LIC IPO : ପବନ ପ୍ରବଳ, ପ୍ରଥମ ପଦାର୍ପଣ ଦୁର୍ବଳ
ବଡ଼ ହାଇପ୍ କରି ମାର୍କେଟକୁ ଆସିଥିଲା ସବୁଠାରୁ ବଡ଼ IPO । ହେଲେ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ହେବାର ପ୍ରଥମ ଦିନରେ ନିବେଶକଙ୍କ ବିଶ୍ବାସ ଜିତି ପାରିଲାନି ଭାରତୀୟଙ୍କ ବିଶ୍ବାସର ପ୍ରତୀକ ଭାରତୀୟ ଜୀବନ ବୀମା ନିଗମ । ସରକାର ଭାବିଥିଲେ ମାର୍କେଟରେ ଶେୟାରକୁ ମିଳିବ ଷଣ୍ଢର ସାଥ୍, ହେଲେ ମିଳିଲା ଲାତ । ପ୍ରଥମ ଦିନରେ ବଜାରରେ ଭାଲୁ ଆକ୍ରମଣର ଶିକାର ହୋଇଛି LIC । ଇସ୍ୟୁ ପ୍ରାଇସ୍ ଠାରୁ ପାଖାପାଖି ୯ ପ୍ରତିଶତ ତଳେ ଲିଷ୍ଟିଂ ହୋଇଛି ଭାରତୀୟ ଜୀବନ ବୀମା ନିଗମର ଶେୟାର୍ । IPOର ଇସ୍ୟୁ ପ୍ରାଇସ୍ ୯୪୯ ଟଙ୍କା ସ୍ଥିର ହୋଇଥିବା ବେଳେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା BSEରେ ଏହା ୮.୬୫ ପ୍ରତିଶତ ତଳେ ୮୬୫ ଟଙ୍କାରେ ହେଲା ଲିଷ୍ଟିଂ । ସେହିଭଳି ନାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ବା ନିଫ୍ଟିରେ ଏହା ୮୭୨ ଟଙ୍କାରେ ହେଲା ତାଲିକାଭୁକ୍ତ । ସୋମବାର କାରବାରର ଶେଷରେ BSEରେ ୮୭୩ ଟଙ୍କା ଏବଂ NSEରେ ୮୭୫ ଟଙ୍କା ୪୫ ପଇସାରେ ବନ୍ଦ ହୋଇଛି LICର ଶେୟାର୍ ମୂଲ୍ୟ ।
IPO ଆସିବା ପୂର୍ବରୁ ସରକାର ଯେମିତି ଆୟୋଜନ କରିଥିଲେ, ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହେବା ଦିନ ମଧ୍ୟ ସେହିଭଳି କରିଥିଲେ ଆୟୋଜନ । LIC ଉଚ୍ଚ ଅଧିକାରୀ ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନରେ ଥିବା ଦୀପମ୍ ବିଭାଗ ମଧ୍ୟ ବେଶ୍ ତତ୍ପର ଥିଲା । ସୋମବାର ପୂର୍ବାହ୍ନ ଠିକ୍ ୧୦ଟାରେ ଏହା ହୋଇଥିଲା ଲିଷ୍ଟିଂ । କିନ୍ତୁ ଆରମ୍ଭରୁ ହିଁ ରେଡ୍ ଜୋନରେ ରହିଥିଲା । ପ୍ରଥମ ଦିନରେ ହିଁ ଇସ୍ୟୁ ପ୍ରାଇସ୍ ଛୁଇଁ ପାରିନି ଭାରତୀୟ ଜୀବନ ବୀମା ନିଗମର ଶେୟାର୍ ମୂଲ୍ୟ । ଯାହା ନିବେଶକ ଓ ବିଶେଷ କରି IPO କିଣିଥିବା ବୀମାଧାରୀଙ୍କୁ ଚିନ୍ତାରେ ପକାଇଛି । ତେବେ କାହିଁକି ପ୍ରଥମରୁ ଏମିତି ଖରାପ ପ୍ରଦର୍ଶନ କଲା ଦେଶର ସବୁଠାରୁ ବଡ଼ IPO ? କଣ ହୋଇପାରେ ଏହାର କାରଣ ?
ବିଶ୍ବ ବଜାରରେ ଅସ୍ଥିରତାର ସିଧାସଳଖ ପ୍ରଭାବ ପଡ଼ିଛି LIC ଲିଷ୍ଟିଂ ଉପରେ । ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ବର୍ତ୍ତମାନ ଅନ୍ତର୍ଜାତୀୟ ବଜାର ହଲଚଲ୍ । ଉଚ୍ଚା ଅଶୋଧିତ ତୈଳ ଦର ବିଶେଷକରି ଶକ୍ତି କ୍ଷେତ୍ରକୁ କରିଛି ପ୍ରଭାବିତ । ଶକ୍ତି କ୍ଷେତ୍ର ସହ ବିଭିନ୍ନ ସାମଗ୍ରୀର ଦାମ ମଧ୍ୟ ଉଚ୍ଚା ରହିଛି । ଏଭଳି ସ୍ଥିତିରେ ମୁଦ୍ରାସ୍ଫୀତିରେ ରୋକ୍ ଲଗାଇବାକୁ ଆମେରିକାର ଫେଡେରାଲ୍ ରିଜର୍ଭ ଓ ଭାରତର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମତେ ଅଧିକାଂଶ ଦେଶର ସେଣ୍ଟ୍ରାଲ୍ ବ୍ୟାଙ୍କ ସୁଧହାର ବଢ଼ାଇଛନ୍ତି । କିନ୍ତୁ ତାର ପ୍ରତିକୂଳ ପ୍ରଭାବ ବଜାର ଉପରେ ଜାରି ରହିଛି । ଫେଡ୍ ରିଜର୍ଭ ଏବଂ ଆରବିଆଇ ଆଗକୁ ଆହୁରି ସୁଧହାର ବଢ଼ାଇବା ସମ୍ଭାବନା ମଧ୍ୟ ରହୁଛି । ତେଣୁ ଏଭଳି ସ୍ଥିତିରେ ଅର୍ଥନୀତିକୁ ନେଇ ସାଧାରଣ ମାନସିକତାରେ ସ୍ଥିରତା ଆସିବାକୁ ସମୟ ଲାଗିବ । ସାରା ବିଶ୍ବର ଅର୍ଥନୀତି ଚହଲୁଥିବା ବେଳେ ଭାରତୀୟ ଷ୍ଟକ୍ ବଜାରରୁ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଜାରି ରହିଛି । ଯେଉଁଥି ପାଇଁ ପ୍ରଭାବିତ ହୋଇଛି LIC ଶେୟାର ।
ବର୍ତ୍ତମାନ ସୁଦ୍ଧା ଦେଶର ସବୁଠାରୁ ବଡ଼ ଇନିସିଆଲ୍ ପବ୍ଲିକ୍ ଅଫର୍ ଥିଲା LICର IPO । ଯାହାକୁ ମିଳିଥିଲା ଜବରଦସ୍ତ ରେସପନ୍ସ । ସବସ୍କ୍ରିପସନ୍ ହୋଇଥିଲା ୨.୯୫ ଗୁଣା । ଦୁଇ ଦିନ ଆଙ୍କର୍ ଇନଭେଷ୍ଟରଙ୍କ ପାଇଁ ଇସ୍ୟୁ ଖୋଲିବା ପରେ ୪ରୁ ୯ ତାରିଖ ୬ ଦିନ ଖୋଲିଥିଲା ସାଧାରଣ ନିବେଶକଙ୍କ ପାଇଁ LICର IPO । ଦୈନିକ ମାର୍କେଟ୍ ଖୋଲିବା ଆରମ୍ଭରୁ ରାତି ଯାଏ ରହୁଥିଲା ଖୋଲା । ପୁଣି ଶନିବାର ଓ ରବିବାର ମଧ୍ୟ ଥିଲା ଖୋଲା । ରିଟେଲ୍ ଇନଭେଷ୍ଟର ଓ LIC କର୍ମଚାରୀଙ୍କ ପାଇଁ ପ୍ରତି ଶେୟାରରେ ୪୫ ଟଙ୍କା ରିହାତି ଥିବା ବେଳେ ବୀମାଧାରୀଙ୍କ ପାଇଁ ଥିଲା ୬୦ ଟଙ୍କା ରିହାତି । ବୀମାଧାରୀଙ୍କୁ ୮୮୯ ଟଙ୍କା ଏବଂ ରିଟେଲ୍ ଇନଭେଷ୍ଟରଙ୍କୁ ୯୦୪ ଟଙ୍କାରେ ମିଳିଥିଲା ଶେୟାର୍ । ଯୋଗ୍ୟ ସଂସ୍ଥାଗତ ନିବେଶକଙ୍କ କୋଟା ୨.୮୩ ଗୁଣା, ଅଣ ଆନୁଷ୍ଠାନିକ ନିବେଶକ କୋଟା ୨.୯୧ ଗୁଣା, ରିଟେଲ୍ ବ୍ୟକ୍ତିଗତ ନିବେଶକ କୋଟା ୧.୯୯ ଗୁଣା, ବୀମାଧାରୀ କୋଟା ୬.୧୨ ଗୁଣା ଏବଂ LIC କର୍ମଚାରୀ କୋଟା ୪.୪୦ ଗୁଣା ସବସ୍କ୍ରାଇପ୍ ହୋଇଥିଲା । IPO ପାଇଁ ପ୍ରାୟ ୭୫ ହଜାର ଆବେଦନ ହୋଇଥିଲା । ଯାହାକି ବର୍ତ୍ତମାନ ସୁଦ୍ଧା ଏକ ରେକର୍ଡ । କିନ୍ତୁ ଲିଷ୍ଟିଂ ମୂଲ୍ୟ ନଉଠିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି, IPO କିଣିଥିବା ନିବେଶକଙ୍କ ମଧ୍ୟରୁ ଅଧିକାଂଶ ଆମାଟେଉର୍ । ବିଶ୍ବ ବଜାରର ଅସ୍ଥିରତାକୁ ନଜରରେ ରଖି ଅଭିଜ୍ଞ ନିବେଶକ ୱେଟ୍ ଆଣ୍ଡ୍ ୱାଚ୍ ପଲିସିରେ ଥିବା ବେଳେ ଲିଷ୍ଟିଂ ଲାଭ ଚକ୍କରରେ ଭାସିଗଲେ ବୀମାଧାରୀ ଓ LIC କର୍ମଚାରୀ ।
ପ୍ରଥମ ପଦାର୍ପଣରେ ସିନା ଗ୍ରୀନ୍ ଜୋନକୁ ଯାଇ ପାରିନି LIC । ଫଣ୍ଡାମେଣଅଟାଲ୍ କିନ୍ତୁ କହୁଛି ମିଡିଅମ୍ ଏବଂ ଲଙ୍ଗ ଟର୍ମରେ ନିବେଶକଙ୍କୁ ଭଲ ଲାଭ ଦେବ । ଦେଶର ସବୁଠାରୁ ବଡ଼ ବୀମା କମ୍ପାନି ଭାରତୀୟ ଜବନ ବୀମା ନିଗମ ବା LIC । ବିଶ୍ବରେ ଏହା ପଞ୍ଚମ ସ୍ଥାନରେ ରହିଛି । ପୁଣି ପ୍ରିମିଅମ୍ ଦୃଷ୍ଟିକୋଣରୁ ମାର୍କେଟ୍ ଶେୟାର୍ ଏତେ ସର୍ବାଧିକ ଯେ, ବିଶ୍ବର କୌଣସି ସରକାରୀ କିମ୍ବା ଘରୋଇ କମ୍ପାନି ଏହାର ଛାଇଁ ଛୁଇଁବାକୁ ସକ୍ଷମ ନୁହଁନ୍ତି । ବର୍ତ୍ତମାନ LICର ପ୍ରିମିଅମ୍ ମାର୍କେଟ୍ ଶେୟାର୍ ରହିଛି ୬୪ ପ୍ରତିଶତ । ଯେତେବେଳେ କି ବିଶ୍ବର କୌଣସି ବୀମା କମ୍ପାନିର ପ୍ରିମିଅମ୍ ମାର୍କେଟ୍ ଶେୟାର୍ ସର୍ବାଧିକ ୨୨ ପ୍ରତିଶତ ଯାଏଁ ରହିଛି । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ରହିଛି LICର ଅପରେସନ୍ । ସିଙ୍ଗାପୁର, ମଧ୍ୟ ପ୍ରାଚ୍ୟର କିଛି ଦେଶ ସମେତ ଆଉ କିଛି ସ୍ଥାନରେ ଯେଉଁଠାରେ ବହୁ ସଂଖ୍ୟାରେ ଭାରତୀୟ ରହିଛନ୍ତି, ସେଠାରେ ମଧ୍ୟ ରହିଛି ଏହାର ଅପରେସନ୍ । ଆସେଟ୍ ମ୍ୟାନେଜମେଣ୍ଟ ବା ସମ୍ପତ୍ତି ପରିଚାଳନା ଦୃଷ୍ଟିରୁ ଦେଖିବାକୁ LIC ଭାରତରେ ସର୍ବବୃହତ । କମ୍ପାନି ଅଧୀନରେ ବର୍ତ୍ତମାନ ୩୯.୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ରହିଛି LICର କାର୍ଯ୍ୟାଳୟ । ବର୍ତ୍ତମାନ ଏହାର ୪ ହଜାର ୯୮୩ଟି ଅଫିସ୍ ରହିଛି । ସବୁଠାରୁ ବଡ଼ କଥା ହେଲା ଭାରତୀୟ ଜୀବନ ବୀମା ନିଗମ ବା LIC ପ୍ରତିଟି ଭାରତୀୟଙ୍କ ବିଶ୍ବାସର ପ୍ରତୀକ । ଦେଶର ପ୍ରତି କୋଣ ଅନୁକୋଣରେ ରହିଛନ୍ତି ଏହାର ଏଜେଣ୍ଟ । ଯାହା ଏହାର ନେଟୱର୍କକୁ ପ୍ରମାଣିତ କରୁଛି ।
୧୯୫୬ ମସିହା ସେପ୍ଟେମ୍ବର ପହିଲାରେ ଜନ୍ମ ନେଇଥିଲା LIC । ୨୪୫ଟି ଘରୋଇ ବୀମା କମ୍ପାନିକୁ ମିଶାଇ ସରକାର ଗଠନ କରିଥିଲେ ଭାରତୀୟ ଜୀବନ ବୀମା ନିଗମ । ସେବେଠାରୁ ୨୦୨୨ ମେ ୪ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ପାଖରେ ଥିଲା LICର ଶହେ ପ୍ରତିଶତ ଶେୟାର୍ । ଶହେ ପ୍ରତିଶତରେ LICର ୬୩୨ କୋଟି ୪୯ ଲକ୍ଷ ୯୭ ହଜାର ୭୦୧ଟି ଶେୟାର୍ ଥିବା ବେଳେ ବର୍ତ୍ତମାନ ସରକାର ସାଢ଼େ ୩ ପ୍ରତିଶତ ବିକିଛନ୍ତି । IPO ଜରିଆରେ ୨୨ କୋଟି ୧୩ ଲକ୍ଷ ୭୪ ହଜାର ୯୨୦ଟି ଶେୟାର୍ ବିକିଛନ୍ତି ସରକାର । ଏବେ ସରକାରଙ୍କ ପାଖରେ ୯୬.୫୦ ପ୍ରତିଶତରେ ୬୧୦ କୋଟି ୩୬ ଲକ୍ଷ ୨୨ ହଜାର ୭୮୧ଟି ଶେୟାର୍ ରହିଛି । ଯାହା ସ୍ପଷ୍ଟ କରି ଦେଉଛି ଏବେ ବି LICର ବିଗ୍ ପ୍ଲେୟାର୍ ହୋଇ ରହିଛନ୍ତି ସରକାର ।
ଭାରତୀୟ ଜୀବନ ବୀମା ନିଗମ ହିଁ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ IPO ଇସ୍ୟୁ କରିଛି । ଏହା ପୂର୍ବରୁ ଗତବର୍ଷ ୧୮ ହଜାର ୩ ଶହ କୋଟି ଟଙ୍କାର IPO ଜାରି କରି ଟପ୍ରେ ଥିଲା ପେ-ଟିଏମ୍ । କିନ୍ତୁ ଲିଷ୍ଟିଂ ପରଠାରୁ ଏହାର ଶେୟାର୍ ମୂଲ୍ୟ, ଇସ୍ୟୁ ପ୍ରାଇସ୍ ଛୁଇଁ ପାରୁନି । ସେହିଭଳି ପେ-ଟିଏମ୍ ପୂର୍ବରୁ ୨୦୧୦ରେ ୧୫ ହଜାର ୫ ଶହ କୋଟି ଟଙ୍କାର IPO ଇସ୍ୟୁ କରି ଦ୍ବିତୀୟରେ ଥିଲା କୋଲ୍ ଇଣ୍ଡିଆ । ଏବେ ଏହା ମଧ୍ୟ ଇସ୍ୟୁ ପ୍ରାଇସ୍ ଠାରୁ ଯଥେଷ୍ଟ ତଳେ ରହିଛି । ସେହିଭଳି ୨୦୦୮ରେ ୧୧ ହଜାର ୮ ଶହ କୋଟି ଟଙ୍କାର IPO ଜାରି କରିଥିବା ରିଲାଅଏନ୍ସ ପାୱର୍ ନିକଟ ଭବିଷ୍ୟତରେ ଇସ୍ୟୁ ପ୍ରାଇସ୍ ଟଚ୍ କରିବାର ସମ୍ଭାବନା ବହୁତ କ୍ଷୀଣ । ୬ ଲକ୍ଷ କୋଟି ମାର୍କେଟ୍ କ୍ୟାପିଟାଲରେ LIC ହେବାକୁ ଦେଶର ପଞ୍ଚମ ସର୍ବ ମୂଲ୍ୟବାନ୍ କମ୍ପାନି । ବର୍ତ୍ତମାନ ଆମ ଦେଶରେ ୧୮ ଲକ୍ଷ ୨୩ ହଜାର କୋଟି ଟଙ୍କା ମାର୍କେଟ୍ କ୍ୟାପିଟାଲରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଟପ୍ରେ ଥିବା ବେଳେ ୧୩ ଲକ୍ଷ ୧୨ ହଜାର କୋଟିରେ TCS ଦ୍ବିତୀୟ ୭ ଲକ୍ଷ ୫୮ ହଜାର କୋଟିରେ HDFC ତୃତୀୟ ଏବଂ ୬ ଲକ୍ଷ ୫୭ ହଜାର କୋଟିରେ ଇନଫୋସିସ୍ ଚତୁର୍ଥରେ ରହିଛି ।