#କୋବିଡ୍-୧୯: ଖୋଲାହେବ ଏନ୍ଏଚ୍ ପାର୍ଶ୍ଵ ଢାବା
ଭୁବନେଶ୍ୱର(ଓଟି): କରୋନା ଭୟବହତା ଦୃଷ୍ଟିରେ ସାରା ଦେଶ ଲକ୍ଡାଉନ୍। ସବୁଆଡ଼େ ସମସ୍ୟା। ସାଧାରଣ ଜନଜୀବନ ଆଉ ଚଳଣିରେ ଘୋର ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏଭଳି ସମୟରେ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବଡ଼ ଚ୍ୟାଲେଞ୍ଜର କଥା। କାରଣ ଲୋକଙ୍କୁ ନିହାତି ଜରୁରୀ ନଥିଲେ ଘରୁ ବାହାରିବାକୁ ମନା କରାଯାଇଛି। ତେବେ ଲୋକଙ୍କ ଚଳଣି ଓ ଆବଶ୍ୟରେ ସମସ୍ୟା ନହେବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାଗୁଡିକ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରତି ୨୦ କିଲୋମିଟର ଭିତରେ ଗୋଟିଏ ଢାବା ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଗାଡ଼ି ମରାମତି ଓ ଯନ୍ତ୍ରାଂଶ ଦୋକାନ ଖୋଲା ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ପରିବହନକୁ ସୂଚାରୁ ରୂପେ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ ଏଭଳି ଆବଶ୍ୟକ ପଦକ୍ଷେପ ନିଆଯାଉଛି।
ସୂଚନା ଅନୁାରେ ସାମଗ୍ରୀ ବହନ କରୁଥିବା ଡ୍ରାଇଭର ଓ କର୍ମଚାରୀଙ୍କ ସୁବିଧାକୁ ବିଚାର କରାଯାଇଛି। ସେଥିପାଇଁ ସରକାର ଢାବା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ୨୦ କିଲୋମିଟର ଭିତରେ କେଉଁ ଢାବା ଖୋଲିବ ତାହା ଆର୍ଟିଓ ଓ ସିଏସଓଙ୍କ ମାଧ୍ୟମରେ ଚୟନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।
ଏଥିସହ ସତର୍କ କରାଯାଇଛି ଯେ- ଏନ୍ଏଚ୍ ପାର୍ଶ୍ୱରେ ଖୋଲାଯିବା ଢାବାରେ ଆଦୌ ଭିଡ଼ ହେବାକୁ ଦିଆଯିବନି। ଏଥିପ୍ରତି କଡ଼ା ନଜର ରଖିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।