ଅମଲାତାନ୍ତ୍ରିକ ଗୋଳ ରୋକିବାକୁ ସରକାରଙ୍କ ଉଦ୍ୟମ ଜାରି: ଦାୟିତ୍ଵ ଅଦଳବଦଳ ଘୋଷଣା

ଭୁବନେଶ୍ଵର, (ଓଟି): ନିଜକୁ ବିଜୁ ପଟ୍ଟନାୟକଙ୍କ ଅନୁଗାମୀ କହି ଆଇଏଏସ୍‌ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ଲାଗି ଘୋଷଣା କରିଥିବା ଗଗନ କୁମାର ଧଳଙ୍କୁ ସରକାର ପୁଣି ଏକ ନୂଆ ନିଯୁକ୍ତି ଦେଇଛନ୍ତି। କିଛି ଦିନ ପୂର୍ବରୁ ତାଙ୍କୁ ବିନା କୌଣସି ଦାୟିତ୍ଵରେ କୃଷି ଉତ୍ପାଦନ କମିଶନର ଦାୟିତ୍ଵ ପଦବୀରୁ ହଟା ଯାଇଥିଲା। ଏହାଦ୍ଵାରା ଓଡ଼ିଶା ସରକାରଙ୍କ ଅମଲାତନ୍ତ୍ରରେ ଯେଉଁ ବିଦ୍ରୋହ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିଲା ତାହାକୁ ଏବେ ନୂଆ ନିଯୁକ୍ତି ପ୍ରଶମିତ କରିବ ବୋଲି ଚର୍ଚା ହେଉଛି। ଏହି ନୂତନ ନିଯୁକ୍ତିରେ ଯଦିଓ ତାଙ୍କୁ ଗୁରୁତ୍ଵପୂଣ୍ଣ ଦାୟିତ୍ଵ ମିଳି ନାହିଁ କିନ୍ତୁ ତାଙ୍କଠାରୁ କନିଷ୍ଠ ଆଇଏଏସ୍‌ଙ୍କୁ ଯେପରି ମୁଖ୍ୟ ସଚିବ ଦାୟିତ୍ଵ ମିଳିଛି ସେହି ପାହ୍ୟାକୁ ପଦୋନ୍ନତି କରାଯାଇଛି। ଅର୍ଥାତ୍‌ ଶ୍ରୀ ଧଳଙ୍କ ପଦବୀ ପାହ୍ୟା ମୁଖ୍ୟସଚିବଙ୍କ ପାହ୍ୟା ସହ ସମାନ ରହିବ। 

ଓଡ଼ିଶା ଅମଲା ତନ୍ତ୍ରରେ ଅଣ ଓଡ଼ିଆ ଅଧିକାରୀଙ୍କ ଗୁରୁତ୍ଵ ବଢ଼ିବା ପ୍ରସଙ୍ଗକୁ ନେଇ କେତେକ ଗଣମାଧ୍ୟମ ଚର୍ଚା କରି ଆସିଛନ୍ତି। ଅବଶ୍ୟ ବହୁ ପୂର୍ବରୁ ଏପରି ଚର୍ଚା ହେଉଛି, କିନ୍ତୁ ନିକଟରେ ସୃଷ୍ଟି ହୋଇଥିବା ଏମିତି ଚର୍ଚା ଅମଲାତନ୍ତ୍ରରେ ଏକ ଭିନ୍ନ ସମୀକରଣ ଆଡ଼କୁ ମୋଡ଼ ନେବାର ଆଶଙ୍କା ସୃଷ୍ଟି କରିଛି। ଏହି ସମୀକରଣରେ ଉତ୍ତର ଭାରତୀୟ ଅଞ୍ଚଳରୁ ଆସିଥିବା ପ୍ରଶସନିକ ଅଧିକାରୀମାନେ ଓଡ଼ିଆ ଅଧିକାରୀଙ୍କ  ଅସନ୍ତୋଷରେ ସ୍ଵର ମିଳାଇଛନ୍ତି।

କିଛିଦିନ ପୂର୍ବରୁ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସ୍ଵେଚ୍ଛାକୃତ ଅବସର ଘୋଷଣା, ଏହା ପୂର୍ବରୁ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା ହଠାତ୍‌ ଛୁଟିରେ ଚାଲିଯିବ, କୃଷି ଉତ୍ପାଦନ କମିଶନର ପଦବୀରୁ ହଟାଯିବାର ୨୪ ଘଣ୍ଟା ନପୁରୁଣୁ ଗଗନ ଧଳଙ୍କ ସ୍ଵେଚ୍ଛାକୃତ ଅବସର ଘୋଷଣା ପ୍ରଭୃତି ଏହି ଅସନ୍ତୋଷ ଭାତ ହାଣ୍ଡିରୁ ଗୋଟିଏ ଗୋଟି ଦାନା ବୋଲି ଗ୍ରହଣ କରାଯାଉଛି। 

ଯେଉଁ ଶାସନ କଳରେ ଉତ୍ତମ ଶାସନ ଦେବାରେ ସମର୍ଥ ହେବା ଯୋଗୁ ସରକାର ପୁଣିଥରେ ଲୋକଙ୍କ ଦ୍ଵାରା କ୍ଷମତାକୁ ଫେରିଲେ, ସେମାନଙ୍କୁ ଅଣ ଦେଖା କରାଯିବା ପ୍ରସଙ୍ଗ ଉତ୍କଟ ହୋଇଛି। ଏହି କ୍ରମରେ ସରକାର  ଏହି ଅମଲାତାନ୍ତ୍ରିକ ରୋଷକୁ ପ୍ରଶମିତ କରିବାକୁ ଯାଇ ବାରମ୍ବାର ଅଦଳବଦଳ ପ୍ରକ୍ରିୟା ଜାରି ରଖିଛନ୍ତି। ଶୁକ୍ରବାର ଅପରାହ୍ଣରେ ଏଥିନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛଇ ଯେଉଁଥିରେ ୮ଜଣ ବରିଷ୍ଠ ପଦାଧିକାରୀଙ୍କ ପଦବୀରେ ଅଦଳବଦଳ କରାଯାଇଛି। 

କିଏ କୁଆଡ଼େ ଗଲେ

କୃଷି ଉତ୍ପାଦନ କମିଶନର ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଧଳଙ୍କୁ ଓଡିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ଖାଲି ସେତିକି ନୁହେଁ, ଏହି ପଦବୀକୁ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ଉନ୍ନୀତ କରାଯାଇଛି।
ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ,  ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉନ୍ନୟନ କମିଶନର ହେବେ। ସେ ଯୋଜନା ଓ ସମନ୍ବୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେବେ।   ସୁରେଶ ମହାପାତ୍ର ଯୋଜନା ଓ ସଂଯୋଜନା ବିଭାଗର ଦାୟିତ୍ୱରେ ମଧ୍ୟ ରହିବେ । ଜଙ୍ଗଲ ଓ ପରେବେଶ ବିଭାଗର ଅତିରିକ୍ତ ଦାୟିତ୍ୱ ମୋନା ଶର୍ମାଙ୍କୁ ଦିଆଯାଇଛି । ସେ ଏବେ ଗ୍ରାମ ଉନ୍ନୟନ ବିଭାଗ ଦାୟିତ୍ଵ ତୁଲାଉଛନ୍ତି।

୧୯୮୬ ବ୍ୟାଚ୍‌ ଆଇଏଏସ୍‌ ସୁଦର୍ଶନ ପାଲଠାକୁରଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଗୋପବନ୍ଧୁ ଏକାଡେମୀ ସହ ଶ୍ରୀ ଠାକୁର କେବିକେ ଦାୟିତ୍ୱରେ ରହିବେ।

ବରିଷ୍ଠ ଅଧିକାରୀ ପ୍ରଦୀପ୍ତ ମହାପାତ୍ର କୃଷି ଉତ୍ପାଦନ କମିଶନର ଦାୟିତ୍ଵ ସହ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ମଧ୍ୟ ତୁଲାଇବେ।

ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।  ସେ ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଦାୟିତ୍ଵ ବି ତୁଲାଇବେ।  ଓଡ଼ିଶା ସରକାରଙ୍କ ସ୍ଵତନ୍ତ୍ର ସଚିବ ତଥା ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ମନୋଜ ମିଶ୍ରଙ୍କୁ ଇଟି ଓ ଆଇଟି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଇଟି ଓ ଆଇଟି ବିଭାଗର ଶାସନ ସଚିବ ରୁଦ୍ର ନାରାୟଣ ପଲାଇଙ୍କୁ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । 

Leave a Reply

Your email address will not be published.