ଏୟାରଲିଫ୍ଚ ହୋଇ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଏୟାରଲିପ୍ଟ ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ ।  କୋଭିଡ୍‌ରେ ଆକ୍ରାନ୍ତ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଇକ୍‌ମୋ ସପୋର୍ଟରେ ସେ ଚିକିତ୍ସିତ ହେଉଥିଲେ । ଏବେ ତାଙ୍କୁ କୋଲକାତାର ଏକ ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସେହିପରି ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିପାରୁ ନାହିଁ । ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି ତାଙ୍କୁ ଉନ୍ନତତର ଚିକିତ୍ସା ସୁବିଧା ପାଇଁ ଏୟାରଲିଫ୍ଟରେ କୋଲକାତା ନିଆଯାଇଛି। ସ୍ବତନ୍ତ୍ର ଗ୍ରୀନ କରିଡର ମଧ୍ୟରେ ତାଙ୍କୁ କଟକରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ଅଣାଯାଇଥିଲା । ଏହାପରେ ଏୟାରପୋର୍ଟରୁ ସ୍ୱତନ୍ତ ବିମାନରେ ଏୟାରଲିଫ୍ଟିଂରେ କରାଯାଇଛି ।  କୋଲକାତା ଏକ ସୁପର ସ୍ପେଶାଲିଟି ହସପିଟାଲକୁ ସ୍ଥାନନ୍ତରିତ କରାଯାଇଛି । ଦୀର୍ଘ ଦିନ ଧରି କରୋନା ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ରହିଛନ୍ତି।

ଗତକାଲି ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ଯିବାଲାଗି ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ସମସ୍ତ ପ୍ରସ୍ତୁତି ସରିଥିଲା । ମାତ୍ର ପାଗ ଖରାପ ଥିବାରୁ ଏୟାର ଆମ୍ବୁଲାନ୍ସ ସତ୍ୟବ୍ରତ ଷାଡ଼ିୟମ୍‌ରେ ଓହ୍ଲାଇବାରେ ସମସ୍ୟା ଉପୁଜିବାର ଆଶଙ୍କା ରହିଲା । ଏଣୁ ଅନ୍ତିମ ପର୍ଯ୍ୟାୟରେ ଡ. ପାଣିଗ୍ରାହୀଙ୍କୁ ସ୍ଥାନାନ୍ତର କରାଯିବା ପ୍ରକ୍ରିୟା ବାତିଲ୍‌ ହୋଇଥିଲା । ଆଜି ଇକ୍‌ମୋ ସପୋର୍ଟରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଛି।

ମିଳିଥିବା ସୂଚନାନୁସାରେ, ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଗତ ୧୯ ଓ ୨୦ ତାରିଖରେ ଦୁଇ ଦିନ ବ୍ୟାପି ସମସ୍ତ କର୍ମଚାରୀଙ୍କ ସ୍ୱାବ୍‌ ସଂଗ୍ରହ କରାଯାଇ କୋଭିଡ୍‌ ପରୀକ୍ଷା କରାଯାଇଥିଲା । ଏଥିରେ ଭିଜିଲାନ୍ସ ନିର୍ଦ୍ଦେଶକ ଡ. ପାଣିଗ୍ରାହୀଙ୍କ ସମେତ ୧୭ ଜଣ କର୍ମଚାରୀଙ୍କର ପଜିଟିଭ୍‌ ରିପୋର୍ଟ ବାହାରିଥିଲା । ଡ. ପାଣିଗ୍ରାହୀ ଗତ ୨୨ ତାରିଖରେ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ସେ ପ୍ରଥମେ ନିଜ କ୍ୱାର୍ଟର୍ସରେ ସଙ୍ଗରୋଧରେ ରହିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ିବାରୁ ୨୯ରେ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୨୯ରୁ ଏଠାରେ ଚିକିତ୍ସା ହେବା ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ବଦଳରେ ଅବନତି ଘଟିଛି । ଫୁସ୍‌ଫୁସ୍‌ ସଂକ୍ରମଣ ଜନିତ ସମସ୍ୟା ସାଙ୍ଗକୁ ଅନ୍ୟ ସମସ୍ୟା ଉପୁଜିଛି । ତେଣୁ ଅଧିକ ଚିକିତ୍ସା ଲାଗି ତାଙ୍କୁ ରାଜ୍ୟ ବାହାରକୁ ନିଆଯିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published.