ଆଜି UAEରୁ ଫେରିବେ ୨୧୫ ଜଣ ପ୍ରବାସୀ ଓଡିଆ

ଭୁବନେଶ୍ବର, (ଓଡିଶା ଟାଇମ୍) : ଲକ୍‌ଡାଉନ୍‌ ଯୋଗୁ ଦୁବାଇରେ ଫସିଥିବା ୨୧୫ ପ୍ରବାସୀ ଓଡ଼ିଆଙ୍କୁ ଧରି ଓଡ଼ିଶା ଫେରୁଛି ଏକ ସ୍ୱତନ୍ତ୍ର ବିମାନ। ପ୍ରବାସୀ ଓଡ଼ିଆଙ୍କୁ ଧରି Air Arabiaର ଏକ ସ୍ୱତନ୍ତ୍ର ବିମାନ ଆଜି ଶାର୍‌ଜାହ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଛାଡ଼ିବ। ସବୁଠାରୁ ବଡ଼ କଥା, ୨୧୫ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ଏହି ବିମାନର ପାଇଲଟ୍ ବି ଜଣେ ଓଡ଼ିଆ। ତାଙ୍କ ନାଁ ମଧୁସ୍ମିତା ପଟ୍ଟନାୟକ। ଦୁବାଇରେ ରହୁଥିବା ଏହି ମହିଳା ପାଇଲଟ୍‌ଙ୍କ‌ ଘର ଭୁବନେଶ୍ୱରରେ। ୟୁଏଇ ଓଡ଼ିଆ ସୋସାଇଟି ପକ୍ଷରୁ ଦୁବାଇରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଫେରୁଥିବା ଏହା ହେଉଛି ତୃତୀୟ ବିମାନ ।

ପ୍ରଥମ ଦୁଇଟି ବିମାନ ଭାରତ ସରକାରଙ୍କ ଦ୍ୱାରା ଅଣାଯାଇଥିବାବେଳେ ଆଜିର ବିମାନଟି ଭଡ଼ାରେ ଅଣାଯାଇଛି। ଏହି ବିମାନରେ ଆସୁଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ପ୍ରବାସୀ ଓଡ଼ିଆଙ୍କ ବିମାନ ଭଡ଼ା ୟୁଏଇ ଓଡ଼ିଆ ସୋସାଇଟି ବହନ କରିଛି ।

ଗୁରୁତ୍ୱପୂର୍ଣ୍ଣ ବିଷୟ, ଆଜି ଓଡ଼ିଶା ଫେରିବାକୁ ଥିବା ବିମାନର ମୁଖ୍ୟ ପାଇଲଟ୍ ଓଡ଼ିଆ ଝିଅ ମଧୁସ୍ମିତା ପଟ୍ଟନାୟକ । କ୍ୟାପ୍‌ଟେନ୍‌ ମଧୁସ୍ମିତା ପଟ୍ଟନାୟକଙ୍କ ଜନ୍ମ ବ୍ରହ୍ମପୁର ସହରରେ । ତାଙ୍କର ସ୍କୁଲ ପଢ଼ା ରାୟଗଡ଼ାରେ ହୋଇଥିବାବେଳେ ରମାଦେବୀ କଲେଜରେ ସେ ଗ୍ରାଜୁଏସନ କରିଥିଲେ । ପାଞ୍ଚ ବର୍ଷ ହେବ ସେ ‘ଏୟାର ଆର୍‌ବିୟା’ରେ ପାଇଲଟ ଥିବାବେଳେ ପୂର୍ବରୁ ସେ ଭାରତରେ ଡେକାନ ଏୟାର ଲାଇନ୍‌ସ, କିଙ୍ଗଫିସର ତଥା ଗୋ-ଏୟାରରେ ପାଇଲଟ ଥିଲେ ।

କ୍ୟାପ୍‌ଟେନ ମଧୁସ୍ମିତା କହିଛନ୍ତି, ସେ ପହିଲି ରଜ ଭଳି ଦିନରେ ଓଡ଼ିଆ ଭାଇଭଉଣୀଙ୍କୁ ନେଇ ଓଡ଼ିଶା ପହଞ୍ଚୁଥିବାରୁ ବହୁତ ଖୁସି । ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଚିର ଋଣୀ ରହିବି । ୟୁଏଇ ଓଡ଼ିଆ ସୋସାଇଟି ଅଧକ୍ଷ ଡ. ଚନ୍ଦ୍ରଶେଖର ଖୁଣ୍ଟିଆ କହିଛନ୍ତି, ୨୦ ବର୍ଷ ହେବ ଦୁବାଇରେ ଓଡ଼ିଆଙ୍କ ସେବାରେ ନିଜକୁ ନିୟୋଜିତ କରିଛି । ପହିଲି ରଜରେ ଓଡ଼ିଶା ମାଟିରେ ଅବତରଣ କରୁଥିବା ୨୧୫ ଓଡ଼ିଆଙ୍କ ପାଇଁ ମୁଁ ବହୁତ ଖୁସି । ଏ ନେଇ ସମସ୍ତଙ୍କ ପରିଶ୍ରମ ସାର୍ଥକ ହୋଇଛି ବୋଲି ଡ. ଖୁଣ୍ଟିଆ କହିଛନ୍ତି ।

Leave a Reply

Your email address will not be published.