ରାଜଧାନୀ ସାମ୍ୱାଦିକ ଏବେ ରାଜନୀତି ମୁହାଁ: ନିର୍ବାଚନ ଲଢ଼ିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ମେନ‍୍‌ଷ୍ଟ୍ରିମ‍୍‌ ସାମ୍ୱାଦିକ

3
876
advertisement

ଭୁବନେଶ୍ୱର, (ଓଟି): ଆଗୁଆ ନିର୍ବାଚନ ହେବ ବୋଲି ରାଜନୀତିକ ଦଳଗୁଡ଼ିକ ଏବେ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଯଦିଓ କିଏ କେଉଁଠୁ ଲଢ଼ିବେ ତାହା ସ୍ଥିର ହୋଇ ନାହିଁ କିନ୍ତୁ ନୂଆ ପୁରୁଣା ନେତା ମାନେ ନିଜ ପକ୍ଷକୁ ରାଜନୀତିକ ସମୀକରଣକୁ ଟାଣିବା ଲାଗି ଉଦ୍ୟମ କରୁଛନ୍ତି। ଆଉ ଏହି ଉଦ୍ୟମରେ ରାଜଧାନୀ ଭିତ୍ତିକ କିଛି ମେନ‍୍‌ଷ୍ଟ୍ରିମ‍୍‌ ଚର୍ଚ୍ଚିତ ସାମ୍ୱାଦିକ ମଧ୍ୟ ନିଜକୁ ସାମିଲ କରିଛନ୍ତି। କେହି କେହି ରାଜନୀତିକୁ ନିଜ କ୍ୟାରିୟରର ବିକଳ୍ପ ଧାରା ବୋଲି କହୁଛନ୍ତି ଆଉ କିଛି କହୁଛନ୍ତି ପ୍ରତ୍ୟକ୍ଷ ରାଜନୀତିକୁ ଆସିଲେ ଲୋକଙ୍କ ସେବା ଅଧିକ କରିହେବ।

ଏହି ଦୌଡ଼ରେ ସାମିଲ‍୍‌ ହୋଇଛନ୍ତି ଈଟିଭି ଓଡ଼ିଆ ନ୍ୟୁଜ, ଜୀ କଳିଙ୍ଗ ନ୍ୟୁଜ୍‌, କନକ ଟିଭିରେ ପୂର୍ବରୁ ସମ୍ପାଦକ ଦାୟିତ୍ୱ ତୁଲାଇଥିବା ସତ୍ୟ ପ୍ରକାଶ ନାୟକ, ନ୍ୟୁଜ୍‌ ସେଭେନ‍୍‌ର ସମ୍ପାଦକ ଅଦ୍ଧେର୍ନ୍ଦୁ ଦାସ, ଓଟିଭିରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିବା ଉପସ୍ଥାପକ ସାମ୍ୱାଦିକ ସତ୍ୟଜିତ ମିଶ୍ର, ପ୍ରଗତିବାଦୀର ବରିଷ୍ଠ ସାମ୍ୱାଦିକ ବିରୁପାକ୍ଷ ତ୍ରିପାଠୀ। ଏମାନଙ୍କ ବ୍ୟତୀତ ନ୍ୟୁଜ୍‌ ୱର୍ଲଡ ଓଡ଼ିଶାର ସମ୍ପାଦକ ସନ୍ଦୀପ ମିଶ୍ରଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। କିନ୍ତୁ ଅନ୍ୟମାନଙ୍କ ଭଳି ସେ କେଉଁଠାରେ ନିଜର ସଂଗଠନକୁ ସୁଦୃଢ଼ କରିବା ବା ରାଜନୀତିକ ଲୋକସମ୍ପର୍କ ରକ୍ଷା ପାଇଁ ଉଦ୍ୟମ କରୁଥିବା ପରିଲକ୍ଷିତ ହୋଇନାହିଁ।

ଜଣେ ନିର୍ଭୀକ ଏବଂ ସ୍ପଷ୍ଟବାଦୀ ଟିଭି ସାମ୍ୱାଦିକଭାବେ ରାଜ୍ୟର ତିନିଟିଯାକ ପ୍ରମୁଖ ରାଜନୀତିକ ଦଳଠୁ ସମାନ ଦୂରତା ରକ୍ଷା କରୁଥିବା ସତ୍ୟପ୍ରକାଶ ନାୟକ ଏବେ ପ୍ରତ୍ୟକ୍ଷ ରାଜନୀତି ପ୍ରତି ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ସମୟରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ ଆନ୍ଦୋଳନରେ ସେ ରାଜନୀତିକ ନେତାଙ୍କ ଭଳି ନିଜର ବକ୍ତବ୍ୟ ରଖୁଛନ୍ତି। ନିକଟରେ ଶିକ୍ଷକ ସମାବେଶରେ ତାଙ୍କ ଭାଷଣ ମଧ୍ୟ ଚମତ୍କାର ହୋଇଥିବା ଅନେକ ଶିକ୍ଷକ ନେତା କହିଛନ୍ତି। ଏହାଛଡ଼ା ସତ୍ୟପ୍ରକାଶ ବିଭିନ୍ନ ସମୟରେ ନିଜ ଜିଲ୍ଲା ଭଦ୍ରକରେ ବିଭିନ୍ନ ସଂଗଠନ ସହ ଯୋଡ଼ି ହୋଇ ଆନ୍ଦୋଳନକୁ ସମର୍ଥନ କରିଥିବା ଲକ୍ଷ୍ୟ କରାଯାଇଛି। ବିଭିନ୍ନ ସମୟରେ ସେ ଛାତ୍ର ସଂଗଠନମାନଙ୍କ ସହ ମଧ୍ୟ ଆଲୋଚନା କରି କଲେଜଗୁଡ଼ିକରେ ଛାତ୍ରମାନଙ୍କୁ ମନୋବଳ ଦେଇଛନ୍ତି। ବିଶେଷକରି ଈଟିଭି ଓଡ଼ିଆ ନ୍ୟୁଜ୍‌ ଛାଡ଼ିଲାପରେ ତାଙ୍କର ଏହି ରାଜନୀତିକ ଲୋକ ସମ୍ପର୍କ ଢାଞ୍ଚା ଅଧିକ ସଂଗଠିତ ହୋଇଥିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ଏହି ଲୋକ ସମ୍ପର୍କରେ ରାଜନୀତିକ ଉଦ୍ଦେଶ୍ୟ ରହିଥିବା ବିଷୟକୁ ଖଣ୍ଡନ କରିଛନ୍ତି ଶ୍ରୀ ନାୟକ। ସେ କହିଛନ୍ତି, “ରାଜନୀତିକ ଦଳଗୁଡ଼ିକରେ ପୋଷା ମାନିବାର କଳା କୌଶଳ ଓ ଦକ୍ଷତା ତାଙ୍କ ପାଖରେ ନାହିଁ। ଏଣୁ ସେ ତିନିଟି ଯାକ ପ୍ରମୁଖ ରାଜନୀତିକ ଦଳଠୁ ସମାନ ଦୂରତା ରକ୍ଷା କରିଛନ୍ତି। ତାଙ୍କ ଆଭିମୁଖ୍ୟରେ ବ୍ୟବସ୍ଥା ବିରୋଧୀଧାରା ଅଧିକ ଥାଇପାରେ କିନ୍ତୁ ଏହାର କାରଣ ବ୍ୟକ୍ତିଗତ ନୁହେଁ ବରଂ ବ୍ୟବସ୍ଥାରେ ସୁଧାର ପାଇଁ ଆବଶ୍ୟକ ସମାଲୋଚନା ହୋଇପାରେ। କୌଣସି ରାଜନୀତିକ ଦଳର ମୁଁ ସଦସ୍ୟ ନୁହେଁ। କି ମୋର ରାଜନୀତିକୁ ଯିବା କଥା ଉଠି ନାହିଁ’।

ଏବେ ରାଜ୍ୟସଭାରେ ସଦସ୍ୟ ଥିବା ପ୍ରସନ୍ନ ଆଚାର୍ଯ୍ୟ ପୂର୍ବରୁ ହିନ୍ଦୁସ୍ତାନ ସମାଚାରର ସାମ୍ୱାଦିକ ଭାବେ କାର୍ଯ୍ୟ କରୁଥିଲେ, ସେହିପରି ଅତନୁ ସବ୍ୟସାଚୀ ନାୟକ “ମାତୃଭାଷା’, ‘ପ୍ରଜାତନ୍ତ୍ର’ର ସାମ୍ୱାଦିକ ଭାବରେ ଯଥେଷ୍ଠ ସୁନାମ ଅର୍ଜନ କରିଥିଲେ। ସୂର୍ଯ୍ୟ ନାରାୟଣ ପାତ୍ର, ଯୋଗେନ୍ଦ୍ର ବେହେରା ମଧ୍ୟ ପୂର୍ବରୁ ସମାଜ ସହ ଯୋଡ଼ି ହୋଇଥିବା ଜଣାଯାଏ। ଏହାଙ୍କ ପୂର୍ବରୁ ହରେକୃଷ୍ଣ ମହତାବ, ରାଧାନାଥ ରଥ, ସୁରେନ୍ଦ୍ର ମହାନ୍ତି, ଜାନକୀ ବଲ୍ଳଭ ପଟ୍ଟନାୟକ, ଚିନ୍ତାମଣି ପାଣିଗ୍ରାହୀ, ଦେବେନ୍ଦ୍ର ଶତପଥି, ଭତୃର୍ହରି ମହତାବ, ସୌମ୍ୟରଂଜନ ପଟ୍ଟନାୟକ, ତଥାଗତ ସତପଥିଙ୍କ ଭଳି ଅନେକ ସାମ୍ୱାଦିକରୁ ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମଧ୍ୟ ହୋଇଛନ୍ତି। ଏଣୁ କେବେ ଏମାନେ ମଧ୍ୟ ସେହି ତାଲିକାରେ ରହିପାରନ୍ତି। ହେଲେ ଏବେ ଯେଉଁ ସାମ୍ୱାଦିକଙ୍କ ମନରେ ରାଜନୀତି ମୋହ ଦେଖାଦେଇଛି ସେଥିରେ ବିଜେଡି ପ୍ରୀତି ଅଧିକ ପରିଲକ୍ଷିତ ହୋଇଛି। ଏହା କ’ଣ ବ୍ୟବସ୍ଥା ସପକ୍ଷବାଦୀ ମତବାଦର ଏକ ଉଦାହରଣ ନୁହେଁ?

 

ନିଜର ଭବିଷ୍ୟତ କ୍ୟାରିୟର‍୍‌ ପ୍ଲାନ‍୍‌ ବିଷୟରେ ଯୋଡ଼ିବାକୁ ଯାଇ ଶ୍ରୀ ନାୟକ କହିଛନ୍ତି, ମୁଁ ବିକଳ୍ପ କ୍ୟାରିୟର କଥା କେବେ ଭାବି ନାହିଁ; ବରଂ ଯେଉଁ କ୍ୟାରିୟର‍୍‌ ଆପଣାଇଛି ତାହାକୁ କିପରି ଲୋକ ଅନୁଭବ କରିପାରିବେ ସେଥିନେଇ ବିକଳ୍ପ ମିଡିଆ କଥା ଚିନ୍ତା କରିଛି। ଯେଉଁଥିପାଇଁ ମୁଁ ଡିଜିଟାଲ‍୍‌ ମିଡିଆକୁ ମାଧ୍ୟମ କରିଛି। ଏହାର ଏକ ମାତ୍ର ଉଦେଶ୍ୟ ହେଉଛି ମିଡିଆକୁ ଯେପରି ସାଧାରଣ ଲୋକ ଅନୁଭବ କରିପାରିବେ ସେଥିଲାଗି ଏକ ପ୍ଲାଟ‍୍‌ଫର୍ମ ସୃଷ୍ଟି କରିବା।

କିନ୍ତୁ ତାଙ୍କର ଆଭିମୁଖ୍ୟ ହିଁ ଏକ ରାଜନୀତିକ କ୍ଷେତ୍ର ତାଙ୍କ ପାଇଁ ତିଆରି କରିଛି ବୋଲି ତାଙ୍କ ସମର୍ଥକମାନେ ପ୍ରକାଶ କରିଛନ୍ତି।

ରାଜନୀତି ମୁହାଁ ସାମ୍ୱାଦିକ ତାଲିକାରେ ଦ୍ୱିତୀୟ ସଂଖ୍ୟାରେ ରହିଛନ୍ତି ନ୍ୟୁଜ୍‌ ସେଭେନ‍୍‌ର ସମ୍ପାଦକ ଅଦ୍ଧେର୍ନ୍ଦୁ ଦାସ। ସାରଥି ମାମଲାରେ ତାଙ୍କ ଚ୍ୟାନେଲ‍୍‌ ଦର୍ଶକଙ୍କ ଦୃଷ୍ଟିକୁ ଆକର୍ଷଣ କରିଥିଲା। ଏହାପରେ ପାରଳାଖେମୁଣ୍ଡି ରାଜପରିବାର ବିଷୟ ମଧ୍ୟ ତାଙ୍କ ଚ୍ୟାନେଲ‍୍‌ର ଲୋକପ୍ରିୟତାକୁ ବଢ଼ାଇଥିଲା। ସେହି ସମୟରେ ଚ୍ୟାନେଲ‍୍‌ର ବାର୍କ ରେଟିଂ ୭୦ ଛୁଇଁ ପାରିଥିଲା ଏବଂ ତାହା ଏକ ସମୟରେ ରାଜ୍ୟର ଏକ ନମ୍ୱର ଚ୍ୟାନେଲ‍୍‌କୁ ମଧ୍ୟ ଟକ୍କର ଦେଇଥିଲା। ଏହିକ୍ରମରେ ତାଙ୍କ ପ୍ରତି ଲୋକ ସମର୍ଥନ ଯଥେଷ୍ଟ ବୃଦ୍ଧି ପାଇଛି। ବିଶେଷକରି ତାଙ୍କ ନିଜ ଘର ଜଟଣୀରେ ତାଙ୍କ ପାଇଁ ଏକ ରାଜନୀତିକ କ୍ଷେତ୍ର ପ୍ରସ୍ତୁତ ହୋଇଛି ବୋଲି ଚର୍ଚ୍ଚା ହେଉଛି। ବିଭିନ୍ନ ସମୟରେ ତାଙ୍କ ଘରେ ରାଜନୀତିକ ଦଳ ଏବଂ ସଂଗଠନମାନଙ୍କ କର୍ମକର୍ତ୍ତାମାନେ ଆଲୋଚନା କରୁଥିବା ଜଣାପଡ଼ିଛି। ଏହାଛଡ଼ା ସେ ମଧ୍ୟ ଜଟଣୀ ନିର୍ବାଚନ ମଣ୍ଡଳୀ ବୁଲି ଅନେକ ସମୟରେ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଏହାକୁ ନେଇ ବିଜେଡି ଓ ବିଜେପିର ପୁରୁଣା ନେତାଙ୍କ ମହଲରେ ମଧ୍ୟ ଛନକା ପଶିଛି। ବିଜେଡିର ସ୍ଥାନୀୟ ବିଧାୟକ ସେଠାରେ ଦେଖା ନଯିବା ଏବଂ ପୂର୍ବତନ ବିଧାୟକଙ୍କ ସହ ଲୋକସମର୍ଥନ ନଯିବା କାରଣରୁ ବିଜେଡି ଯେଉଁ ଟ୍ୟାଲେଣ୍ଟ ହଣ୍ଟରେ ଅଛନ୍ତି ସେହି ଦୌଡ଼ରେ ଅଦ୍ଧେର୍ନ୍ଦୁ ଆଗରେ ଅଛନ୍ତି ବୋଲି ଆଲୋଚନା ହେଉଛି।

ଏ ସମ୍ପର୍କରେ ନିଜ ପକ୍ଷକୁ ସ୍ପଷ୍ଟ କରି ଶ୍ରୀ ଦାସ କହିଛନ୍ତି, “ରାଜନୀତିକୁ ଯୁବକ ଏବଂ ବୁଦ୍ଧିଜୀବୀ ବର୍ଗ ଆସିବା ଉଚିତ। ଅନେକ ସମୟରେ ମୋତେ ଲୋକ ଜଟଣୀ ଅଞ୍ଚଳକୁ ଡାକି ନେଉଛନ୍ତି। ସେମାନେ ଯେ କୌଣସି ରାଜନୀତିକ ଦଳର ତାହା ଭାବିବା ଭୁଲ‍୍‌। କାରଣ ମୁଁ ସେମାନଙ୍କ ଡାକରାରେ ବିଭିନ୍ନ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଛି। ଜଣେ ସାମ୍ୱାଦିକ ଭାବେ ସେମାନେ ମୋତେ ଡାକନ୍ତି ମୋଠୁ କିଛି ଶୁଣିବା ପାଇଁ। ମୁଁ ଯେତିକି ଜାଣିଛି ତାହା ତାଙ୍କ ସଙ୍ଗେ କଥା ହୁଏ। ସେମାନେ ଯଦି ଚାହିଁବେ ମୁଁ ନିର୍ବାଚନରେ ପ୍ରାର୍ଥୀ ହୁଏ ତେବେ ମୋର ଆପତ୍ତି କାହିଁକି ରହିବ? ଯେହେତୁ ସେଠାକୁ ବିଜେଡି ବିଧାୟକ ଯାଉ ନାହାନ୍ତି, ବିଜେପିର ଭାବି ପ୍ରାର୍ଥୀଙ୍କ ଲୋକସମ୍ପର୍କ ଠିକ୍ ନାହିଁ ସେମାନେ ଜଣେ ବିକଳ୍ପ ପ୍ରାର୍ଥୀଙ୍କ ସନ୍ଧାନରେ ଅଛନ୍ତି। ମୋ ଆକଳନ କହୁଛି ଯଦି ବିଜେପି ଓ ବିଜେଡି ତାଙ୍କ ପ୍ରାର୍ଥୀ ନ ବଦଳାନ୍ତି ତେବେ ରାଜନୀତିକ ସମୀକରଣରେ କଂଗ୍ରେସକୁ ଫାଇଦା ହେବ। କିନ୍ତୁ ଏହା ସଷ୍ଟ ଯେ, ମୁଁ କୌଣସି ଦଳର ନୁହେଁ। କି ଦଳର ପ୍ରଚାର କରୁନାହିଁ’।

କିଛିଦିନ ହେଲା ଓଟିଭି ଛାଡ଼ିଥିବା ସତ୍ୟଜିତ ମିଶ୍ର ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବା ଲାଗି ଚିନ୍ତା କରୁଛନ୍ତି। ନିଜକୁ ଜଣେ ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟାଦ ବୋଲି ବିଚାର କରି ସମାଜ ସେବାକୁ ଅଧିକ ପ୍ରାଧାନ୍ୟ ସେ ଦିଅନ୍ତି। ଅନେକ ସମୟରେ ତାଙ୍କ ଜିଲ୍ଲା ଢେଙ୍କାନାଳର କାମାକ୍ଷା ନଗରରେ ସେ ସାମାଜିକ କାର୍ଯ୍ୟରେ ଯୋଗ ଦେଉଥିବା ଲକ୍ଷ୍ୟ କରାଯାଇଛି। ଜେଜେବାପାଙ୍କ ଭଳି ମୁଁ ସବୁବେଳେ ନଥିବା ଲୋକଙ୍କ ସାଙ୍ଗରେ ରହି ଆସିଛି। ସାମ୍ୱାଦିକ ଥିବା ବେଳେ ସେମାନଙ୍କ ସାଙ୍ଗରେ ରହି କାମ କରିଛି। ଏବେ ଭାବୁଛି ପ୍ରତ୍ୟକ୍ଷ ରାଜନୀତିକୁ ଆସିଲେ ସେମାନଙ୍କର ଅଧିକ ସେବା କରିପାରିବି। କିନ୍ତୁ ଏଯାଏ କୌଣସି ରାଜନୀତିକ ଦଳରେ ମୁଁ ଯୋଗ ଦେଇ ନାହିଁ ବୋଲି କହନ୍ତି ଶ୍ରୀ ମିଶ୍ର।

 
ସେ କହନ୍ତ. ମୁଁ ନେତାଗିରିର ବିରୋଧି। କିନ୍ତୁ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଲେ କ୍ଷତି କ’ଣ? ଯୁଗ ଥିଲା ଯେତେବେଳେ ଲୋକେ ରାଜନୀତି ଓ ମିଡିଆକୁ ଆସିବାକୁ ନାକ ଟେକୁଥିଲେ। ହେଲେ ଏବେ ସେ ସମୟ ଆଉ ନାହିଁ। ମୁଁ ଭାବୁଛି ରାଜନୀତିକୁ ଏକ କ୍ୟାରିୟର ଭାବେ ଗ୍ରହଣ କରାଯାଇପାରେ। ଜଣେ ରାଜନେତା ଭାବେ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ଅନେକ ରହିଛି। ମୁଁ ଭାବେ ଜଣେ ବକ୍ତା ଭାବେ ମୁଁ ଲୋକଙ୍କୁ ଆକୃଷ୍ଟ କରିପାରେ ଏବଂ ସେମାନଙ୍କୁ ଜୀବନ ଗଢ଼ିବା ଓ ପୋଷଣ କରିବାରେ ଅନୁପ୍ରାଣୀତ କରିପାରେ। ଜଣେ ସଫଳତମ ରାଜନେତା ଭାବେ ମୁଁ ନବୀନ ପଟ୍ଟନାୟକଙ୍କୁ ହିରୋ ବୋଲି ଗ୍ରହଣ କରେ। କାରଣ ୨୦୦୦ ମସିହାରେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ ସେବେଠାରୁ ଆଜି ଯାଏ ସେ ଦାଖଲ କରିଥିବା ସମ୍ପତ୍ତି ରିଟର୍ଣ୍ଣରେ ଆପଣ ସେମିତି କିଛି ପରିବର୍ତ୍ତନ ଦେଖିବେ ନାହିଁ, ଯାହା ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ କ୍ଷେତ୍ରରେ ସାଧାରଣତଃ ହୋଇଥାଏ। ସେଇଥିପାଇଁ ସାରା ରାଜ୍ୟ ତାଙ୍କୁ ନେତା ଭାବେ ଗ୍ରହଣ କରେ। ବାରମ୍ୱାର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରେ।

ସତ୍ୟଜିତଙ୍କ ଏହି ଆଭିମୁଖ୍ୟ ତାଙ୍କୁ ବିଜେଡି ସପକ୍ଷବାଦୀ ବୋଲି ସ୍ପଷ୍ଟ କରୁଛି। କିନ୍ତୁ ସେ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ଯୁକ୍ତିକୁ ଖଣ୍ଡନ ମଧ୍ୟ କରନ୍ତି।

ରାଜନୀତିରେ ଆଉ ଦୁଇଜଣେ ଚର୍ଚ୍ଚିିତ ସାମ୍ୱାଦିକ ଯେଉଁମାନେ ବିଜେଡି ପକ୍ଷରୁ ଟିକେଟ‍୍‌ ପାଇବାକୁ ଯୋଗ୍ୟ ବୋଲି ବିବେଚିତ ହୋଇଥିଲେ ସେମାନଙ୍କ ଭିତରେ ନାଁ ଆସେ “ପ୍ରଗତିବାଦୀ’ର ମୁଖ୍ୟ ସାମ୍ୱାଦିକ ବିରୁପାକ୍ଷ ତ୍ରିପାଠୀ ଏବଂ ନ୍ୟୁଜ୍‌ ୱର୍ଲଡ ଓଡ଼ିଶାର ଏଡିଟର ତଥା ପୂର୍ବତନ ଟାଇମ୍ସ ଅଫ୍ ଇଣ୍ଡିଆର ସାମ୍ୱାଦିକ ସନ୍ଦୀପ ମିଶ୍ର। ବିରୁପାକ୍ଷଙ୍କ ନାଁ ଯାଜପୁରରେ ବଡ଼ଚଣା ବିଧାନସଭା ଆସନ ପାଇଁ ୨୦୦୯ ଓ ୨୦୧୪ରେ ଚର୍ଚ୍ଚା ହୋଇଥିଲା। ଏପରିକି ବିଜେଡି ପକ୍ଷରୁ ପ୍ରସ୍ତୁତ ତାଲିକାରେ ତାଙ୍କ ନାଁ ବର୍ତ୍ତମାନର ବିଧାୟକଙ୍କଠୁ ଆଗରେ ଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଠିକ୍ ସେହିପରି ବିଜେଡି ପକ୍ଷରୁ ଭୁବନେଶ୍ୱର ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ସନ୍ଦୀପଙ୍କ ନାଁ ଆଗରେ ଥିଲା। ଏପରିକି ତାଙ୍କ ନାଁ ଟିକେଟ‍୍‌ ପାଇଁ ମଞ୍ଜୁର ବି ହୋଇଥିବା ୨୦୧୪ରେ ଶୁଣାଯାଇଥିଲା। କିନ୍ତୁ ସନ୍ଦୀପ ପାରିବାରିକ କାରଣ କହି ସେଥିରୁ ଏଡ଼ାଇ ଯାଇଥିଲେ।

ବିରୁପାକ୍ଷଙ୍କ ରାଜନୀତିକ ଇଚ୍ଛା ବାବଦରେ ପଚାରିବାରୁ ସେ କହନ୍ତି, ଓଡ଼ିଶାରେ ଯେଉଁମାନେ ସାମ୍ୱାଦିକତାକୁ ଆସନ୍ତି ସେମାନଙ୍କ ଭିତରୁ ୯୦ ପ୍ରତିଶତଙ୍କ ଇଚ୍ଛା ଥାଏ ଏକ ସାମାଜିକ ସଂସ୍କାର ପାଇଁ ଚେଷ୍ଟା କରିବା। ଏହାକୁ ପେସା ବା କ୍ୟାରିୟର ଭାବେ ନେବାର ଢାଞ୍ଚା ଓଡ଼ିଶାରେ ଏଯାଏ ପରିବେଶ ସୃଷ୍ଟି ହୋଇନାହିଁ। ଏଣୁ ମୋର ବି ଇଚ୍ଛା ସାମାଜିକ ପରିବର୍ତ୍ତନର ବାହକ ହେବା। ଏହିକ୍ରମରେ ରାଜନୀତିକ ମଞ୍ଚ ହିଁ ଶ୍ରେଷ୍ଠ ଓ ପ୍ରତ୍ୟକ୍ଷ ମାଧ୍ୟମ ବୋଲି ମୁଁ ବିଚାର କରେ। ମୁଁ ଜଣେ ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ଆସିଛି ଏବଂ ସାମାଜିକ କାର୍ଯ୍ୟକ୍ରମରେ ମୁଁ ଆମ ଅଞ୍ଚଳରେ ବିଶେଷ ଭୁମିକା ଗ୍ରହଣ କରୁଛି। ସେଇଥିପାଇଁ ୨୦୦୯ ଏବଂ ୨୦୧୪ରେ ବିଜେଡିର ଟିକେଟ ତାଲିକାରେ ମୋ ନାଁକୁ ଚର୍ଚ୍ଚା କରାଯାଉଥିଲା। କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ, ମୁଁ କୌଣସି ନିର୍ଦ୍ଦିଷ୍ଟ ଦଳରେ ନାହିଁ। କିମ୍ୱା ନିର୍ବାଚନରେ ଠିଆ ହେବା ଲାଗି ମୁଁ ସମାଜସେବା କରୁନାହିଁ। ହେଲେ ଯଦି ସୁଯୋଗ ମିଳେ ତେବେ ତାହାକୁ ହାତଛଡ଼ା କରିବି ନାହିଁ।

 

 

 

 

ମୁଁ ବିକଳ୍ପ କ୍ୟାରିୟର କଥା କେବେ ଭାବି ନାହିଁ; ବରଂ ଯେଉଁ କ୍ୟାରିୟର‍୍‌ ଆପଣାଇଛି ତାହାକୁ କିପରି ଲୋକ ଅନୁଭବ କରିପାରିବେ ସେଥିନେଇ ବିକଳ୍ପ ମିଡିଆ କଥା ଚିନ୍ତା କରିଛି।
– ସତ୍ୟପ୍ରକାଶ ନାୟକ

ଯେହେତୁ ଜଟଣୀକୁ ବିଧାୟକ ଯାଉ ନାହାନ୍ତି, ବିଜେପିର ଭାବି ପ୍ରାର୍ଥୀଙ୍କ ଲୋକସମ୍ପର୍କ ଠିକ୍ ନାହିଁ ଲୋକମାନେ ବିକଳ୍ପ ସନ୍ଧାନରେ ଅଛନ୍ତି। ମୋ ଆକଳନ କହୁଛି ଯଦି ବିଜେପି ଓ ବିଜେଡି ତାଙ୍କ ପ୍ରାର୍ଥୀ ନ ବଦଳାନ୍ତି ତେବେ ରାଜନୀତିକ ସମୀକରଣରେ କଂଗ୍ରେସ ଫାଇଦା ହେବ। କିନ୍ତୁ ଏହା ସଷ୍ଟ ଯେ, ମୁଁ କୌଣସି ଦଳର ନୁହେଁ। କି ଦଳର ପ୍ରଚାର କରୁନାହିଁ।

– ଅଦ୍ଧେର୍ନ୍ଦୁ ଦାସ

ମୁଁ କୌଣସି ନିର୍ଦ୍ଦିଷ୍ଟ ଦଳରେ ନାହିଁ। କିମ୍ୱା ନିର୍ବାଚନରେ ଠିଆ ହେବା ଲାଗି ମୁଁ ସମାଜସେବା କରୁନାହିଁ। ହେଲେ ଯଦି ସୁଯୋଗ ମିଳେ ତେବେ ତାହାକୁ ହାତଛଡ଼ା କରିବି ନାହିଁ।
– ବିରୁପାକ୍ଷ ତ୍ରିପାଠୀ

ମୁଁ ଭାବୁଛି ରାଜନୀତିକୁ ଏକ କ୍ୟାରିୟର ଭାବେ ଗ୍ରହଣ କରାଯାଇପାରେ। ଜଣେ ରାଜନେତା ଭାବେ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ଅନେକ ରହିଛି।
-ସତ୍ୟଜିତ ମିଶ୍ର

 

3 COMMENTS

  1. As far as my vision extends there is missing a couple of hidden name of journalists who are in the race. There may be some compulsion of story writer to mention the names.

  2. ଭଲ ହୋଇଛି balancing story.. ଯିଏ ଆସୁଛି ଭାଇ ଆସୁ ଆମ ରାଜ୍ୟର ଉଜ୍ଜଳ ହେଉ , ସାମ୍ବାଦିକ ହୁଅନ୍ତୁ କି ସାଧାରଣ ଲୋକ ଭଲ ଲୋକ ଆସନ୍ତୁ ଆଗରୁ ଟିକେ ଦୁର୍ନୀତିର ବାସ୍ନା ପାଇଥିବା ଲୋ ନ ଆସନ୍ତୁ। ରାଜ ନୀତୀର ଗୋଳିଆ ପାଣିରେ ଭଲ ଲୋକ ବି ଗୋଳିଆ ହେବର ସମ୍ଭାବନା ଅଛି। ହେଲେ ପଦ୍ମ ପରି ଗୋଳିଆ ପାଣି ବା ପଙ୍କୁଆ ପାଣିରୁ ଫୁଟି ଦୁନିଆକୁ ଭଲ କାମ କରି ଦେଖାଇବା ଉଚିତ

Comments are closed.