ମହାନଦୀ ଜଳ ବିବାଦ: ଛତିଶଗଡ଼ ସହ ଆଲୋଚନାକୁ ଓଡ଼ିଶା ଯିବ ନା ନାହିଁ?
ମହାନଦୀ ଜଳ ବିବାଦରେ ଦୁଇଟି ରାଜ୍ୟ ଜଡ଼ିତ ଥିବାରୁ ଉଭୟଙ୍କ ମଧ୍ୟରେ ଥରେ ଆଲୋଚନା ହେଉ ବୋଲି କେନ୍ଦ୍ର ସରକାର ବାରମ୍ୱାର କହି ଆସୁଛନ୍ତି। ବୁଝାମଣାରେ କେନ୍ଦ୍ର ମଧ୍ୟସ୍ଥତା କରିବ ବୋଲି କହିବା ପରେ ବି ରାଜ୍ୟ ସରକାର ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଏପରିକି ବିଶେଷଜ୍ଞ କମିଟିକୁ ପ୍ରତିନିଧି ପଠାଇବା ପାଇଁ ମନା କରିଦେଇଥିଲେ ସରକାର। ଛତିଶଗଡ଼ରେ ପୂର୍ବରୁ ବିଜେପି ସରକାର ଥିବାରୁ ଓଡ଼ିଶା ସରକାର ମହାନଦୀ ବିବାଦ ଲାଗି ସବୁ ଦୋଷ ରମଣ ସିଂହଙ୍କ ସରକାର ମୁଣ୍ଡରେ ଦୋଷ ବୋଳିବା ପାଇଁ ଚେଷ୍ଟା କରିଥିଲେ।
କିନ୍ତୁ ଏବେ ମହାନଦୀ ଟ୍ରିବ୍ୟୁନାଲ ଛତିଶଗଡ଼ ସହ ଆଲୋଚନା କରି ଆପୋଷ ସମାଧାନ ସୂତ୍ର ବାହାର କରିବା ସକାଶେ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଣୁ ପ୍ରଶ୍ନ ହେଉଛି, ଓଡ଼ିଶା ସରକାର କରିବେ କ’ଣ? ଏବେ ଓଡ଼ିଶା ଛତିଶଗଡ଼ ସହ ଆଲୋଚନା ପାଇଁ ସହମତ ହେବ ତ?
ଗତ ଶନିବାର ଦିନ ଖନୱିଲକର ଟ୍ରିବ୍ୟୁନାଲ ତାଙ୍କ ଅନ୍ତରୀଣ ଆଦେଶରେ ଉଭୟ ଏବଂ ଛତିଶଗଡ଼ ସରକାରଙ୍କୁ ମହାନଦୀ ଜଳ ବଣ୍ଟନ ବିବାଦରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ସୂତ୍ର ବାହାର କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୯ ତାରିଖରେ ପରବର୍ତ୍ତୀ ଶୁଣାଣି ସମୟରେ ଟ୍ରିବ୍ୟୁନାଲଙ୍କ ଚୂଡ଼ାନ୍ତ ରାୟ ଆସିପାରେ ବୋଲି ଅନୁମାନ କରାଯାଉଛି। ଜଷ୍ଟିସ ଏଏମ ଖନୱିଲକରଙ୍କ ନେତୃତ୍ୱରେ ତିନିଜଣିଆ ବେଞ୍ଚ ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି କରୁଛନ୍ତି।
ଟ୍ରିବ୍ୟୁନାଲ ତାଙ୍କ ମଧ୍ୟବର୍ତ୍ତୀକାଳୀନ ରାୟରେ ଦୁଇ ସପ୍ତାହ ମଧ୍ୟରେ ମହାନଦୀ ଜଳ ବିବାଦକୁ ନେଇ ନିଜନିଜ ପକ୍ଷର ସମସ୍ତ ତଥ୍ୟ ଏବଂ ସୂଚନା ପ୍ରମାଣ ସହ ଦାଖଲ କରିବାକୁ ଉଭୟ ରାଜ୍ୟକୁ କହିଛନ୍ତି। ଟ୍ରିବ୍ୟୁନାଲରେ ଓଡ଼ିଶାର ଯୁକ୍ତି ହେଲା, ଅଣମୌସୁମୀ ସମୟରେ ଓଡ଼ିଶା ମହାନଦୀରୁ ୧.୭୪ ନିୟୁତ ଏକର ଫୁଟ ଜଳ ପାଇବାକୁ ହକଦାର। ଟ୍ରିବ୍ୟୁନାଲ ତାଙ୍କ ମଧ୍ୟବର୍ତ୍ତୀକାଳୀନ ରାୟରେ ଏକଥା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ, ଯଦି ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ବେଳେ ସମାଧାନ ସୂତ୍ର ନବାହାରେ, ତେବେ ଟ୍ରିବ୍ୟୁନାଲ ଚୂଡ଼ାନ୍ତ ରାୟ ଶୁଣାଇବେ।
ଗତ ଡିସେମ୍ୱର ୧୫ ତାରିଖରେ ସତ୍ୟପାଠ ଜରିଆରେ ଗତ ୨୦ବର୍ଷର ଜଳ ପ୍ରବାହ ସଂକ୍ରାନ୍ତ ରିପୋର୍ଟ ଟ୍ରିବ୍ୟୁନାଲରେ ଦାଖଲ କରିବା ନିମନ୍ତେ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜାନୁଆରୀ ୧୧ ତାରିଖରେ ଓଡ଼ିଶା ଏ ସଂକ୍ରାନ୍ତ ସତ୍ୟପାଠ ଦାଖଲ କରିସାରିଛି। କିନ୍ତୁ ପ୍ରଶ୍ନ ହେଉଛି, ଆଲୋଚନାକୁ ସବୁବେଳେ ଏଡ଼ାଇ ଆସିଥିବା ରାଜ୍ୟ ସରକାର ଟ୍ରିବ୍ୟୁନାଲଙ୍କ ଆଦେଶକୁ ବେଖାତିର କରିବେ କି? ଯଦି ଆଲୋଚନାକୁ ନଯାଇ ନବୀନ ସରକାର ଟ୍ରିବ୍ୟୁନାଲ ଚୂଡ଼ାନ୍ତ ଶୁଣାଣିକୁ ଅପେକ୍ଷା କରନ୍ତି, ତେବେ ତିନିଜଣିଆ ଟ୍ରିବ୍ୟୁନାଲ ଏହାକୁ ନିର୍ଦ୍ଦେଶର ଅବମାନନା ବୋଲି ଗ୍ରହଣ କରିବେ କି?
ଦୀର୍ଘକାଳ ମହାନଦୀ ଜଳ ସଙ୍କଟ ଉପରେ ରାଜ୍ୟ ସରକାର ଶୋଇଥିଲେ। ଏପରି କି ଛତିଶଗଡ଼ ୧୦୦ଟି ବ୍ୟାରେଜ ନିର୍ମାଣ କଲେ ମଧ୍ୟ ଓଡ଼ିଶାର କିଛି ଅସୁବିଧା ନାହିଁ ବୋଲି ରାଜ୍ୟର ତତ୍କାଳୀନ ଜଳସେଚନ ସଚିବ ସୁରେଶ ମହାପାତ୍ର କହିବାକୁ ପଛେଇ ନଥିଲେ। ବିଧାନସଭା ଆଲୋଚନା କାଳରେ ମଧ୍ୟ ସରକାର ଅଣମୌସୁମୀ ସମୟରେ ଜଳ ପ୍ରବାହ ମହାନଦୀରେ ଅଧିକ ହେଉଥିବା ଉଲ୍ଲେଖ କରିଛନ୍ତି।