ମଦୁଆଙ୍କ ପାଇଁ ଖୁସି ଖବର, କାଲିଠୁ କାଉଣ୍ଟରରେ ମଦ ବିକ୍ରି

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ସଙ୍କଟ ସମୟରେ ମଦ ପିଉଥିବା ଲୋକମାନଙ୍କ ପାଇଁ ଆସିଛି ଏକ ଆରାମଦାୟକ ଖବର । ଏଣିକି କାଉଣ୍ଟର ବା ଦୋକାନମାନଙ୍କରେ ବିକ୍ରି ହେବ ମଦ । କାଉଣ୍ଟରରେ ମଦ ବିକ୍ରି ନେଇ ଅନୁମତି ଦେଇଛି ଅବକାରୀ ବିଭାଗ ।

କରୋନା ମହାମାରୀ ପାଇଁ ଗତ କିଛି ମାସ ହେଲା ରାଜ୍ୟରେ ମଦ କାରବାର ଉପରେ ରୋକ ଲାଗିଥିଲା । ଗତ ମାସ ରାଜ୍ୟ ସରକାର ମଦର ହୋମ ଡେଲିଭରୀ ପାଇଁ ଅନୁମତି ଦେଇଥିଲେ । କିନ୍ତୁ ଏଣିକି ମଦ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରିବାକୁ ପଡିବ ନାହିଁ, ଏଣିକି କାଉଣ୍ଟରରୁ ସିଧା ମଦ ବିକ୍ରି ହେଇପାରିବ । ଏନେଇ ଅବକାରୀ ସଚିବ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି  । ଆସନ୍ତାକାଲିଠାରୁ ଖୋଲିବ ମଦ ଦୋକାନ। ଆସନ୍ତାକାଲି (ମଙ୍ଗଳବାର) ଠାରୁ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଗ୍ରାହକ ମାନେ କାଉଣ୍ଟରରୁ ମଦ କିଣିପାରିବେ। ସଂଧ୍ୟା ବେଳେ ମଦ କାଉଣ୍ଟର ଆଗରୁ ଭିଡ଼ କମାଇବା ପାଇଁ ସଂଧ୍ୟା ୭ଟାରେ ବନ୍ଦ ହେବ ମଦ କାଉଣ୍ଟର୍। ବିଦେଶୀ ମଦ ଓ ବାର୍  ପାଇଁ ୨ ମାସର ଟିକସ୍‌ ଛାଡ଼ କରିଛନ୍ତି ରାଜ୍ୟ ସରକାର। ଠିପି ଖୋଲା ମଦ ଦୋକାନରେ ମଧ୍ୟ ମଦ ବିକ୍ରି ହୋଇପାରିବ। ଲୋକଙ୍କ ଗହଳି କମାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ସେହିପରି ମଦର ଅନଲାଇନ ବୁକିଂ ମଧ୍ୟ ଜାରି ରହିବ। ଏଥିପାଇଁ ଇ-ଟୋକନ ବ୍ୟବସ୍ଥା କରାଯିବ। ଇ-ଟୋକନ ବ୍ୟବସ୍ଥା ଥିବା ନେଇ ମଦ କୋକାନ ଗୁଡ଼ିକ ବିଜ୍ଞାପନ କରିପାରିବେ। osbc.co.in ରେ ମିଳିବ ଇ-ଟୋକନ୍ । ଲୋକଙ୍କ ଗହଳି କମାଇବା ପାଇଁ ମଦ ଦୋକାନ ଆଗରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇପାରିବ। ଏହା ସହିତ ଅତିରିକ୍ତ କର୍ମଚାରୀ ଧାଡ଼ି ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ। ମଦ ଦୋକାନର ସମସ୍ତ ଷ୍ଟାଫ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ସେହିପରି ମାସ୍କ ପିନ୍ଧି ନଥିଲେ ଗ୍ରାହକଙ୍କୁ ମଦ ମିଳିବନି କୁହାଯାଇଛି ।

Leave a Reply

Your email address will not be published.