ବିରୋଧିଙ୍କ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି ରାଜନୀତିର ଚତୁର ଖେଳାଳି

ରାଜନୀତି ସହ ସିଧାସଳଖ ନିଜର ପରିଚୟ ନଥିବା ନବୀନ ପଟ୍ଟନାୟକ ପିତା ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ଆସିଥିଲେ ଓଡ଼ିଶା। ରାଜନୈତିକ ଦୁନିଆ ସହ ତାଙ୍କର ଅଭିଜ୍ଞତା ଓ ଅନୁଭୂତି କମଥିବାରୁ ସେ କେତେ ଦିନ ରାଜନୀତିରେ ରହିବେ, ତାହାକୁ ନେଇ ଅନେକଙ୍କ ମନରେ ସନ୍ଦେହ ଥିଲା। ତେବେ ଦୁଇ ଦଶନ୍ଧି ଧରି ନବୀନ କେବଳ ରାଜନୀତିରେ ସକ୍ରିୟ ନାହାନ୍ତି, ଲଗାତାର ୪ଥର ବିଧାନସଭାରେ ନିଜ ଦଳକୁ ଜିତାଇ ଆଣି ଭିନ୍ନ ଏକ ରେକର୍ଡ ସ୍ଥାପନ କରିସାରିଛନ୍ତି। ଆଗାମୀ ନିର୍ବାଚନ ତାଙ୍କ ଲାଗି ରେକର୍ଡକୁ ମଜବୁତ କରିବାର ଆଉ ଏକ ସୁଯୋଗ ଆଣିଥିଲାବେଳେ ଏହା କିନ୍ତୁ ଅନେକ ଚ୍ୟାଲେଞ୍ଜ ନେଇ ଆସିଛି।

ପ୍ରଥମ ଥର ପାଇଁ ରାଜନୈତିକ ଟକରାଟକରିରେ ନବୀନ ପୂର୍ଣ୍ଣ ଶକ୍ତିରେ ଥିବାର ମନେ ହେଉନାହାଁନ୍ତି। ଅନ୍ୟ ନିର୍ବାଚନ ଭଳି ଏଥର ଆଉ ସହଜ ନିର୍ବାଚନ ନବୀନଙ୍କ ଲାଗି ନାହିଁ। ତାଙ୍କର ବ୍ୟକ୍ତିଗତ ଇମେଜ ବଳବତ୍ତର ଥିଲେ ମଧ୍ୟ ଦଳ ପାଇଁ କିନ୍ତୁ ଏଥର ପ୍ରାୟ ସବୁ ଅଞ୍ଚଳରେ ସୃଷ୍ଟି ହୋଇଛି ବଡ଼ ଆହ୍ୱାନ। ୧୧୭ର ତୋଫାନି ସଫଳତା ଗତଥର ଦଳ ହାସଲ କରିଥିଲା। ଏହା ସତ। ହେଲେ ଏଥର ସେହି ଦମ୍ଭ ନାହିଁ।

ବିଜେପିର ଆଶାତୀତ ଶକ୍ତି ବୃଦ୍ଧି ବିଜେଡି ସକାଶେ ବଡ଼ ପରୀକ୍ଷା ଆଣିଛି। ତେବେ ସବୁବେଳେ ନିଜ ପ୍ରତିକୂଳ ଅବସ୍ଥାକୁ ଅନୁକୂଳ କରିବାରେ ମାହିର ଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଚ୍ୟାଲେଞ୍ଜକୁ ଦେଖି ନିଜ ଗୋଟିଚାଳନା ବି ଭରପୁର କରୁଛନ୍ତି। ଗତ ୧୯ବର୍ଷ ଭିତରେ ବାହାରକୁ ସହଜ ଓ ସରଳ ମନେ ହେଉଥିବା ନବୀନ ଏପରି ରାଜନୈତିକ ଗୋଟିଚାଳନା କରି ଆସିଛନ୍ତି ଯେ, କେବଳ ରାଜ୍ୟ ନୁହେଁ, ଜାତୀୟ ରାଜନୀତିରେ ବନି ରହିଛନ୍ତି ପ୍ରମୁଖ ବ୍ୟକ୍ତି ହୋଇ। ଆଉ ତାଙ୍କ ଜୀବନର ସବୁଠାରୁ ବଡ଼ ଆହ୍ୱାନର ସମୟରେ ପୋଖତ ରାଜନେତାର ସମସ୍ତ କଳାକୌଶଳ ଲଗାଉଛନ୍ତି ନବୀନ।

ପ୍ରାୟ ଅନେକ ବର୍ଷ ଧରି ଜାତୀୟ ରାଜନୀତିରେ ସମଦୂରତାର କଥା କହି ସମସ୍ତଙ୍କୁ ବଡ଼ ଚତୁର ଭାବରେ ଝୁଲାଇ ରଖି ଆସିଥିଲେ ନବୀନ। ଏବେ କିନ୍ତୁ ନିର୍ବାଚନୀ ପରିବେଶରେ ନିକଟରେ ତାଙ୍କର ଦ୍ୱାରା ଦିଆଯାଇଥିବା ବକ୍ତବ୍ୟ ଖୁବ ଗୁରୁତ୍ୱ ରଖିଛି। କୌଣସି ଦଳ ଏଥରର ସାଧାରଣ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ।

ସେଭଳି ଅବସ୍ଥାରେ ବିଜୁ ଜନତା ଦଳ ସରକାର ଗଠନରେ ଭୂମିକା ଗ୍ରହଣ କରିବ ବୋଲି ନବୀନ କହିଛନ୍ତି। ସମଦୂରତାର କଥା ସେ ପଛକୁ ଠେଲି ଜାତୀୟ ନେତାମାନଙ୍କୁ ବା ମେଣ୍ଟଗୁଡ଼ିକୁ ଦରକାର ବେଳେ ବିଜୁ ଜନତା ଦଳସମର୍ଥନ ଦେବା ପାଇଁ ପ୍ରସ୍ତୁତ ଥିବାର କଥା ଛାଡିଛନ୍ତି ବଜାରକୁ। ଏହା ତାଙ୍କର ବଡ଼ ପୋଖତ ପଣ। ସେ କେବଳନିଜକୁ ନୁହେଁ, ବିଜୁ ଜନତା ଦଳ ପ୍ରତି ମେଣ୍ଟଗୁଡ଼ିକର ଆଶାକୁ ବଢାଇ ରଖିବାକୁ କରିଛନ୍ତି ଚେଷ୍ଟ।

ଏହାଦ୍ୱାରା ତାଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ ନିର୍ବାଚନୀ ପ୍ରଚାରରେ ହେବ ନାହିଁ ବୋଲି ସେ ଜାଣିଛନ୍ତି। ନିର୍ବାଚନ ପରେ ହୁଏତ ତାଙ୍କର ଦରକାର ପଡ଼ିବ ତେଣୁ କାହଁିକି ନିର୍ବାଚନ ପୂର୍ବରୁ ଅସନ୍ତୁଷ୍ଟ କରି ରଖିବା?ର ଭାବନା ସମସ୍ତଙ୍କ ମନରେ ଭରି ଦେଇଛନ୍ତି।

ଏହା ଏକ ବଡ଼ ରାଜନୈତିକ ପଟୁତାର ବିଷୟ। ନବୀନ ଭଲ ଭାବରେ ଜାଣିଛନ୍ତି ୧୯ବର୍ଷର ଶାସନ ପରେ ସ୍ୱାଭାବିକତା ଦୃଷ୍ଟିରୁ ସରକାରୀ ବିରୋଧୀ ଭାବନା ସୃଷ୍ଟ ହେବ। ସରକାରୀ ବିରୋଧୀ ସାଙ୍ଗକ ଦଳ ବିରୋଧୀ ମନୋଭାବ ମଧ୍ୟ ସୃଷ୍ଟି ହେବା ସ୍ୱାଭାବିକ। ଏହାକୁ ରୋକିବା ପାଇଁ ସେ ଠିକ ନିର୍ବାଚନ ପୂର୍ବରୁ ବହୁ ପ୍ରକାରର ଯୋଜନା ପ୍ରଣୟନ କରିଛନ୍ତି। ତେବେ ନିର୍ବାଚନୀ ମଇଦାନରେ ଏହି ସରକାରୀ ବିରୋଧୀ ଅବସ୍ଥାକୁ ଦୂର କରିବା ପାଇଁ ସେ ଏଥର ମହିଳାଙ୍କ କାର୍ଡ ଚମତ୍କାର ଭାବରେ ଖେଳିବାର ଚେଷ୍ଟା କରୁଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାମ ଭିତରେ ବୁଡି ରହିଥିବା ଜଣେ ମଫସଲ ଅଞ୍ଚଳର ମହିଳାଙ୍କୁ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ସକାଶେ ପ୍ରାର୍ଥୀ କରି ମହିଳାଙ୍କ ପ୍ରତି ତାଙ୍କର ଥିବା ସମ୍ମାନ ଓ ତାଙ୍କ ଦଳର ଥିବା ପ୍ରାଥମିକତା ବତାଇବାକୁ ଚେଷ୍ଠା କରିଛନ୍ତି।

ସେହିପରି ୩୩% ସିଟ ପ୍ରଦାନର ଧାରାରେ ବି ସେ ଅଛନ୍ତି। ମହିଳାମାନଙ୍କ ଭିତରେ ତାଙ୍କର ଥିବା ଲୋକପ୍ରିୟତାକୁ ଆଉ ଥରେ ଦଳର ନିର୍ବାଚନୀ ସଫଳତାରେ ପରିଣତ କରିଦେବା ପାଇଁ ବିଚକ୍ଷଣ ଗୋଟିଚାଳନା ନବୀନ ଏଥର କରିଛନ୍ତି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୩ରୁ ଦକ୍ଷିଣ ଓଡ଼ିଶାରୁ ନବୀନଙ୍କ ମାରାଥନ ପ୍ରଚାର ଆରମ୍ଭ

ଆଉ ୯ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ୩ ବରିଷ୍ଠ କଟିଲେ, ଭର୍ତ୍ତୃହରି ସୁରକ୍ଷିତ

ଆଜିଠାରୁ ବଦଳିଲା ଟିକସ ସମ୍ପର୍କିତ ଅନେକ ନିୟମ

Leave a Reply

Your email address will not be published.