ଟିଭି ନ୍ୟୁଜର ରାଜନୀତିକରଣ: “ନ୍ୟୁଜ୍‍-୧୮ଓଡ଼ିଆ’ରେ ପ୍ରାଇମ୍‍ ଡିବେଟ୍‍ ବନ୍ଦ

0
1079
advt
< a href= "#">

ଭୁବନେଶ୍ୱର, (ଓଟି): “ନ୍ୟୁଜ୍‍-୧୮ ଓଡଆ’ ଟିଭି ଚ୍ୟାନେଲ୍‍ରେ ଆଉ କୌଣସି ତର୍କଭିତ୍ତିକ ଆଲୋଚନା ପାଇଁ ସୁଯୋଗ ରହିବ ନାହିଁ । ଅର୍ଥାତ୍‍ ସନ୍ଧ୍ୟ-୭ରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରସାରଣ କରାଯାଉଥିବା ନିତିଦିନିଆ ଡିବେଟ୍‍ କାର୍ଯ୍ୟକ୍ରମ “ପ୍ରାଇମ୍‍ଟାଇମ୍‍ ଡିବେଟ୍‍’ ବନ୍ଦ ହେବ । ଆସନ୍ତା ସପ୍ତାହ ପାଇର୍ ପ୍ରସ୍ତୁତ ଚ୍ୟାନେଲ୍‍ର ସାପ୍ତାହିକ ଫିକ୍ସ୍‍ଡ୍‍ ପଏଣ୍ଟ ଚାର୍ଟ (ଏଫ୍‍ପିସି)ରେ ଏହା ସ୍ପଷ୍ଟ କରାଯାଇଛି । ସୋମବାରଠାରୁ ଏହି କାର୍ଯ୍ୟକ୍ରମ ଆଉ ଦର୍ଶକଙ୍କ ପାଖରେ ପହଞ୍ଚିବ ନାହିଁ ବରଂ ଏହା ବଦଳରେ ଏକ ସାଧାରଣ ନ୍ୟୁଜ୍‍ ପ୍ରୋଗ୍ରାମ୍‍ ଚାଲିବ ।

ଟେଲିଭିଜନ୍‍ ରେଟିଂ ପଏଣ୍ଟ (ବାର୍କ ରେଟିଂ)ରେ ଏହି କାର୍ଯ୍ୟକ୍ରମର ଅବଦାନ ଆଖି ଦୃଶିଆ ନଥିବାରୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ପରିଚାଳନା ଗୋଷ୍ଠୀ ନିଷ୍ପତ୍ତି ନେଇଥିବା ପ୍ରକାଶ । କିନ୍ତୁ ବାସ୍ତବରେ ଏହା ପଛରେ ରାଜନୀତିକ ହସ୍ତକ୍ଷେପ ହିଁ ମୁଖ୍ୟ କାରଣ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ବିଶେଷକରି ଟେଲିଭିଜନ୍‍ ଶୋ’ଗୁଡ଼ିକୁ ନିଜ ପକ୍ଷଭୁକ୍ତ କରିବା ଉଦ୍ଦେଶ୍ୟରେ ବିଜେପି-ବିଜେଡି ଭିତରେ ଚାଲିଥିବା ଅଘୋଷିତ ଯୁଦ୍ଧ ଏଥିପାଇଁ ଦାୟୀ ବୋଲି ଚର୍ଚ୍ଚା ହେଉଛି ।

advt

ମୂଳୁ ମାରିଲେ ଯିବ ସରି

ଗଲା କିଛିଦିନ ତଳେ ଏହି ଚ୍ୟାନେଲ୍‍ରେ ବିଜୁ ସ୍ୱାସ୍ଥ୍ୟ ଯୋଜନା, ସ୍ୱଚ୍ଛ ଭାରତ, ଆୟୁଷ୍ମାନ ପ୍ରଭୃତି କାର୍ଯ୍ୟକ୍ରମକୁ ନେଇ ଡିବେଟ୍‍ ପରିବେଷଣ କରାଯାଇଥିଲା । ଯେହେତୁ ଚ୍ୟାନେଲ୍‍ରଟି ରିଲାଏନ୍ସ ଗ୍ରୁପ୍‍ ଦ୍ୱାରା ପରିଚାଳିତ ଏବଂ ଏହା କେନ୍ଦ୍ର ସରକାରଙ୍କ ପକ୍ଷଭୁକ୍ତ ବୋଲି ଆଲୋଚନା ହେଉଛି; ରାଜ୍ୟର ସରକାରୀ ଦଳ ଏହା ଉପରେ ନିୟନ୍ତ୍ରଣ ପାଉ ନଥିଲେ । ହେଲେ ବିଗତ କିଛିଦିନ ହେଲା ସରକାରୀ ଦଳର କିଛି ନେତା ଚ୍ୟାନେଲ୍‍ର କୌଣସି ଉପରିସ୍ଥ ଅଧିକାରୀଙ୍କ ଉପରେ ପ୍ରଭାବ ବିସ୍ତାର କରି କିଛି ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆଲୋଚନା କରିବା ତଥା କିଛି ନିର୍ଦ୍ଦିଷ୍ଟ ଅତିଥିଙ୍କୁ ଆମନ୍ତ୍ରଣ କରିବା ପାଇଁ ଚାପ ପକାଇଥିଲେ । ଚାପ ଏପରି ବଢ଼ିଥିଲା ଯେ, ତାହା ନ୍ୟୁଜ୍‍ରୁମ୍‍କୁ ଭାଗଭାଗ କରିଦେଇଥିଲା । ଯେମିତି ତାହା ନିର୍ବାଚନ ରଣକ୍ଷେତ୍ର । ସମାଧାନର ବାଟ ସ୍ୱରୂପ ଚିନ୍ତା କରାଯାଇଥିଲା ମୂଳରୁ ଯେମିତି ଏ କାର୍ଯ୍ୟକ୍ରମ ବନ୍ଦ କରିଦିଆଯିବ। ଓଡ଼ିଆ ଢଗ “ମୁଳୁ ମାରିଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି’ ପରି କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଗଲେ ଏପରି ବିବାଦ ଆଉ ହେବ ନାହିଁ ବୋଲି ପରିଚାଳନା ଗୋଷ୍ଠୀ ଚିନ୍ତା କରିଥିବା ଖବରମିଳିଛି ।

ତର୍କ, ଆଲୋଚନା ଏବଂ ବିତର୍କ ପାଇଁ ଟେଲିଭିଜନ୍‍ ନ୍ୟୁଜ୍‍ ଚ୍ୟାନେଲ୍‍ଗୁଡ଼ିକ ସାଧାରଣ ଲୋକଙ୍କୁ ଏକ ଭିନ୍ନ ଖୋରାକି ଯୋଗାଇଥାଆନ୍ତି । ଯଦିଓ ଏବେକାର ଟିଭି ଡିବେଟ୍‍ କ୍ରମଶଃ ରାଜନୀତିକ, ହୋ ହଲ୍ଲା, ଗହଳି, କୋଳାହଳ ତଥା କେବଳ ବିବାଦ ସୃଷ୍ଟି ପାଇଁ ସୃଷ୍ଟି କରାଗଲାପରି ମନେ ହେଉଛି, ତଥାପି ଏହା ସାଧାରଣ ଲୋକଙ୍କ ଧାରଣା ତଥା ଚିନ୍ତାଧରାକୁ ଆକାର ଦେବାରେ ସହାୟକ ହୋଇଥାଏ । ଏଣୁ ଗଣତନ୍ତ୍ର ପାଇଁ ଏହା ଏକ ଜରୁରୀ ଆବଶ୍ୟକତା ହୋଇଥାଏ । ହେଲେ ଟିଆର୍‍ପି ନାଁରେ ଏହାକୁ ବନ୍ଦ କରାଯିବା ଏକ ଅଯୁକ୍ତିକର ବିଷୟ ବୋଲି ଆଲୋଚନା ହେଉଛି ।

ଅପରପକ୍ଷେ ଏହି ଚ୍ୟାନେଲ୍‍ର ଡିବେଟ୍‍ ଅନ୍ୟମାନଙ୍କଠୁ ଉଭୟ ପ୍ରସାରଣ ସମୟ ଏବଂ ଉପସ୍ଥାପନା ଶୈଳୀରେ ଅଲଗା ଥିଲା । ଯଦିଓ ଆଙ୍କର ବିଭିନ୍ନ ସମୟରେ ଏକ ନିର୍ଦ୍ଦିଷ୍ଟ ମତକୁ ସାବ୍ୟସ୍ତ କରିବା ଭଳି ଅନୁମାନ କରାଯାଉଥିଲା କିନ୍ତୁ ଏହା ଅଯଥା କୋଳାହଳ, ଗହଳିରୁ ମୁକ୍ତ ଥିଲା । ଗଠନମୂଳକ ଆଲୋଚନା ପାଇଁ ମଧ୍‍ୟ ଏଥିରେ ସୁଯୋଗ ସୃଷ୍ଟି ହେଉଥିା । ସନ୍ଧ୍ୟା ସାତଟା ବେଳେ ନ୍ୟୁଜ୍‍ ଦେଖିବାର ଧାରାଠୁ ଏହା ଓହରି ଏକ ନୂଆ ଧାରା ସୃଷ୍ଟି କରୁଥିଲା । କିନ୍ତୁ ପରିଚାଳନା ଗୋଷ୍ଠୀଙ୍କ ଏହି ନିଷ୍ପତ୍ତି ଦ୍ୱାରା ଏହି ଚିନ୍ତାଧାରାର ଅପମୃତ୍ୟୁ ଘଟିଛି ।

ବାର୍କ ରେଟିଂ

ସେପ୍ଟେମ୍ବର୮ରୁ ୧୪ ଭିତରେ ପ୍ରକାଶିତ ବାର୍କ ରେଟିଂ ଅନୁସାରେ ନ୍ୟୁଜ୍‍ ୧୮ ଓଡ଼ିଆର ସ୍ଥାନ ଓଡ଼ିଆ ନ୍ୟୁଜ୍‍ ପ୍ରସାରଣକାରୀ ଚ୍ୟାନେଲ୍‍ ଭିତରେ ପଞ୍ଚମ । ଏହାର ରେଟିଂ ହେଉଛି ୨୬ । ସର୍ବାଧିକ ରେଟିଂ ପଏଣ୍ଟ ଓଡଟିଭିର ୧୭୨ ଥିବା ବେଳେ ତା’ ତଳକୁ ରହିଛି ନ୍ୟୁଜ୍‍୭, ଯାହାର ରେଟିଂ ପଏଣ୍ଟ ହେଉଛି ୬୦ । ସେହିଭଳି କନକଟିଭିର ରେଟିଂ ପଏଣ୍ଟ ୩୮ ହୋଇଥିବା ବେଳେ ଜୀ କଳିଙ୍ଗର ରେଟିଂ ପେଏଣ୍ଟ ୨୯, କଳିଙ୍ଗ ଟିଭିର ୧୪, ଏମ୍ବିସିର ୧୬, ନ୍ୟୁଜ୍‍ ୱଲ୍ଡ ଓଡ଼ିଶାର୧୧, ନକ୍ଷତ୍ର ନ୍ୟୁଜ୍‍ର ଟିଆର୍‍ପି ୨ ରେକର୍ଡ଼ କରାଯାଇଛି ।

ଅନେକ ଦିନ ଧରି ନିଜ ଟିମ୍‍ରେ ଅବ୍ୟବସ୍ଥା ସହ ସଂଗ୍ରାମ କରି ନ୍ରୁଜ୍‍ ଡେସ୍କକୁ ଦିଲ୍ଲୀ ଉଠାଇନେବା ପରେ ଜୀ କଳିଙ୍ଗ ଟିଭି ଚ୍ୟାନେଲ୍‍ ୨୯ ରେଟିଂ ପଏଣ୍ଟ ହାସଲ କରିବା ଏବଂ ନ୍ୟୁଜ୍‍-୧୮ ନିର ଡେସ୍କକୁ ଓଡ଼ିଶା ଆଣିବା ପରେ ମଧ୍ୟ ତଳକୁ ଖସିବା ନିଶ୍ଚିତଭାବେ ଚିନ୍ତାର କାରଣ । ଏହା ସମ୍ପୃକ୍ତ ସଂସ୍ଥାର ବିଜ୍ଞାପନ ଉପରେ ପ୍ରଭାବ ପକାଇବ । କିନ୍ତୁ ପ୍ରଶ୍ନ ଉଠୁଛି ଡିବେଟ୍‍ କାର୍ଯ୍ୟକ୍ରମଠୁ କ’ଣ ସାଧାରଣ ନ୍ୟୁଜ୍‍ କ’ଣ ଅଧିକ ପ୍ରଭାବଶାଳୀ ହୋଇପାରିବ?

 

ମାସ୍‍ ନୁହେଁ କ୍ଲାସ୍‍

ବିଭିନ୍ନ ଚ୍ୟାନେଲ୍‍ରେ ପ୍ରସାରିତ ହେଉଥିବା ଡିବେଟ୍‍ କାର୍ଯ୍ୟକ୍ରମଗୁଡ଼ିକ ମାସ୍‍ ଅଡିଏନ୍ସ ପାଇଁ ଉପଯୋଗୀ ହୋଇ ନଥାଏ । ଅର୍ଥାତ୍‍ ସମସ୍ତ ଦର୍ଶକ କେବେ ଏପରି କାର୍ଯ୍ୟକ୍ରମ ଦେଖିବାକୁ ଚାହିଁ ନଥାଆନ୍ତି । ଯେଉଁମାନେ ଦୈନନ୍ଦିନ ପ୍ରସଙ୍ଗ ଉପରେ ଚିନ୍ତା କରନ୍ତି ତଥା ସଚେତନ ନାଗରିକମାନେ ଏଥିପାଇଁ ଅପେକ୍ଷା କରିଥାଆନ୍ତି । ଟେଲିଭିଜନ୍‍ସବୁ ଭିନ୍ନ ଭିନ୍ନ ଅତିଥିଙ୍କ ଦ୍ୱାରା ତର୍କକୁ ଏପରି କାର୍ଯ୍ୟକ୍ରମ ପ୍ରସାରଣ କରି ଦର୍ଶକଙ୍କୁ ନିରପେକ୍ଷ ଚିନ୍ତାଧାରା ସୃଷ୍ଟିରେ ସହାୟକ ହୋଇଥାଆନ୍ତି । ଏଣୁ ଶାଶୂ ବୋହୂ ସିରିଏଲ୍‍ ପରି ଏଗୁଡ଼ିକ ଟିଆର୍‍ପି ପାଇବା ହାସଲ କରି ନଥାନ୍ତି । ହେଲେ ଏହି ଗୁରୁ ଦାୟିତ୍ୱରୁ ଟେଲିଭିଜନ୍‍ ସଂସ୍ଥାର ଓହରିବା ଏକ ଲଜ୍ଜାଜନକ ବ୍ୟାପାର ଛଡ଼ା ଆଉ କିଛି ନୁହେଁ ।

ସାଢ଼େ ଗୋଟାଏ ବି ବଦଳିବ

ସବୁଦିନ ସାଢ଼େ ଗୋଟାଏ ବେଳେ ଏହି ଚ୍ୟାନେଲ୍‍ରେ ପ୍ରସାରିତ ହିନ୍ଦି ସିରିଏଲ୍‍ ବି ହଟିବ । ଓଡ଼ିଆ ଚ୍ୟାନେଲ୍‍ରେ ହିନ୍ଦି ବିଷୟକୁ ପ୍ରସାରିତ କରିବା ଏକ ଦୁଃଖ ଦାୟକ ବିଷୟ ଥିଲା । କିନ୍ତୁ ଚ୍ୟାନେଲ୍‍ର ଓଡ଼ିଶା ପ୍ରତିନିଧିମାନେ ଏହାକୁ ବିଗତଦିନରେ ସହିବାକୁ ବାଧ୍ୟ ହୋଇଥିଲେ । ବିଳମ୍ବରେ ହେଲେ ବି ତାହାକୁ ହଟାଇନେବାକୁ ଚିନ୍ତା କରାଯାଇଛି ।

advt
< a href= "#">