ବୁଲୁଛି ‘ଅଶୋକ’ ଚିହ୍ନିତ ସାଂସଦଙ୍କ କାର୍‌

ଭୁବନେଶ୍ଵର, (ଓଟି): ଖୋଲାଖୋଲି ଭାବେ ଜଣେ ସାଂସଦ ଭାରତର ଜାତୀୟ ସଙ୍କେତ ନିୟମ ୨୦୦୭କୁ ଉଲ୍ଲଙ୍ଘନ କରୁଛନ୍ତି। ତାହା ପୁଣି ତାଙ୍କ ବ୍ୟବହୃତ ଗାଡ଼ିରେ ‘ଅଶୋକ’ ଚିହ୍ନକୁ ବ୍ୟବହାର କରି। ରାଜ୍ୟର ଆଉ କୌଣସି ସ୍ଥାନରେ ନୁହେଁ ରାଜଧାନୀ ସହର ଭୁବନେଶ୍ଵରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଧଳା ରଙ୍ଗର ଇନୋଭା ଗାଡ଼ିରେ ସାଂସଦ ଯାଉଥିବା ଦର୍ଶାଇ ସେଥିରେ ଅଶୋକ ଚିହ୍ନକୁ ପ୍ରଦର୍ଶନ କରାଯାଇଛି। ସୋଶାଲ୍‌ ମିଡିଆରେ ଏହି ଗାଡ଼ିର ଫଟୋ ଘୁରି ବୁଲିବା ପରେ ଏବେ ସେ ସାଂସଦ କିଏ ତାଙ୍କ ବାବଦରେ ଜାଣିବାର ଉତ୍ସୁକତା ବଢ଼ିଛି। 

ଗାଡ଼ିର ନମ୍ବର ଯାହା ଉଲ୍ଲେଖ ରହିଛି ସେଥିରୁ ଜଣାପଡ଼ୁଛି ଯେ ଏହା ଜଣେ କେହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗାଡ଼ି। ଯଦିଓ ଏଥିରେ ସାଂସଦଙ୍କ ଗାଡ଼ି ବୋଲି ଉଲ୍ଲେଖ ରହିଛି କିନ୍ତୁ ବାହାନ୍‌ ଓ୍ବେବ୍‌ସାଇଟ୍‌ରୁ ଏ ଗାଡ଼ି କୌଣସି ସାଂସଦଙ୍କ ନାମରେ ନଥିବା ଜଣପେଡ଼ିଛି। ଏଣୁ ପ୍ରଶ୍ନ ଉଠିବା ସ୍ଵଭାବିକ ଯେ ଏହି ଚିହ୍ନକୁ କ’ଣ ସମ୍ପୃକ୍ତ ଗାଡ଼ି ମାଲିକ ବେଆଇନ ଭାବେ ସାଂସଦଙ୍କ ନାଁରେ ବ୍ୟବହାର କରି ଫାଇଦା ଉଠାଉଛନ୍ତି?

ଗାଡ଼ିଟି ଭୁବନେଶ୍ଵରରେ ଘୁରି ବୁଲୁଛି। ଏଣୁ ଭୁବନେଶ୍ଵରରେ ରହୁଥିବା କେହି ସାଂସଦଙ୍କର ଏହା ହୋଇପାରେ ବୋଲି ଚର୍ଚା ହେଉଛି। ତେବେ ଏ ଗାଡ଼ିଟି କାହାର ତାହା ଜଣାପଡ଼ି ନାହିଁ।

କାହାଗାଡ଼ିରେ ଲାଗିପାରିବ ଅଶୋକ ଚିହ୍ନ

 ଅକ୍ଟୋବର୪ ୨୦୦୭ରେ ପ୍ରକାଶିତ ଗେଜେଟ୍‌ ବିଜ୍ଞପ୍ତିର ଦ୍ଵିତୀୟ ଅନୁଚ୍ଛେଦରେ କେଉଁ ଧରଣର ବ୍ୟକ୍ତି ବା ଅନୁଷ୍ଠାନ ଅଶୋକ ଚିହ୍ନ ଥିବା ଗାଡ଼ିକୁ ବ୍ୟବହାର କରିପାରିବେ ତାହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଗୃହ ମନ୍ତ୍ରଣାଳୟ ଦ୍ଵାରା ଏହା ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଭାରତର ରାଷ୍ଟ୍ରପତିଭବନ ଦ୍ଵାରା ବ୍ୟବହୃତ କାର୍‌ ଗୁଡ଼ିକରେ ଏହି ଚିହ୍ନ ବ୍ୟବହାର କରାଯାଇପାରିବ ଯେତେବେଳେ ସେଥିରେ ରାଷ୍ଟ୍ରପତି ବା କୌଣସି ବିଦେଶୀ ରାଷ୍ଟ୍ରର ମୁଖ୍ୟ ଯାତ୍ରା କରୁଥିବେ। ବିଦେଶୀ ରାଷ୍ଟ୍ରର ଉପ ରାଷ୍ଟ୍ରପତି ବା ସେହି ପାହ୍ୟାର ନେତୃବୃନ୍ଦଙ୍କ ଯାତ୍ରା ବେଳେ ଏହି କାର୍‌ରେ ଅଶୋକ ଚିହ୍ନି ଲାଗିପାରିବ। ଠିକ୍‌ ସେହିଭଳି ଉପ ରାଷ୍ଟ୍ରପତି ବା ତାଙ୍କ ପତ୍ନୀ ଯାତ୍ରା କରୁଥିବା ସମୟରେ ଏହିଭଳି ଚିୖ୍ନ ଥିବା ଗାଡ଼ି ବ୍ୟବହାର କରାଯାଇପାରେ। 

ରାଜଭବନଗୁଡ଼ିକ ଦ୍ଵାରା ବ୍ୟବହୃତ କାର୍‌ ଯେତେବେଳେ ତାହା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ଉପ ରାଜ୍ୟପାଳ, କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଅତିଥି ବା ସେହି ପାହ୍ୟାର ଅତିଥିଙ୍କ ଯିବା ଆସିବାରେ ଏହିପରି ଅଶୋକ ଚିହ୍ନିତ କାର୍‌ ବ୍ୟବହାର କରାଯାଇପାରିବ। 

ଏହାବାଦ୍‌ ଯେଉଁ କାର୍‌ ଗୁଡ଼ିକ କୌଣସି ବିଦେଶ ରାଷ୍ଟ୍ରରେ ଭାରତୀୟ ମିଶନ ପରିଚାଳନାରେ ବ୍ୟବହାର କରାଯାଉଥିବା ବା କୌଣସି ରାଷ୍ଟ୍ରର କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀଙ୍କଠାରୁ ଉର୍ଦ୍ଧ ପାହ୍ୟାର ନେତାଙ୍କୁ ପରିବହନ ପାଇଁ ଗୃହ ମନ୍ତ୍ରଣାଳୟ ଦ୍ଵାରା ବ୍ୟବହାର କରାଯାଉଥିବ ସେଥିରେ ଏହିଭଳି କାର ବ୍ୟବହାର କରାଯାଇପାରିବ। 

ସାଂସଦଙ୍କୁ ଅନୁମତି ନାହିଁ

ନିୟମର କୌଣସି ସ୍ଥାନରେ ସାଂସଦଙ୍କୁ ଅଶୋକ ଚିହ୍ନିତ କାର୍‌ ବ୍ୟବହାରର ଅନୁମତି ନାହିଁ। ଏଣୁ ଏଭଳି ଏକ ଅପରାଧ ଯାହା ରାଷ୍ଟ୍ରର ମର୍ଯ୍ୟାଦା ଓ ସମ୍ମାନକୁ ଆଘାତ ଦେଉଛି ତାହା କିପରି ଜଣେ ଜନ ପ୍ରତିନିଧି ବୁଝି ପାରିଲେ ନାହିଁଁ। କୁହାଯାଉଛି ଏହି ସାଂସଦ ଜଣକ ଶାସକ ଦଳର କେହି ଜଣେ ଗୁରୁତ୍ଵପୂଣ୍ଣ ନେତା। ଏଣୁ  ନିର୍ଭୟରେ ଏପରି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି! 

 

Leave a Reply

Your email address will not be published.