ନଳିନୀ ପ୍ରଭାବ; ନଗେନ୍ଦ୍ର-ରମେଶ-ସଞ୍ଜିବ ଛାନିଆ

ଗତ ଅଗଷ୍ଟ ୨୭ ତାରିଖରେ ଓଡ଼ିଶାଟାଇମ ଡ଼ଟ କମ‍୍‌ ପକ୍ଷରୁ ନଳିନୀ ପ୍ରଧାନଙ୍କ ରାଜନୀତି ଇଛା ସମ୍ପର୍କରେ ସୂଚନ ଦିଆଯାଇଥିଲା। ସେ ଖୁବ‍୍‌ ଶୀଘ୍ର ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। ବର୍ଦ୍ଧିତ ଚାକିରି କାଳ ସରିବାର ମାସେ ପୂର୍ବରୁ ନଳିନୀ ପ୍ରଧାନ ସରକାରୀ ଚାକିରି ଛାଡ଼ିଛନ୍ତି। ନବୀନ ସରକାର ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ବାକି ରହିଲା ପୂର୍ବତନ ପୂର୍ତ୍ତ ସଚିବ କେବେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେବେ?

ଆଉ ଏକ କଳ୍ପନାଜଳ୍ପନା ପ୍ରକାଶ ପାଉଛି, ତାହା ହେଲା କେଉଁ ଆସନରୁ ନଳିନୀଙ୍କୁ ପ୍ରାର୍ଥୀ କରାଇବ ବିଜେଡ଼ି? ନଳିନୀ ପ୍ରଧାନ ଦୀର୍ଘଦିନ ଧରି ପୂର୍ତ୍ତ ସଚିବ ଥିଲେ। ଅବସର ପରେ ଦୁଇ ଦୁଇ ଥର ତାଙ୍କ ଚାକିରି କାଳ ବଢ଼ାଇଛନ୍ତି ନବୀନ ସରକାର। ଏଥିରୁ ଅନ୍ତତଃ ଗୋଟିଏ ବିଷୟ ସ୍ପଷ୍ଟ ଯେ, ସେ ସରକାରଙ୍କ ଅତି ଘନିଷ୍ଠ। ନହେଲେ ଏତେ ଅଧିକାରୀ ଥାଉ ଥାଉ ଅବସର ପରେ ନଳିନୀଙ୍କୁ ପୁନଃ ନିଯୁକ୍ତି କାହିଁକି ଦେଇଥାନ୍ତେ ସରକାର?

କିନ୍ତୁ ନଳିନୀ ଅତ୍ୟନ୍ତ ବିବାଦୀୟ ମଧ୍ୟ। ତାଙ୍କୁ ଶାସକ ଦଳର ପାଣ୍ଠି ସଂଗ୍ରାହକ ବୋଲି ସମସ୍ତେ ଆଙ୍ଗୁଳି ଦେଖାଇଥାନ୍ତି। ତାଙ୍କ କାର୍ଯ୍ୟକାଳ ଭିତରେ ଶତାଧିକ ପୋଲ ଭୁଶୁଡ଼ିବାରେ ରେକର୍ଡ଼ ହୋଇଛି। ନଳିନୀଙ୍କ ସମୟରେ ଅଧିକାଂଶ ବଡ଼ବଡ଼ ପୂର୍ତ୍ତ ପ୍ରକଳ୍ପ ଠିକଣା ସମୟରେ ଶେଷ ନ ହୋଇ ସରିବା ବେଳକୁ ତାର ବଜେଟ ବହୁ ପରିମାଣରେ ବୃଦ୍ଧି ପାଇଥାଏ। ବୋଧହୁଏ ଏହି ଗୁଣଗାରିମା ହିଁ ନଳିନୀ ପ୍ରଧାନ ବିଜେଡ଼ିରେ ସାମିଲ ହେବାରେ ସହାୟକ ହେବ।

ଏବେ ବିଜେଡ଼ିରେ ଅବସରପ୍ରାପ୍ତ ଅଧିକାରୀଙ୍କ ସଂଖ୍ୟା ପ୍ରବଳ। ସେମାନଙ୍କ ଯୋଗୁଁ ମୂଳ ନେତା ଘରଛଡ଼ା ହେବା ଆଶଙ୍କା ମଧ୍ୟ ବଢ଼ି ବଢ଼ି ଚାଲିଛି। ଏବେ ନଳିନୀ କାହା ଭାଗ୍ୟ ଆଗରେ କଣ୍ଟା ହେବାକୁ ଯାଉଛନ୍ତି ତାହା ହିଁ ବଡ଼ ପ୍ରଶ୍ନ?

ଗତ ଅଗଷ୍ଟ ମାସରେ ସମ୍ୱଲପୁରରେ ନଳିନୀଙ୍କ ଏକ ବ୍ୟାନର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମୁଖ୍ୟମନ୍ତ୍ରୀ, ବିଜୁ ବାବୁ ଏବଂ ଅନ୍ୟ କେତେଜଣ ବିଧାୟକଙ୍କ ଫଟୋ ଭିତରେ ବଡ଼ ଫଟୋଟି ଥିଲା ନଳିନୀଙ୍କର। ଏହି ବ୍ୟାନରରେ ଲୋକସଭା ସଦସ୍ୟ ନଗେନ୍ଦ୍ର ପ୍ରଧାନଙ୍କର ଫଟୋ ନଥିଲା। ତେଣୁ ଲୋକ ଭାବିବା ଆରମ୍ଭ କରିଦେଇଥିଲେ ଯେ, ଏହା ହେଉଛି ନଳିନୀଙ୍କ ଲୋକସଭା କସରତ। କିନ୍ତୁ ଏବେ ଅନେ ବିକଳ୍ପ ସାମ୍ନାକୁ ଆସୁଛି। ନଳିନୀଙ୍କୁ ନବୀନ ନଗେନ୍ଦ୍ରଙ୍କ ସ୍ଥାନରେ ଲୋକସଭା ପାଇଁ ଟିକେଟ ଦେବେ କି?

ଏଭଳି ଅଟକଳର କାରଣଟି ହେଲା, ନଗେନ୍ଦ୍ର ପ୍ରଧାନ ଏବେ ବିଜେଡ଼ି ମୁଖିଆଙ୍କ ସୁନଜରରେ ନଥିବାରୁ ଏଥର କଟିବା ସମ୍ଭାବନା ଅଧିକ।

ଅନାଥଙ୍କ ଶବ ବୋହୁଛନ୍ତି ବିଧାୟକ ରମେଶ ପାଟୁଆ

କିନ୍ତୁ ନଳିନୀଙ୍କର ଇଛା ଦିଲ୍ଲୀ ନୁହେଁ। ଓଡ଼ିଶାରେ ବରଂ ମନ୍ତ୍ରୀ ହେଲେ ଲାଭ ହିଁ ଲାଭ। ତେଣୁ ଅନେକ ମନେ କରନ୍ତି, ସମ୍ୱଲପୁର ଲୋକସଭା ଆସନ ପାଇଁ ଅନ୍ୟ କାହାକୁ ବାଛିପାରନ୍ତି ନବୀନ। କିନ୍ତୁ ନଳିନୀଙ୍କୁ ବିଧାନସଭା ପଠାଇବା ଲାଗି ଚାହିଁବେ ମୁଖ୍ୟମନ୍ତ୍ରୀ। ସେଥିପାଇଁ ନବୀନଙ୍କ ପାଖରେ ଦୁଇଟି ବିକଳ୍ପ ଅଛି। ଗୋଟିଏ ହେଲା ରେଙ୍ଗାଳି ଏବଂ ଅନ୍ୟଟି ଆଠମଲିକ। ଉଭୟ ଆସନ ବିଜୁ ଜନତା ଦଳ ହାତରେ ଅଛି। ରେଙ୍ଗାଳିରୁ ଗତ ଥର ବିଜେଡ଼ିର ରମେଶ ପଟୁଆ ସ୍ୱଳ୍ପ ଭୋଟ ବ୍ୟବଧାନରେ ବିଜେପିର ନାଉରୀ ନାୟକଙ୍କୁ ହରାଇ ନିର୍ବାଚିତ ହୋଇଥିଲେ। ଭୋଟ ବ୍ୟବଧାନ ୨ହଜାରରୁ ବି କମଥିଲା। ତେଣୁ ରେଙ୍ଗାଳିରୁ ରମେଶଙ୍କୁ ଏଥର ଟିକଟ ନଦେଇ ନଳିନୀଙ୍କୁ ପ୍ରାର୍ଥୀ କରିପାରନ୍ତି ନବୀନ।

ଆଉ ଜଣେ ସଫ୍ଟ ଟାର୍ଗେଟ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ। ସଞ୍ଜୀବ ଓଜିପିରୁ ଆସି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ଗତଥର ସେ ପ୍ରାୟ ୨୦ହଜାର ଭୋଟ ବ୍ୟବଧାନରେ କଂଗ୍ରେସର ସୁରେନ୍ଦ୍ର ପ୍ରଧାନଙ୍କୁ ହରାଇ ଦେଇଥିଲେ। ତାଙ୍କୁ ହଟାଇ ଆଠମଲ୍ଲିକରୁ ନଳିନୀଙ୍କୁ ପ୍ରାର୍ଥୀ କରିପାରନ୍ତି ନବୀନ ପଟ୍ଟନାୟକ।

ତେବେ ଏସବୁ ସମ୍ଭାବନା ଏବଂ ଆଶଙ୍କ ଭିତରେ ଗୋଟିଏ ବିଷୟକୁ ନେଇ କାହାର ସନ୍ଦେହ ନାହିଁ ଯେ, ବିବାଦୀୟ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ବିଜୁ ଜନତା ଦଳ ଟିକଟରେ ଲଢ଼ିବାକୁ ଯାଉଛନ୍ତି। ତାଙ୍କ ପାଇଁ ନଗେନ୍ଦ୍ର, ରମେଶ ଏବଂ ସଞ୍ଜୀବଙ୍କ ମଧ୍ୟରୁ କିଏ ବଳି ପଡ଼ିବ, ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published.