ଦୁର୍ନୀତି ଅଭିଯୋଗରେ ୬ କର୍ମଚାରୀ ବହିଷ୍କୃତ

 ଭୁବନେଶ୍ଵର, (ଓଟି):  ଭିଜିଲାନସ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ୬ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ୪ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। କିଛିଦିନ ତଳେ ସମାନ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ୧୫ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିବା ସହ ୨ ଜଣଙ୍କ ପେନ୍‌ସନ୍‌ ବନ୍ଦ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ତାଙ୍କର ଦୁର୍ନୀତି ବିରୋଧୀ ଅଭିମୁଖ୍ୟର ଅଙ୍ଗ ବୋଲି ଗ୍ରହଣ କରାଯାଉଛି।
ଚାକିରିରୁ ବରଖାସ୍ତ ହୋଇଥିବା ଏହି କର୍ମଚାରୀମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ତହସିଲର ଜୁନିଅର କ୍ଲର୍କ ସଞ୍ଜିତ କୁମାର ରାୟ । ଶ୍ରୀ ରାୟ ପୂର୍ବରୁ ରାଉରକେଲା ଆରଟିଓ ଅଫିସ୍ ରେ ଜୁନିଅର କ୍ଲର୍କ ଥିଲେ ।

ବାରିପଦା ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ । ବର୍ତ୍ତମାନ ସେ ଜୟପୁର ଆଇଟିଡ଼ିଏରେ କାର୍ଯ୍ୟରତ ଥିଲେ ।

ସମ୍ବଲପୁର ନାକଟିଦେଉଳରେ କାର୍ଯ୍ୟରତ ପଶୁଡାକ୍ତର ଭାଗିରଥୀ ବିଶ୍ୱାଳ। ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କାର୍ଯ୍ୟରତ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଜୁନିଅର ଇଂଜିନିୟର ବସନ୍ତ କୁମାର ପାତ୍ର ।

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ର ପଞ୍ଚାୟତ ଏକଜ୍ୟୁଟିଭ ଅଫିସର ତ୍ରିଲୋଚନ ସେଠ୍ ଏବଂ ବଣାଇଗଡ଼ ବ୍ଲକ୍ ର ବଞ୍ଚାୟତ ଏକଜ୍ୟୁଟିଭ ଅଫିସର ଅଷ୍ଟମ ଚନ୍ଦ୍ର ପଟେଲ ।



ପେନସନ୍ ସୁବିଧା ବନ୍ଦ ହୋଇଥିବା ୪ ଜଣ ଅଧିକାରୀ ହେଲେ-   ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ଏକଜ୍ୟୁଟିଭ୍ ଇଂଜିନିୟର ଗୌତମ ଚନ୍ଦ୍ର ପୃଷ୍ଟି ।  ଓସିସିର ପୂର୍ବତନ ଜେନେରାଲ୍ ମ୍ୟାନେଜର ବିକ୍ରମ କେଶରୀ ପଟ୍ଟନାୟକ ।  କଟକ ଡ୍ରେନେଜ୍ ଚିଫ ଇଂଜିନିୟର କାର୍ଯ୍ୟାଳୟର ପୂର୍ବତନ ଏଷ୍ଟାବ୍ଲିସମେଣ୍ଟ ଅଫିସର ରବିନ୍ଦ୍ର କୁମାର ଜେନା ଏବଂ  ବାରିପଦା ଆଇଟିଡ଼ିଏ ର ପୂର୍ବତନ ଜୁନିଅର ଇଂଜିନିୟର ରବି ନାରାୟଣ ମହାନ୍ତି ।



ମୁଖ୍ୟମନ୍ତ୍ରୀଙ୍କ ଏଭଳି କଠୋର ଆଭିମୁଖ୍ୟ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ଜିରୋ ଟଲେରାନ୍ସ ନୀତିକୁ କଡ଼ାକଡ଼ି କରିଥିବା ମୁଖ୍ୟମନ୍ତ୍ରୀଙ୍କର ପଦକ୍ଷେପକୁ ସାଧାରଣରେ ସାବାସୀ ଦିଆଯାଉଛି । ତେବେ ଖାଲି ତଳତଳିଆ କି ମଝିମଝିଆ କର୍ମଚାରୀ ନୁହଁନ୍ତି, ଦୁର୍ନୀତିଗ୍ରସ୍ତ ବଡ଼ବଡ଼ିଆ ଅଫିସରଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ କେବେ ଜିରୋ ଟଲେରାନ୍ସ ନୀତି କାର୍ଯ୍ୟକାରୀ କରିବେ ତାହାକୁ ସମସ୍ତଙ୍କ ଅପେକ୍ଷା ରହିଛି ।

 

Leave a Reply

Your email address will not be published.