ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜେଇଇ ଏବଂ ନିଟ୍ ସ୍ଥଗିତ ରଖିବାକୁ କଲେ ଅନୁରୋଧ

ଭୁବନେଶ୍ବର, (ଓଡିଶା ଟାଇମ୍) :  କରୋନା ପରିସ୍ତିତିକୁ ଦୃଷ୍ଟିରେ ରଖି ଦେଶରେ ନିଟ ଏବଂ ଜେଇଇ ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ବିଶେଷ ଭାବରେ ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଓ ଏବେ ଲଘୁଚାପ ଜନିତ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏଭଳି ସମୟରେ ପରୀକ୍ଷା କରାଗଲେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ। 

ଦୁଇ ଦିନ ପୂର୍ବରୁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଏକ ଚିଠି ଲେଖି ପରୀକ୍ଷା ବନ୍ଦ କରିବା ଲାଗି ଅନୁରୋଧ କରିଥିଲେ। ସେ ଦର୍ଶାଇଥିଲେ ଯେ କରୋନା କଟକଣା ଯୋଗୁ ପରିବହନ ବ୍ୟବସ୍ଥା ବନ୍ଦ ରହିଛି ତେଣୁ ପରୀକ୍ଷାର୍ଥୀମାନେ ଅନ୍ୟ ସହରରେ ରହି ପରୀକ୍ଷା ଦେବା ସମ୍ଭବ ନୁହେଁ। ଏହାଛଡା ଏହି ପରୀକ୍ଷା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରିବାକୁ ମଧ୍ୟ ସେ ଚିଠିରେ ଅନୁରୋଧ କରିଥିଲେ। 

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ହେବାକୁ ଥିବା ନିଟ୍ ଏବଂ ଜେଇଇ ଧାର୍ଯ୍ୟ ସୂଚୀ ଅନୁସାରେ ହେବ ବୋଲି ସର୍ବୋଚ୍ଚ ଅଦାଲତ ସବୁଜ ସଙ୍କେତ ଦେଇଥିଲେ । ନିଟ୍ ଏବଂ ଜେଇଇ ପରୀକ୍ଷା ଆୟୋଜନ ବିରୋଧରେ ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ । କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଇଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ଅବଗତ କରାଇବା ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଥିଲା ।

ଅବେଦନକୁ ଖାରଜ କରିବା ସହ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ, କ’ଣ ଦେଶରେ ସବୁକିଛି ବନ୍ଦ କରିଦିଆଯିବ? ଏପରି ଏକ ମୂଲ୍ୟବାନ ବର୍ଷକୁ କ’ଣ ନଷ୍ଟ କରିଦିଆଯିବ? ଆବେଦନରେ କୋଭିଡ-୧୯ ସଂକ୍ରମଣର ବୃଦ୍ଧି ହେତୁ ସେପ୍ଟେମ୍ବରରେ ପ୍ରସ୍ତାବିତ ଜେଇଇ ମେନ୍ସ ଏବଂ ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରାଯାଇଥିଲା । 

Leave a Reply

Your email address will not be published.