ନିର୍ବାଚନରେ ପରଷ୍ପର ବିରୋଧରେ ବାମପନ୍ଥୀ

କଂଗ୍ରେସ ସହ ସିପିଆଇ ଓ ସିପିଏମ୍‍ ମେଣ୍ଟ କରି କେତେକ ଆସନରୁ ଓଡିଶାରେ ନିର୍ବାଚନ ଲଢୁଥିବାବେଳେ ଏହି ମେଣ୍ଟର ପ୍ରାର୍ଥୀଙ୍କ ବିରୁଦ୍ଧରେ ଅନ୍ୟ ବାମପନ୍ଥୀ ଦଳମାନେ ନିର୍ବାଚନ ମଇଦାନକୁ ଓହ୍ଲାଇବା ଏକ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି।

ନିର୍ବାଚନ ଘୋଷଣା ପୂର୍ବରୁ ଭୁବନେଶ୍ୱର ଲୋକସଭା ଆସନପାଇଁ ଓଡିଶାରେ କଂଗ୍ରେସ ସହ ମେଣ୍ଟ କରି ସିପିଏମ୍‍ ନେତା ଜନାର୍ଦ୍ଦନ ପତି ପ୍ରାର୍ଥୀ ହେବେବୋଲି ଘୋଷଣା କରାଯାଇଥିଲା। ତଦନୁଯାୟୀ ସାତଟିଯାକ ବିଧାନସଭା କ୍ଷେତ୍ରରେ ଶ୍ରୀ ପତିଙ୍କ ସପକ୍ଷରେ ପ୍ରଚାର ଅଭିଯାନ ବି ଆରମ୍ଭ ହୋଇଯାଇଛି। ତେବେ ଏହି ଲୋକସଭା ଆସନରୁ ଆଉଜଣେ ବାମପନ୍ଥୀ ନେତ୍ରୀ ପ୍ରାର୍ଥୀ ହୋଇଛନ୍ତି। ସେ ହେଲେ ସିପିଆଇଏମ୍‍ଏଲ୍‍ ରେଡ୍‍ଷ୍ଟାର ଦଳର ପ୍ରମିଳା ବେହେରା।

ସିପିଆଇଏମ୍‍ର ନିର୍ବାଚନ ଚିହ୍ନ ଦାଆ ହାତୁଡି ତାରା ଥିବାବେଳେ ସିପିଆଇଏମ୍‍ଏଲ୍‍ ରେଡଷ୍ଟାରର ନିର୍ବାଚନ ଚିହ୍ନ ରହିଛି କରତ। ତେଣୁ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ଦୁଇଜଣ ବାମପନ୍ଥୀ ପ୍ରାର୍ଥୀ ଲାଲ ଭିନ୍ନ ଭିନ୍ନ ଚିହ୍ନ ଥିବା ଲାଲ୍‍ ପତାକାରେ ପ୍ରଚାର ଅଭିଯାନକୁ ଜୋରଦାର କରିବାରେ ଲାଗୁଛନ୍ତି।

ଏଠାରେ ଉଲ୍ଲେଖନୀୟ ଯେ ଭୁବନେଶ୍ୱରରେ ମେଣ୍ଟ ଯୋଗୁଁ କଂଗ୍ରେସ ଲୋକସଭା ପ୍ରାର୍ଥୀ ଦେଉନଥିବାବେଳେ ବାମପନ୍ଥୀଙ୍କୁ ସମର୍ଥନ କରୁଛି। ଶ୍ରୀ ପତିଙ୍କ ପ୍ରଚାରରେ ସେ କଂଗ୍ରେସ, ସିପିଆଇ ଓ ସିପିଏମ୍‍ ସମର୍ଥିତ ପ୍ରାର୍ଥୀ ବୋଲି ଉଲ୍ଲେଖ କରାଯାଉଛି। ତେବେ ବାମପନ୍ଥୀଙ୍କ ଲାଲ ପତାକାରେ ଭିନ୍ନ ଚିହ୍ନ ଧରି ପ୍ରମିଳା ନିର୍ବାଚନରେ ପ୍ରାର୍ଥୀ ହେବା ବାମପନ୍ଥୀ ଭୋଟ ବିଭାଜନର କାରଣ ହୋଇପାରେ ବୋଲି କୁହାଯାଉଛି।

ଭୁବନେଶ୍ୱର ଉତ୍ତର ବିଧାନସଭା କ୍ଷେତ୍ରରୁ ସିପିଆଇଏମଏଲ୍‍ ଲିବରେସନ ଦଳର ପ୍ରାର୍ଥୀ ଅଛନ୍ତି ମହେନ୍ଦ୍ର ପରିଡା। ତାଙ୍କର ନିର୍ବାଚନ ଚିହ୍ନ ହେଲା ନାଲି ପତାକା ଉପରେ ତାରକା। ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ, ଭୁବନେଶ୍ୱର ଲୋକସଭା କ୍ଷେତ୍ର ମଧ୍ୟରେ ଆସୁଥିବାରୁ ଏଠାରେ ତିନି ତିନିଟି ବାମପନ୍ଥୀ ପତାକା ଓ ଭିନ୍ନ ଚିହ୍ନ ଭୋଟରମାନଙ୍କ ମଧ୍ୟରେ ଆଲୋଚନାର ବିଷୟବସ୍ତୁ ହେଉଛି।

ତିନି ତାରକା ପତାକା ଚିହ୍ନ ଥିବା ସିପିଆଇଏମଏଲ୍‍ ଲିବରେସନ ଦଳ କୋରାପୁଟ ଓ ପୁରୀ ଲୋକସଭା କ୍ଷେତ୍ର ଓ ଆଉ ୧୧ଟି ବିଧାନସଭା କ୍ଷେତ୍ରରେ ବି ପ୍ରାର୍ଥୀ ଦେଲାଣି। ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ କେତୋଟି ବିଧାନସଭା ଆସନରେ ବି ସିପିଆଇଏମ୍‍ଏଲ୍‍ ରେଡଷ୍ଟାର ତାହାର କରତ ଚିହ୍ନିତ ପ୍ରାର୍ଥୀଙ୍କୁ ଉତାରୁଛି। ତେଣୁ ମୋଟାମୋଟି ଭାବେ ବାମପନ୍ଥୀ ଐକ୍ୟ ପାଇଁ ଯେଉଁ ଅଭିଯାନ ଚାଲୁଥିଲା ତାହା ଏହି ବିଫଳ ହୋଇଥିବା ଏହି ନିର୍ବାଚନରେ ଜଣାପଡୁଛି।

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ବହୁ ଚର୍ଚ୍ଚିତା ପ୍ରାକ୍ତନ ଆଇଏଏସ୍‍ ଅଧିକାରୀଣୀ ଅପରାଜିତା ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ମୁମ୍ବାଇର ପୂର୍ବତନ ପୁଲିସ୍‍ କମିଶନର ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ଏହି ଲୋକସଭା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ସାତଟି ଯାକ ବିଧାନସଭା କ୍ଷେତ୍ରରେ ବିଜେଡି, ବିଜେପି ଓ କଂଗ୍ରେସ ସାତଜଣ ଲେଖାଁଏ ପ୍ରାର୍ଥୀ ଦେଇ ନିଜ ଦଳର ଭୋଟକୁ ନିଜ ଆଡକୁ ଆକୃଷ୍ଟ କରିବାପାଇଁ ଉଦ୍ୟମ ଚଳାଉଛନ୍ତି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜେଡି ଟିକଟ: ମିଡିଆ ମାଲିକ ଫାଇଦାରେ ଆଶାୟୀ ସାମ୍ବାଦିକ ଭକୁଆ

କିଏ ହେବେ ସାଂସଦ-୧: ବାଲେଶ୍ଵରରେ ରବୀନ୍ଦ୍ର ଜେନା ବନାମ ପ୍ରତାପ ଷଡ଼ଙ୍ଗୀ

୪୮ ବିଧାନସଭା ଓ ୧୭ ଲୋକସଭା ଆସନରେ ବିଜେଡିର ନୂଆ ମୁହଁ


Leave a Reply

Your email address will not be published.