ବିଜେପି ପାଇଁ ଏବେ ଧର୍ମେନ୍ଦ୍ରଙ୍କ ଉପରେ ବିଶ୍ୱାସ ବଢ଼ାଇବାର ବେଳ

0
76
advt
< a href= "#">

ପରିବିର୍ତ୍ତିତ ରାଜନୀତିକ ପରିସ୍ଥିତିରେ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଏକମାତ୍ର ବିକଳ୍ପ । ରାଜ୍ୟରେ ଯେଉଁଭଳି ଭାବେ ସେ ଭଙ୍ଗାଗଢ଼ା ରାଜନୀତି ଅତ୍ୟନ୍ତ ଦାମ୍ଭିକତାରେ ଚଳାଇଛନ୍ତି ତାହା ଆଉ କୌଣସି ନେତାଙ୍କ ପକ୍ଷେ ସମ୍ଭବ ନୁହେଁ । ତାହା ହୋଇଥିଲେ ଓଡ଼ିଶାର ଏକମାତ୍ର ବିଜେପି ଜୁଏଲ୍‍ ଓରାମ୍‍ ଏହାଙ୍କୁ ଟପିଯାଇପାରି ଥାଆନ୍ତେ । ବିଗତ କିଛିଦିନ ଭିତରେ ଧର୍ମେନ୍ଦ୍ର ପଞ୍ଚାୟତ ନିର୍ବାଚନରେ ସଫଳତା ଆଣିପାରିଛନ୍ତି । ବିଭାଜିତ କଂଗ୍ରେସକୁ ନିଜ ଆଡ଼କୁ ଆଣିବାରେ ମଧ୍ୟ ସକ୍ଷମ ହୋଇଛନ୍ତି । ବିଜେଡିରେ ମଧ୍ୟ ବିଭାଜନ କରିପାରିଛନ୍ତି । ଏବେ ଜରୁରୀ ହେଉଛି ଯଥାସମ୍ଭବ ଅନ୍ୟ ଦଳର ଅସନ୍ତୁଷ୍ଟଙ୍କୁ ନିଜ ଦଳରେ ଥଇଥାନ କରାଇବା । ଆଉ ନିଜ ଦଳରେ ଅସନ୍ତୁଷ୍ଟଙ୍କୁ ପ୍ରଶମିତ କରିବା ବା ଘା’ ବୋଲି ବିଚାର କରି କାଟି ବାହାର କରିଦେବା । ଏହି ଚ୍ୟାଲେଞ୍ଜ୍‍ରେ ଯଦି ବିଜେପି ସମର୍ଥ ହୁଏ ତେବେ ବିଜୟ ଯାତ୍ରାକୁ କେହି ଅଟକାଇପାରିବେ ନାହିଁ ।

ଭୁବନେଶ୍ୱର, (ଓଟି): ଓଡ଼ିଶା ଦଖଲ ପାଇଁ ବିଜେପି ଆହ୍ୱାନ ଦେଇଛି । ରାଜ୍ୟରେ ବିଜେପିର ସ୍ଥିତି ଯାହା ତାହାକୁ ଦେଖି ଏହି ଆହ୍ୱାନ କେବଳ ଏକ ଦିବାସ୍ୱପ୍ନ ବା ବାହାସ୍ଫୋଟ ବୋଲି ଅନେକ କହୁଛନ୍ତି । ଏପରିକି ଯେଉଁଭଳି ଭାବେ ବିଜେପିର ତଥାକଥିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ ଓ ଆକ୍ରମଣ କରୁଛନ୍ତି ତାହାଦ୍ୱାରା ବିଜେପି ରାଜ୍ୟରେ ଲୋକପ୍ରିୟତା ହାସଲ ବଦଳରେ ଭୋଟ୍‍ ହରାଇବାର ବ୍ୟବସ୍ଥା କରୁଛି ବୋଲି ଆଲୋଚନା ହେଉଛି । ଗଳି କନ୍ଦି ସବୁଠାରେ ଏହି ଚର୍ଚ୍ଚା ଚାଲିଛି । “ପେଡ୍‍’ ବା “ଅନ୍‍ପେଡ୍‍’ ମିଡିଆ ବି ଏଥିରୁ ବାଦ୍‍ ପଡ଼ିନାହାନ୍ତି । କିନ୍ତୁ ୧୧୮ ଆସନ ଜିତି ଦିନେ ଆତ୍ମ ବିଶ୍ୱାସର ଚରମ ସୀମାରେ ଥିବା ବିଜେଡି ମନରେ ଯେ ଛନକା ପଶିଛି ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

advt

ଏଠି ପ୍ରଶ୍ନ ଉଠୁଛି ବିଜେପିରେ ନେତା କିଏ ଯେ, ତାଙ୍କୁ ଦେଖି ଲୋକ ଭୋଟ୍‍ ଦେବେ? ଯେଉଁ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ଓଡ଼ିଶାରେ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି ତାହା କ’ଣ ସମ୍ଭବ ହେବ? ଧର୍ମେନ୍ଦ୍ର ତ’ ଓଡ଼ିଶାରୁ ନିର୍ବାଚିତ ହୋଇପାରିଲେ ନାହିଁ ସେ ନେତୃତ୍ୱ କିପରି ନେବେ? ରବିବାର ଉତ୍ତର ପୂର୍ବ ବିଜୟର ଉତ୍ସାହକୁ ବାଣ୍ଟିବା ଲାଗି ବିଜେପି ଯେଉଁ ଗଣମାଧ୍ୟମ ସମ୍ମିଳନୀ ଆୟୋଜନ କଲା ସେଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‍ ଓରାମ୍‍ ଗଣମାଧ୍ୟମକୁ ସୂଚନା ଦେଉଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ଅନୁପସ୍ଥିତ ରହିବ ମଧ୍ୟ ତାଙ୍କ ସ୍ଥିତିକୁ ନେଇ ଶଙ୍କା ଉପୁଯାଇଛି । ଏଣୁ ଆଲୋଚନା ରାଜ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକଳ୍ପ ରହିଛନ୍ତି କି? ପରିବର୍ତ୍ତିତ ରାଜନୀତିକ ପରିସ୍ଥିତିରେ “ଭଙ୍ଗା-ଯୋଡ଼ା’ ସମୀକରଣରେ ଆଉ କିଏ ସମର୍ଥ ହେବେ କି?

ଏହାର ଉତ୍ତରରେ ଯେଉଁ ତିନି ଚାରିଟି ନାଁ ଉଠିଛି ସେଥିରେ ଆଗୁଆ ଅଛନ୍ତି ପ୍ରତାପ ଷଡ଼ଙ୍ଗୀ । ନୀଳଗିରିର ଏହି ଅବିବାହିତ ନେତା ତଥା ପୂର୍ବତନ ବିଧାୟକ ତଥା ଜଣେ ନିରାଟ ରାଜନୀତିକ ସଂଗଠକ ଓ ବକ୍ତା । ତାଙ୍କର ସଚ୍ଚୋଟପଣିଆକୁ ନେଇ ପ୍ରଶ୍ନ ଉଠେ ନାହିଁ । ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ ଜଣେ ଉତ୍କୃଷ୍ଟ ପ୍ରାର୍ଥୀ । କିନ୍ତୁ ରାଜ୍ୟରେ ବିଜେଡିର ଷଡ଼ଯନ୍ତ୍ରକୁ ମୁକାବିଲା କରିବା ପାଇଁ ଆବଶ୍ୟକ ବଳ ଯୋଗାଡ଼ରେ ସେ ସମର୍ଥ ହୋଇପାରିବେ କି ନା ତାହା ନେଇ ସନ୍ଦେହ ରହିଛି । ପୁଣି ସେ ଜଣେ ନିଖିଳ ଓଡ଼ିଶା ନେତା ଭାବେ ସେ କେବେ ଦାୟିତ୍ୱ ନେଇ ନାହାନ୍ତି । ଏବେ ନିର୍ବାଚନ ଲଢ଼ିବା ପାଇଁ “ଆବଶ୍ୟକ ବଳ’ ଯୋଗାଡ଼ “ବ୍ୟକ୍ତିତ୍ୱ’ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିବାରୁ ତାଙ୍କୁ ଦଳ ନିର୍ବାଚନ ଦାୟିତ୍ୱ ଦେଲେ ବୁମେରାଂ ହୋଇପାରେ ।

ଦ୍ୱିତୀୟ ନାଁ ଭାବେ ସାମ୍ନାକୁ ଆସୁଛି ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀର ରାଜା ସାହେବ କନକବର୍ଦ୍ଧନ ସିଂହ ଦେଓ । ପୂର୍ବରୁ ସେ ମଧ୍ୟ ଦଳର ରାଜ୍ୟ ସଭାପତି ଥିଲେ । ହେଲେ ତାଙ୍କର ଉତ୍କର୍ଷ ପଣିଆ ସାମ୍ନାକୁ ଆସିପାରି ନଥିଲା । କେବଳ ସମ୍ଭ୍ରାନ୍ତ ସାମନ୍ତମାନଙ୍କୁ ନେଇ ସେ ରାଜନୀତି କରିବାକୁ ଆଗେଇ ଆସିଥିଲେ । ଅର୍ଥାତ୍‍ ବିଜେପିକୁ ବଡ଼ବଡ଼ିଆଙ୍କ ଦଳ ଭାବେ ଗଢ଼ିବା ପାଇଁ ସେ ଲାଗିଥିବା ଅଭିଯୋଗ ହୋଇଥିଲା ।

ଆଦିବାସୀ ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍‍ ଓରାମ ମଧ୍ୟ ଜଣେ ଜଣାଶୁଣା ନେତା । କେନ୍ଦ୍ରରେ ମଧ୍ୟ ତାଙ୍କର ଯଥେଷ୍ଟ କାଟ୍‍ତି ରହିଛି ବୋଲି ଆଲୋଚନା ହୁଏ । ବିଜେପିର ପୁଷ୍ଠପୋଷକ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସେ ଜଣେ ଟାଣୁଆ କର୍ମୀ । ହେଲେ ରାଜ୍ୟବ୍ୟାପୀ ଲୋକପ୍ରିୟତା ତାଙ୍କର ନାହିଁ ।

ଅନ୍ୟପକ୍ଷରେ ଯେଉଁ ଟାଣୁଆ ନେତାମାନେ ବିଜେପିରେ ରହିଛନ୍ତି ସେମାନଙ୍କ ଭିତରେ ଅଛନ୍ତି ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ପ୍ରମୁଖ । ଯଦିଓ ମୁଖ୍ୟମନ୍ତ୍ରୀ ହେବା ପାଇଁ ବିଜୟ ମହାପାତ୍ରଙ୍କ ପାଖରେ ଯଥେଷ୍ଟ ଶକ୍ତି ରହିଛି କିନ୍ତୁ ଏବେ ରାଜ୍ୟରେ ଆବଶ୍ୟକ ହେଉଥିବା “ତୋଡ଼-ଯୋଡ଼’ ରାଜନୀତିରେ ସେ ପରାକ୍ରମ ଦେଖାଇପାରିବେ ନାହିଁ । କିଛି ପୁରୁଖା ସାମ୍ବାଦିକ ଓ ନେତାଙ୍କୁ ଛାଡ଼ଇଦେଲେ ନୂଆ ପିଢ଼ି ତାଙ୍କ ବାବଦରେ ଅଜାଣତ ପ୍ରାୟ । ପୁଣି କିଛିବର୍ଷ ତଳେ ଜଣେ “କାଗଜ ବାଘ’ ଭାବେ ଆବିର୍ଭାବ ହେଉଥିବା ବିଜୟ ଆଜି ସେତିକି ବି ହରାଇଛନ୍ତି ବୋଲି ଆଲୋଚନା ହେଉଛି ।

ଏଣୁ ଏହି ପରିସ୍ଥିତିରେ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଏକମାତ୍ର ବିକଳ୍ପ । ରାଜ୍ୟରେ ଯେଉଁଭଳି ଭାବେ ସେ ଭଙ୍ଗାଗଢ଼ା ରାଜନୀତି ଅତ୍ୟନ୍ତ ଦାମ୍ଭିକତାରେ ଚଳାଇଛନ୍ତି ତାହା ଆଉ କୌଣସି ନେତାଙ୍କ ପକ୍ଷେ ସମ୍ଭବ ନୁହେଁ । ତାହା ହୋଇଥିଲେ ଓଡ଼ିଶାର ଏକମାତ୍ର ବିଜେପି ଜୁଏଲ୍‍ ଓରାମ୍‍ ଏହାଙ୍କୁ ଟପିଯାଇପାରି ଥାଆନ୍ତେ । ବିଗତ କିଛିଦିନ ଭିତରେ ଧର୍ମେନ୍ଦ୍ର ପଞ୍ଚାୟତ ନିର୍ବାଚନରେ ସଫଳତା ଆଣିପାରିଛନ୍ତି । ବିଭାଜିତ କଂଗ୍ରେସକୁ ନିଜ ଆଡ଼କୁ ଆଣିବାରେ ମଧ୍ୟ ସକ୍ଷମ ହୋଇଛନ୍ତି । ବିଜେଡିରେ ମଧ୍ୟ ବିଭାଜନ କରିପାରିଛନ୍ତି । ଏବେ ଜରୁରୀ ହେଉଛି ଯଥାସମ୍ଭବ ଅନ୍ୟ ଦଳର ଅସନ୍ତୁଷ୍ଟଙ୍କୁ ନିଜ ଦଳରେ ଥଇଥାନ କରାଇବା । ଆଉ ନିଜ ଦଳରେ ଅସନ୍ତୁଷ୍ଟଙ୍କୁ ପ୍ରଶମିତ କରିବା । ଏହି ଚ୍ୟାଲେଞ୍ଜ୍‍ରେ ଯଦି ବିଜେପି ସମର୍ଥ ହୁଏ ତେବେ ବିଜୟ ଯାତ୍ରାକୁ କେହି ଅଟକାଇପାରିବେ ନାହିଁ ।ଅପରପକ୍ଷେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଯେଉଁପରି ଭାବେ ନେତୃତ୍ୱ ପରିବର୍ତ୍ତନରେ ଜୋର ନଦେଇ ନିଜ ଦ୍ୱାରା ସୃଷ୍ଟି କରାଯାଇଥିବା ସମୀକରଣକୁ ଫଳପ୍ରଦ କରାଇବାରେ ଗୁରୁତ୍ୱ ଦେଉଛନ୍ତି ସେହିକ୍ରମରେ ଧର୍ମେନ୍ଦ୍ରଙ୍କ ବିକଳ୍ପ ଭାବେ କେହି ଉଭା ହେବେ ବୋଲି ଆଶା କରାଯାଇ ନପାରେ । ଯଦି ତାହା ହୁଏ ତାହା ବିଜେଡିକୁ ହିଁ ଫାଇଦା ଦେବ, ଏଥିରେ ସନ୍ଦେହ ନାହିଁ ।

advt
< a href= "#">