Advertisements

ପଙ୍ଗପାଳ କ’ଣ, କେଉଁଠୁ ଆସିଲେ, କେମିତି ହଟିବେ

ଙ୍ଗପାଳ ଏକ ପ୍ରକାର ଛୋଟ ଶିଙ୍ଗ ବିଶିଷ୍ଟ ଝିଣ୍ଟିକା ପ୍ରଜାତିର କୀଟ। ଏହି ଜାତୀୟ କୀଟ ସାଧାରଣତଃ ଏକାନ୍ତରେ ବିଚରଣ କରିଥାନ୍ତି, ମାତ୍ର କିଛି ନିର୍ଦ୍ଧିଷ୍ଟ ପରିସ୍ଥିତିରେ ଏମାନେ ବହୁଳ ସଂଖ୍ୟାରେ ପରିଣତ ହୋଇ ନିଜ ବ୍ୟବହାର ଓ ଅଭ୍ୟାସରେ ପରିବର୍ତ୍ତନ କରନ୍ତି। ଆଉ ସେହି ସମୟରେ ତାହା ଆତଙ୍କରେ ପରିଣତ ହୁଏ।  ବୈଜ୍ଞାନିକ ବର୍ଗୀକରଣ ଅନୁସାରେ ପଙ୍ଗପାଳ ଏବଂ ଝିଣ୍ଟିକାରେ କୌଣସି ଭେଦ ନଥାଏ, ଦଳଗତ ଭାବେ ସ୍ଥାନ ପରିବର୍ତ୍ତନ କରୁଥିବା ଝିଣ୍ଟିକା ଗୋଷ୍ଠୀ ପଙ୍ଗପାଳ ଭାବେ ନାମିତ । ପଙ୍ଗପାଳ ସାଧାରଣତଃ ଭାରତରେ ଦେଖାଦେଉଥିବା ଝିଣ୍ଟିକା ଭଳି  । ଏହା ବିଶେଷ କରି  ଚାଷ ଜମିରେ ଦେଖାଦେଇଥାନ୍ତି । ଆଉ ଶବ୍ଦ ଶୁଣିବା ମାତ୍ରେ ଉଡିଯାଇଥାନ୍ତି । କିନ୍ତୁ ଭାରତରେ ଏହା ବହୁତ କମ ଦେଖାଯାଇଥରଆନ୍ତି । ଉନ୍ନବିଂଶ ଶତାବ୍ଦୀରେ ଭାରତରେ ୧୮୧୨, ୧୮୨୧, ୧୮୪୩-୪୪, ୧୮୬୩, ୧୮୬୯, ୧୮୭୮, ୧୮୮୯-୯୨, ଏବଂ ୧୮୯୬-୯୭ ରେ ପଙ୍ଗପାଳ ଗୋଷ୍ଠୀଙ୍କ ଆକ୍ରମଣ ଦେଖିବାକୁ ମିଲିଥିଲା। ସେମାନେ  ଚାଷଜମିରେ ଥିବା ଫସଲକୁ ନଷ୍ଟ କରିଦେଇଥିଲେ। ସେ ସମୟରେ ସରକାରଙ୍କ ପକ୍ଷରୁ ଏହି ଦଳଗୁଡିକର ମୁକାବିଲା ପାଇଁ ଅନେକ ଚେଷ୍ଟା କରାଯାଇଥିଲା।

  • ୬୦ ବର୍ଷ ତଳେ ଗୋଦାବରୀଶଙ୍କ କବିତାରେ ପଙ୍ଗପାଳଙ୍କ ସଂପର୍କରେ ଉଲ୍ଲେଖ ଥିଲା । 

ପଙ୍ଗପାଳ ଆକ୍ରମଣ ଓଡ଼ିଶାରେ ବି ନୂଆ କଥା ନୁହେଁ। ୬୦ ବର୍ଷ ତଳେ ମଧ୍ୟ ଓଡ଼ିଶାରେ ପଙ୍ଗପାଳ ସବୁ ଶସ୍ୟ ଚରିଯିବା ପରେ ଜମିରେ କେବଳ ପାଳ ହିଁ ରହି ଯାଇଥିଲା। ଲୋକଙ୍କ ମନରେ ହାହାକାର ଦେଖାଦେଇଥିଲା। ଏହାକୁ ଦେଖି   ପ୍ରଖ୍ୟାତ କବି, ଗାଳ୍ପିକ ଓ ବ୍ୟଙ୍ଗକବି ଗୋଦାବରୀଶ ମହାପାତ୍ର ତାଙ୍କ ରଚନାବଳୀ ‘ଗୋଦାବରୀଶ ରଚନାବଳୀ‌’ରେ ପଙ୍ଗପାଳ ବିଷୟକୁ ଉଲ୍ଲେଖ କରିଥିଲେ।   ତତ୍କାଳୀନ ବ୍ୟବସ୍ଥାକୁ ବ୍ୟଙ୍ଗ କରିବାକୁ ଯାଇ ସେ ପଙ୍ଗପାଳକୁ ପ୍ରସଙ୍ଗ କରିଥିଲେ। ତାଙ୍କ କବିତାର ଶୀର୍ଷକ ଥିଲା ‘ପଙ୍ଗପାଳ’। ତାହା ୧୯୬୦ ମସିହା ନଭେମ୍ବରରେ ପ୍ରକାଶିତ ହୋଇଥିଲା।

ଗୀତର କିଛି ପ°କ୍ତି ଥିଲା ଏମିତି;

‘‘କି ଗୀତ ଲେଖିବି ଆଜି ଏତେବେଳେ,

ତୁମ ନାମେ ଆହେ ପଙ୍ଗପାଳ।

ଘନନୀଳ ଏହି ଗଗନ ପଥରେ ଦଳଦଳ ହୋଇ ଚାଲିଚ ମାଡ଼ି,

ଧାନ ଖାଇ ଏତେ ଉପରେ ଉଡ଼ୁଚ

ହେଲା ଏ ଓଡ଼ିଶା-ରାଜ୍ୟ ପାଳ।

ରକ୍ତ, ଧୂସର, ହରିତ ବର୍ଣ୍ଣେ ତୁମ ଆଗମନ ଧାଡ଼ିକି ଧାଡ଼ି।’’

କବିତାରେ ରହିଥିବା ଉଲ୍ଲେଖ ମୁତାବକ, ଲାଲ, ଧୂସର ଓ ସବୁଜ ରଙ୍ଗର ଏହି ପଙ୍ଗପାଳମାନେ ସେତେବେଳେ ଧାନ ଖାଇ କେବଳ ପାଳ ଛାଡ଼ି ଦେଇ ଚାଲିଯାଇଥିବା କଥା ଉଲ୍ଲେଖ ରହିଛି। ଶ୍ରୀ ମହାପାତ୍ରଙ୍କ ଏହି କବିତାର ସାରାଂଶ ପଙ୍ଗପାଳ ଆଗମନ ପରର ସଙ୍କଟମୟ ଚିତ୍ରକୁ ଦର୍ଶାଉଛି। ୧୯୬୦ ଦଶକ ପରେ ବୋଧହୁଏ ପ୍ରଥମଥର ପାଇଁ ରାଜ୍ୟରେ ଏମିତି ଏକ ଆଶଙ୍କର ସୃଷ୍ଟି ହୋଇଛି।

ପାକିସ୍ତାନରେ କ୍ଷତି ପରେ ଭାରତ

ପାକିସ୍ତାନରେ ପଙ୍ଗପାଳ ଆକ୍ରମଣ ‌ଯୋଗୁଁ ବ୍ୟାପକ ଫସଲହାନୀ ଘଟିଛି। ଏହି ସମସ୍ୟା ଏବେ ଅତି ଜଟିଳ ରୂପ ଧାରଣ କରିଛି ଏବଂ ପାକିସ୍ତାନ ସରକାର ଏହାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି। ପଙ୍ଗପାଳ ଆକ୍ରମଣରେ ପାକିସ୍ତାନର ସିନ୍ଧୁ ପ୍ରଦେଶ ପରେ ପଞ୍ଜାବରେ ବ୍ୟାପକ ମାତ୍ରାରେ ଫସଲ ଧ୍ବଂସ ହୋଇଛି।    ୨୦୧୯ ମାର୍ଚ୍ଚରେ ପ୍ରଥମେ ପାକିସ୍ତାନର ସିନ୍ଧୁ ପ୍ରଦେଶ, ଦକ୍ଷିଣ ପଞ୍ଜାବ, ଖାଇବର ଆଦି ଅଞ୍ଚଳରେ ପଙ୍ଗପାଳ ଆକ୍ରମଣ ଯୋଗୁଁ ୯ଲକ୍ଷ ହେକ୍ଟର ଚାଷ ଜମିକୁ ଧ୍ବଂସ ହୋଇଥିଲା।

ପଙ୍ଗପାଳଙ୍କ ଟାର୍ଗେଟରେ ଦେଶର ଶସ୍ୟକ୍ଷେତ୍ର

ଏହି ପଙ୍ଗପାଳ ଗୋଷ୍ଠୀଙ୍କର ବଂଶ ବିସ୍ତାର କରିବାର ‌କ୍ଷମତା ଢେର୍‌ ଅଧିକ। ପ୍ରତ୍ୟେକ ବର୍ଗ କିଲୋମିଟର୍‌ରେ ଏକାସାଥିରେ ପ୍ରାୟ ୧୫ କୋଟି ପଙ୍ଗପାଳ ଦଳ ଦଳ ହୋଇ ଯାଇଥାନ୍ତି। ଉଚ୍ଚ ତାପମାତ୍ରା ଯୁକ୍ତ ଅଞ୍ଚଳ ସେମାନଙ୍କୁ ବେଶି ସୁହାଇଥାଏ ଓ ସେମାନେ ଏହିପରି ଅଞ୍ଚଳରେ ଚାଷ ଜମିଗୁଡ଼ିକର ବିଶେଷ କ୍ଷତି ଘଟାଇପାରନ୍ତି ‌ବୋଲି ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ପ୍ରଦାନ କରିଛି । ଆମେରିକାର ଖାଦ୍ୟ ଓ କୃଷି ସଂସ୍ଥା କହିବା ଅନୁସାରେ, ଏହି ପଙ୍ଗପାଳମାନେ ଗୋଟାଏ ଦିନରେ ୩୫ ହଜାର ଲୋକଙ୍କର ଖାଦ୍ୟଶସ୍ୟ ଖାଇ ଦିଅନ୍ତି। ସେମାନ‌େ ସବୁଜ ପନିପରିବାରୁ ନେଇ ଶସ୍ୟ, ଦାନା ଓ ଖିର ଜାତୀୟ ଖାଦ୍ୟକୁ ଖାଇଦିଅନ୍ତି । ଗତ ଫେବ୍ରୁଆରି ମାସରେ ଆଫ୍ରିକାର ଇଥୋପିଆ, କେନିଆ ଓ ସୋମାଲିଆର ଲକ୍ଷ ଲକ୍ଷ ହେକ୍ଟର ଚାଷ ଜମିକୁ ପଙ୍ଗପାଳମାନେ ନଷ୍ଟ କରି ସାରିଛନ୍ତି। ଇଥୋପିଆ ଓ ସୋମାଲିଆରେ ଦୀର୍ଘ ୨୫ ବର୍ଷ ପରେ ଏପରି ଦୁର୍ଦ୍ଦିନ ଦେଖିବାକୁ ମିଳିଥିବାବେଳେ କେନିଆରେ ପ୍ରାୟ ୭୦ ବର୍ଷ ପରେ ଏପରି ଦେଖିବାକୁ ମିଳିଛି । ୧୯୯୩ ମସିହା ପରଠାରୁ ପାକିସ୍ତାନରେ ଆଉ କେବେ ଆତଙ୍କ ଖେଳାଇ ନଥିବା ଏହି ପଙ୍ଗପାଳ ଦଳଙ୍କୁ ପୁନଶ୍ଚ ଗତବର୍ଷ ଦେଖିବାକୁ ମିଳିଥିଲା।  ଗତବର୍ଷ  ୨୦୧୯ ମସିହା ଜୁନ୍‌ ମାସରେ ପଙ୍ଗପାଳ ଦଳ ଇରାନରୁ ପାକିସ୍ତାନକୁ ଆସିଥିବା ଜାଣିବାକୁ ମିଳିଥିଲା। ପାକିସ୍ତାନରେ ପଶି ଏହି ପଙ୍ଗପାଳ ଦଳ ତୁଳା, ଗହମ ଏବଂ ମକା ଜାତୀୟ ଆଦି ଚାଷ ସାମଗ୍ରୀକୁ ନଷ୍ଟ କରି ଦେଇଥିବା ରିପୋଟ

 ରହିଛି।।

ଏହି ପଙ୍ଗପାଳ ଦଳ ଏବେ ଆମ ଦେଶ ଭାରତର ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ହରିଆଣା ଆଦି ରାଜ୍ୟରେ ଅନେକ ଫସଲ ନଷ୍ଟ କରି ସାରିଲେଣି । ଏବେ ଓଡ଼ିଶାର ପଶ୍ଚିମାଞ୍ଚଳ କୌଣସି ବି ମୁହୂର୍ତ୍ତରେ ସେମାନଙ୍କ ଟାର୍ଗେଟ ହୋଇପାରେ। ଏଣୁ ସେମାନଙ୍କୁ ଘଉଡ଼ାଇବା ଲାଗି ଚାଷୀଙ୍କୁ ଆବଶ୍ୟକ ବୈଜ୍ଞାନିକ ସହାୟତା ପ୍ରଦାନ କରିବା ଲାଗି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଚେଷ୍ଟା କରିଛି।

ପଙ୍ଗପାଳଙ୍କୁ ଦମନ କରିବାର ଉପାୟ

ବୈଜ୍ଞାନିକ ବିବରଣୀ ଅନୁସାରେ ପଙ୍ଗପାଳଟିଏ ମାତ୍ର ତିନିରୁ ପାଞ୍ଚମାସ ପର୍ଯ୍ୟନ୍ତ ବଞ୍ଚିଥାଏ। ଏହି ସମୟରେ ଯଦି ଅନୁକୂଳ ପରିବେଶ ମିଳେ ତେବେ ଗୋଟିଏ ପଙ୍ଗପାଳ ପୂର୍ବ ପିଢ଼ି ଅକାରଠାରୁ ଅଧିକ ବଡ଼ ହୋଇପାରେ। ଏପରିକି ଏହି ଆକାର ୨୦ ଗୁଣା ବଢ଼ିପାରେ। ଅର୍ଥାତ୍‌ ଶିଶୁ ପଙ୍ଗପାଳଟିଏ ତା’ର ମା’ ଅଥବା ବାପାଠାରୁ ୨୦ ଗୁଣ ବଡ଼ ହୋଇପାରେ। ପୁଣି ସେମାନେ ଅତି ଦ୍ରୁତ ଗତିରେ ବ˚ଶ ବୃଦ୍ଧି କରିଥାନ୍ତି। ଏଣୁ ଏମାନଙ୍କ ଆତଙ୍କକୁ କମାଇବାକୁ ହେଲେ ପ୍ରଥମ ଆବଶ୍ୟକତା ହେଉଛି ଏମାନଙ୍କ ବଂଶ ବିସ୍ତାରକୁ ରୋକିବା।

ଯଦି ତାହା ନହେବ ତେବେ ସେମାନଙ୍କ ଦଳ ଅତ୍ୟନ୍ତ ବିଶାଳ ଆକାର ଧାରଣ କରିପାରେ। ଏହାର ଏକ ଉଦାହରଣ ଗତବର୍ଷ ଶେଷ ବେଳକୁ ଉତ୍ତର-ପୂର୍ବ କେନିଆରେ ଦେଖିବାକୁ ମିଳିଥିଲା। ଏଠାରେ ଉଡ଼ୁଥିବା ପଙ୍ଗପାଳଙ୍କ ଗୋଟିଏ ଦଳରେ ଥିଲେ ପ୍ରାୟ ୨୦,୦୦୦ କୋଟି ସ˚ଖ୍ୟାରେ ଝିଣ୍ଟିକା ରହିଥିଲେ। ସେମାନେ ଆକାଶରେ ଯେତିକି ସ୍ଥାନ ଦଖଲ କରି ଉଡୁଥିଲେ, ତାହାର ଆକାର ନ୍ୟୁୟର୍କ ନଗରୀର ଆୟତନର ପ୍ରାୟ ତିନିଗୁଣ ଥିଲା। ପୂର୍ବ ଆଫ୍ରିକାରେ ଏହିପରି ଡଜନ୍‌ ଡଜନ୍‌ ପଙ୍ଗପାଳ ଦଳ ରହିଛନ୍ତି। ଏପରି ଗୋଟିଏ ପଙ୍ଗପାଳ ଦଳ ଗୋଟିଏ ଦିନରେ ଯେତିକି ଗଛପତ୍ର ଶସ୍ୟ ଖାଇଥାଆନ୍ତି, ତାହା ଗୋଟିଏ ମଧ୍ୟମ ଆକାରର ଦେଶର ସମସ୍ତ ଲୋକଙ୍କ ଗୋଟିଏ ଦିନର ଖାଦ୍ୟ ସହ ସମାନ ହୋଇପାରେ।

ନୂଆ ପଙ୍ଗପାଳ ଛୁଆମାନେ ଉଡ଼ିବା ପାଇଁ ସକ୍ଷମ ହେବା ପୂର୍ବରୁ ଯଦି ସେମାନଙ୍କ ଉପରେ କୀଟନାଶକ ସ୍ପ୍ରେ କରିବା ପାଇଁ ପଦକ୍ଷେପ ନିଆଯାଏ, ତେବେ ତାହା ‘ମୂଳୁ ମାରିଲେ ଯିବ ସରି’ ଭଳି କାର୍ଯ୍ୟ କରେ। ଉଡ଼ିବା ଆରମ୍ଭ କଲା ପରେ ଗୋଟିଏ ପଙ୍ଗପାଳ ଦଳ ଦିନରେ ପ୍ରାୟ ୧୫୦ କିମି ଅତିକ୍ରମ କରି ଯାଇଥାଏ। ସେତେବେଳେ ସେମାନଙ୍କୁ ନିପାତ କରିବା କଷ୍ଟକର ହୁଏ। ଶିଶୁ ପଙ୍ଗପାଳ ଭୂଇଁରେ ଅଟକି ରହିଥିବା ବେଳେ ପାଦରେ ଚାଲି ତଥା ଗାଡ଼ି ମଟର ବ୍ୟବହାର କରି ସେମାନଙ୍କ ଉପରେ କୀଟନାଶକ ପ୍ରୟୋଗ କରାଯାଇ ପାରିବ। ଆକାଶରେ ଏ କାର୍ଯ୍ୟ ଦୁରୂହ ଓ ବ୍ୟୟବହୁଳ ହୋଇଥାଏ ।

ଅପରପକ୍ଷେ ଏବେ ସ୍ଵତନ୍ତ୍ର ଧ୍ବନୀ ସହାୟତାରେ ସେମାନଙ୍କୁ ହଟାଇବା ଲାଗି ପ୍ରୟାସ ହେଉଛି। ପୁଣି ସରକାରଙ୍କ ପକ୍ଷରୁ ବିନା ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ କୀଟ ନାଶକକୁ ଫସଲ ଉପରେ ସିଞ୍ଚନ ଲାଗି ପରାମର୍ଶ ଦିଆଯାଉଛି। ଏହା ଯଦି କାର୍ଯ୍ୟ କରେ ତେବେ ଓଡ଼ିଶା ପୁଣିଥରେ ଏକ ଅବଶ୍ୟମ୍ଭାବୀ ବିପଦରୁ ମୁକ୍ତ ପାଇପାରିବ!

ପ୍ରସ୍ତୁତି: ଦେବବ୍ରତ ଷେଣ୍ଢ

Advertisements

Leave a Reply