#କରୋନା ଆତଙ୍କକୁ ଓଡ଼ିଶା ପାଇଁ ପୁଣି ବାତ୍ୟା ଭୟ!

ଭୁବନେଶ୍ୱର(ଓଟି): ଗୋଟିଏପଟେ ମହାମାରୀ କରୋନା ଆତଙ୍କ ଖେଳାଇ ଚାଲିଛି। ଅନ୍ୟପଟରେ ଠିକ୍‌ ଏହି ସମୟରେ ପୁଣି ଓଡ଼ିଶା ପାଇଁ ବାତ୍ୟାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରଳୟଙ୍କରୀ #ଫୋନି ବାତ୍ୟାର ଠିକ୍‌ ବର୍ଷକ ପରେ ଏଭଳି ଭୟ ସୃଷ୍ଟି ହୋଇଛି। ଫଳରେ ସାଧାରଣରେ ଚିନ୍ତା ବଢ଼ି ଯାଇଛି।

ସମ୍ପ୍ରତି ଉପକୂଳବର୍ତ୍ତୀ ଓଡ଼ିଶାରେ ମଧ୍ୟମ ଧରଣର ବୃଷ୍ଟିପାତ ଅନୁଭୂତ ହେଉଥିବା ବେଳେ ଆସନ୍ତା ମେ ୧ ତାରିଖରେ ଲଘୁଚାପର ସମ୍ଭାବନା ରହିଛି। ପୁନେସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍‌ ଟ୍ରପିକାଲ୍ ମେଟେରୋଲୋଜି (ଆଇଆଇଟିଏମ୍‌) ସଂସ୍ଥା ତଥା ଆମେରେକୀୟ ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ୍ (ଜିଏଫ୍‌ଏସ୍)ର ସୂଚନାନୁଯାୟୀ ଏପ୍ରିଲ୍ ୩୦ ବେଳକୁ ଆଣ୍ଡାମାନ ଓ ନିକୋବର ଦ୍ଵୀପର ଦକ୍ଷିଣ-ପୂର୍ବ ଭାଗରେ ଲଘୁଚାପ ଘନିଭୂତ ହେବ। ସେହିପରି ଏହା ଓଡ଼ିଶା ଉପକୂଳ ମୁହାଁ ହୋଇ କ୍ରମେ ଡିପ୍ରେସନର ରୂପ ନେବାର ସମ୍ଭାବନା ଥିବାବଳେ ସାଇକ୍ଲୋନିକ୍ ଷ୍ଟର୍ମରେ ମଧ୍ୟ ପରିଣତ ହୋଇପାରେ। ଏପରିକି ମେ ୪ରୁ ୫ ତାରିଖ ମଧ୍ୟରେ ଏହା ସ୍ଥଳପଥ ଛୁଇଁବାର ପୂର୍ବାନୁମାନ କରାଯାଇଛି। ଏହା ଫଳରେ ଭଦ୍ରକ ଓ ଯାଜପୁରରେ ଅତି ପ୍ରବଳ ବର୍ଷା ହେବାର ଯଥେଷ୍ଟ ଆଶଙ୍କା ରହିଛି।

ସୂଚନାଯୋଗ୍ୟ ଯେ ଗତବର୍ଷ ଏପ୍ରିଲ୍ରେ ଫୋନି ବାତ୍ୟା ପୁରୀ ଉପକୂଳ ଛୁଇଁଥିଲା। ମେ ୩ରେ ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କ୍ଷୟକ୍ଷତି ଘଟାଇଥିଲା।

Leave a Reply

Your email address will not be published.