ଓ୍ବେବ ମିଡିଆକୁ ସରକାରୀ ସ୍ୱିକୃତୀ, ଆରମ୍ଭ ହେବ ତାଲିକାକରଣ ପ୍ରକ୍ରିୟା

0
32

ଭୁବନେଶ୍ୱର, (ଓଟି): ସମୟ ଅନୁସାରେ ତାଳ ଦେଇ ଓଡ଼ିଶା ସରକାର ଅନ‍୍‌ଲାଇନ‍୍‌ ବା ୱେବ‍୍‌ ମିଡିଆକୁ ସ୍ୱିକୃତୀ ପ୍ରଦାନ କରିବା ଲାଗି ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ଏହି ଅନୁସାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆବଶ୍ୟକ ନିୟମାବଳୀ ପ୍ରକାଶ କରାଯାଇଛି। ଏହି ନିୟମାବଳୀ ଅନୁସାରେ ନ୍ୟୁଜ୍‌, ଫିଚର, ଇଣ୍ଟରଭ୍ୟୁ ପ୍ରକାଶ କରୁଥିବା ନ୍ୟୁଜ୍‌ ପୋର୍ଟାଲ‍୍‌ଗୁଡ଼ିକରେ ସରକାର ନିଜର ବିଜ୍ଞାପନ ପ୍ରକାଶ କରିବେ। ପୂର୍ବରୁ କେବଳ ଖବରକାଗଜ, ଟେଲିଭିଜନ‍୍‌ ତଥା ପତ୍ରିକାଗୁଡ଼ିକୁ ସରକାର ବିଜ୍ଞାପନ ଦେଇ ଆସୁଥିଲେ।

ସୋମବାରଦିନ ପ୍ରକାଶିତ ନିୟମାବଳୀ ଅନୁସାରେ ଯୋଗ୍ୟ ଏବଂ ଇଚ୍ଛୁକ ଓ୍ବେବ ପୋର୍ଟାଲ‍୍‌ ବା ଓ୍ବେବସାଇଟ‍୍‌ମାନେ ଏଥିଲାଗି ସରକାରଙ୍କୁ ଆବେଦନ କରିପାରିବେ। ବୁଧବାରଦିନ ଏଥିଲାଗି ବିଭାଗ ପକ୍ଷରୁ “ଏକ୍ସପ୍ରେସନ‍୍‌ ଅଫ୍ ଇଣ୍ଟରେଷ୍ଟ’ ବିଭିନ୍ନ ଖବରକାଗଜରେ ପ୍ରକାଶ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ୱେବ‍୍‌ ପୋର୍ଟାଲ‍୍‌ଗୁଡ଼ିକର ଦର୍ଶକ ଅନୁସାରେ ବିଭାଗୀକରଣ କରାଯିବ। ସରକାରୀ ବିଜ୍ଞାପନ ପାଇବା ଲାଗି ସର୍ବନିମ୍ନ ୧୦ ହଜାର ୟୁନିକ୍ ଭିଜିଟର‍୍‌ ସମ୍ପୃକ୍ତ ୱେବ‍୍‌ ସାଇଟ ହାସଲ‍୍‌ କରୁଥିବା ଆବଶ୍ୟକ। ତେବେ ଏଥିପାଇଁ ଦର ନିର୍ଦ୍ଧାରଣ କରାଯାଇ ନାହିଁ। କିନ୍ତୁ ଏଥ‍ର ଅନେକ ଉଦାରତା ପ୍ରଦର୍ଶନ କରାଯାଇଛି। ୧୦ରୁ ୨୦ ହଜାର ୟୁନିକ ଭିଜିଟର ହାସଲ କରୁଥିବା ୱେବସାଇଟକୁ ସି’ ବର୍ଗ ଅନ୍ତର୍ଭୁକ୍ତ କରାଯିବାକୁ କୁହାଯାଇଥିବା ବେଳେ ୨୦ରୁ ୩୦ ହଜାର ୟୁନିକ ଭିଜିଟର ହାସଲ କରୁଥିବା ସାଇଟକୁ ବି’ ବର୍ଗ ଏବଂ ୩୦ ହଜାର ଭିଜିଟରରୁ ଅଧିକ  ହାସଲ କରୁଥିବା ୱେବସାଇଟକୁ ଏ’ ତାଲିକାଭୁକ୍ତ କରାଯିବ। ଏହି ଭିଜିଟର ତାଲିକାକୁ ଗୁଗୁଲ ଆନାଲିଟିକ ଟୁଲ ମାଧ୍ୟମରେ ସମ୍ପୃକ୍ତ ୱେବସାଇଟମାନେ ବିଭାଗ ପାଖରେ ଦାଖଲ କରିବେ। ତାହାକୁ ଯାଞ୍ଚ କଲାପରେ ବିଭାଗ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।

 

Loading...