ସାରା ଓଡ଼ିଶାର ହୃଦ୍‌ସ୍ପନ୍ଦନ: ନବୀନ ପଟ୍ଟନାୟକ

ଆଉ କିଛି ଘଣ୍ଟା ପରେ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ୫ମଥର ପାଇଁ ଶପଥ ନେବେ। ଏହା ଏକ ରେକର୍ଡ଼। ପୁଣି ଏ ଶପଥ ଗ୍ରହଣ ଖୋଲା ପଡ଼ିଆରେ ହେବ ଏହା ବି ଏକ ରେକର୍ଡ଼। ଏ ଭିତରେ ଆଶା ଏହି ସମାବେଶରେ କାଳିଆ ଯୋଜନାର ଦ୍ଵିତୀୟ କିସ୍ତି ହିତାଧିକାରୀଙ୍କ ଆକଉଣ୍ଟକୁ ଆସିବ, ଏହା ହେଲେ କୌଣସି ସରକାରର ପ୍ରଥମ ଦିନରେ ଲୋକଙ୍କ ଆକାଉଣ୍ଟକୁ ନଗଦ ଟଙ୍କା ପହଞ୍ଚିବା ବି ଏକ ରେକର୍ଡ଼ ହେବ।

ଦେଶ ସ୍ଵାଧୀନ ହେବାର ପ୍ରାୟ ଏକ ବର୍ଷ ପୂର୍ବରୁ ତାଙ୍କର ଜନ୍ମ। ଏବେ ବୟସ ପାଖାପାଖି ୭୩। ଓଡ଼ିଶାର ରାଜନୀତିକ ଇତିହାସରେ ତାଙ୍କର ଆବିର୍ଭାବ କିନ୍ତୁ ୧୯୯୭ ମସିହାରୁ, ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ହୁଏ। ଏହି ସମୟରେ ଭାଇ ଓ ଭଉଣିଙ୍କ ସହମତିରେ ନବୀନ ଓଡ଼ିଶା ରାଜନୀତିରେ ପ୍ରବେଶ କରିଲେ ଆଉ ପଛକୁ ଚାହିଁଲେ ନାହିଁ। ଆଗରେ ଜନ ସମୁଦ୍ର ବଢ଼ି ଚାଲିଲା, ଆଉ ସେ ସେଥିରେ ତଲ୍ଲୀନ ହେଲେ। ଲୋକେ ବି ତାଙ୍କ ମୁଣ୍ଡରେ ଓଡ଼ିଶାର ‘ଶିରପା’ ବାନ୍ଧିଲେ। ଆଜି ସେ ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ। ଏ ରେକର୍ଡ଼ ଓଡ଼ିଶାରେ କେବେ ହୋଇ ନାହିଁ, ଆଗକୁ ହେବ କି ନା ତାହା ବି ସନ୍ଦେହରେ।

ସ୍ଵଧୀନତା ପରଠାରୁ ଯେଉଁ ରାଜ୍ୟରେ ଏକ ସ୍ଥିର ସରକାର ସ୍ଵପ୍ନ ପ୍ରାୟ ହୋଇ ରହିଥିଲା, ଆଉ ଯେତେବେଳେ ସରକାର ଜଣେ ବିଜ୍ଞ ବ୍ୟକ୍ତିଙ୍କ ନେତୃତ୍ଵରେ ସ୍ଥିର ହେଲା, ସେତେବେଳେ  ଅବିଶ୍ଵାସ, ଦୂରାଚାର, ଅତ୍ୟାଚାର ଆଉ ଅହଙ୍କାରରେ ପୁଣି ଅସ୍ଥିର ହେଲା ବୋଲି ଲୋକେ ଅନୁଭବ କଲେ ସେତେବେଳେ ନବୀନଙ୍କ ଶାସନକୁ ଏକ ପରୀକ୍ଷାମୂଳକ ନମୁନା ଭାବେ ଗ୍ରହଣ କଲେ। କିନ୍ତୁ ସେ ନମୁନା ଆଜି ସାରା ଦେଶ ପାଇଁ  ଏକ ଦୃଷ୍ଟାନ୍ତମୂଳକ ’ନମୁନା’ ହୋଇ ଠିଆ ହୋଇଛି, ସେଥିରେ ଅସହମତ ହେବାର ଅବକାଶ ନାହିଁ।

ପ୍ରଶ୍ନ ଉଠେ ସେ କାହିଁକି ଏତେ ଲୋକପ୍ରିୟ? ସେ କ’ଣ ଅଜେୟ, ଅକ୍ଷୟ?

କସ୍ତୁରୀ ନିଜ ନାଭିର ସୁଗନ୍ଧ ବାବଦରେ ଜାଣେନା, କି ମହୂମାଛି ଫେଣାର ମିଠା ବାବଦରେ। ଏହିକ୍ରମରେ ଜଣେ ମଣିଷ ନିଜ ଭିତରେ ଥିବା ସାଧୁଗୁଣ ବାବଦରେ ଅପରିଚିତ ଥାଏ। ଅବଶ୍ୟ ଉଚିତ ପରିବେଶ ଆସିଲେ ତାହା ପ୍ରସ୍ଫୁଟିତ ହୁଏ, ଆଉ ଲୋକେ ଜାଣନ୍ତି। କିନ୍ତୁ ସେହି ବ୍ୟକ୍ତିଟି ସେମିତି ସାଧୁ ରହିଥାଏ, ଯେମିତି ଆଗରୁଥିଲା। ଅର୍ଥାତ୍‌ ଏକ ମୌଳିକ ଧାତୁ ଭଳି ବ୍ୟକ୍ତିର ସେହି ମୌଳିକ ଗୁଣକୁ ଲୋକେ ସମର୍ଥନ ଦିଅନ୍ତି, ଗୋଟିଏ ଥର ନୁହେଁ, ବାରମ୍ବାର। ଅଉ ସବୁ ଅଭିଯୋଗ କାଟ୍‌ ଖାଏ ଲଗାତାର।

ବାପା ରାଜନେତା ଥିଲେ ବୋଲି ତାଙ୍କର ରାଜନୀତିରେ ପ୍ରବେଶ ହୋଇଛି ତାହାକୁ କେହି  ଏଡ଼ାଇ ପାରିବେ ନାହିଁ। କିନ୍ତୁ ତାଙ୍କରି ସ୍ପନ୍ଦନରେ ଯେ ଓଡ଼ିଶାବାସୀ ବିଜୁ ପଟ୍ଟନାୟକଙ୍କୁ ନବୀନଙ୍କ ବାପା ଭାବେ ଗ୍ରହଣ କରୁଛନ୍ତି ତାହାକୁ କେହି ଅସ୍ଵୀକାର କରିବେ ନାହିଁ।

ଏହାହିଁ ହୋଇଛି ନବୀନଙ୍କ କ୍ଷେତ୍ରରେ। ତାହାହେଲେ କ’ଣ ସେ ସବୁ ମୌଳିକ ଗୁଣ, ଯାହା ଲୋକଙ୍କୁ ଅଭିହିତ କରିଛି?

କେହି କେହି ଏହାକୁ ନବୀନଙ୍କ ମାୟା ବା ମ୍ୟାଜିକ୍‌ ବୋଲି କହନ୍ତି। ମଇଦାନରେ ଯେତେବେଳେ ସେଇ ’ଖଣ୍ଡି ଓଡ଼ିଆ’ ଆଉ ସଂକ୍ଷିପ୍ତ ଆଲେଖ୍ୟ ଯୁକ୍ତ ଅଭିଭାଷଣ ଚାଲେ ସେତେବେଳେ ସାଧାରଣ ଜନତା ବିମୋହିତ ହୋଇଯାଆନ୍ତି । ସେତେବେଳେ ଲୋକଙ୍କୁ ’ହାତ’, ‘ପଦ୍ମ‘, ଦା’ ହାତୁଡ଼ି ବା କାହାର ମୁହଁ ଦିଶେନି, ଖାଲି ଆଗରେ ନାଚିଉଠେ ଶଙ୍ଖର ଛବି, କାନରେ ଗୁଞ୍ଜରିତ ହୁଏ ତାହାରି ନାଦ, ନୁହେଁକି?

ତେବେ ଏହି ମାୟାର ଅଙ୍ଗ କେଉଁମାନେ?

ନିରାଡ଼ାମ୍ବର ବ୍ୟକ୍ତିତ୍ଵ

ସେ ସମୟରେ ରାଜାପୁତ୍ର ତଥା ସମ୍ଭ୍ରାନ୍ତ ଶ୍ରେଣୀର ପିଲାମାନେ ଯେଉଁଠାରେ ପଢ଼ୁଥିଲେ ନବୀନ ସେଠାରେ ପଢ଼ୁଥିଲେ। ଉଭୟ ପାଇଲଟ ପିତାମାତାଙ୍କ ଔରସରୁ ଜନ୍ମ ନବୀନଙ୍କ ପିଲାବେଳ, ଛାତ୍ରାବସ୍ଥା ବା ଯୌବନ କେବେ ଦାରିଦ୍ର୍ୟକୁ ଦେଖିନି। ଆଭାଜାତ୍ୟ ତାଙ୍କ ପରିତିତି ହୋଇ ରହି ଆସିଛି। ତାଙ୍କ ଯୁବା ସମୟରେ ‘ହିପ୍ପି’ମାନେ ଭାରତରେ ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଥିଲେ। ପ୍ରତିଟି ବାପା, ମା ସେଥିରେ ଆଲୋଡ଼ିତ ହୋଇ ସେହି ‘ହିପ୍ପି’ ରୋଗର ବଟିକା ଖୋଜୁଥିଲେ। ତା’ ଭିତରେ କିନ୍ତୁ ବିଜୁ ଓ ଜ୍ଞାନ ପଟ୍ଟନାୟକ ଏକ ସୁନାକୁ ଫରୁଆ ଦେଇଥିଲେ। ଆଉ ତାହାର ଆବିର୍ଭାବ ହେଲା ବିଜୁଙ୍କ ମୃତ୍ୟୁ ପରେ। ଜଣେ ଲେଖକ ଭାବେ ତାଙ୍କ ବହି ତିନୋଟି ସେକେଣ୍ଡ ପାରାଡାଇଜ୍‌, ଡେଜଟର୍ର୍ କିଙ୍ଗ୍‌ଡମ୍‌ ଓ ଗାର୍ଡ଼ନ୍‌ ଅଫ୍‌ ଲାଇଫ୍‌  ଭାରତ  ବ୍ରିଟେନ୍‌ ଓ ଆମେରିକାରେ ପ୍ରକାଶିତ। ଏ ବହି ତିନୋଟି ସଂସ୍କୃତି, ପରିବେଶ ଓ ପ୍ରକୃତିକୁ ଭଲ ପାଇବାର ଗୋଟିଏ ଗୋଟିଏ ନିଦର୍ଶନ।

ଓଡ଼ିଶା ଆସିବା ପରେ ନବୀନଙ୍କ ସେହି ଲେଖକୀୟ ମାଧୁର୍ଯ୍ୟ  ଆଉ ଦେଖିବାକୁ ମିଳି ନାହିଁ। ଖଳ ଲୋକ ଏଥିଲାଗି ତାଙ୍କର ଏହି ଲେଖକୀୟ କୃତୀରେ ବି ପ୍ରଶ୍ନ ଉଠାଇଛନ୍ତି, ତଥାପି ନବୀନ ନୀରବତା ଭଙ୍ଗ କରି ନାହାନ୍ତି।

ଆଜିବି ମୁଖ୍ୟମନ୍ତ୍ରୀ ଭାବେ ସେ ଯେ ଏକ ଆଭିଜାତ୍ୟ ସମ୍ପନ୍ନ ଜୀବନୀ ବିତାଉଛନ୍ତି ତାହା ନୁହେଁ, ବରଂ ନିଜର ପୈତୃକ ଘରେ ରହନ୍ତି। ଯେତେବେଳେ ପଦାକୁ ଆସନ୍ତି ଧଳା କୁର୍ତ୍ତା ଓ ପାଇଜାମା ହିଁ ତାଙ୍କର ପରିଚୟ ହୋଇଥାଏ।

ନମ୍ର ସ୍ଵଭାବ

ଅବଶ୍ୟ ଗଲା ନିର୍ବାଚନ ପ୍ରଜାର ବେଳେ କିଛି କଠୋର ଶବ୍ଦ ସେ ବିରୋଧୀ ଦଳୀୟ ନେତାଙ୍କ ପ୍ରତି କହିଥିଲେ। କିନ୍ତୁ ସେ ସ୍ଵଭାବରେ ବି ଭଦ୍ରାମୀ ଲକ୍ଷ୍ୟ କରାଯାଇଥିଲା। ନବୀନ କେବେ ଉଗ୍ର ହୋଇଥିବା ତାଙ୍କ ନିକଟତର ଲୋକ ବି ଦେଖି ନାହାନ୍ତି। କିନ୍ତୁ ସେ କାମରେ କେବେ କାହାକୁ ସାଲିସ କରିବାକୁ ଦେଇ ନାହାନ୍ତି। ବୋଧ ହୁଏ ତାହାହିଁ ତାଙ୍କ ପାଇଁ ଉଗ୍ର ଯେତେବେଳେ ସେ କୌଣସି ନେତା, ମନ୍ତ୍ରୀ ବା ଅଧିକାରୀଙ୍କ ମୁହଁ ଚାହାନ୍ତି ନାହିଁ।

ଅନ୍ୟ ସମୟରେ ତାଙ୍କର ହସହସ ଚେହେରାଟି ବାରି ହୋଇପଡ଼େ, ରାସ୍ତାକଡ଼ର ଆଗନ୍ତୁକଙ୍କ ପଖରେ ବା ସଚିବାଳୟର କରିଡରରେ ଅଥବା ସାମ୍ବାଦିକଙ୍କ କ୍ୟାମେରାରେ। ସେଇଥିପାଇଁ ତ ଯେକୌଣସି ମୁହୁର୍ତ୍ତରେ ବି ତାଙ୍କର ଫଟୋକୁ ବ୍ୟବହାର କରିବା ସହଜ ହୋଇଥାଏ।

ଦୁର୍ନୀତି ବିରୋଧୀ

ନବୀନ ଦୁର୍ନୀତି ବିରୋଧୀ, ଏକଥା କହିବା ଅନାବଶ୍ୟକ। ଗାଁ, କଳିକନ୍ଦି ସବୁଠି ଆପଣ ଯାହାକୁ ପଚାରିବେ ସେ ଏ କଥା କହିବ। ଆଉ ଯେ ତାଙ୍କ ବିରୋଧରେ କହିବେ ସେ ଲୋକଙ୍କ ସମର୍ଥନ ପାଉ ନଥିବା ଜଣାଯାଏ। ପ୍ରଥମ ପର୍ଯ୍ୟାୟ ସରକାର ସମୟରେ ସେ ଯେମିତି ଭାବେ ଦୁର୍ନୀତି ଅଭିଯୋଗରେ ମନ୍ତ୍ରୀ ଓ ଅଧିକାରୀଙ୍କୁ ଏକ ଘରକିଆ କଲେ ତାହା ଏବେ ବି ଲୋକେ ଆଲୋଚନା କରୁଛନ୍ତି। ସେଇ ପ୍ରଥମ ଦିନର ପ୍ରତିଛବି ଆଜି ଯାଏ ବଜାୟ ରହିଛି। ନହେଲେ ଶତାଧିକ ଆସନରେ ତାଙ୍କୁ ସମର୍ଥନ ମଳିଥାଆନ୍ତା?

ଅମଲାତନ୍ତ୍ର ଉପରେ ନିୟନ୍ତ୍ରଣ

ଏକ ସରକାରରେ ନିର୍ବାଚିତ ମନ୍ତ୍ରିମଣ୍ଡଳ ଓ ଅମଲାତନ୍ତ୍ର ଦୁଇଟଇ ଗୁରୁତ୍ଵପୂଣ୍ଣ ଅଙ୍ଗ, ପରସ୍ପରର ପରିପୂରକ। କେହି କାହାକୁ ଛାଡ଼ି ପାରିବେ ନାହିଁ। ଅର୍ଥାତ୍‌ ଗୋଟିଏ ଅଙ୍ଗ ଖଇଚା ହେଲେ ଅନ୍ୟଟି ସେଥିରେ ଆକ୍ରାନ୍ତ ହେବା ସହଜ। ଗୋଟିଏ ସ୍ପଷ୍ଟ ଓ ଦକ୍ଷ ହେଲେ ଅନ୍ୟଟି ସେଥିରେ ହୁଏ ଅନୁପ୍ରାଣୀତ। ରାଜନୀତିକ କ୍ଷେତ୍ରରେ ସ୍ପଷ୍ଟ ଓ ଦକ୍ଷ ବ୍ୟକ୍ତିତ୍ଵଙ୍କ ଅଭାବ ରହୁଥିବାରୁ ଅମଲାତନ୍ତ୍ର ବି ପଇସା ରୋଜଗାର, ପରିବାରର ଫାଇଦା ଓ ଦୁର୍ନୀତିରେ ଲିପ୍ତ ରହନ୍ତି। ବେଳେବେଳେ ଏମିତି ସମସ୍ୟା ହୁଏ ଯେ ଅମଲାତନ୍ତ୍ର ନିୟନ୍ତ୍ରଣ ବାହାରକୁ ଚାଲିଯାଏ. ଅଧିକ କ୍ଷମତାଶାଳୀ ହୁଏ ବା ଦିଗହରା ହୁଏ। ନବୀନଙ୍କର ଗଲା ୧୯ ବର୍ଷର ଶାସନରେ ଏମିତି ଅନେକ ଅମଲାତନ୍ତ୍ରୀ ବାଟ ହରାଇଛନ୍ତି, ମାଟିରେ ମିଶିଯାଇଛନ୍ତି କିନ୍ତୁ ଶାସନ କଳ ଦିଗହରା ହୋଇ ନାହିଁ।

ଗରିବଙ୍କ ପାଇଁ ଶାସନ

ଦିଗହରା ହୋଇ ନଥିବା ଶାସନ ଓ ମୁଖିଆଙ୍କ ମନରେ ଗରିବଙ୍କ ପାଇଁ ଅନେକ ଯୋଜନା ଲାଗୁ ହୋଇଛଇ। କେହି କେହି ସମାଲୋଚନା କରିଛନ୍ତି ଯେ, ନବୀନ ଭୋଟ୍‌ ପାଇଁ ଯୋଜନା କରନ୍ତି, ଲୋକଙ୍କୁ ନିକମା କରନ୍ତି, ନିଖଟୁ କରନ୍ତି। କିନ୍ତୁ ଏହା ଯେ, ଲୋକଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଛି ପୁଣି ବାରମ୍ବାର ତାହା ବ୍ୟାଖ୍ୟା କରିବାର ଅନାବଶ୍ୟକ।

ଏହିସବୁ ଅଙ୍ଗଗୁଡ଼ିକ ଆଉଥରେ କାର୍ଯ୍ୟକ୍ଷମ ହୋଇଛନ୍ତି, ମେ’ ୨୩ ନିର୍ବାଚନ ଫଳାଫଳା ଘୋଷଣା ପରେ। କାରଣ ରାଜ୍ୟବାସୀଙ୍କ ଆଶା ପୁଣି ନବୀନଙ୍କ ଉପରେ ଆଶୀର୍ବାଦ ସ୍ଵରୂପ ଢଳା ହୋଇଛି, ଏକ ଦୃଢ଼, ସ୍ଥିର ଓ ଦକ୍ଷ ସରକାର ଗଠନ ପାଇଁ। ଆଉ କେଇ ଘଣ୍ଟା ପରେ ନବୀନ ସାର୍ବଜନୀନ ରୂପରେ ମୁକ୍ତ ମଞ୍ଚରେ ସରକାରୀ ଶପଥ ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳ ଗଠନ କରିବେ। ରାଜ୍ୟକୁ ଏକ ନମ୍ବର ଭାବେ ଗଢ଼ି ତୋଳିବାକୁ ପଣ କରିବେ। ରାଜ୍ୟବାସୀଙ୍କ ଉନ୍ନତି ହେବ, ଆଶା ପୂରଣ ହେବ, ସମସ୍ତଙ୍କୁ ରୋଜଗାରର ପନ୍ଥା ମିଳିବ, ରାଜ୍ୟର ଉତ୍ପାଦନ ବଢ଼ିବ ବୁଦ୍ଧିଜୀବୀଙ୍କୁ ସ୍ଵାଧୀନ ମତ ରଖିବାର ସୁଯୋଗ ପୁଣିଥରେ ଉନ୍ମୁକ୍ତ ହେବ ବୋଲି ଆଶା ଜନ୍ମିବା ସ୍ଵଭାବିକ।

Leave a Reply

Your email address will not be published.