ଟିକଟ ଦାବିରେ ଗେଟରେ ତାଲା ପକାଇଲା ମହିଳା କଂଗ୍ରେସ

ରାଜନୀତିରେ ଘଡିକେ ଘୋଡା ଛୁଟୁଛି। କିଏ କେତେବେଳେ କେଉଁ ଦଳରେ ଯୋଗ ଦେଉଛି ତ କିଏ ଦଳ ଛାଡୁଛି। ଏଭଳି ସ୍ଥିତିରେ ରାଜ୍ୟର ତିନି ପ୍ରମୁଖ ଦଳ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି। ଏବେ ବି କିଛି ଆସନର ପ୍ରାର୍ଥୀ ଘୋଷଣା ଝୁଲିକି ରହିଛି। ତେବେ ଏଭଳି ସ୍ଥିତିରେ ମହିଳା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଟିକେଟ୍ ବଣ୍ଟାକୁ କେନ୍ଦ୍ରକରି ମହିଳା କର୍ମୀମାନେ ତାତିଛନ୍ତି। କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହିଳା କଂଗ୍ରେସର ସଦସ୍ୟ। ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ବରେ ମହିଳା କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି। ଯେପର୍ଯ୍ୟନ୍ତ ପିସିସି ସଭାପତି ନଆସି ତାଙ୍କ ସହ ଆଲୋଚନା କରିନାହାନ୍ତି ସେ ପର୍ଯ୍ୟନ୍ତ ଧାରଣାରୁ ଓହରିବେନାହିଁ ବୋଲି କର୍ମୀମାନେ ଚେତାବନୀ ଦେଇଛନ୍ତି।

ମହିଳାମାନଙ୍କୁ ଦଳ ଉପେକ୍ଷିତ କରିଥିବା ଅଭିଯୋଗ ହୋଇଛି। ମହିଳା କଂଗ୍ରେସ ସଭାନେତ୍ରୀଙ୍କ ମଧ୍ୟ ଟିକେଟ୍ ଦିଆଯାଇନାହିଁ। କଂଗ୍ରେସର ଘୋଷଣା ହୋଇଥିବା ୧୧୧ଟି ବିଧାନସଭା ଆସନ ମଧ୍ୟରୁ ୧୦ ମହିଳାଙ୍କୁ ଦଳ ପ୍ରାର୍ଥୀ କରିଛି। ଯାହାକୁ ନେଇ ମହିଳା କଂଗ୍ରେସ ସଭାନେତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ପ୍ରଥମ ପର୍ଯ୍ୟାୟ ଟିକେଟ୍ ବଣ୍ଟା ବେଳଠାରୁ ହିଁ ବିଦ୍ରୋହ ଦେଖାଦେଇଥିଲା। ମାତ୍ର ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇପାରିଲାନାହିଁ। ଯାହା ଫଳରେ ବାଧ୍ୟ ହୋଇ ଆଜି ମହିଳା କଂଗ୍ରେସ ନେତ୍ରୀମାନେ ଫାଟକରେ ତାଲା ପକାଇ ଧାରଣାରେ ବସିରହିଛନ୍ତି। ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କହିଛନ୍ତି ଯେ, ତାଙ୍କୁ ଦଳ ଟିକେଟ୍ ନଦେଇ ଉପେକ୍ଷା କରିଛି।

ମହିଳା କଂଗ୍ରେସ ସଭାନେତ୍ରୀଙ୍କୁ ଟଣାଓଟରା

ତେବେ ଭଦ୍ରକ ଜିଲ୍ଲାର ଆଉ କିଛି କଂଗ୍ରେସ କର୍ମୀ ଗେଟ୍ ଖୋଲି କଂଗ୍ରେସ ଭବନ ଭିତରେ ପ୍ରବେଶ କରିବାରୁ ଏହାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ସୁମିତ୍ରାଙ୍କୁ କିଛି ଲୋକ ଟଣାଓଟରା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ପିସିସି ସଭାପତିଙ୍କ ପ୍ରରୋଚନାରେ ଏଭଳି କରାଯାଇଛି ଏବଂ ଘଟଣା ସମ୍ପର୍କରେ ସେ ମହିଳା ଥାନାରେ ଏତଲା ଦେବେ ବୋଲି ସୁମିତ୍ରା କହିଛନ୍ତି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

କେନ୍ଦ୍ରାପଡ଼ା ରାଜନୀତି : ମୁଖ୍ୟ ମଙ୍ଗୁଆଳ ଅତନୁ; ଅସନ୍ତୋଷ କିନ୍ତୁ ଚରମରେ

ବିଜେପିରେ ମୋହନ-ଅର୍ଜୁନ

ସୁନ୍ଦରଗଡ଼ ନିର୍ବାଚନରେ ୩ ନୂଆ ମୁହଁ

Leave a Reply

Your email address will not be published.