ନବନୀତ ରାଣାଙ୍କୁ ଝଟକା, ହାଇକୋର୍ଟ ଖାରଜ କଲେ ଜାତି ପ୍ରମାଣପତ୍ର

ଅମରାବତୀ, (ଓଡିଶା ଟାଇମ୍): ନକଲି କାଗଜପତ୍ର ଜରିଆରେ ଜାତି ପ୍ରମାଣପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗର ସାମ୍ନା କରୁଥିବା ମହାରାଷ୍ଟ୍ରର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣାଙ୍କୁ ବମ୍ଵେ ହାଇକୋର୍ଟରୁ ଝଟକା ଲାଗିଛି। ଅଦାଲତ ରାଣାଙ୍କ ଜାତି ପ୍ରମାଣପତ୍ର ଖାରଜ କରିଛନ୍ତି। କେବଳ ଏତିକି ନୁହେଁ କୋର୍ଟ ତାଙ୍କ ଉପରେ ଦୁଇ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ରାଣା ଅମରାବତୀ ସଂସଦୀୟ କ୍ଷେତ୍ରରୁ ନିର୍ଦ୍ଦଳୀୟ ସାଂସଦ। ତାଙ୍କ ସ୍ଵାମୀ ରବି ରାଣା ବଡନେରା ବିଧାନସଭାର ବିଧାୟକ। ଏହା ପୂର୍ବରୁ ମଧ୍ୟ ୨୦୧୪ରେ ଅଦାଲତ ତାଙ୍କର ଜାତି ପ୍ରମାଣପତ୍ରକୁ ଖାରଜ କରିଥିଲେ।

ଅମରାବତୀରୁ ପ୍ରଥମ ଥର ସାଂସଦ ହୋଇଥିବା ନବନୀତ ରାଣାଙ୍କ ଉପରେ ଲୋକସଭା ସଦସ୍ୟତା ହରାଇବାର ବିପଦ ଦେଖା ଦେଇଛି। ଅମରାବତୀ ଲୋକସଭା ଆସନ ଅନୁସୂଚିତ ଜାତି ପାଇଁ ଉଦ୍ଦିଷ୍ଟ। କିନ୍ତୁ କୋର୍ଟ ଏ ପର୍ଯ୍ୟନ୍ତ ଏହି ମାମଲା ଉପରେ କୌଣସି ଟିପ୍ପଣୀ କରି ନାହାନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନୟ ଜଗତରୁ ରାଜନୀତିରେ ପ୍ରବେଶ କରିଥିବା ନବନୀତ ସାତୋଟି ଭାଷାରେ ପାରଙ୍ଗମ। ସେ ୨୦୧୯ ସାଧାରଣ ନିର୍ବାଚନରେ ଶିବସେନା ନେତା ଆନନ୍ଦରାଓ ଅଦସୁଲଙ୍କୁ ପରାସ୍ତ କରିଥିଲେ।

ରାଣାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେ ନକଲି ଜାତି ପ୍ରମାଣପତ୍ର ଦେଇ ଏସସି ସଂରକ୍ଷିତ ଆସନରୁ ନିର୍ବାଚନ ଲଢିଛନ୍ତି। ଏପରିକି ସେ ନକଲି କାଗଜପତ୍ର ଦେଇ ସ୍କୁଲ ସାର୍ଟିଫିକେଟ୍ ମଧ୍ୟ ତିଆରି କରିଛନ୍ତି। ନବନୀତ ମହାରାଷ୍ଟ୍ରର ଆଠ ମହିଳା ସାଂସଦଙ୍କ ମଧ୍ୟରୁ ଜଣେ। ତାଙ୍କ ଉପରେ ଶିବସେନା ଏସିଡ୍ ଆକ୍ରମଣ କରିଥିବା ସେ ଅଭିଯୋଗ କରିଥିଲେ। ଏହାକୁ ସେ ସଂସଦରେ ମଧ୍ୟ ଉଠାଇଥିଲେ।

୩୫ ବର୍ଷୀୟ ନବନୀତ ରାଣାଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା। ତାଙ୍କ ଅଭିଭାବକ ମୂଳତଃ ପଞ୍ଜାବୀ। କନ୍ନଡ ଫିଲ୍ମ ଦର୍ଶନରୁ ଅଭିନୟ ଆରମ୍ଭ କରିଥିବା ନବନୀତ ଅନେକ ତେଲୁଗୁ, ପଞ୍ଜାବୀ  ସମେତ ଅନେକ ଭାଷାରେ କାମ କରିଛନ୍ତି। ରାଣାଙ୍କ ପିତା ଆର୍ମି ଅଧିକାରୀ ଥିଲେ। କୁହାଯାଉଛି ଯେ, ନବନୀତ ଦ୍ଵାଦଶ ପର୍ଯ୍ୟନ୍ତ ପଢିଛନ୍ତି। ଏହା ପରେ ସେ ମୋଡେଲିଂ ଜଗତରେ ପାଦ ଦେଇଥିଲେ। ସେ ଅନେକ ମ୍ୟୁଜିକ୍ ଆଲବମ୍‌ରେ ମଧ୍ୟ କାମ କରିଛନ୍ତି।

Leave a Reply

Your email address will not be published. Required fields are marked *