ବିଜେଡିରୁ କୁସୁମ ଟେଟେ-ପ୍ରମୋଦ ପଟ୍ଟନାୟକଙ୍କ ଇସ୍ତଫା

ବିଜେଡିରୁ କୁସୁମ ଟେଟେ ଇସ୍ତଫା ଦେଇଥିବା ଜଣାଯାଇଛି।ସେ ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଘୋଷଣା ଦେଇଥିବା କହିଛନ୍ତି।  ନିଜର ଇସ୍ତଫା ଘୋଷଣା ବେଳେ କୁସୁମ କାନ୍ଦି କାନ୍ଦି କହିଛନ୍ତି ଯେ ତାଙ୍କୁ ଦଳ ୫ ବର୍ଷ ଚାକର ଭଳି ଖଟାଗଲା,ଆଉ ପରିଣାମ ଏୟା। ସେ ଅଭିଯୋଗ କରିଛନ୍ତି ଯେ ବିଜୁ ଜନତା ଦଳ ୩୩% ମହିଳାଙ୍କୁ ଟିକେଟ ଦେବା କଥା ମିଛ । ଏହାପରେ ସେ କେଉଁ ଦଳକୁ ଯିବେ ବା ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ତାହା ଖୁବ୍ ଶୀଘ୍ର ସ୍ଥିର କରିବେ ବୋଲି କହିଛନ୍ତି।

କୁସୁମ ଦଳୀୟ ସଭାପତିଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଲେଖିଛନ୍ତି, ଯେଉଁ ବ୍ୟକ୍ତି ମଦ ବ୍ୟବସାୟ, କୋଇଲା ବେପାର ଓ ସ୍ଥାନୀୟ ଅଞ୍ଚଳର ପ୍ରତି ଅବହେଳା ବିରୋଧରେ ମୁଁ ବାରମ୍ବାର ସ୍ୱର ଉତ୍ତୋଳନ କରି ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି, ତାଙ୍କ ସପକ୍ଷରେ ମୁଁ ପ୍ରଚାର କରିପାରିବି ନାହିଁ। ତେଣୁ ମୁଁ ବିଜୁ ଜନତା ଦଳର ସମସ୍ତ ପଦବୀରୁ ଓ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପ୍ରଦାନ କରୁଛି।

ଗତ ନିର୍ବାଚନରେ ସୁନ୍ଦରଗଡ଼ରୁ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା କୁସୁମ ଟେଟେ  ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଥିଲେ। କୁସୁମ ଟେଟେ ନିଜର ପ୍ରତିକ୍ରିୟାରେ କହିଥିଲେ ଯେ ସେ ଏଥର ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଇଥିବା ହେତୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ବିଜେଡି ସୁନ୍ଦରଗଡ଼ ସଂରକ୍ଷିତ ଆସନରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଯୋଗେଶ ସିଂହଙ୍କୁ ବିଧାନସଭା ଟିକେଟ୍ ଦେଇଛି। କଂଗ୍ରେସ ଦଳରୁ ଇସ୍ତଫା ଦେବାପରେ ଯୋଗେଶ ସିଂହ ବିଜେଡିରେ ଯୋଗ ଦେବାପରେ ସୁନ୍ଦରଗଡ଼ରେ ବିଜେଡିରେ ବିବାଦ ଦେଖା ଦେଇଥିଲା।

କଳାହାଣ୍ଡି ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ପ୍ରମୋଦ ପଟ୍ଟନାୟକଙ୍କ ଇସ୍ତଫା

ସୁନ୍ଦରଗଡ଼ର ନେତ୍ରୀ କୁସୁମ ଟେଟେଙ୍କ ସହିତ ଆଉ ଜଣେ ବିଜେଡି ନେତା ବି ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ନାଁ ପ୍ରମୋଦ ପଟ୍ଟନାୟକ। ସେ କଳାହାଣ୍ଡି ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ପଦରେ ଥିଲେ। ପ୍ରମୋଦ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏଥିରେ ତାଙ୍କୁ ଟିକେଟ୍ ନ ଦିଆଯିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି।

ଇସ୍ତଫାପତ୍ରରେ ପ୍ରମୋଦ ଲେଖିଛନ୍ତି, ଗତ ନିର୍ବାଚନ ବେଳେ ଜଣେ ଅଜଣା ଓ ଅଣ-ରାଜନୀତିକ ବ୍ୟକ୍ତି କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକେଟ୍ ଦିଆଗଲା। ୨୦୧୯ରେ ମୋତେ ଟିକେଟ୍ ଦିଆଯିବ ବୋଲି ଆପଣ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ଯେ ଆପଣ ପୁଣି ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକେଟ୍ ଦେଲେ, ଯାହାଙ୍କ ଭାବମୂର୍ତ୍ତି ଜୁନାଗଡ଼ରେ କ୍ଷୁର୍ଣ୍ଣ ହୋଇସାରିଛି। ପୂରା ଯାଦବ ସମାଜ ତାଙ୍କୁ ବିରୋଧ କରୁଛି। ଏହି କାରଣରୁ ମୁଁ ଇସ୍ତଫା ଦେଉଛି।

ସୂଚନାଯୋଗ୍ୟ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଓ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ପ୍ରମୁଖ ବିଜେଡି ଛାଡ଼ିଛନ୍ତି। ବଳଭଦ୍ର ମାଝି ବିଜେପିରେ ମିଶିଛନ୍ତି।

Leave a Reply

Your email address will not be published.