ନାଗେଶ୍ୱର ଜରିମାନା ଦେବେ,ଦିନ ସାରା କୋର୍ଟରେ ବସି ରହିବେ: ସୁପ୍ରିମକୋର୍ଟ
ବିହାରର ମୁଜାଫରପୁର ସେଲ୍ଟର ହୋମ୍ ଯୌନ ଉତ୍ପୀଡ଼ନ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରିଥିବା ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ତଥା ଓଡ଼ିଶା କ୍ୟାର୍ଡର ଆଇପିଏସ୍ ଏମ୍. ନାଗେଶ୍ୱର ରାଓଙ୍କୁ ଦଣ୍ଡ ଦେଇଛନ୍ତି ସୁପ୍ରିମ୍କୋର୍ଟ। ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଅସ୍ଥାୟୀ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କୁ ଅଦାଲତ ଅବମାନନା ଲାଗି ଦୋଷୀ ସାବସ୍ତ୍ୟ କରି ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ କହିଛନ୍ତି। ଜରିମାନା ଛଡ଼ା, ଆଜି ଦିନର କାର୍ଯ୍ୟ ଶେଷ ହେବା ଯାଏଁ ଅଦାଲତର ଗୋଟାଏ କୋଣରେ ବସି ରହିବାକୁ ତାଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ନିର୍ଦ୍ଦେଶ ଦେଇଛନ୍ତି। ନାଗେଶ୍ୱର ରାଓଙ୍କ ସହିତ ଏସ୍ ଭସୁରଣ ନାମକ ଆଉ ଜଣେ ଅଧିକାରୀଙ୍କୁ ବି ଏହି ସମାନ ଦଣ୍ଡ ଦେଇଛନ୍ତି ସୁପ୍ରିମ୍କୋର୍ଟ।
ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଲ କହିଥିଲେ ଯେ ଯଦି ଆପଣ ନାଗେଶ୍ୱର ରାଓଙ୍କ ବିରୋଧରେ କୌଣସି ଦଣ୍ଡ ଶୁଣାଇବେ, ତା’ହେଲେ ତାଙ୍କ କ୍ୟାରିଅର ଖରାପ ହୋଇଯିବ। ସେ ଗତ ୩୨ ବର୍ଷ ହେଲାଣି କାର୍ଯ୍ୟ କରୁଛନ୍ତି। ଏହା ଶୁଣିବା ପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଥିଲେ ଯେ ନାଗେଶ୍ୱର ରାଓ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି। ତେଣୁ ତାଙ୍କ କ୍ୟାରିଅରରେ ଦାଗ ଲାଗିଲା।
ସୂଚନାଯୋଗ୍ୟ, ଏମ୍ ନାଗେଶ୍ୱର ରାଓ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଥିବା ବେଳେ ମୁଜାଫରପୁର ସେଲ୍ଟର ହୋମ୍ ଯୌନ ଉତ୍ପୀଡ଼ନ ମାମଲାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଏକେ ଶର୍ମାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ବିନା ବଦଳି କରିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟ ଶ୍ରୀ ରାଓଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ଏହି ମାମଲାର ଶୁଣାଣି ଆଜି କରାଯିବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଥିଲେ। ଏଥିପାଇଁ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍ ଦିଆଯାଇଥିଲା।
ଗତକାଲି ଶ୍ରୀ ରାଓ ଏକ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ସେ ନିଜ ସତ୍ୟପାଠରେ ଲେଖିଥିଲେ, ମୁଁ ମୋର ଭୁଲ ବୁଝି ପାରିଛି। ତେଣୁ ଏବେ ନିଃସର୍ତ୍ତ କ୍ଷମା ମାଗୁଛି। ମୁଁ କେବେ ହେଲେ ଜାଣିଶୁଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିନାହିଁ। ମୁଁ କୋର୍ଟଙ୍କ ନିର୍ଦ୍ଦେଶକୁ ମାନିବି ନାହିଁ ବୋଲି କେବେ ସ୍ୱପ୍ନରେ ବି ଚିନ୍ତା କରିନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିନା ମୁଁ ସିବିଆଇ ଅଧିକାରୀ ଏକେ ଶର୍ମାଙ୍କ ବଦଳି କରିବାର ନଥିଲା।