ସଚିବାଳୟର ନାଁ ବଦଳି ହେବ ‘ଲୋକସେବା’ ଭବନ

ଭୁବନେଶ୍ୱର, (ଓଟି): ଆଉ ସଚିବଙ୍କ ନାଁରେ ରାଜ୍ୟ ଶାସନ ବ୍ୟବସ୍ଥାର ପ୍ରାଣକେନ୍ଦ୍ର ପରିଚିତ ହେବ ନାହିଁ । ଲୋକଙ୍କୁ ସେବା ଯୋଗାଇବାର ପ୍ରାଣକେନ୍ଦ୍ର ହେବ । ଏମିତି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ସଚିବାଳୟର ନାଁ ପରିବର୍ତ୍ତନ ପାଇଁ ଚିନ୍ତା କରିଛନ୍ତି । ଖାଲି ଚିନ୍ତା ନୁହେଁ ବିଧାନସଭାରେ ପ୍ରସ୍ତାବ ବି ରଖିଛନ୍ତି । ଏହାର ଅନୁମୋଦନ ପରେ ସଚିବାଳୟ ର ନୂଆ ନାଁ “ଲୋକସେବା’ ଭବନ ଭାବେ ନାମିତ ହେବ ।

ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ବାଚସ୍ପତିଙ୍କ ଅନୁମୋଦନ କ୍ରମେ ଗୃହରେ ଉପସ୍ଥାପନ କରାଯିବ । ବିଧି ଅନୁସାରେ ଏହା ପାରିତ ହେଲେ ତାହା ସରକାରଙ୍କୁ ସଚିବାଳୟର ନାଁ ପରିବର୍ତ୍ତନରେ ସହାୟକ ହେବ । ଯେହେତୁ ଏହି ପ୍ରସ୍ତାବ ଜନସାଧାରଣଙ୍କୁ ଆଖିରେ ରଖି ଏକ ଲୋକାଭିମୁଖୀ ଶାସନ ପ୍ରତିଷ୍ଠାର ଉଦ୍ୟମ କରିଛି ତାହା ବିରୋଧର କାରଣ ହେବ ନାହିଁ ବୋଲି ଆଶା କରାଯାଇଛି ।

ଭାରତର ଅନେକ ରାଜ୍ୟରେ ଶାସନ କେନ୍ଦ୍ରର ମୂଳ ଗୃହକୁ ମନ୍ତ୍ରଣାଳୟ ଭାବେ ନାମିତ କରାଯାଇଛି । କିଛି ରାଜ୍ୟରେ ମନ୍ତ୍ରଣାଳୟ ସହ ସଚିବାଳୟ ମଧ୍ୟ ରହିଛି । ଆମ ରାଜ୍ୟରେ କିନ୍ତୁ ମନ୍ତ୍ରଣାଳୟ ନାହିଁ । ସଚିବାଳୟରେ ମନ୍ତ୍ରୀମାନେ ବସନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯଦିଓ ମନ୍ତ୍ରୀମାନେ ସର୍ବୋଚ୍ଚ କିନ୍ତୁ ଏହି ବ୍ୟବସ୍ଥାକୁ ଓଡ଼ିଶାରେ ଗ୍ରହଣ କରା ଯାଇ ନାହିଁ । ଫଳରେ ଏହା ମୂଳରୁ ଏକ ଅମଲାତାନ୍ତ୍ରିକ ସରକାରର ନିଦର୍ଶନ ଦେଇ ଆସୁଛି ।

ଅପରପକ୍ଷେ ନବୀନ ସରକାରଙ୍କ ଶାସନକୁ ମନ୍ତ୍ରୀଙ୍କ ଅପେକ୍ଷା ସଚିବମାନେ ନିୟନ୍ତ୍ରଣ କରୁଛନ୍ତି ବା ଏହା ଏକ ଅମଲାତାନ୍ତ୍ରିକ ସରକାର ବୋଲି ପୂର୍ବରୁ ଅନେକ ଚର୍ଚା ହୋଇଛି । ଏହି ଧାରଣାକୁ ସରକାର ଦୂର କରିବାକୁ ଚାହିଁଛନ୍ତି । ପ୍ରଥମେ ମନ୍ତ୍ରୀ ଓ ସଚିବମାନଙ୍କୁ ନିଜ ପରିସର ପରିଦର୍ଶନ ପାଇଁ ଆଦେଶ ଦେବା, ୫-ଟିକୁ ଶାସନରେ ଗୁରୁତ୍ୱ ଦେବା ଭଳି ଅନେକ କାର୍ଯ୍ୟ ରୂପାନ୍ତର କରିବା ପରେ ଏବେ ନବୀନ ସରକାର ଏହି ଗୁରୁତ୍ୱପୂଣ୍ଣ ଦିଗକୁ ଗ୍ରହଣ କରିବାକୁ ଯାଉଛନ୍ତି । ଏହା ନବୀନ ସରକାରଙ୍କ ମୁଣ୍ଡରୁ ଅମଲାତାନନ୍ତ୍ରିକ ଶାସନର ଦାଗ ଛଡ଼ାଇବାରେ ସହାୟକ ହେବ ବୋଲି ବି ବିଚାର କରାଯାଉଛି । ଅର୍ଥାତ୍‍ ନବୀନ ସରକାରଙ୍କ ଶାସନ ଶୈଳୀର ଭାବମୂର୍ତ୍ତି ପରିବର୍ତ୍ତନ ଲାଗି ଏହା ବିଶେଷ ଭାବେ ସହାୟକ ହେବ ବୋଲି ଆଶା କରାଯାଇଛି ।

Leave a Reply

Your email address will not be published.