ମୌସୁମୀ ପ୍ରଥମ ବର୍ଷାରେ ମୁମ୍ବାଇ ବେହାଲ, ଲୋକାଲ ଟ୍ରେନ ସେବା ଠପ, ବସ୍ ମାର୍ଗ ବଦଳାଇଲେ ‘ବେଷ୍ଟ’

ମୁମ୍ବାଇ, (ଓଡ଼ିଶା ଟାଇମ୍): ଦକ୍ଷିଣ-ପଶ୍ଚିମ ମୌସୁମୀ ମହାରାଷ୍ଟ୍ର ପହଞ୍ଚିସାରିଛି। ମୌସୁମୀ ପ୍ରଭାବରେ ବୁଧବାର ସକାଳୁ ମୁମ୍ବାଇ ସମେତ ଉପନଗରୀୟ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରି କରିଛନ୍ତି। ବର୍ଷା ଯୋଗୁ ନିମ୍ନାଞ୍ଚଳରେ ପାଣି ଭରିବା ଯୋଗୁ କେତେକ ରାସ୍ତାରେ ଯାନବାହନ ଚଳାଚଳ ବାଧିତ ହୋଇଛି। ସେହପରି ଟ୍ରେନ ଲାଇନ ବର୍ଷାପାଣିରେ ବୁଡ଼ିବା ଯିବାରୁ ଲୋକାଲ ଟ୍ରେନ ସେବା ମଧ୍ୟ ପ୍ରଭାବିତ ହୋଇଛି।

ଆଇଏମଡି ବୁଧବାର ମୁମ୍ବାଇ ସମେତ ପଡୋଶୀ ଠାଣେ, ପାଲଘର ଓ ରାୟଗଡ଼ ଜିଲ୍ଲା ଲାଗି ରେଡୱାର୍ଣ୍ଣିଂ ଜାରି କରିଛନ୍ତି। ଏଥିରେ କେତେକ ସ୍ଥାନରେ  ପ୍ରବଳରୁ  ପ୍ରବଳ ବର୍ଷା ନେଇ ସତର୍କ କରାଯାଇଥିବା ବେଳେ ଖାଲୁଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ମୁମ୍ବାଇ ଓ ଉପନଗରରେ ଗତ ୩ ଘଣ୍ଟାରେ ମଧ୍ୟମରୁ ଭୀଷଣ ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ସତର୍କତାରେ ମୁମ୍ବାଇ ଓ ଆଖପାଖ ଅଞ୍ଚଳରେ ଆଗାମୀ ୨ରୁ ୩ ଦିନ ଧରି ମଧ୍ୟମରୁ ଭୀଷଣ ବର୍ଷା ଆଶଙ୍କା କରାଯାଇଛି।

ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନାରୁ ମୁମ୍ବାଇ ଛତ୍ରପତି ଶିବାଜି ମହାରାଜା ଟର୍ମିନସ (ସିଏସଏମଟି)ରୁ ଠାଣେ ଓ ନଭି ମୁମ୍ବାଇର ବସୀ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଲୋକାଲ ଟ୍ରେନଗୁଡିକୁ ରେଳ ଧାରଣାରେ ପାଣି ଚାଲିବା ଯୋଗୁ ବାତିଲ କରାଯାଇଛି। ସେହିପରି ସଡକ ପାଣିରେ ବୁଡ଼ିବା ଯୋଗୁ ବସ୍‌ ମାନଙ୍କର ମାର୍ଗ ପରିବର୍ତ୍ତନ କରିଛନ୍ତି ବେଷ୍ଟ।   ପାଣିପାଗ ବିଭାଗ ସୂଚନା ଅନୁସାରେ ସାନ୍ତାକ୍ରୁଜରେ ସକାଳ ସାଢେ ୮ଟାରୁ ଅପରାହ୍ନ ଅଢେଇଟା ମଧ୍ୟରେ ସର୍ବାଧିକ ୧୬୪.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଆର୍ଥିକ ନଗରରେ ବର୍ଷା ସହ ପୁଣେସ୍ଥିତ ଜଳବାୟୁ ଗବେଷଣା ଓ ସେବା ପକ୍ଷରୁ ମୁମ୍ବାଇ, ଠାଣେ ଓ ପାଲଘରରେ ମୌସୁମୀ ସକ୍ରିୟ ହୋଇଥିବା ଘୋଷଣା କରାଯାଇଛି। ତେବେ ମୌସୁମୀ ବୁଧବାର ଗୁଜରାଟର ବଲସାଡ, ମହାରାଷ୍ଟ୍ରର ନାଗପୁର ଓ ଭଦ୍ରାଚଳମର ତୁନି ଦେଇ ଅଗ୍ରସର ହେଉଥିବା ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ବାକି ଅଞ୍ଚଳକୁ ଆଗାମୀ ୨ରୁ ୩ ଦିନରେ ମୌସୁମୀ ପହଞ୍ଚି ଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।

Leave a Reply

Your email address will not be published.