ମି-ଠୁ ଅଭିଯୋଗକୁ ନେଇ ଚିନ୍ତିତ ଥିଲେ ସୁଶାନ୍ତ!

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଏଭଳି ସମୟରେ ସୁଶାନ୍ତ ମି-ଠୁ ଅଭିଯୋଗକୁ ନେଇ ଚିନ୍ତିତ ଥିଲେ ବୋଲି କହିଛନ୍ତି ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ।

ଏନଡିଟିଭିର ରିପୋର୍ଟ ମୁତାବକ ରିୟା କହିଛନ୍ତି ଯେ ୨୦୧୮ ମସିହାରେ ସୁଶାନ୍ତଙ୍କ ଉପରେ ମି-ଠୁ ଅଭିଯାନରେ ଯୌନ ଶୋଷଣର ଅଭିଯୋଗ ଲଗାଯାଇଥିଲା । ଦିଲ୍ ବିଚାରା ଫିଲ୍ମର କୋ-ଷ୍ଟାର ସଞ୍ଜନା ସାଂଘିଙ୍କ ସହ ଅସଦାଚରଣ ନେଇ କଥା ଉଠିଥିଲା ।

ଯେଉଁଥିପାଇଁ ସୁଶାନ୍ତ ଖୁବ୍ ଚିନ୍ତିତ ରହୁଥିବା ବେଳେ ସଞ୍ଜନାଙ୍କ ପଛରେ ଆଉ କେହି ରହି ତାଙ୍କୁ ଫସାଉ ଥିଲେ ବୋଲି ସେ ଭାବୁଥିଲେ । ହେଲେ ସେମାନେ କିଏ ବୋଲି ମୋତେ ଜଣାନାହିଁ କହିଛନ୍ତି ରିୟା ।

ରିୟା ଆହୁରି ମଧ୍ୟ କହିଛନ୍ତି ବଲିଉଡ୍ ଇଣ୍ଡଷ୍ଟ୍ରି ଖୁବ୍ ସଂର୍ଘଷପୂର୍ଣ୍ଣ । ସୁଶାନ୍ତ ଭଲ କାମ କରିଥିଲେ ବି ତାଙ୍କୁ କିଛି ଆୱାର୍ଡ ମିଳିନାହିଁ । ଯାହାକୁ ନେଇ ସେ ଚିନ୍ତିତ ରହୁଥିଲେ । ସେ ଭାବୁଥିଲେ ଏମିତି କାମ କରିବାର କି ଲାଭ ଯେଉଁଥିରେ ତାଙ୍କୁ କେହି ଧ୍ୟାନ ଦେଉ ନାହାଁନ୍ତି ।

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଭାର ସମ୍ଭାଳି ଥିବା ବେଳେ ସିଦ୍ଧାର୍ଥ ପିଠାନି, ସେମୁଏଲ୍ ମିରାଣ୍ଡା, ହାଉସକିପର ଓ ରୋଷେୟା ନୀରଜକୁ ଜେରା କରିଛି ।

ଏପରିକି ଇଡି ପକ୍ଷରୁ ରିୟାଙ୍କ ଫୋନ୍ ଯାଞ୍ଚ ପରେ ହ୍ୱାଟ୍ସଆପ୍ ମେସେଜରୁ ତାଙ୍କର ଡ୍ରଗ୍ସ ଲିଙ୍କ ଥିବା ଘଟଣା ସମ୍ମୁଖକୁ ଆସିଛି । ଯାହାକୁ ନେଇ ଇଡି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)ର ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଘଟଣାରେ ଏନସିବି ନିଜ ଆଡୁ ଏକ ମାମଲା ରୁଜୁ କରିଛି ।

ନିକଟରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ପିତା କେେ କେ ସିଂହ ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ପାଟନା ଥାନାରେ ଏଫଆଇଆର୍ ମଧ୍ୟ କରିଥିଲେ । ଏପରିକି ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଥିଲେ ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published.