ବିଜେପିର ଅଳ୍ପସଂଖ୍ୟକ ତୁଷ୍ଟୀକରଣ ଆରମ୍ଭ
କଂଗ୍ରେସ ଅଳ୍ପସଂଖ୍ୟକ ତୁଷ୍ଟୀକରଣ ରାଜନୀତି କରୁଛି ବୋଲି ଯେଉଁ ବିଜେପି ଦଳ ବାରମ୍ୱାର ଅଭିଯୋଗ କରିଆସିଥିଲା, ଏବେ ସେହି ମୋହରେ ବିଜେପି ପଡିଛି। ଅଳ୍ପସଂଖ୍ୟକମାନଙ୍କୁ ନିଜର ଭୋଟବ୍ୟାଙ୍କରେ ପରିଣତ କରିବା ପାଇଁ ଆଗାମୀ ୫ବର୍ଷ ମଧ୍ୟରେ ୫କୋଟି ଛାତ୍ରଙ୍କୁ ପାଠପଢ଼ିବା ଉଦ୍ଦେଶ୍ୟରେ ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭି ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ସୂଚନା ଦେଇ ନକ୍ଭି କହିଛନ୍ତି ଯେ, ଦେଶରେ ସମାବେଶୀ ବିକାଶ ପାଇଁ ମୋଦି ସରକାର କାମ କରୁଛି। ଦେଶରେ ଅଳ୍ପସଂଖ୍ୟକମାନେ ବହୁସଂଖ୍ୟାରେ ଅଛନ୍ତି। ସେମାନଙ୍କର ଶିକ୍ଷା, ସାମାଜିକ ଓ ଆଥିର୍କ ସଶକ୍ତିକରଣ ପାଇଁ ମୋଦି ସରକାର ପଦକ୍ଷେପ ନେଉଛନ୍ତି। ତେଣୁ ଏହି କ୍ରମରେ ଆଗାମୀ ୫ବର୍ଷ ମଧ୍ୟରେ ଦେଶର ୫କୋଟି ଅଳ୍ପସଂଖ୍ୟକ ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ୱୀ କରିବା ଉଦ୍ଦେଶ୍ୟରେ ଛାତ୍ରବୃତ୍ତି ପ୍ରଦାନ କରାଯିବ। କେବଳ ସେତିକି ନୁହେଁ, ଏହି ଅଳ୍ପସଂଖ୍ୟକ ଛାତ୍ରମାନଙ୍କର ସ୍କିଲ୍ ଡେଭଲପମେଣ୍ଟ କରାଯାଇ ସେମାନଙ୍କୁ ରୋଜଗାର ଯୋଗାଇ ଦିଆଯିବ। ମଦ୍ରାସାରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରିବା ପାଇଁ ତାଙ୍କ ମନ୍ତ୍ରାଳୟ କାମ କରୁଛି ବୋଲି ନକ୍ଭି ସୂଚନା ଦେଇଛନ୍ତି।
ଏହି ଯୋଜନାରେ ଅଳ୍ପସଂଖ୍ୟକ ବର୍ଗର ସ୍କୁଲ ପାଠପଢ଼ା ଛାଡିଥିବା ଛାତ୍ରୀମାନଙ୍କୁ ଦେଶର ପ୍ରତିଷ୍ଠିତ ଶିକ୍ଷା ସଂସ୍ଥାନମାନଙ୍କରେ ପ୍ରଶିକ୍ଷଣ ଦିଆଯାଇ ରୋଜଗାରକ୍ଷମ କରାଯିବ। କେବଳ ସେତିକି ନୁହେଁ, ମଦ୍ରାସାରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ସଂସ୍ଥାରେ ପ୍ରଶିକ୍ଷିତ କରାଯିବ। ଉଦ୍ଦୁର୍ ସହିତ ଏହି ଶିକ୍ଷକମାନେ ଯେପରି ହିନ୍ଦୀ, ଇଂରାଜୀ, ଗଣିତ, ବିଜ୍ଞାନ, କମ୍ପ୍ୟୁଟର ଆଦି ପିଲାଙ୍କୁ ପଢ଼ାଇପାରିବେ ସେ ଦିଗରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।