ତାରା ଦେବୀଙ୍କ ଶରଣରେ ବିଧାୟକ!

ନିର୍ବାଚନ ବିଗୁଲ ବାଜିବା ପରେ ଟିକଟ ଆଶାୟୀଙ୍କ ଛାତି ଧଡ ଧଡ। ସବୁ ଦଳରେ ଆଶାୟୀ ନେତାଙ୍କ ମନରେ ଛନକା ପଶିଛି। ଅନେକ ନେତା ଟିକଟ ମିଳିବ ନା କଟିଯିବ ଏହାକୁ ନେଇ ଆଶଙ୍କାରେ ଅଛନ୍ତି। ସବୁଠୁ ଅଧିକ ଶାସକ ଦଳ ବିଜେଡିର ବିଧାୟକମାନେ ଆଶଙ୍କାରେ ରହିଛନ୍ତି। ପାଖାପାଖି ୪୦ ଜଣ ବିବାଦୀୟ ବିଧାୟକଙ୍କ ଟିକଟ କଟି ଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ବିଜେଡି ପ୍ରାଥୀର୍ ତାଲିକା ସାମାଜିକ ଗଣମାଧ୍ୟମରେ ବି ଘୁରି ବୁଲୁଛି। ଏହି ତାଲିକାର ସତ୍ୟତା କେତେ ତାହା ସଠିକ‌୍‍ ଜଣାପଡି ନାହିଁ, କିନ୍ତୁ ଅନେକ ବିଜେଡି ବିଧାୟକ ଦଳୀୟ ଟିକଟ ପାଇବା ନେଇ ଭୟ ଓ ଆଶଙ୍କା ମଧ୍ୟରେ ରହିଛନ୍ତି।

କିଏ କେଉଁ ଉପାୟରେ ଦଳୀୟ ଟିକଟ ହାତେଇବ ସେ ନେଇ ପୁରା ଯୋଜନାରେ ଲାଗିପଡିଛନ୍ତି। ଏଥିପାଇଁ ବିଜେଡିର ଦୁଇ ଜଣ ଟାଣୁଆ ବିଧାୟକ ତାରା ଦେବୀଙ୍କ ଶରଣ ପଶିଛନ୍ତି। ଚିଟଫଣ୍ଡ ମାମଲାରେ ସିବିଆଇ ସମନ ପାଇଥିବା ଏହି ଦୁଇ ବିଧାୟକ ହେଲେ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ଦୁଇ ବିଧାୟକ ପ୍ୟାରୀଙ୍କ ଏକାନ୍ତ ଅନୁଗତ ଥିଲେ।

ଏଥର ନିର୍ବାଚନରେ ସିବିଆଇ ସ୍କାନରରେ ଥିବା ନେତାଙ୍କୁ ବିଜେଡି ମୁଖିଆ ଟିକଟରୁ ବାଦ ଦେବେ ବୋଲି ହେଉଥିବା ଚର୍ଚ୍ଚା ଉଭୟଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିବା କୁହାଯାଉଛି। ଗତ ନିର୍ବାଚନରେ ବିଜେଡି କେନ୍ଦ୍ରାପଡା ଜିଲ୍ଲାର ୩ ବିଧାନସଭା ଆସନ ଦଖଲ କରିଥିଲା। ଜିଲ୍ଲା ରାଜନୀତିରେ ସବୁଠୁ କ୍ଷମତାଶାଳୀ ଥିଲେ ବିଧାୟକ ଅତନୁ ସବ୍ୟସାଚୀ ନାୟକ।

ଏବେ କିନ୍ତୁ ତାଙ୍କୁ ଚିଟ‌୍‍ଫଣ୍ଡ ଅଭିଯୋଗରେ ସିବିଆଇ ନୋଟିସ ଅଡୁଆରେ ପକାଇ ଦେଇଛି। ଏଥିସହିତ ରାଜନୀତିରେ ଅତନୁଙ୍କ କଟର ବିରୋଧୀ କୁହାଯାଉଥିବା କେନ୍ଦ୍ରାପଡା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ସାମିଲ ହେବା ପରେ ମହାକାଳପଡାର ବିଧାୟକ ଶ୍ରୀ ନାୟକ ଆହୁରି ଚିନ୍ତିତ ହୋଇପଡିଛନ୍ତି। ସିବିଆଇ କେଶ ପାଇଁ ଟିକଟ କଟିବା ଭୟ। ପୁଣି ବୈଜୟନ୍ତ ପଣ୍ଡା ଅତନୁଙ୍କ ବିଜୟ ପଥରେ ରୋକ ଲଗାଇବା ଯୋଜନାରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ବିଧାୟକ ଅତନୁ ତାରା ଦେବୀଙ୍କ ଶରଣ ପଶିଛନ୍ତି।

ପଶ୍ଚିମବଙ୍ଗର ପ୍ରସିଦ୍ଧ ଦେବୀ ପୀଠ ହେଉଛି ତାରା ଦେବୀ। କୋଲକାତାରୁ ପ୍ରାୟ ୧୫୦ କି.ମି ଦୂର ଆସାମ ଓ ପଶ୍ଚିମବଙ୍ଗ ସୀମାନ୍ତ ନିକଟରେ ରହିଛି ଏହି ପୀଠ। ଏହି ପୀଠରେ ତନ୍ତ୍ର ପୂଜା ପାଇଁ ଭାରତରେ ଖ୍ୟାତି ରହିଛି। ବିଧାୟକ ଟିକଟ ପାଇବା ଓ ବିଜୟୀ ହେବା ଆଶାରେ ତାରା ଦେବୀଙ୍କ ଦର୍ଶନ କରିବା ସହିତ ତନ୍ତ୍ର ପୂଜା କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ସେହିପରି ଅରୁଣ ସାହୁ ମଧ୍ୟ ତାରା ଦେବୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରି ଫେରିଛନ୍ତି। ନୟାଗଡରେ ତାଙ୍କ ସ୍ଥିତି ମଧ୍ୟ ଦୋହଲିଯାଇଛି। ଏଥିପାଇଁ ଗତ ମଙ୍ଗଳବାର ଏକାଠି ତାରା ଦେବୀଙ୍କ ଦର୍ଶନ ଓ ପୂଜା ସାରି ଉଭୟ ବିଧାୟକ ଫେରିଥିବା କୁହାଯାଉଛି। ତେବେ ଦେବୀ ପୂଜା ଏହି ଦୁଇ ବିଧାୟକଙ୍କ ଭାଗ୍ୟରେ କି ପରିବର୍ତ୍ତନ ଆଣୁଛି ତାହା ନିର୍ବାଚନ ପରେ ଜଣାପଡିପାରେ।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ:

Leave a Reply

Your email address will not be published.