ନିଜ ପରାମର୍ଶକୁ ନିଜେ କେବେ ପାଳିବେ ମୁଖ୍ୟମନ୍ତ୍ରୀ

ଗତ ୧୧ତାରି ଦିନ ମନ୍ତ୍ରୀ ପରିଷଦ ବୈଠକରେ ୫ଟି ବିଷୟ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟତଃ କ’ଣ କରିବେ ମନ୍ତ୍ରୀମାନେ, ସେ ବିଷୟରେ ନବୀନ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିରେ ତୃତୀୟ ବିଷୟଟି ହେଉଛି, ମନ୍ତ୍ରୀମାନଙ୍କର ଗସ୍ତ ସଂକ୍ରାନ୍ତ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଗସ୍ତ ସମୟରେ ଲୋକଙ୍କୁ ଭେଟନ୍ତୁ। ଲୋକଙ୍କ ସମସ୍ୟା ବୁଝନ୍ତୁ। ସରକାରୀ ସେବା ବିଷୟରେ ହିତାଧିକାରୀଙ୍କଠାରୁ ଡାଇରେo ଫିଡବ୍ୟାକ ନିଅନ୍ତୁ।’

ପ୍ରଥମ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମନ୍ତ୍ରୀମାନେ ବ୍ୟାପକ ଗସ୍ତ କଲେ ତୃଣମୂଳ ସ୍ତରରୁ ବିଭାଗର କାମ ବିଷୟରେ ସେମାନେ ଜାଣିପାରିବେ। ପରାମର୍ଶ ଅତ୍ୟନ୍ତ ଶ୍ରୁତି ମଧୁର ଏବଂ ଆବଶ୍ୟକ ମଧ୍ୟ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସକାଶେ ଆଗ୍ରହୀ କି? ବୋଧହୁଏ ଉତ୍ତର ହେବ ବିରାଟ ନା।

ଲୋକଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ଏବଂ ଏହାର ସମାଧାନ ସୂତ୍ର ବାହାର କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରେ ସବୁଦିନ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସମ୍ଭବ ନୁହେଁ। କିନ୍ତୁ ତାଙ୍କ ପାଖରେ ହିଁ ବିଭିନ୍ନ ବିଭାଗୀୟ ସମସ୍ୟାରେ ଛନ୍ଦି ହୋଇପଡ଼ୁଥିବା ଲୋକମାନଙ୍କ ସମସ୍ୟା ସମାଧାନର ଚାବି ରହିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଏକ ଅଭିଯୋଗ ପ୍ରକୋଷ୍ଠ ଅଛି। ଏଠାରେ ତାଙ୍କୁ ଲୋକମାନେ ଭେଟି ପାରିବେ। ଅଭିଯୋଗପତ୍ର ଦେଇପାରିବେ। ସାମ୍ନାସାମ୍ନି ଦୁଃଖ ଜଣାଇ ପାରିବେ। ଏହା ହେଲା ମୋଟାମୋଟି ଅଭିଯୋଗ ପ୍ରକୋଷ୍ଠର ମୂଳ ଉଦ୍ଦେଶ୍ୟ।

ଶେଷଥର ପାଇଁ ନିଜ ଅଭିଯୋଗ ପ୍ରକୋଷ୍ଠକୁ ମୁଖ୍ୟମନ୍ତ୍ରୀ ଯାଇଛନ୍ତି ୨୦୦୮ ମସିହା ଅଗଷ୍ଟ ୧୬ ତାରିଖରେ। ଏକଥା ସରକାର ନିଜେ ବିଧାନସଭାରେ ସ୍ୱୀକାର କରିଛନ୍ତି। ବିଧାୟକ ଦିଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ୨୦୧୫ ମସିହା ଡିସେମ୍ୱର ୩ ତାରିଖରେ ଗୃହକୁ ଜଣାଇଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ବର୍ଷ ହେଲା ଅଭିଯୋଗ ପ୍ରକୋଷ୍ଠ ମାଡ଼ି ନାହାନ୍ତି। ଏହି କାରଣରୁ ଦଲାଲମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କୁ ଲୁଟୁଛନ୍ତି।

ଏବେ ୨୦୧୯ର ଅଧାବର୍ଷ ସରିଗଲାଣି। ଅର୍ଥାତ ପ୍ରାୟ ୧୨ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଯାଉନାହାନ୍ତି କି ଲୋକଙ୍କସମସ୍ୟା ବୁଝୁ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ କିଛି ଅଧିକାରୀ ଛାୟା ଦରବାର ଚଳାଉଛନ୍ତି। କିନ୍ତୁ ବହୁ ସମୟରେ ଦେଖାଯାଇଛି ଯେ, ବାଘ ନଥିଲେ ମିରିଗ ନାଟ ପରି ଅଫିସରମାନେ ମଧ୍ୟ ଯାଆନ୍ତି ନାହିଁ ଅଭିଯୋଗ ପ୍ରକୋଷ୍ଠକୁ। କିରାଣୀ ଓ ପିଅନ ଦ୍ୱାରା ପରିଚାଳିତ ହୋଇଥାଏ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ।

୨୦୧୪ରେ ଦୁଇଜଣ ଦଲାଲଙ୍କୁ ପୁଲିସ ଗିରଫ କରିଥିଲା। କିନ୍ତୁ ଏହାପରେ ଅଭିଯୋଗ ପ୍ରକୋଷ୍ଠ ଆଖପାଖ ଅଞ୍ଚଳରେ ଦଲାଲଙ୍କ ରାଜ ଆଜିଯାଏଁ ବି ଚାଲିଆସୁଛି। ପୁଲିସ ଲୋକଙ୍କୁ ଲୁଟୁଥିବା ଏଭଳି ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ମଝିରେ ମଝିରେ ଚଢ଼ାଉ ଯେ ନକରିଛି, ତାହା ନୁହେଁ। କିନ୍ତୁ ତାହା ମଧ୍ୟ ଧର୍ମକୁ ଆଖିଠାର। ପୁଲିସ ଆସିବା ଆଗରୁ ଦଲାଲ ଛୁ’। ପୁଲିସ ଯିବା ପରେ ଯେଉଁ କଥାକୁ ସେହି କଥା।

ଗତ ୨୦ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନିଜ ଅଭିଯୋଗ ପ୍ରକୋଷ୍ଠକୁ ଗାଏମୋଟ ୭୫ ଥର ଯାଇଛନ୍ତି। ୨୦୦୧ ମସିହାରେ ସର୍ବାଧିକ ୨୦ଥର ସେ ଯାଇଥିଲେ ଅଭିଯୋଗ ପ୍ରକୋଷ୍ଠକୁ। ମୁଖ୍ୟମନ୍ତ୍ରୀ ହେବାର ପରବର୍ଷ ହିଁ ତାଙ୍କୁ ଅଧିକ ଥର ଲୋକେ ଅଭିଯୋଗ ପ୍ରକୋଷ୍ଠରେ ଦେଖିବାକୁ ପାଇଥିଲେ। ଏହା ପରେପରେ ଅଭିଯୋଗ ପ୍ରକୋଷ୍ଠକୁ ଯିବା କମିକମି ଆସି ୨୦୦୮ ବେଳକୁ ଶୂନ ହୋଇଗଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୃତୀୟ ମହଲାରେ ଭେଟି ହୁଏ ନାହିଁ। ସାଧାରଣ ଲୋକଟିଏ ସଚିବାଳୟକୁ ଯାଇ ତାଙ୍କୁ ଭେଟିବା ସମ୍ଭବ ମଧ୍ୟ ନୁହେଁ। ନବୀନ ନିବାସ ସାଧାରଣ ଲୋକଙ୍କ ପାଇଁ ପ୍ରାୟତଃ ବନ୍ଦ। କେବଳ ରାଜନୈତିକ ଆବଶ୍ୟକତା ଥିଲେ ଲୋକଙ୍କୁ ଡକାଇ ଅଣାଯାଇଥାଏ। ବସରେ ଆସନ୍ତି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଦୁଇ ପଦ ଶୁଣନ୍ତି। କିନ୍ତୁ ବ୍ୟକ୍ତିଗତ ଅଭାବ ଅସୁବିଧା ବା ସମସ୍ୟା ଜଣାଇବାର କୌଣସି ବାଟ ନଥାଏ।

ଦୁଇବର୍ଷ ଧରି ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ‘ଆମ ଗାଁ ଆମ ବିକାଶ ଯୋଜନା’। ମୁଖ୍ୟତଃ ଏହା ବିଜୁ ଜନତା ଦଳର ନିର୍ବାଚନୀ କସରତ ଥିଲା। ଜନ ପ୍ରତିନିଧିମାନଙ୍କୁ ନିର୍ଦ୍ଦିଷ୍ଟ ସମୟରେ ପ୍ରକଳ୍ପ ସାରିବା ପାଇଁ କହୁଥିଲେ ମୁଖ୍ୟମନ୍ତ୍ରୀ। ସଚିବାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଚାଲିଥିଲା ଏହି ଯୋଜନା। ଏବେ କେହି କହିପାରିବେ ନାହିଁ ଯେ, ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ପ୍ରକଳ୍ପ ସରିଗଲାଣି ନା ଅଧପନ୍ତରିଆ ଅଛି।

ସୁତରାଂ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭେଟିବା ପାଇଁ ଆଗ୍ରହୀ ନୁହଁନ୍ତି, ଯାହାର ବଡ଼ ପ୍ରମାଣ ହେଲା ତାଙ୍କ ଅଭିଯୋଗ ପ୍ରକୋଷ୍ଠ। ନିର୍ବାଚନ ନଆସିଲେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକୁ ବି ଯାଆନ୍ତି ନାହିଁ ନବୀନ। ଲୋକଙ୍କୁ ଭେଟିବା ତ ଦୂରର କଥା। ଗତ ନିର୍ବାଚନ ସମୟରେ ହାଇଟେକ ବସରେ ସେ ରାଜ୍ୟ ବୁଲିଥିଲେ। କିନ୍ତୁ ଜନସମସ୍ୟା କେବେ ବି ଅନୁଧ୍ୟାନ କରିନାହାନ୍ତି। ଲୋକଙ୍କୁ ନିୟମିତ ଭେଟୁଥିଲେ ଅନେକ ସମସ୍ୟା ସେ ନିଜେ ଜାଣିପାରନ୍ତେ।

Leave a Reply

Your email address will not be published.