ଚାଷ, ଚାଷୀଙ୍କ ବର୍ଷ ହେବ ୨୦୧୯

0
108
advertisement

ନଟବର ଖୁଣ୍ଟିଆ

ଲେଖକ ଜଣେ ସ୍ଵାଧୀନ ଚେତା ସ୍ତମ୍ଭକାର। ସଦ୍ୟ ରାଜନୀତିକ ପରିସ୍ଥିତିରେ କୃଷି ଓ କୃଷକର ଅବସ୍ଥାକୁ ନେଇ ବିଶ୍ଳେଷଣାତ୍ମକ ପ୍ରବନ୍ଧ ଲେଖନ୍ତି। ଏଠଶରେ ଉପସ୍ଥାପନ କରାଯାଇଥିବା ମତାମତ ତାଙ୍କ ବ୍ୟକ୍ତିଗତ ଚିନ୍ତ ଆଧାରିତ।

ସ୍ଵାଧୀନୋତ୍ତର ଭାରତବର୍ଷରେ ବିଭିନ୍ନ ସମୟରେ ବିଭିନ୍ନ ସରକାରମାନେ ଆମର ଅନ୍ନଦାତା ଚାଷୀକୂଳକୁ ଯେତିକି ନ୍ୟାୟ ଦେବାକଥା ତାହା ଦେଇନାହାନ୍ତି। ଚାଷୀ କିନ୍ତୁ ତାର କର୍ତ୍ତବ୍ୟରେ ହେଳା କରିନାହିଁ। ଭାରତୀୟ କୃଷି ବିଜ୍ଞାନୀ ଓ ଚାଷୀକୂଳ କାନ୍ଧକୁ କାନ୍ଧ ମିଳାଇ ଖାଦ୍ୟଶସ୍ୟଠାରୁ ଆରମ୍ଭକରି ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ଉତ୍ପାଦନ ଏପରି ପରିମାଣରେ କରିଛନ୍ତି ଯେ, କ୍ରମ ବର୍ଦ୍ଧିଷ୍ଣ ଜନସଂଖ୍ୟାକୁ ଖାଦ୍ୟଶସ୍ୟ ଯୋଗାଇବାରେ ସମର୍ଥ ହୋଇଛନ୍ତି। ବିଦେଶରୁ ଖାଦ୍ୟଶସ୍ୟ ଆମଦାନୀ କରିବାକୁ ପଡ଼ୁନାହିଁ। ଭାରତପରି ବିଶ୍ଵର ଦ୍ଵିତୀୟ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶରେ ଯଦି ଆମେ ଖାଦ୍ୟଶସ୍ୟ ଆମଦାନୀ କରି ୧୨୫ କୋଟି ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଉଥାଆନ୍ତେ ତେବେ ଆମର ବୈଦେଶିକ ମୁଦ୍ରା ଥା’ନ୍ତା କି? କିନ୍ତୁ ଚାଷୀର ଅସୀମ ପରିଶ୍ରମ, ତ୍ୟାଗ ସତ୍ତ୍ଵେ ଏହି ସ୍ଥିତିକୁ ସମ୍ଭାଳିଥିବା କୃଷକର ଅର୍ଥନୀତିକ ସ୍ଥିତି ସ୍ଵାଧୀନତା ସମୟରେ ଯାହାଥିଲା ସ୍ଵାଧୀନତାର ସାତ ଦଶନ୍ଧି ପରେ ତାହା ମହରଗରୁ ଯାଇ କାନ୍ତାରରେ ପଡ଼ିବା ଭଳି ହୋଇଛି । ସମସ୍ତ ସରକାର କେବଳ ବଚନରେ ଦରିଦ୍ରତା ନଦେଖାଇ ଚାଷୀ ଦେଶର ମେରୁଦଣ୍ଡ କହିବା ବେଳେ ସରକାରୀ ନୀତି ଓ ବିଚାରରେ ମେରୁଦଣ୍ଡକୁ ଭାଙ୍ଗିବାରେ ଲାଗିଛନ୍ତି। ଫଳରେ ଚାଷୀ ଆତ୍ମହତ୍ୟା କରୁଛି। ଚାଷୀ ପରିବାର ଭଲ ଖାଇବାକୁ ପାଉନାହିଁ। ଭଲ ଘର ଖଣ୍ଡିଏ ନାହିଁ। ନିଲାକୁ ପାଠ ପଢ଼ାଇପାରୁନାହିଁ। ସ୍ଵାସ୍ଥ୍ୟସେବା ଦେଇପାରୁନି। ଅଥଚ ଶିଳ୍ପପତି, ବାଣିଜ୍ୟ ବ୍ୟବସାୟୀ, ସରକାରୀ କର୍ମଚାରୀ, ବେସରକାରୀ କର୍ମଚାରୀ, ରାଜନେତାମାନେ ସ୍ଵାଧୀନ ଭାରତରେ ସମସ୍ତ ସୁବିଧାସୁଯୋଗ ହାସଲ କରିଧନୀରୁ ଧନୀ ହେବାବେଳେ ଚାଷୀ ଗରିବରୁ ଗରିବ ହୋଇ ଚାଲିଛି। ଚାଷୀ ଏବେ ଅସହ୍ୟ ହେବରୁ ଧୀରେଧୀରେ ଏକଜୁଟ ହୋଇଛଇ। ଯାହା ଗୁଜରାଟ ନିର୍ବାଚନରେ ସାମାନ୍ୟ ଝଲକ ଦେଖାଗଲା। ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ନିର୍ବାଚନରେ ତା’ର ବର୍ଦ୍ଧିତ ରୂପ ପଡ଼ିଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ଜଣାପଡ଼ିଛି।

ବିରିମାଡ଼ ଦେଖି କୋଳଥ ଚେପା ହେବା ଭଳି ଆଜି ସମସ୍ତ ରାଜନୀତିକ ଦଳ ପ୍ରମାଦ ଗଣିଲେଣି। ଚାଷୀର ନ୍ୟାଯ୍ୟ ଦାବି ପ୍ରତି ଅବହେଳା କଲେ ଚାଷୀ ଭୋଟ ବାକ୍ସ ମାଧ୍ୟମରେ ତା’ର ଶକ୍ତି ପ୍ରଦର୍ଶନ କରିବ। ସୁତରାଂ, ୨୦୧୯ ବର୍ଷ ହେବ ଚାଷ ଓ ଚାଷୀର ବର୍ଷ। ସମାଜ ସମାଜ ଏବଂ ସମସ୍ତ ସରକାର ଚାଷୀକୁ ନ୍ୟାୟ ଦେବା ବ୍ୟତୀତ ଅନ୍ୟ ବିକଳ୍ପ ପାଇବେ ନାହିଁ।