ଓଡ଼ିଶାରେ ହେବ ୧୦୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର କୋଭିଡ୍୧୯ ହସ୍ପିଟାଲ୍
ଭୁବନେଶ୍ଵର, (ଓଟି):କୋଭିଡ୍-୧୯ କରୋନା ଭୁତାଣୁ ସଂକ୍ରମଣ କ୍ଷେତ୍ରରେ ପୁଣି ଏକ ଆଗୁଆ ପଦକ୍ଷେପ ଓଡ଼ିଶା ଘୋଷଣା କରିଛି। ଯଦିଓ ଦେଶ କିମ୍ବା ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ହୋଇ ନାହିଁ କିନ୍ତୁ ରାଜ୍ୟ ସରକାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଚିକିତ୍ସା ପାଇଁ ପ୍ରସ୍ତୁତି ଘୋଷଣା କରିଛନ୍ତି। ଏହିକ୍ରମରେ ଦୁଇଟି ଘରୋଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ସରକାରୀ-ଘରୋଇ ଭାିଦାରୀ ଉଦ୍ୟମରେ ଦୁଇଟି ୫୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର କୋଭିଡ୍-୧୯ କରୋନା ହସ୍ପିଟାଲ୍ ପାଇଁ ସରକାର ଚିନ୍ତା କରିଛନ୍ତି। ଏଥିନେଇ ଭୁବନେଶ୍ଵର ସ୍ଥିତ ସମ୍ ହସ୍ପିଟାଲ୍, କିମ୍ସ ହସ୍ପିଟାଲ୍ ସହ ଆବଶ୍ୟକ ଚୁକ୍ତି ସ୍ଵାକ୍ଷର କରାଯାଇଛି। ଏମାନେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଆୟୋଜନ କରିବେ। ଏହି ଦୁଇ ହସ୍ପିଟାଲ୍କୁ ସ୍ଵତନ୍ତ୍ର ହସ୍ପିଟାଲ୍ ପାଇଁ ଆବଶ୍ୟକ ସରଞ୍ଜାମ ସରକାରଙ୍କ ଉଦ୍ୟୋଗ ଓଡ଼ିଶା ମାଇନିଂ କର୍ପୋରେସନ୍ ଏବଂ ମହାନଦୀ କୋଲ୍ ଫିଲ୍ଡ୍ ଲିମିଟେଡ୍ ଯୋଗାଇଦେବେ ବୋଲି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଇ ଦିଆଯାଇଛି। ଏନେଇ ଆବଶ୍ୟକ ଚୁକ୍ତି ସ୍ଵାକ୍ଷର ହୋଇଛି।
ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ବାବଦରେ ସୂଚନା ଦେଇ କୋଭିଡ୍-୧୯ ମୁଖପାତ୍ର ସୁବ୍ରତୋ ବାଗ୍ଚୀ କହିଛନ୍ତି, ଏହି ସ୍ଵତନ୍ତ୍ର ହସ୍ପିଟାଲ୍ କେବଳ ବିପଜ୍ଜନକ ସ୍ଥିତିରେ ଥିବା ଲୋକଙ୍କୁ ଚିକିତ୍ସା କରିବା ପାଇଁ ଉଦ୍ଦିଷ୍ଟ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ ହସ୍ପିଟାଲ୍ ପକ୍ଷରୁ ଡା ଅଶୋକ ମହାପାତ୍ର ଏବଂ କିମ୍ସ୍ ହସ୍ପିଟାଲ୍ ପକ୍ଷରୁ ଡା. ବିଷ୍ଣୁ ପାଣିଗ୍ରାହୀ ଯୋଗ ଦେଇଥିଲେ। ଡା. ପାଣିଗ୍ରାହୀ କହିଥିଲେ ଯେ, ଏହା ଦେଶର ପ୍ରଥମ ସ୍ଵତନ୍ତ୍ର କୋଭିଡ୍୧୯ ହସ୍ପିଟାଲ୍। ବିଶ୍ଵର ଅନ୍ୟ ପ୍ରଭାବିତ ରାଷ୍ଟ୍ରଙ୍କ ଭୁଲ୍ରୁ ଆମେ ଯାହା ଶିକ୍ଷା କରିଛୁ ତାହାକୁ ଆଉ ଥରେ ନଦୋହରାଇବା ଲାଗି ଏହି ହସ୍ପିଟାଲ୍ କାର୍ଯ୍ୟ କରିବ। ଇଟାଲୀରେ ସାଧାରଣ ହସ୍ପିଟାଲ୍ରେ କରୋନା ରୋଗୀ ଚିକିତ୍ସା ପାଇଁ ଆସିବାରୁ ଅବସ୍ଥା ସାଂଘାତିକ ହୋଇଥିଲା, ତାହକୁ ଏଡ଼ାଇବା ପାଇଁ ଓଡ଼ିଶା ସରକାର ଆଗୁଆ ପ୍ରସ୍ତୁତ ହୋଇଛନ୍ତି।
ସେହିପରି ଡା. ଅଶୋକ ମହାପାତ୍ର କହିଛନ୍ତି, ଆମେ ୫୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର ହସ୍ପିଟାଲ୍ ବ୍ୟବସ୍ଥା କରିବୁ। ଏଥିରେ କରୋନା ରୋଗୀ ଚାହୁଁଥିବା ବିଶ୍ଵସ୍ତରୀୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ। ଆବଶ୍ୟକ ସ୍ଥଳେ ଆଇସିୟୁ ଏବଂ କ୍ରିଟିକାଲ୍ ବ୍ୟବସ୍ଥା ଉପଲବ୍ଧ ହେବ। ଆମେ ଏବେ ଏକ ସ୍ଵତନ୍ତ୍ର ଫ୍ଲୁ ଫିଭର ନିୟନ୍ତ୍ରଣ କକ୍ଷ ଖୋଲିଛୁ। ଯେଉଁ ରୋଗୀଙ୍କର କାଶ କଫ ହେୁଛି ସେମାନେ ଏହାର ସୁବିଧା ନେଇପାରିବେ।