ମହିଳା ମନ୍ତ୍ରୀ ସଂଖ୍ୟାକୁ ନେଇ ଚିନ୍ତାରେ ନବୀନ!
ଆଗାମୀ ବୁଧବାର ୨୯ ତାରିଖ ଦିନ ପ୍ରଦର୍ଶନୀ ପଡ଼ିଆରେ ନବୀନ ପଟ୍ଟନାୟକ ନୂଆ ମନ୍ତ୍ରୀଙ୍କ ସହ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟମାନେ କିଏ, ତାହାକୁ ନେଇ ଶାସକ ଦଳ ଭିତରେ ଏବଂ ବାହାରେ ଚାଲିଛି ଜୋରଦାର ଚର୍ଚ୍ଚା। କିନ୍ତୁ ଏଥର ମନ୍ତ୍ରୀ ପରିଷଦ ଗଠନକୁ ନେଇ ନବୀନଙ୍କ ଆଗରେ ଦୁଇଟି ବଡ଼ ସମସ୍ୟା ଉପୁଜିଛି। ବିଧାୟକଙ୍କ ସଂଖ୍ୟା ବିଶାଳ। ୧୧୨ଜଣ ବିଧାୟକଙ୍କ ମଧ୍ୟରୁ ମନ୍ତ୍ରୀପଦ ଆଶାୟୀ ଯଥେଷ୍ଟ ଅଧିକ। ହେବା ବି ସ୍ୱାଭାବିକ।
ମହିଳା ମନ୍ତ୍ରୀ ସଂଖ୍ୟାକୁୁ ନେଇ ପ୍ରଥମ ଅଡୁଆଟି ଆସିଛି। ମୁଖ୍ୟମନ୍ତ୍ରୀ ବିଧାନସଭା ଏବଂ ଲୋକସଭାରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ଲାଗି ସଂରକ୍ଷିତ ରଖିବା ସକାଶେ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ଜାତୀୟ ଦଳର ନେତାଙ୍କୁ ଚିଠି ଲେଖିଥିଲେ। ଏ ବାବଦରେ ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ଲୋକସଭା ଲାଗି ବିଜେଡି ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଏହାକୁ କେନ୍ଦ୍ର କରି ବିରୋଧୀ ଦଳ ମନ୍ତ୍ରୀ ପରିଷଦରେ କାହଁିକି ଏକ ତୃତୀୟାଂଶ ମହିଳା ସ୍ଥାନ ପାଇଲେ ନାହିଁ ବୋଲି ଅଭିଯୋଗ ଉଠାଇଥିଲେ। ତେବେ ନୂଆ ମନ୍ତ୍ରିମଣ୍ଡଳରେ ନବୀନ ୭ଜଣ ମହିଳାଙ୍କୁ ସ୍ଥାନ ଦେବେ କି?
ବିଜୁ ଜନତା ଦଳ ପାଖରେ ବିଧାୟକଙ୍କ ସଂଖ୍ୟାରେ ଅଭାବ ନାହିଁ। କିନ୍ତୁ ସେମାନଙ୍କ ମଧ୍ୟରୁ କାହାକୁ ମନ୍ତ୍ରୀ କରିବେ ଏବଂ ଏକ ତୃତୀୟାଂଶ ଆସନ ପୂରଣ କରିବା ନିମନ୍ତେ ପଦକ୍ଷେପ ନେଇପାରିବେ କି?
ତେବେ ଯେଉଁମାନଙ୍କ ନାମ ଅଧିକ ଆଲୋଚିତ ହେଉଛି ସେମାନେ ହେଲେ ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗିନୀ ଛୁରିଆ, ସୀମାରାଣୀ ନାୟକ, ଉଷା ଦେବୀ ଏବଂ ଟୁକୁନି ସାହୁ।
ତେବେ ସମସ୍ୟାଟି ହେଲା ୭ଜଣ ମହିଳାଙ୍କୁ ମନ୍ତ୍ରୀ କଲେ ଏହାର ଚାପ ମନ୍ତ୍ରୀ ଆଶାୟୀ ବିଧାୟକଙ୍କ ଉପରେ ପଡ଼ିବାର ଆଶଙ୍କା ଅଛି।
ଦ୍ୱିତୀୟ ସମସ୍ୟାଟି ଆସିବ ଯୁବ ପ୍ରତିନିଧିତ୍ୱକୁ ନେଇ। ଆଗକୁ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କର ରାଜନୀତି ପ୍ରବେଶ ହେବାକୁ ଯାଉଥିବାରୁ ମନ୍ତ୍ରିମଣ୍ଡଳରେ ଅଧିକ ସଂଖ୍ୟକ ଯୁବ ପ୍ରତିନିଧିତ୍ୱ ଉପରେ ନବୀନ ଗୁରୁତ୍ୱ ଦେଇପାରନ୍ତି।
କିନ୍ତୁ ଚିଟଫଣ୍ଡ ଏବଂ ଅନ୍ୟାନ୍ୟ ଦୁର୍ନୀତି ଅଭିଯୋଗକୁ ନେଇ ବଡ଼ ସମସ୍ୟାଟି ରହିଛି। ବହୁ ଯୁବ ଏବଂ ବରିଷ୍ଠ ବିଧାୟକଙ୍କ ନାମରେ ଗୁରୁତର ଦୁର୍ନୀତି ଅଭିଯୋଗ ରହିଛି। ବିଶେଷ କରି ସିବିଆଇ ଚିଟଫଣ୍ଡ ଓ ବ୍ଲାକରୋଜ ଦୁର୍ନୀତିର ତଦନ୍ତ କରୁଛି। ଯେଉଁମାନଙ୍କ ନାମ ସିବିଆଇ ତାଲିକାରେ ଅଛି, ସେମାନଙ୍କୁ ମନ୍ତ୍ରୀ ପରିଷଦରେ ସ୍ଥାନ ଦେଇ ନବୀନ ଏକ ରାଜନୈତିକ ରିସ୍କ ନେବେ କି?
ଏବେ କେନ୍ଦ୍ରରେ ସଶକ୍ତ ଏନଡିଏ ସରକାର ଦାୟିତ୍ୱ ନେବାକୁ ଯାଉଛି। ୨୦୧୯ ନିର୍ବାଚନକୁ ଆଖିରେ ରଖି ମୋଦୀ ଏବଂ ଶାହା ବିଜୁ ଜନତା ଦଳ ପ୍ରତି ଯେତିକି ହାଲୁକା ମନୋଭାବ ପୋଷଣ କରିଥିଲେ, ତାହା ବଜାୟ ରହିବ ବୋଲି କହି ହେଉନାହିଁ। ତେଣୁ ସିବିଆଇ ତାଲିକାରେ ଥିବା ବିଧାୟକମାନଙ୍କୁ ମନ୍ତ୍ରୀ ପରିଷଦରେ ସ୍ଥାନ ଦେବାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ନବୀନ।
ତେବେ ଏକ ଉତ୍ତମ ଏବଂ ଉତ୍ତରଦାୟୀ ମନ୍ତ୍ରିମଣ୍ଡଳ ଗଠନ କରିବାକୁ ନବୀନ ନିଷ୍ପତ୍ତି ନେଲାବେଳେ ଆଞ୍ଚଳିକ ଚାପ ଭାରି ପଡିବ ବୋଲି ଯେଉଁ ଆଶଙ୍କା କରାଯାଉଛି ତାହାକୁ ଅମୂଳକ କୁହାଯାଇପାରିବ ନାହିଁ।