ଗଣପର୍ବ ନୂଆଁଖାଇ: ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

0
137

ଭୁବନେଶ୍ୱର,(ଓଟି): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଆଜି ଘରେ ଘରେ ପିଠାପଣାର ମହକ। କୃଷକ-ଗୃହସ୍ଥ ମଧ୍ୟ ପୂଜା କରିବା ପାଇଁ ସକାଳୁ ସକାଳୁ ନୂଆ ଲୁଗା ପିନ୍ଧି ନିଜ କ୍ଷେତକୁ ବାହାରି ସାରିଲେଣି। ଏହି ପର୍ବ ଲାଗି ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠ ମଧ୍ୟ ଚଳଚଞ୍ଚଳ। ନିର୍ଦ୍ଧାରିତ ସମୟ ଅନୁସାରେ ମାଆ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ପୂର୍ବାହ୍ଣ ୮ଟା ୧୦ରୁ ୮ଟା ୪୦ ମଧ୍ୟରେ ମାଆ ସମଲେଶ୍ୱରୀ ନବାନ୍ନ ଲାଗି ହେବା ନେଇ ଲଗ୍ନ ଧାର୍ଯ୍ୟ ହୋଇଥିଲା।

ନୂଆଁଖାଇ ହେଉଛି କୃଷିଭିତ୍ତିକ ଏକ ମହାନ ସାମାଜିକ ଓ ସାଂସ୍କୃତିକ ଗଣପର୍ବ । ପ୍ରତିବର୍ଷ ଭାଦ୍ରବ ମାସ ଶୁଳ୍ପ ପକ୍ଷ ପଞ୍ଚମୀ ବା ଋଷିପଞ୍ଚମୀରେ ପାଳିତ ହୁଏ। ନୂଆଁଖାଇରେ ପ୍ରଥମେ ପରମ ଆରାଧ୍ୟା ମାଁ ସମଲେଶ୍ୱରୀ, ମାଁ ପାଟଣେଶ୍ୱରୀ, ମାଁ ମାଣିକେଶ୍ୱରୀ, ମାଁ ସୁରେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯାଏ। ଚାଷଜମିରେ ନୂଆ ଶସ୍ୟକୁ ଦେଖି ଉଲ୍ଲସିତ ହେବା ଏବଂ ନୂଆ ଶସ୍ୟକୁ ପୂଜାର୍ଚ୍ଚନା କରି ଭଗବାନଙ୍କୁ ଅର୍ପଣ କରି ନିଜର କୃତଜ୍ଞତା ଜଣାଇଲା ପରେ ଆନନ୍ଦ ଓ ଉଲ୍ଲାସ ମନାଇବାର ଅନନ୍ୟ ପର୍ବ ହେଉଛି ନୂଆଁଖାଇ । ନିଜ ଚାଷ ଜମିରେ କ୍ଷୀର ଢାଳି ପୂଜା କଲା ପରେ, ନୂଆ ଶସ୍ୟକୁ ନିଜ ଘରେ ପୂଜା କରି, ପରିବାରର ସମସ୍ତଙ୍କ ସହ ମିଶି ଖାଇବା ଓ ତା ପରେ ନିଜ ପରିବାର ଓ ସମାଜର ବୟୋଜ୍ୟେଷ୍ଠ ମାନଙ୍କୁ ମୁଣ୍ଡିଆ ମାରି ଜୁହାର କରିବା ନୂଆଁଖାଇର ବିଶିଷ୍ଟ ପରମ୍ପରା।

ପଶ୍ଚିମ ଓଡ଼ିଶାର ଜନଜୀବନ ଓ ସଂସ୍କୃତିରେ ବର୍ଷର ବିଭିନ୍ନ ସମୟରେ ଅନେକ ପର୍ବପର୍ବାଣୀ ପାଳିତ ହୋଇଥାଏ। ସେଥିମଧ୍ୟରୁ ଗଣପର୍ବ ନୂଆଁଖାଇ ଅନ୍ୟତମ। ମାଟି ମାଁ ପ୍ରତି, ଇଷ୍ଟଦେବୀଙ୍କ ପ୍ରତି ପ୍ରଥମ ଉତ୍ପାଦିତ ଶସ୍ୟକୁ ହୃଦୟର ଗଭୀର ଭକ୍ତି ନୈବେଦ୍ୟ ସହିତ ଅର୍ପଣ କରିବାର ଏକ ମହାନ୍‌ ପର୍ବ ନୂଆଁଖାଇ। ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର କୁଲି, ମଜୁରୀଆ, ଶ୍ରମିକ ସବୁ ବର୍ଗର ଲୋକେ ଏହି ପର୍ବରେ ସାମିଲ ହୋଇଥାନ୍ତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଗାଁଠାରୁ ସହର ପର୍ଯ୍ୟନ୍ତ ଧନିଠାରୁ ଗରିବ ସମସ୍ତେ ମହାଆଡ଼ମ୍ୱର ସହକାରେ ପାଳନ କରନ୍ତି ଏହି ପର୍ବକୁ।

ଭାଦ୍ରବ ମାସରେ ଧାନ ଫଳ ଧରିବା ଆରମ୍ଭ ହୋଇଥାଏ। ପଶୁ, ପକ୍ଷୀ, ବନ୍ୟଜନ୍ତୁ ଏହି ନୂତନ ଶସ୍ୟକୁ ଉଚ୍ଛିଷ୍ଟ କରିବା ପୂର୍ବରୁ ନିଜର ଇଷ୍ଟଦେବୀଙ୍କୁ ଏହା ଅର୍ପଣ କରିବାକୁ ମନେ ମନେ ସଂକଳ୍ପ କରିଥାଏ କୃଷକ। କୃଷକର ଏଭଳି ଏକ ଚିନ୍ତାଧାରାରୁ ‘ନୂଆଁଖାଇ’ ପର୍ବର ଆରମ୍ଭ ହୋଇଥିବା ଜଣାଯାଏ। ଭାଦ୍ରବ ମାସର ପଞ୍ଚମୀ ଦିନ ନୂଆଁଖାଇ ପର୍ବକୁ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ପାଳନ କରାଯାଏ ସମଗ୍ର ପଶ୍ଚିମ ଓଡ଼ିଶାରେ। ଏହା ବ୍ୟତୀତ କେତେକ ଅଞ୍ଚଳରେ ଲୋକେ ଭିନ୍ନ ଭିନ୍ନ ଦିନରେ ମଧ୍ୟ ନୂଆଁ ଖାଆନ୍ତି।

ଦିନକୁ ଦିନ ଆଧୁନିକ ସଭ୍ୟତାର ପ୍ରଭାବରେ ନୂଆଁଖାଇର ନିଆରା ପରଂପରା ଫିକା ପଡ଼ିବାରେ ଲାଗିଛି। ଆଧୁନିକ ଚାକଚକ୍ୟରେ ଗ୍ରାମ୍ୟ ଜୀବନ ଓ ସଂସ୍କୃତିକୁ ଭୁଲି ମଣିଷ ସହରାଭିମୁଖୀ ହେବାର ଲାଗିଛି। ତଥାପି ପଶ୍ଚିମ ଓଡ଼ିଶାରେ ଏଭଳି ଅନେକ ଗାଁ ଅଛି ଯେଉଁଠି ନୂଆଁଖାଇର ପରଂପରା, ସଂସ୍କୃତି, ରୀତିନୀତିକୁ ଗ୍ରାମ୍ୟ ମଣିଷମାନେ ବଂଚାଇ ରଖିଛନ୍ତି। ସରଳ ଗ୍ରାମ୍ୟ ମଣିଷ ଭିତରେ ନୂଆଁଖାଇ ଆଣି ଦେଇଥାଏ ସୁଖ, ଶାନ୍ତି, ସମୃଦ୍ଧି ଓ ଜୀବନ ବଂଚିବାର ନୂତନ ପ୍ରେରଣା। ପୁଣି ସେମାନେ ଅପେକ୍ଷା କରିଥାନ୍ତି ଗୋଟିଏ ବର୍ଷ ନୂଆଁଖାଇ ପର୍ବକୁ। ତେଣୁ ଜୁହାର ଭେଟ୍‌ ସମୟରେ ସମସ୍ତେ କହିଥାନ୍ତି ‘ଜିଁ ଜାଗିଥିଲେଁ ବଛରେ’।

Loading...