ପୁଣି ଫେରିଲେ ପଙ୍ଗପାଳ: ସତର୍କ ସୂଚନା ଜାରି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଉତ୍ତର ଭାରତରେ ପଙ୍ଗପାଳ କୃଷକମାନଙ୍କ ନିଦ ହଜାଇ ଦେଇଛନ୍ତି। ଆଜି ଏହି ପଙ୍ଗପାଳ ଦିଲ୍ଲୀ ସୀମାରେ ପ୍ରବେଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶ୍ରମ ଏବଂ ବିକାଶ ମନ୍ତ୍ରୀ ଗୋପାଳ ରାୟ ଶନିବାର ଏକ ଜରୁରୀ ବୈଠକ ଡକାଇଛନ୍ତି। ଉନ୍ନୟନ ସଚିବ, ଡିଭିଜନାଲ କମିଶନର, କୃଷି ନିର୍ଦେଶକ ଏବଂ ଜିଲାପାଳ ବୈଠକରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ପଙ୍ଗପାଳଙ୍କୁ ମୁକାବିଲା ଲାଗି ବୈଠକରେ ବିଚାରବିମର୍ଶ ହୋଇପାରେ।

ଲୋକଙ୍କ ଘର ଛାତ, ରାସ୍ତା ଏବଂ ଖୋଲା ପଡ଼ିଆରେ ଏତେ ସଂଖ୍ୟକ ପଙ୍ଗପାଳଙ୍କୁ ହଠାତ୍ ଦେଖି ଲୋକେ ଆତଙ୍କୀତ ହୋଇପଡ଼ିଛନ୍ତି। ସେହିପରି ବହୁ ସଂଖ୍ୟାରେ ପଙ୍ଗପାଳ ଚାଷ ଜମିରେ ବସି ରହିଛନ୍ତି। ଯାହାଦ୍ୱାରା ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।

ମୌସୁମୀ ଆସିବା ପରେ ପଙ୍ଗପାଳଙ୍କ ଗତିବିଧିରେ ପରିବର୍ତ୍ତନ ହୋଇଥିଲା। ତେବେ ପୁଣି ଥରେ ଏବେ ପଙ୍ଗପାଳ ଉତ୍ତର ଭାରତ ଆଡ଼କୁ ମୁହାଁଇବା ପରେ ପରିସ୍ଥିତି ବିଗିଡ଼ିବା ଆଶଙ୍କା କରାଯାଉଛି।

ପ୍ରଶାସନର ପରାମର୍ଶକ୍ରମେ ଲୋକମାନେ ଥାଳି ବଜାଇ ଏବଂ ବାଣ ଫୁଟାଇ ପଙ୍ଗପାଳଙ୍କୁ ଘଉଡ଼ାଇବାରେ ଲାଗିଥିଲେ। ଏହା ପରେ ପଙ୍ଗପାଳ ଗୁରୁଗ୍ରାମରୁ ବାହାରି ଛାୱଲା ଗାଁ ଦେଇ ଦିଲ୍ଲୀର ଦ୍ବାରକାରେ ପ୍ରବେଶ କରିଛନ୍ତି। ପବନର ଦିଗ ପରିବର୍ତ୍ତନ ହେଲେ ପଙ୍ଗପାଳ ପେରିଯାଇପାରନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି।

Leave a Reply

Your email address will not be published.