ମିଠା ବିଜୟକୁ ବର୍ଷେ ପୁରିଲା, କୁଆଡ଼େ ଗଲେ ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବଙ୍ଗଳା ଉପରେ ଓଡ଼ିଶାର ମିଠା ବିଜୟକୁ ଆଜି ବର୍ଷେ ପୂରିଲା। ଗତବର୍ଷ ଜୁଲାଇ ୨୯ ତାରିଖ ଦିନ ‘ଓଡ଼ିଶା ରସଗୋଲା’କୁ ଭାରତ ସରକାରଙ୍କ ଭୌଗୋଳିକ ସୂଚକାଙ୍କ ରେଜିଷ୍ଟ୍ରି ଜିଆଇ ଟ୍ୟାଗ୍‌ ଦେଇଥିଲେ। ଅର୍ଥାତ୍‌ ଓଡ଼ିଶାରେ ତିଆରି ରସଗୋଲାର ସ୍ଵତନ୍ତ୍ରତା ରହିଛି ବୋଲି ତାହାକୁ ସାରା ବିଶ୍ଵକୁ ଜଣାଇଥିଲେ। ଆସନ୍ତା ୧୦ ବର୍ଷ ଯାଏ କୌଣସି ବ୍ୟକ୍ତିଳ ଅନୁଷ୍ଠାନ ବା ରାଜ୍ୟ ଏହି ନାଁରେ, ଏହି ପ୍ରକ୍ରିୟାରେ ରସଗୋଲା ତିଆରି କରି ବିକ୍ରି କରିପାରିବା ବେଆଇନ ହେଲା। ଓଡ଼ିଶାକୁ ଏହି ଅଧିକାର ନିଶ୍ଚଜିତ ହେବା ପରଦିନ ଶାସକଦଳର ବିଧାୟକମାନେ ରାଜ୍ୟ ସରକାରଙ୍କୁ ଛେନାପୋଡ଼, ତାରକସି କାମ ଏବଂ ଛେନା ଝିଲିକୁ ସ୍ଵତନ୍ତ୍ର ମାନ୍ୟତା ଦେବା ଲାଗି ଦାବି କରିବାରୁ ସରକାର ସେଥିପାଇଁ ଆବଶ୍ୟକ ଆବେଦନ କରିବେ ବୋଲି ସ୍ପଷ୍ଟ କଲେ। କିନ୍ତୁ ଏ ଘୋଷଣା କେବଳ ଘୋଷଣାରେ ହିଁ ରହିଲା। ଦଳ ଓ କଳ  ପୂରା ନୀରବ ରହିଛନ୍ତି। ଫଳରେ ଏହି ଉତ୍ପାଦ ସହ ଅନେକ ସ୍ଵତନ୍ତ୍ର ଉତ୍ପାଦ ଜିଆଇ ମାନ୍ୟତା ଲାଭ କରିବା ଆଶା ସଙ୍କୁଚିତ ହୋଇଛି।

୨୦୧୫ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସିନା ଏକ ମିଠାକୁ ଭିତ୍ତି କରିଥିଲା, କିନ୍ତୁ ବଙ୍ଗଳା ସହ ଏହା ଆମର ସ୍ଵାଭିମାନ ଓ ବୈାଦ୍ଧିକ ଲଢ଼େଇର ଏକ ପ୍ରତୀକ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। । ଅନେକ ବୌଦ୍ଧିକ ଯୁକ୍ତି ଓ ପ୍ରମାଣ ଦ୍ଵାରା ପଶ୍ଚିମ ବଙ୍ଗ ପରୋକ୍ଷରେ ପରାଜୟ ସ୍ଵୀକାର କରି ତାହାର ପୂର୍ବ ଆବେଦନକୁ ମୋଡ଼ ଦେଇଥିଲା।  କେବଳ ବଙ୍ଗଳାରେ ଉତ୍ପାଦିତ ରସଗୋଲାକୁ ଭିତ୍ତି କରି ଆବେଦନ କରିବାରୁ ୨୦୧୭ ମସିହାରେ ଜିଆଇ ରେଜିଷ୍ଟ୍ରୀ ‘ବାଂଲାର୍‌ ରସଗୋଲା’କୁ  ଜିଆଇ ମାନ୍ୟତା ପ୍ରଦାନ କରିଥିଲେ।

ଏହାପରେ ଓଡ଼ିଶାର ବୌଦ୍ଧିକ ସମ୍ପଦ ପାଇଁ ସୁଯୋଗ ଉନ୍ମୁକ୍ତ ହୋଇଥିଲା। ଓଡ଼ିଶା ସରକାରଙ୍କ କ୍ଷୁଦ୍ର ଶିଳ୍ପ ନିଗମ  ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ମାଧ୍ୟମରେ ଓଡ଼ିଶା ରସଗୋଲା ପାଇଁ ଅନେକ ଚର୍ଚା ହୋଇ ଆବଶ୍ୟକ ଆବେଦନ କରାଯାଇଥିଲା। ଓଡ଼ିଶାର ରସଗୋଲା ଜଗନ୍ନାଥଙ୍କ ରଥଯାତ୍ରା ସହ ସମ୍ପୃକ୍ତ ବୋଲି ଯୁକ୍ତି ଦର୍ଶାଇଥିଲେ ଗବେଷକ ଅସିତ ମହାନ୍ତି। ଏହି ଯୁକ୍ତିକୁ ଓଡ଼ିଶା ଓ ଅନ୍ୟ ରାଜ୍ୟର ବୁଦ୍ଧିଜୀବୀମାନେ ଗ୍ରହଣ କରିଥିଲେ। ଫଳରେ ବିଜୟ ଲାଭ କରିଥିଲା ଓଡ଼ିଶା।

ଯେଉଁ ବିଜୟ ଆମକୁ ରେଜିଷ୍ଟ୍ରୀ ଦେଇଥିଲା ତାହା ଓଡ଼ିଆ ବୌଦ୍ଧିକ ସମ୍ପଦ ତଥା ବୁଦ୍ଧିଜୀବୀଙ୍କ ପାଇଁ ଅନେକ ସମ୍ଭାବନାକୁ ଉନ୍ମୁକ୍ତ କରିଥିଲା। ହେଲେ ଏ ଭିତରେ ଆମେ ସେ ସୁଯୋଗକୁ ଠିକଣା ଭାବେ ଉପଯୋଗ କରିପାରି ନାହୁଁ। ରସଗୋଲା ପରେ ଆଉ କୌଣସି ମିଠା ବା ଖାଦ୍ୟର ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ ହୋଇ ନାହିଁ। ସରକାରଙ୍କ ପକ୍ଷରୁ ଓଡ଼ିଆ ସଂସ୍କୃତି ସୁରକ୍ଷା ଲାଗି ସ୍ଵତନ୍ତ୍ର ବିଭାଗ ଓ କ୍ୟାବିନେଟ୍‌ ନିଷ୍ପତ୍ତି କରାଯାଇଥିଲେ ମଧ୍ୟ ସେହି ଅନୁସାରେ କୌଣସି କାର୍ଯ୍ୟ ଆଗକୁ ବଢ଼ିପାରି ନାହିଁ। ଏପରିକି ସରକାର ନିଷ୍ପତ୍ତି ନେଇଥିବା ତିନୋଟି ପ୍ରମୁଖ ମିଠା ଖାଦ୍ୟ ଛେନାପୋଡ଼, ଛେନା ଝିଲ୍ଲୀ ଏବଂ ତାରକସି କାମ ପାଇଁ ଆବେଦନ ହୋଇ ନାହିଁ। ଏପରିକି ଏଥିଲାଗି ଆବଶ୍ୟକ ଗବେଷଣା ହୋଇପାରି ନାହିଁ।

ଅବଶ୍ୟ ରାଜ୍ୟର ଜଣେ ମହିଳା ଶିଳ୍ପୋଦ୍ୟୋଗୀ ଅନୀତା ସାବତ  ଜିଆଇ ଟ୍ୟାଗ୍‌ର ଗୁରୁତ୍ଵ ବାବଦରେ ବିଭିନ୍ନ ଉତ୍ପାଦକ ସଂଘକୁ ସଚେତନ କରୁଛନ୍ତି। ଏହା ଓଡ଼ିଶାର ଗୁରୁତ୍ଵ ବଢ଼ାଇବା ସହ ଆମ ସଂସ୍କୃତି, ଖାଦ୍ୟ ଓ ବୌଦ୍ଧିକ ସମ୍ପଦକୁ କିପରି ଆନ୍ତର୍ଜାତିକ ମର୍ଯ୍ୟାଦା ଦେଇଥାଏ ବୋଲି ମତ ଦେବା ସହ ଏଥିଲାଗି ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର ନକରି ଉତ୍ପାଦକ ଗୋଷ୍ଠୀ ସ୍ଵାଧୀନ ଭାବେ ଆବେଦନ କରିପାରିବେ ବୋଲି ଯୁକ୍ତି ବାଢ଼ିଛନ୍ତି। କିନ୍ତୁ ଆବେଦନ ପାଇଁ ଆବଶ୍ୟକ କାଗଜପତ୍ରରେ ଯୁକ୍ତି ଦର୍ଶାଇବା ଆବଶ୍ୟକ। ଏଣୁ ଆବେଦନ ପୂର୍ବରୁ ଗବେଷଣା ଅତ୍ୟାବଶ୍ୟକ ବୋଲି ସେ କହିଛନ୍ତି।

Leave a Reply