ପୁଲିସ ହାତରେ ଲାଠି କାହା ସ୍ୱାର୍ଥରେ

0
6058
advertisement
ବିଶ୍ୱପ୍ରିୟ କାନୁନ୍‍ଗୋ
ଲେଖକ ଜଣେ ଆଇନଜୀବୀ ତଥା ମାନବାଧିକାର କର୍ମୀ ଭାବେ ପ୍ରତିଷ୍ଠିତ। ଏହି ଆଲେଖ୍ୟ ତାଙ୍କ ବ୍ୟକ୍ତିଗତ ଅନୁଶୀଳନ ଓ ମନ୍ତବ୍ୟ ଉପରେ ଆଧାରିତ।

ଗତ କିଛି ଦିନ ତଳେ ପଶ୍ଚିମ ବଙ୍ଗଳାରେ କଲିକତା ପୁଲିସ କମିଶନରଙ୍କୁ ସି.ବି.ଆଇ. ପକ୍ଷରୁ ଜେରା କରିବା ପାଇଁ ଉଦ୍ୟମ ପରିପ୍ରେକ୍ଷୀରେ କେନ୍ଦ୍ର ଓ ପଶ୍ଚିମବଙ୍ଗର ସରକାର ଏବଂ ବିହାରର ସେଲଟର ହୋମ୍‍ରେ ଯୌନ ଶୋଷଣ ବିରୁଦ୍ଧରେ ଅନୁସଂଧାନ କରୁଥିବା ସି.ବି.ଆଇ. ଅଧିକାରୀ ତଥା ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ବାରଣ ସତ୍ତେ୍ୱ ସି.ବି.ଆଇ.ର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ତଥା ଓଡ଼ିଶା କ୍ୟାଡ଼ର ଆଇପିଏସ୍‍ ନାଗେଶ୍ୱର ରାଓ ବଦଳ କରିବା ପରିପ୍ରେକ୍ଷୀରେ ତାଙ୍କୁ ଅଦାଲତ ଅବମାନନା ନୋଟିସ୍‍ ଓ ଏଥିରେ ଦୋଷୀ ସାବ୍ୟସ୍ତ କରାଯିବା ଇତ୍ୟାଦି ସଦ୍ୟତମ ଉଦାହରଣ ପରିପ୍ରେକ୍ଷୀରେ ପୁଲିସ ସଂସ୍କାରର ଆଲୋଚନା ଅଧିକ ମହତ୍ତ୍ୱ ରଖେ ।

ଓଡ଼ିଶା ପୁଲିସ୍‍ ସଂସ୍କାର ସପକ୍ଷରେ (୨)

ଓଡ଼ିଶା ରାଜ୍ୟ ପୁଲିସ ଆଇନର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ସୁରକ୍ଷା କମିଶନ ଗଠନ ପାଇଁ ଥିବା ବ୍ୟବସ୍ଥା । ସେଥିରେ ବିରୋଧିଦଳର ନେତାଙ୍କୁ କେବଳ ସଦସ୍ୟ ରଖାଯାଇନାହିଁ, ତାହା ନୁହେଁ ବରଂ ଏହାର ସବୁ ସଦସ୍ୟଙ୍କୁ ସରକାର ମନୋନୟନ କରିବେ ଓ ଯେଉଁ ଦୁଇ ଜଣ “ସ୍ୱାଧୀନ” ସଦସ୍ୟ ରହିବେ, ସେମାନଙ୍କ ମଧ୍ୟରେ ମାନବିକ ଅଧିକାର ସମ୍ବନ୍ଧରେ ଜ୍ଞାନ ବା ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ମନୋନୟନ କରାଯିବା ନେଇ କୌଣସି ନିୟମ ନାହିଁ । ମହିଳା, ଦଳିତ, ଆଦିବାସୀ ବର୍ଗ ମଧ୍ୟରୁ କୌଣସି ବ୍ୟକ୍ତି ବିଶେଷଙ୍କୁ ଏହି କମିଶନରେ ସାମିଲ କରାଯାଇ ନାହିଁ । ଅର୍ଥାତ ମୋଟାମୋଟି ସୁରକ୍ଷା କମିଶନ ସରକାରଙ୍କ ଦ୍ୱାରା ମନୋନୀତ ଏକ କମିଶନ ଏବଂ ଏହା ସ୍ୱାଧୀନ ଓ ନିରପେକ୍ଷ ଭାବେ କାର୍ଯ୍ୟକରିବା ପାଇଁ ସୁଯୋଗ ନାହିଁ ।

ଉତ୍ତରଦାୟିତ୍ୱ ନାହିଁ

ପୁଲିସର ଉତ୍ତରଦାୟିତ୍ୱ ବୃଦ୍ଧି ଲାଗି ରାଜ୍ୟସ୍ତରରେ ଏକ କଂପ୍ଳେଣ୍ଟ ଅଥରିଟି ଗଠନ ପାଇଁ ପ୍ରସ୍ତାବ ରଖାଯାଇଛି । ତାହା ମଧ୍ୟ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ନୁହେଁ । ପୁଣି ଏହି ଅଥରିଟିର ସୁପାରିଶିକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ବାଧ୍ୟ ନୁହଁନ୍ତି । ଜିଲ୍ଲା ସ୍ତରରେ ପୁଲିସ ବିରୁଦ୍ଧରେ ଅଭିଯୋଗ ପାଇଁ କୌଣସି ବ୍ୟବସ୍ଥା ନାହିଁ । ପୁଲିସ କର୍ମ·ରୀମାନଙ୍କର ପୋଷ୍ଟିଂ, ବଦଳି ଇତ୍ୟାଦି ପାଇଁ ପୁଲିସ ଏଷ୍ଟାବ୍ଲିଶମେଣ୍ଟ ବ୍ୟବସ୍ଥା କରାଯାଇ ନାହିଁ । ଅର୍ଥାତ ସରକାର ନିଜ ଇଚ୍ଛାନୁସାରେ ଯାହାକୁ ଯେଉଁଠିକୁ ବଦଳି କରିପାରିବେ ଓ ସେଥିପାଇଁ କୌଣସି ଯଥାର୍ଥ କାରଣ ନଥାଇପାରେ । ଏଭଳି ବ୍ୟବସ୍ଥା ଆଜି ମଧ୍ୟ ପ୍ରଚଳିତ । ଏଥିପାଇଁ ବହୁତ ସମୟରେ ପୁଲିସ ଅଧିକାରୀମାନେ ବାଧ୍ୟ ହୋଇ କ୍ଷମତାସୀନ ବ୍ୟକ୍ତିଙ୍କ ଅଲିଖିତ ଆଦେଶମତେ କାମ କରନ୍ତି ଏବଂ ଏହା ପୁଲିସର ନିରପେକ୍ଷ ଓ ସ୍ୱାଧୀନ ପେଷାଦାର କାର୍ଯ୍ୟ ଉପରେ ଆଞ୍ଚ ଆଣେ ଏବଂ ପୁଲିସ ସାଧୁତା ସହ କାର୍ଯ୍ୟ କରିବାର ବାଧା ସୃଷ୍ଟି ହୁଏ । ଏହା ଦକ୍ଷ ଓ ସଚ୍ଚୋଟ ପୁଲିସ୍‍ କର୍ମଚାରୀମାନଙ୍କର ନୈତିକ ବଳକୁ ଦୁର୍ବଳ କରିବାଥାଏ । ପୁଲିସ ଉପରେ କୌଣସି ଉତ୍ତରଦାୟିତ୍ୱ ନ୍ୟସ୍ତ କରାନଯାଇଥିବା ସ୍ଥଳେ ବିନା ୱାରେଣ୍ଟରେ ମାମୁଲି ଅଭିଯୋଗରେ ପୁଲିସ ଯେ କୌଣସି ବ୍ୟକ୍ତିଙ୍କୁ ଗିରଫ କରିବାପାଇଁ ଥିବା ବ୍ୟବସ୍ଥା, ଅତ୍ୟନ୍ତ ବିବାଦୀୟ ଓ ଏହା ମାନବିକ ଅଧିକାର ପରିପନ୍ଥୀ । ପୁଲିସ ବିରୁଦ୍ଧରେ କୌଣସି ମାମଲା ଅଦାଲତରେ ବିଚାରଯୋଗ୍ୟ ହେବ ନାହିଁ । ଏଥି ପାଇଁ ସରକାରଙ୍କ ଦ୍ୱାରା ଅଧିକୃତ ଜଣେ ଅଧିକାରୀଙ୍କର ଅନୁମୋଦନ ଆବଶ୍ୟକ । “ପୁଲିସ୍‍ ରାଜ୍‍” ନୀତିର ଏହା ଏକ ବଡ଼ ଉଦାହରଣ ।

ବିପରୀତ ଅନୁପାଳନ

ଏହି ସବୁ ଦୃଷ୍ଟିରୁ ଦେଖିଲେ ପ୍ରତ୍ୟେକ୍ଷ ଓ ପରୋକ୍ଷଭାବେ ପୁଲିସକୁ କ୍ଷମତାସୀନ ବର୍ଗଙ୍କର ନିୟନ୍ତ୍ରଣରେ ରଖିବା ପାଇଁ ତଥାକଥିତ ପୁଲିସ ସଂସ୍କାର ଆଇନ ଏକ ବୈଧାନିକ ବ୍ୟବସ୍ଥା, ଯାହା ସୁପ୍ରିମକୋର୍ଟଙ୍କ ଆଦେଶରେ ଥିବା ଉଦ୍ଦେଶ୍ୟର ସଂପୂର୍ଣ୍ଣ ବିପରୀତ । ଏହା ଆଇନର ଶାସନ ଏବଂ ଜନଗଣଙ୍କ ସେବା ଉଦ୍ଦେଶ୍ୟରେ ଏକ ପୁଲିସ ବ୍ୟବସ୍ଥା ନୁହେଁ । କ୍ଷମତାରେ ଥିବା ଗୋଷ୍ଠୀଙ୍କର ନିହିତ ସ୍ୱାର୍ଥକୁ ବଜାୟ ରଖିବା ପାଇଁ ଏହା ଅଭିପ୍ରେତ ବୋଲି କୁହାଯାଇପାରେ ।

କେରଳର ମଡେଲ୍‍ ଆଇନ

ଓଡ଼ିଶା ପୁଲିସ ଆଇନ-୨୦୦୫ ବିଷୟରେ ଆଲୋଚନା ବେଳେ କେରଳ ପୁଲିସ ଆଇନ-୨୦୧୧ର କେତେକ ବ୍ୟବସ୍ଥା ଆଲୋଚନାର ବିଶେଷ ମହତ୍ତ୍ୱରଖେ । ସୁପ୍ରିମକୋର୍ଟଙ୍କ ଆଦେଶ ମତେ କେରଳରେ ଏକ ସୁରକ୍ଷା କମିଶନ, ରାଜ୍ୟ ପୁଲିସ ଅଭିଯୋଗ ଅଥରିଟି, ଜିଲ୍ଲା ପୁଲିସ ଅଭିଯୋଗ ଅଥରିଟି, ପୁଲିସ ଏଷ୍ଟାବ୍ଲିସ୍‍ମେଣ୍ଟ ବୋର୍ଡ଼ ଇତ୍ୟାଦି ଗଠନ ପାଇଁ ଏହି ଆଇନର ବ୍ୟବସ୍ଥା ରହିଛି । ରାଜ୍ୟ ସୁରକ୍ଷା କମିଶନରେ ବିରୋଧୀଦଳ ନେତାଙ୍କ ସମେତ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଜଣେ ଅବସରପ୍ରାପ୍ତ ବିଚାରପତି ଏବଂ ତିନିଜଣ ସ୍ୱାଧୀନ ସଦସ୍ୟ ରହିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଗୃହ ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ୮ଜଣ ସଦସ୍ୟ ରହିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଡି.ଜି.ପି.ଙ୍କ ଅଧ୍ୟକ୍ଷତାରେ ପୁଲିସ ପ୍ରଶାସନିକ ବୋର୍ଡ଼ ଗଠନ କରାଯାଇ ତାହା ଜରିଆରେ ପୁଲିସବାବୁମାନେ ସମ୍ମୁଖୀନ ହେଉଥିବା ଯେକୌଣସି ଅଭିଯୋଗର ଶୁଣାଣୀ ବ୍ୟବସ୍ଥା କରାଯାଇଛି ।

ପୁଲିସ ବିରୁଦ୍ଧରେ ଅଭିଯୋଗ ବିଚାର

କେରଳ ହାଇକୋର୍ଟଙ୍କର ଜଣେ ଅବସରପ୍ରାପ୍ତ ବି·ରପତିଙ୍କ ଅଧ୍ୟକ୍ଷତାରେ ୫ଜଣିଆ ପୁଲିସ ଅଭିଯୋଗ ଅଥରିଟି ଗଠନ ପାଇଁ ଏଥିରେ ବ୍ୟବସ୍ଥା ରହିଛି । ବିରୋଧୀଦଳର ନେତାଙ୍କ ସହ ପରାମର୍ଶ ପରେ ଜଣଙ୍କୁ ମନୋନୟନ କରିବା ସହିତ ଲୋକାୟୁକ୍ତଙ୍କ ସୁପାରିଶ କ୍ରମେ ଦୁଇଜଣ ଅବସରପ୍ରାପ୍ତ ଜିଲ୍ଲାଜଜ୍‍ ଏହି କମିଟିର ସଦସ୍ୟ ରହିବେ । ଡି.ଏସ୍‍.ପିଙ୍କ ପାହ୍ୟା ବା ତାଙ୍କଠୁ ଉପରିସ୍ଥ ପୁଲିସ ବାବୁଙ୍କ ବିରୁଦ୍ଧରେ ଅଭିଯୋଗ, ହାଜତରେ ଦୁଷ୍କର୍ମ, ମୃତ୍ୟୁ, ଗୁରୁତର ଆହତ ଘଟଣା ସମ୍ପର୍କରେ ଏହି ଅଭିଯୋଗ କମିଟି ବିଚାର କରିବ ।

ଜିଲ୍ଲା ସ୍ତରରେ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‍ଙ୍କ ସମେତ ଜିଲ୍ଲାପାଳ ଓ ଜିଲ୍ଲା ଏସ୍‍.ପି. ଏହି ଅଭିଯୋଗ କମିଟିର ସଦସ୍ୟ ରହିବେ । ଉଭୟ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ବାଧ୍ୟ । ପୁଲିସ ବିରୁଦ୍ଧରେ ଅଦାଲତରେ ଅଭିଯୋଗ ପାଇଁ ସରକାରୀ ଅନୁମତି ଆଦେଶ କଟକଣା କେରଳ ପୁଲିସ ଆଇନରେ ନାହିଁ ।

ଗୋତିଭଳି ଖଟୁଛନ୍ତି ପୁଲିସ

ପୁଲିସ ସେବାଧିକାରୀମାନେ ସଂଘ କରିପାରିବେ ଏବଂ ଅତିଜରୁରୀ ଆବଶ୍ୟକ ନ ପଡ଼ିଲେ କୌଣସି ପୁଲିସ ୮ ଘଣ୍ଟାରୁ ଅଧିକ ସମୟ କାମ କରିବେ ନାହିଁ । ଆମ ରାଜ୍ୟରେ ବହୁ ତଳିଆ ପୁଲିସବାବୁମାନେ ଅଭିଯୋଗ କରନ୍ତି ଆମ୍ଭମାନଙ୍କର କର୍ତ୍ତବ୍ୟ ପାଳନ ଦୈନିକ ସମୟ ସୀମା ନାହିଁ । ଏପରିକି ଛୁଟି ଦିନମାନଙ୍କରେ ମଧ୍ୟ କାମ କରିବାକୁ ପଡ଼େ । ଏହା ଅତ୍ୟନ୍ତ ଅମାନୁଷିକ।

ପଞ୍ଚାୟତରାଜ ବ୍ୟବସ୍ଥାରେ ପ୍ରତିନିଧି ଏବଂ ସହରାଞ୍ଚଳ ସ୍ୱାୟତ୍ତଶାସନ ସଂସ୍ଥାର ପ୍ରତିନିଧିମାନଙ୍କୁ ସାମିଲ କରିବା ଏବଂ କମ୍ୟୁନିଟି ପୁଲିସିଂ ସହିତ ବିଭିନ୍ନ ଥାନାମାନଙ୍କରେ ଅଭିଯୋଗକାରୀ ଓ ଅଭିଯୁକ୍ତମାନଙ୍କ ପାଇଁ ଯଥାଯଥ ବ୍ୟବସ୍ଥା କରାଯିବା ଲାଗି କେରଳ ପୁଲିସ ଆଇନରେ ବ୍ୟବସ୍ଥା ରହିଛି । ଡିଜିପିଙ୍କଠାରୁ ଆରମ୍ଭ କରି ଥାନାର ବଡ଼ବାବୁମାନଙ୍କର ସାଧାରଣଭାବେ ୨ ବର୍ଷ କାର୍ଯ୍ୟକାଳ ରହିବ ବୋଲି ମଧ୍ୟ ବୈଧାନିକ ବ୍ୟବସ୍ଥା ରହିଛି । ଡିଜି ପୁଲିସ ନିଯୁକ୍ତି କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କର ଆଦେଶକୁ ଏହି ଆଇନରେ କାର୍ଯ୍ୟକାରୀ କରାଯାଇ ନାହିଁ । ଅର୍ଥାତ ପୁଲିସ ମୁଖ୍ୟଙ୍କ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କର ନିୟନ୍ତ୍ରଣ କ୍ଷମତା ରହିଛି । ଯାହା ପୁଲିସ ବିଭାଗର ସ୍ୱାୟତ୍ତତା, ନିରପେକ୍ଷତା ଏବଂ ଆଇନର ଶାସନ ପାଖରେ ଉତ୍ତରଦାୟିତ୍ତ୍ୱ ବ୍ୟବସ୍ଥା ପାଇଁ ଅନୁକୂଳ ନୁହେଁ ।

ମାନବାଧିକାର ନା ପୁଲିସର ଦୁର୍ବଳତା

ସର୍ବଦା ଏହା ଅଭିଯୋଗ ହୁଏ ଯେ, ମାନବିକ ଅଧିକାର ସୁରକ୍ଷା ଆଳରେ ପୁଲିସର ମନୋବଳକୁ ଦୁର୍ବଳ କରିଦେବା ପାଇଁ ଉଦ୍ୟମ ହେଉଛି । ବାସ୍ତବରେ ଦେଖିଲେ ଔପନିବେଶକ ପୁଲିସ କାର୍ଯ୍ୟଧାରା ଭାରତର ବ୍ୟାପକ ଜନଗଣଙ୍କୁ ପୁଲିସ ଠାରୁ ବିଛିନ୍ନ କରିଦେଇଛି । ଔପନିବେଶିକ ଶାସନକୁ ବଜାୟ ରଖିବା ପାଇଁ ପୁଲିସକୁ ଉତ୍ତରଦାୟିତ୍ୱ ଶୂନ୍ୟ ନିରଙ୍କୁଶ କ୍ଷମତା ନ୍ୟସ୍ତ କରାଯାଇଥିଲା । ଯାହା ସ୍ୱାଧୀନ ଭାରତର ମଧ୍ୟ ସେମିତି ରହିଛି । ଶାସନ କ୍ଷମତାରେ ପ୍ରଭାବଶାଳୀ ଗୋଷ୍ଠୀ, ଦେଶୀ-ବିଦେଶୀ ଶିଳ୍ପପତି, ଧନଶାଳୀ ଏବଂ କେତେକ ସମ୍ଭ୍ରାନ୍ତ ବର୍ଗଙ୍କ “ବଳ” ଭାବେ ପୁଲିସ କାମ କରେ ବୋଲି ବ୍ୟାପକ ଜନତାଙ୍କ ଭିତରେ ବଦ୍ଧମୂଳ ଧାରଣା ରହିଛି । ତା’ର ଏକ ମୁଖ୍ୟ ଉଦାହରଣ ହେଉଛି ଆମ ରାଜ୍ୟରେ ୧୯୪୮ ଗଞ୍ଜାମ ତାକରଡ଼ାଠାରେ ହେଟା ଜମି ଅଧିକାର ପାଇଁ ଆନ୍ଦୋଳନ ହେଉ ବା ୨୦୦୬ରେ ବଳପୂର୍ବକ ବିସ୍ଥାପନ ବିରୁଦ୍ଧରେ କଳିଙ୍ଗନଗରରେ ଆନ୍ଦୋଳନ ।

ପ୍ରତ୍ୟେକ ଘଟଣାରେ ସରକାର ଓ ପୁଲିସର ଭୂମିକା ଜନଗଣଙ୍କ ହିତରେ ନୁହେଁ । ଆଇନ କମିଶନ ମଧ୍ୟ ମତ ପ୍ରକାଶ କରିଛନ୍ତି ସାଧାରଣଭାବେ ଦୂର୍ବଳ ଶ୍ରେଣୀର ଲୋକମାନେ ହାଜତ ହିଂସାର ଶିକାର ହୁଅନ୍ତି । ସେହିପରି ଯେତେ ସ୍ଥାନରେ ପୁଲିସ ଗୁଳି ବିନିମୟ ହୁଏ, ସାଧାରଣ ନାଗରିକଟିଏ ନିହତ ହୁଏ । ନିହତ ବ୍ୟକ୍ତି ନିରୀହ ବା “ଅପରାଧୀ” ବା “ଉଗ୍ରବାଦୀ” ବା “ଆତଙ୍କବାଦୀ” ସେ ସମ୍ପର୍କରେ ପୁଲିସର ଏକତରଫା ବୟାନକୁ ସରକାର କୌଣସି ନିରପେକ୍ଷ ଓ ସ୍ୱାଧୀନ ତଦନ୍ତ ବିନା ଗ୍ରହଣ କରିନିଅନ୍ତି ।

ଆମ ରାଜ୍ୟରେ ଯେତେ ଗୁଳିବିନିମୟ ଘଟଣା ଘଟିଛି ପ୍ରବଳ ପ୍ରତିବାଦ ପରେ କନ୍ଧମାଳର ଗୁମୁଡ଼ୁମାହା ଘଟଣା ବ୍ୟତୀତ ସରକାର କୌଣସି ଘଟଣାର ତଦନ୍ତ କରାଇ ନାହାଁନ୍ତି । ଗୁମୁଡ଼ୁମାହା ଘଟଣାର ତଦନ୍ତ ସାରି କନ୍ଧମାଳ ଜିଲ୍ଲା ଜଜ ତାଙ୍କ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛନ୍ତି । କିନ୍ତୁ ଏହି ରିପୋର୍ଟ ସାର୍ବଜନୀନ ହୋଇନାହିଁ । ଜାତୀୟ ମାନବିକ ଅଧିକାର କମିଶନ ବା ରାଜ୍ୟ କମିଶନ ପକ୍ଷରୁ ଯେଉଁ ସବୁ ଘଟଣାରେ ତଦନ୍ତ କରାଯାଇ ରିପୋର୍ଟ ଦିଆଯାଇଛି । ସେସବୁ ଘଟଣାରେ ସରକାର ମୃତକ ପରିବାରଙ୍କୁ କିଛି ଟଙ୍କା କ୍ଷତି ପୂରଣ ଆକାରରେ ଦେଇ ଦେଲାପରେ ତାଙ୍କର ଦାୟିତ୍ୱ ସରିଗଲା ବୋଲି ଏକ ନୀତିଗତ ଭାବେ ସ୍ଥିର କରିନେଉଛନ୍ତି । ପୁଲିସ ବିରୁଦ୍ଧରେ ଶୃଙ୍ଖଳାଗତ ବା ଫୌଜଦାରୀ ମାମଲା କରାଯାଉ ନାହିଁ । ସଂଖ୍ୟାଲଘୁଙ୍କ ଉପରେ ହିଂସାକୁ ରୋକିବା କ୍ଷେତ୍ରରେ ପୁଲିସର ଭୂମିକା ମଧ୍ୟ ସନ୍ଦେହର ଉଦ୍ଧ୍ୱର୍ରେ ନୁହେଁ।

ନିରସ୍ତ୍ର ପୁଲିସ

ବ୍ରିଟିଶ ଔପନିବେଶିକ ଶାସନ ସମୟରେ ୧୮୬୦ ମସିହାରେ ଗଠିତ ପୁଲିସ କମିଶନ ପୁଲିସକୁ ଏକ “ସିଭିଲ ପୁଲିସ”ଭାବେ ସଂଗଠିତ କରିବା ପାଇଁ ପରାମର୍ଶ ଦେବା ସହ ପୁଲିସକୁ ଅସ୍ତ୍ରଶସ୍ତ୍ର ·ଳନା ପାଇଁ ତାଲିମ ଦେବା ସପକ୍ଷରେ ଯଦିଓ ଥିଲା, ତେବେ ପୁଲିସ ହାତରେ ଅସ୍ତ୍ରଶସ୍ତ୍ର ରହିବ ନାହିଁ, ବୋଲି ଏହି ରିପୋର୍ଟରେ ଦର୍ଶାଯାଇଥିଲା । ଯେ କୌଣସି ପରିସ୍ଥିତିରେ ଏବଂ ସ୍ୱାଧୀନ ଜନଗଣଙ୍କର ଏକ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ପଟୁଆର ଯାଉଥିବା ବେଳେ ଶହ ଶହ ସଂଖ୍ୟାରେ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସୁସଜ୍ଜିତ ପୁଲିସବାହିନୀ ସେଠାରେ ଉପସ୍ଥିତ ରହିବା କେବଳ ଦୃଷ୍ଟିକଟୁ ଲାଗୁଛି ତାହା ନୁହେଁ, ତାହା ଅସନ୍ତୋଷ ଉଦ୍ରେକକାରୀ ଏବଂ ବେଳେ ବେଳେ ହିଂସା ଉଦ୍ରେକକାରୀ ମଧ୍ୟ ହେଉଛି ।

ଦଣ୍ଡ କ୍ଷମତା ବିହୀନ

ଆଇନ ଅନୁସାରେ ପୁଲିସର ଦଣ୍ଡ ପ୍ରଦାନର କ୍ଷମତା ନାହିଁ । ଏହା କେବଳ ଏକ ଅନୁସଂଧାନକାରୀ ସଂସ୍ଥା । ଆଇନ-ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ପାଶବିକ ବଳ ପ୍ରୟୋଗ ନୁହେଁ । ଆଇନର ଶାସନକୁ ସୁରକ୍ଷା ଦେବା ଏବଂ ମଜବୁତ କରିବା ହୁଏତ ପୁଲିସର କାମ ବୋଲି କୁହାଯାଇପାରେ । ଅର୍ଥାତ ପୁଲିସ “ବଳ” ପରିବର୍ତ୍ତେ ଆଇନର ଶାସନ ପାଇଁ ଜନଗଣଙ୍କର ନିମନ୍ତେ ଏକ “ସେବାସଂସ୍ଥା”, ଏଭଳି ଭାବନା ପୁଲିସ ବ୍ୟବସ୍ଥାରେ ନାହିଁ କିମ୍ବା ଶାସନ କ୍ଷମତାରେ ଥିବା ବର୍ଗ ଏବଂ ଦେଶୀ-ବିଦେଶୀ କମ୍ପାନୀର କର୍ତ୍ତୁପକ୍ଷଙ୍କ ଆଭିମୂଖ୍ୟରେ ନାହିଁ । ସେଥିପାଇଁ ପୁଲିସ ବିଭାଗରେ ଦୂର୍ନୀତି, ବଳପ୍ରୟୋଗ, ପକ୍ଷପାତିତା ଏବଂ ଅନେକ କ୍ଷେତ୍ରରେ ଅବହେଳା ଇତ୍ୟାଦି ଅଭିଯୋଗ ଅଧିକ ।

ଆଜିର ଜଗତୀକରଣ ଅର୍ଥନୀତି ସମୟରେ ପୁଲିସ ସମ୍ପର୍କରେ ଯେଉଁ ଅଭିଯୋଗ ହେଉଛି; ଅଧିକାଂଶ ଭାଗ ସରକାରଙ୍କର “ପୁଲିସର ନୀତି” ପ୍ରତି ପ୍ରଯୁଜ୍ୟ। ସବୁ ପ୍ରସଙ୍ଗକୁ ସରକାର ଆଇନ-ଶୃଙ୍ଖଳା ଦୃଷ୍ଟିକୋଣରେ ବି·ର କରୁଛନ୍ତି ଓ ଗୋଟିଏ ପରେ ଗୋଟିଏ ଫୌଜଦାରୀ ଆଇନ ପ୍ରଣୟନ କରି ଚାଲୁଛନ୍ତି । ଫଳରେ ପ୍ରତ୍ୟେକ କ୍ଷେତ୍ରରେ ପୁଲିସର କ୍ଷମତା ପ୍ରୟୋଗର ଆଇନଗତ ବ୍ୟବସ୍ଥା ରହୁଛି । ପ୍ରତ୍ୟେକ କ୍ଷେତ୍ରରେ ପୁଲିସ ଉପରେ ନିର୍ଭରଶୀଳତା ଫଳରେ “ସାଧାରଣ ପ୍ରଶାସନ”ର ଭୂମିକା ଅପେକ୍ଷା ଆଜିର ପରିସ୍ଥିତିରେ “ପୁଲିସ ପ୍ରଶାସନ” ଭୂମିକା ଅତିମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ସହାଞ୍ଚଳମାନଙ୍କରେ ପୁଲିସ କମିଶନରେଟ ବ୍ୟବସ୍ଥା ହେଉ ଅଥବା ଅନୁସୂଚୀତ ଅଞ୍ଚଳରେ ସଶସ୍ତ୍ର ରାଜ୍ୟ ପୁଲିସ ସହ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ହେଉ, ଏହା ଲୋକପ୍ରିୟ ସରକାରଙ୍କର ଆଭିମୁଖ୍ୟରେ ପରି·ୟକ ନୁହେଁ । “ଡ଼ରାଇ ଶାସିବା ନୀତିର” ପରିଚାୟକ ।

ଭିନ୍ନମତକୁ ପ୍ରତିରୋଧ

ଜୀବନ-ଜୀବୀକାର ପ୍ରସଙ୍ଗକୁ ନେଇ ଯେଉଁ ସବୁ ଆନ୍ଦୋଳନ ହେଉଛି; ସେ ନେଇ ଯେଉଁ ଗଣକ୍ଷୋଭ ସୃଷ୍ଟି ହେଉଛି, ସରକାର ସେହି ଭିନ୍ନମତ ବା ପ୍ରତିବାଦର ଅମ୍ଳଜାନକୁ ପ୍ରତିରୋଧ କରିବା ପାଇଁ ଅଧିକ ସକ୍ରିୟ ହୋଇପଡ଼ୁଛନ୍ତି । ଭିନ୍ନ ମତ ଗଣତନ୍ତ୍ରରେ ଆତ୍ମା ପୁଲିସର ମିଥ୍ୟା ମୋକଦ୍ଦମା, ଲାଠି, ବନ୍ଧୁକ, ହାତକଡ଼ି ଏପରିକି ଡିଜିଟାଲ ଗୁଇନ୍ଦାଗିରି ସରକାର ଓ ପୁଲିସ ପ୍ରଶାସନକୁ ସମଗ୍ରୀକଭାବେ ଜନଗଣଙ୍କ ଠାରୁ ବିଚ୍ଛିନ୍ନ କରି ଦେଉଛି । ଯାହା ଗଣତନ୍ତ୍ରର ପାଇଁ ଅନୁକୂଳ ନୁହେଁ ।

ପୁଲିସର ତାଲିମ କିପରି ହେବା ସେ ସମ୍ପର୍କରେ ଏକ ଛୋଟିଆ ଉଦାହରଣ ଦିଆଯାଇପାରେ । ଓଡ଼ିଶାର କିଛି ଲୋକ ଋଷିଆ ଭ୍ରମଣରେ ଯାଇଥିଲେ । ଏକ ନିଷିଦ୍ଧ ଅଞ୍ଚଳରେ ସେମାନେ ଫଟୋ ଉଠାଇଦେଲେ । ତତ୍‍କ୍ଷଣାତ ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ ସାଲ୍ୟୁଟ୍‍ ମାରିଲା ଏବଂ ଥାନାକୁ ଡ଼ାକିଲା । ଥାନାରେ ସେମାନଙ୍କୁ କୁହାଗଲା ସ୍ଥାନୀୟ ଆଇନର ସେମାନେ ଉଲଂଘନ କରିଛନ୍ତି । ସେମାନେ କହିଲେ ସେମାନେ ଅନ୍ୟ ଦେଶରୁ ଆସିଛନ୍ତି ଓ ଏହି ବେଆଇଡ଼ କାର୍ଯ୍ୟ । ଏଣୁ ସେମାନଙ୍କୁ ପୁଲିସ ମୁକ୍ତ କରିଦେଲା । କିନ୍ତୁ ସେମାନେ କୌତୁହଳ ବଶତଃ ପ୍ରଶ୍ନ କଲେ, ଆମ୍ଭେମାନେ ଆଇନ ଭାଙ୍ଗିଥିଲୁ । ପୁଲିସ ଆମ୍ଭଙ୍କୁ ସାଲ୍ୟୁଟ କାହଁକି କଲେ? ତା’ର ଜବାବରେ ପୁଲିସ ପକ୍ଷରୁ କୁହାଗଲା ଯେ, ଆଇନକୁ ମାନୁଥିବା ଲୋକଙ୍କ ସଂଖ୍ୟା ଅପେକ୍ଷା ଆଇନକୁ “ଅମାନ୍ୟ” କରୁଥିବା ଲୋକଙ୍କ ସଂଖ୍ୟା ବହୁତ କମ୍‍ ।

ତେଣୁ ଅଧିକାଂଶ ଲୋକଙ୍କୁ ଦୃଷ୍ଟିରେ ରଖି ଆମ୍ଭେମାନେ ଯଦି ଆଚରଣ ନ କରୁ, ତେବେ ଆମ୍ଭମାନଙ୍କ ମଧ୍ୟରେ ଆମ୍ଭମାନଙ୍କ ଜାଣତରେ ବା ଅଜାଣତରେ ଏଭଳି ଏକ ଆଚରଣ ବସାବାନ୍ଧିଯିବ; ଯାହାର ଶିକାର ଆଇନକୁ ମାନ୍ୟତା ଦେଉଥିବା ବ୍ୟାପକ ଜନତା ଶିକାର ହେବେ ଓ ଆଇନର ଶାସନ ବ୍ୟାହତ ହେବ ।

ଶେଷକଥା

ଏଠାରେ ଆବ୍ରାହମ୍‍ ଲିଙ୍କନ୍‍ଙ୍କର ସେହି ଉକ୍ତି ପ୍ରାସଙ୍ଗିକ ଯାହା ପୁଲିସର ଏକ ହାଜତ ହିଂସା ଘଟଣାରେ ଜଷ୍ଟିସ୍‍ କ୍ରିଷ୍ଣା ଆୟାର ଉଦ୍ଧାର କରିଥିଲେ । ତୁମ୍ଭେ ଯଦି ତୁମର ସାଥୀମାନଙ୍କର ଥରେ ଭରସା ହରାଇଲ, ତାହା ଫେରିପାଇବା ସମ୍ଭବ ହେବ ନାହିଁ । ତୁମେ କିଛି ଲୋକଙ୍କୁ ସବୁଦିନ ପାଇଁ ଭଣ୍ଡାଇ ପାର । କିନ୍ତୁ ସବୁଦିନ ପାଇଁ ସମସ୍ତଙ୍କୁ ଭଣ୍ଡାଇ ପାରିବ ନାହିଁ । ଏଣୁ ଅର୍ଥ, କାମ, ଦଣ୍ଡ, ଭେଦ, ନୀତିର ଶାସନ ଚିରସ୍ଥାୟୀ ନୁହେଁ । ଶାସକ ବର୍ଗ ଏଥିପ୍ରତି ସଚେତନ ରହିବା ଆବଶ୍ୟକ ।

କାହା ସ୍ୱାର୍ଥରେ ପୁଲିସ

୬୯ ବର୍ଷରେ ଆମ ସମ୍ବିଧାନ: ଏକ ଅନୁଚିନ୍ତା

https://odishatime.com/constitution-day/