁ ମୋହରା କରି ଯୁଦ୍ଧ ଲଢ଼ିବାକୁ ଆରମ୍ଭ କଲା ବେଳକୁ ସ୍ମୟଂ ଯୁବରାଜଙ୍କ ଆଈଙ୍କ କଥା ମନେ ପଡ଼ିଛିା। ଏଣୁ ଯେଉଁ ତାରିଖରେ ଏମାନେ ରାହୁଲଙ୍କୁ ଭେଟିବାକୁ ସ୍ଥିର କରିଥିଲେ ତାହା ଯେ ଆଉ ମିଳିବ ନାହିଁ ଏହା ସ୍ପଷ୍ଟ ହୋଇଯାଇଛିା। ପୁଣି କେବେ ସମୟ ମିଳିବ ତାହା ବି ଆହୁରି ଅସ୍ପଷ୍ଟ, କାରଣ ରାହୁଲ ନିଜେବି ସ୍ପଷ୍ଟ କରିନାହାନ୍ତି ସେ କେବେ ଆଈଘରୁ ଫେରିବେ!
ଏପରିସ୍ଥଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓଡ଼ିଶା କଂଗ୍ରେସ ବିଧାୟକ ଦଳ ରାହୁଲଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି। ୧୬ ଏବଂ ୧୭ ତାରିଖକୁ ଏଥିଲାଗି ଭେଟିବାର ତାରିଖ ଭାବେ ଗ୍ରହଣ କରିବା ଲାଗି ରାହୁଲଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି। ରବିବାରଦିନ ନରସିଂହଙ୍କ ଘରେ ବସିଥିବା ବୈଠକରେ ପିସିସି ସଭାପତିଙ୍କୁୁ ହଟାଇବା ହିଁ ମୁଖ୍ୟ ଆଲୋଚନାର ବିଷୟ ଥିଲା ବୋଲି ସେ ସ୍ପଷ୍ଟ କରିବା ସହ ରାଜ୍ୟର ବିଧାୟକମାନେ ପ୍ରସାଦ ନେତୃତ୍ୱରେ କାମ କରିବାକୁ ଚାହୁନାହାନ୍ତି ବୋଲି କହିଛନ୍ତି। ଏଣୁ ତାଙ୍କୁ ପରିବର୍ତ୍ତନ କରାଯିବାର ଅବାଶ୍ୟକତା ରହିଛି ତାହା ନହେଲେ ଦଳରେ ବିଭାଜନ ଘଟିବ ବୋଲି ମଧ୍ୟ ସେ ଇଙ୍ଗିତ କରିଛନ୍ତି।
ଏହା ପୂର୍ବରୁ ମଧ୍ୟ ବିଧାୟକ ଦଳ ପକ୍ଷରୁ ଅନେକଥର ପ୍ରସାଦଙ୍କୁ ହଟାଇବା ପାଇଁ ବିଧାୟକମାନେ ଏକାଠି ହୋଇଥିବାର ନଜୀର ରହିଛି। ୨୦୧୬ ମସିହା ଅକ୍ଟୋବର ୧୭ ତାରିଖରେ ଏପରି ଏକ ଅଭିଯାନ ଜୋର‍୍‌ ହୋଇଥିଲା। ମହାନଦୀ ପ୍ରସଙ୍ଗରେ ସେ ଚଳାଇଥିବା ଅଭିଯାନରେ ରାହୁଲ ସହଯୋଗ କରୁନଥିବାରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର୍ର ମଧ୍ୟ ଅସନ୍ତୁଷ୍ଟ ଥିଲେ। ବିରୋଧୀ ଦଳନେତାଙ୍କ ସମେତ ୧୬ ଜଣ ବିଧାୟକ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟି ନିଜର ଦାବି ଉପସ୍ଥାପନ କରିଥିଲେ। ତାଙ୍କୁ ନିଜର ଇସ୍ତଫାପତ୍ର ଦେଇଥିବା ନେଇ ମଦ‍୍‌ୟ ଚର୍ଚ୍ଚା ହୋଇଥିଲା। ରାହୁଲ ସମସ୍ତଙ୍କୁ ଶୁଣି ଏକାଠି ରହିବା ପାଇଁ ଆଦେଶ ଦେଇଥିଲେ।
ସେତେବେଳେ କଂଗ୍ରେସ ପ୍ରଭାରୀ ଦାୟିତ୍ୱରେ ଥିବା ବିକେ ହରିପ୍ରସାଦଙ୍କୁ ହଟାଇବା ପାଇଁ ମଧ୍ୟ ଦାବି ଉଠିଥିଲା। ବିରୋଧୀ ଗୋଷ୍ଠୀଙ୍କୁ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ‍୍‌ ସମର୍ଥନ କରିିଥବା ମଧ୍ୟ ଚର୍ଚ୍ଚା ହୋଇଥିଲା। ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି ଦର୍ଶାଯାଇଥିଲା। ବିରୋଧୀ ଶିବିର ପଞ୍ଚାୟତ ନିର୍ବାଚନ ପରେ ପୁଣି ଅଭିଯାନ ଆରମ୍ଭ କରିବେ ବୋଲି ସ୍ଥିର କରି ଚୁପ‍୍‌ ରହିଲେ।
ପଞ୍ଚାୟତ ନିର୍ବାଚନ ପରେ କଂଗ୍ରେସର ନୈରାଶ୍ୟଜନକ ସ୍ଥିତିକୁ ନେଇ ନେତାମାନେ ପିସିସି ସଭାପତିଙ୍କୁ ଦାୟୀ କରିଥିଲେ। ବିଧାୟକମାନେ ପୁଣିଥରେ ଏକାଠି ହୋଇଥିଲେ। ଏଣୁ କଂଗ୍ରେସର ପୁନଃ ସଂରଚନା ପାଇଁ ରାଜ୍ୟରେ ସାଂଗଠନିକ ପରିବର୍ତ୍ତନ ଦରକାର ବୋଲି ଦାବି କରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁହଁ ଖୋଲିଲେ। ନିରଞ୍ଜନଙ୍କୁ ସଭାପତି କରାଇବାର ଦାବି ଜୋର‍୍‌ ହେଲା ଏବଂ ସେ ୨୧ ଜଣ କଂଗ୍ରେସ ନେତାଙ୍କୁ ନେଇ ଦିଲ୍ଲୀ ଗଲେ। ଏଥିରେ ବିରୋଧୀଦଳ ନେତା ବି ସାମିଲ‍୍‌ ଥିଲେ। ରାହୁଲ କିନ୍ତୁ କିଛି ପଦକ୍ଷେପ ନେବା ବଦଳରେ ସାଂଗଠନିକ ନିର୍ବାଚନକୁ ଅପେକ୍ଷା କଲେ। ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ ଏବଂ ସେଥିଲାଗି ଏଆଇସିସି ଆବଶ୍ୟକୀୟ ପଦକ୍ଷେପ ନେବ ବୋଲି ଆଶ୍ୱାସନା ଦେଇଥିଲେ।
ଏହାଶୁଣି ବିରୋଧୀ ନେତାମାନେ ଭୁବନେଶ୍ୱର ଆସି ପରିବର୍ତ୍ତନ ଚିଠିକୁ ଅପେକ୍ଷା କଲେ। ହେଲେ ଏହା ଭିତରେ ଆଉ ସେ ଚିଠି ଆସିଲା ନାହିଁ। ବରଂ ସାଂଗଠନିକ ପ୍ରକ୍ରିୟା ଆରମ୍ଭ ହୋଇଗଲା। ଡିସେମ୍ୱର ଶେଷଯାଏ ଏହି ପ୍ରକ୍ରିୟା ଚାଲିବାକୁ ଥିବାରୁ ସେ ଭିତରେ ଆଉ ପିସିସି ସଭାପତି ପଦ ପରିବର୍ତ୍ତନ ନ ହେବା ଏକ ପ୍ରକାର ସ୍ପଷ୍ଟ ହେଲା। ହେଲେ ଯଦି ଏହି ନିର୍ବାଚନ ସଫଳ ହୁଏ ତେବେ ଜିଲ୍ଲା ସ୍ତରରେ ପ୍ରସାଦଙ୍କ ସଂଗଠନ ସୁଦୃଢ଼ ହେବ ବୋଲି ଆଶଙ୍କା ପ୍ରକଟ ହେଲା। ଏଣୁ ରାଜ୍ୟରେ କଂଗ୍ରେସ ବିରୋଧୀ ଦଳର କୌଣସି ଭୂମିକା ନେଉ ନାହିଁ ଏବଂ ଏହି ସକାଶେ ବିଜେପି କଂଗ୍ରେସ ସଂଗଠନକୁ ନିଜ ଆଡ଼କୁ ନେଇ ଚାଲିଛି ବୋଲି ଅଭିଯୋଗ କରି ପୁଣିଥରେ ବିରୋଧୀଙ୍କ ଶିବିର ତାଜା ହୋଇଥିଲା।
ରବିବାରଦିନ ଏନେଇ ବିରୋଧୀ ଦଳ ନେତାଙ୍କ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। କେହି କିଛି ନକହିଥିଲେ ମଧ୍ୟ ଏହା ପ୍ରସାଦ ହଟାଅ ଅଭିଯାନର ତୃତୀୟ ବୃହତ ସାଂଗଠନିକ ଗୋଟିଚାଳନା ବୋଲି ଆଲୋଚନା ହେଲା। ମଙ୍ଗଳବାରଦିନ ବିଧାୟକ ଶ୍ରୀ ବାହିନୀପତିଙ୍କ ସ୍ପଷ୍ଟୀକରଣ ପରେ ଏହା ନିଶ୍ଚିତ ହୋଇଛି। ତେବେ ପ୍ରଶ୍ନ ଉଠୁଛି ରାହୁଲ କ’ଣ ଏମାନଙ୍କ ଅଭିଯୋଗକୁ ଗ୍ରହଣ କରିବେ? ଦେଶର ଚାରିଆଡେ଼ କଂଗ୍ରେସ ବିପର୍ଯ୍ୟୟ ଚାଲିଥିବା ବେଳେ ଓଡ଼ିଶାରେ ବିପର୍ଯ୍ୟୟ ପାଇଁ କ’ଣ ରାହୁଲଙ୍କୁ ଦାୟୀ କରିବେ? ନା ଗୋଷ୍ଠୀ କନ୍ଦଳକୁ ଦାୟୀ କରି ସେମାନଙ୍କ ଦାବିକୁ ପୁଣିଥରେ ଅଗ୍ରାହ୍ୟ କରିବେ? ଏଭଳି ପ୍ରଶ୍ନସବୁ କଂଗ୍ରେସ ନେତାଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବା ବେଳେ ନେତୃତ୍ୱକୁ ମଧ୍ୟ ସଙ୍କଟମୟ ସ୍ଥିତିକୁ ଟାଣି ନେଇଛି।

Loading...