ମାନବାଧିକାର କମିଶନଙ୍କୁ ଅନ୍ତେବାସୀଙ୍କ ଚିଠି

0
26
advt
< a href= "#">

ଅବ୍ୟବସ୍ଥାରେ ୧ଠ୨ ବର୍ଷର ଜିଲ୍ଲା କାରାଗାର

କେନ୍ଦୁଝର ,(ଓଟି): ଅବ୍ୟବସ୍ଥା ମଧ୍ୟରେ ଜିଲ୍ଲା କାରାଗାର । ୧୦୨ବର୍ଷ ପୁରୂଣା କାରାଗାର ରକ୍ଷଣାବେକ୍ଷଣ ଅଭାବରୁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ । ଏଥିସହିତ ଜେଲ ପରିସରରେ ରହୁଥିବା କଏଦୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର କଏଦୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ କାରାଗାରକୁ ଆସୁଥିବା ଅତିଥିଙ୍କୁ ଅବଗତ କଲେ ସୁଦ୍ଧା କୌଣସି ସୁଫଳ ମିଳୁନି । ତେଣୁ ଏନେଇ କଏଦୀମାନେ ଶେଷରେ ନ୍ୟାୟ ପାଇଁ ମାନବାଧିକାର କମିଶନରଙ୍କୁ ଚିଠି ଲେଖି ଜଣାଇଥିବା ଜଣାପଡ଼ିଛି ।

advt

୧ଠ୨ବର୍ଷ ପୁରୂଣା କେନ୍ଦୁଝର ଜିଲ୍ଲା କାରାଗାର । ରାଜରାଜୁଡ଼ା ଅମଳର ଏହି ଜେଲ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି । ଫଳରେ ଏଥିରେ ରହୁଥିବା କଏଦୀଙ୍କ ଭବିଷ୍ୟତ ବିପଦରେ ଥିବା ଶୁଣିବାକୁ ମିଳୁଛି । ସେହିପରି ଏହି ଜେଲ୍ରେ ୪୦୭ଜଣ କଏଦୀ ରହିବାର ସୁବିଧା ରହିଥିବା ବେଳେ ୨୪୩ଜଣ କଏଦୀ ଓ ୩୧୦ଜଣ ବିଚାରାଧୀନ କଏଦୀ, ଏପରି ମୋଟ ୫୫୩ଜଣ କଏଦୀ ରହିଛନ୍ତି । ଫଳରେ କଏଦୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଜେଲ୍ରେ ସ୍ଥାୟୀ ଅଧ୍ୟକ୍ଷ ନଥିବା ବେଳେ ଜେଲର୍ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାମ ଚଳାଉଛନ୍ତି । ତେଣୁ ଜେଲ୍ରେ ବହୁ ସମସ୍ୟା ଉପୁଜୁଛି । ଜେଲ ଖାଦ୍ୟ, ସ୍ୱାସ୍ଥ୍ୟସେବା ଓ କଏଦୀଙ୍କୁ କାମ ବଣ୍ଟନରେ ଅବ୍ୟବସ୍ଥା ସହ ଶୋଷଣ କରାଯାଉଥିବା ନେଇ କଏଦୀମାନେ ମାନବାଧିକାର କମିଶନରଙ୍କୁ ଅଭିଯୋଗପତ୍ରରେ ଜଣାଇଛନ୍ତି ।

ଅଭିଯୋଗପତ୍ରରେ ଜେଲରେ ପ୍ରଦାନ କରାଯାଉଥିବା ଖାଦ୍ୟରେ ପନିପରିବା କମ୍ ଦିଆଯାଉଛି । ଜେଲକୁ ଦୈନନ୍ଦିନ କମ୍ ପରିମାଣର କ୍ଷୀର, ଦହି ଏବଂ ଛେନା ଆସୁଥିବା ବେଳେ ଏହାର ତଦାରଖ ମଧ୍ୟ ସଠିକ୍ ଭାବେ ହେଉନାହିଁ । ବହୁ ସମୟରେ ଜେଲ ଅନ୍ତେବାସୀଙ୍କୁ କେବଳ ବିସ୍କୁଟ ଦିଆଯାଉଥିବା ବେଳେ ପାଉଁରୁଟି ଦିଆଯାଉ ନାହିଁ । ମିଠା ବଦଳରେ ନିମିକ ଓ ଲଡୁ ଦେଇ କାମ ଚଳାଯାଉଛି । ଜେଲରେ ଉତ୍ପାଦିତ ପରିବା ଦୈନନ୍ଦିନ ବିକ୍ରି ହେଉଥିବା ବେଳେ ବିକ୍ରିର ରସିଦ୍ କଟା ଯାଉନଥିବାରୁ ବହୁ ଅର୍ଥ ବାଟମାରଣା ହେଉଛି । ଅନ୍ତେବାସୀମାନେ ନିଜ ପରିବାର ସହ ଫୋନରେ କଥାବାର୍ତ୍ତା ହେବା ପାଇଁ ଜେଲ କର୍ତ୍ତୃପକ୍ଷ ୩ଗୁଣ ଅର୍ଥ ଆଦାୟ କରୁଛନ୍ତି । ତେବେ ଟେଲିଫୋନ୍ ବିଲ ପୈଠ ପରେ ବଳୁଥିବା ଅର୍ଥ ୱେଲଫେୟାର ଫଣ୍ଡରେ ରହୁଛି କି ନାହିଁ ତାହା ମଧ୍ୟ ଜଣାପଡୁ ନାହିଁ ।

ପ୍ରତ୍ୟେକ ଦିନ କେଉଁ କେଉଁ ଜିନିଷ ଇସ୍ୟୁ ହେଲା ତାହା ଅନ୍ତେବାସୀ ଏବଂ ପରିଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ନୋଟିସ ବୋର୍ଡରେ ଖାଦ୍ୟ ସାମଗ୍ରୀର ତାଲିକା ପ୍ରକାଶ କରାଯାଉନାହିଁ । ଫଳରେ ଅନ୍ତେବାସୀ ସୂଚନା ପାଇବାରୁ ବଞ୍ଚିତ ହେଉଛନ୍ତି । ସାପ୍ତାହିକ ଭାବେ ଅନ୍ତେବାସୀଙ୍କୁ ନିୟମିତ ସାବୁନ ମଧ୍ୟ ଦିଆଯାଉନାହିଁ । ଜେଲ କର୍ତ୍ତୃପକ୍ଷ ଠିକାଦାରଙ୍କୁ ସେମାନଙ୍କର ପ୍ରାପ୍ୟ ଚେକରେ ନଦେଇ ଅନେକ ସମୟରେ କ୍ୟାସ୍ ଆକାରରେ ଦେଉଛନ୍ତି । ଫଳରେ ବହୁ ଅର୍ଥ ବାଟମାରଣା ହେଉଛି । ସେହିପରି ଜେଲରେ ବ୍ୟବହୃତ ଗାଡ଼ି ବାବଦରେ ହଜାରହଜାର ଟଙ୍କା ପୈଠ କରାଯାଉଥିବା ବେଳେ ଗସ୍ତ ନକରି ବହୁ ବିଲ୍ କାଗଜପତ୍ରରେ କରାଯାଇ ଟଙ୍କା ଉଠାଯାଉଛି । ୫୫୩ ଜଣ ଅନ୍ତେବାସୀଙ୍କ ପାଇଁ ଉଦ୍ଧିଷ୍ଟ ଚାଉଳ, ଡାଲି, ମାସଂ, ମାଛ, ପନିର, ସୋୟାବିନ, ଚୁଡା, ସୁଜି କମ୍ ଦିଆଯାଉଛି ।

କାରାଗାର ମଧ୍ୟକୁ ଅବାଧର ମଦ, ଗଞ୍ଜେଇ ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ ଚୋରାରେ ଆସୁଛି । ଯାହାର ଉଦାହରଣ ଗଞ୍ଜେଇ ସେବନ କରି ପୂର୍ବରୁ ୭ବର୍ଷ ସଜା କାଟୁଥିବା ମକୁରୁ ମୁଣ୍ଡା ୨୦୧୭ ଜାନୁଆରୀ ୧ରେ ମୃତୁ୍ୟବରଣ କରିଥିଲେ । କଏଦୀଙ୍କୁ ଶ୍ରମଦାନରୁ ମିଳୁଥିବା ଅର୍ଥ ମଧ୍ୟ ଠିକ୍ ଭାବେ ମିଳୁନାହିଁ । ସେଥିପାଇଁ ପିସି ଦେଲେ ଯାଇ ସବୁକିଛି ଠିକଠାକ କରାଯାଉଥିବା ଆଦି ଅବ୍ୟବସ୍ଥା ସମ୍ପର୍କରେ ଅନ୍ତେବାସୀ ମାନବାଧିକାର କମିଶନରଙ୍କୁ ଜଣାଛଥିବା ଜଣାପଡ଼ିଛି । ତେବେ ଏନେଇ ଅନ୍ତେବାସୀ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ତାରିଖରେ ଆସୁଥିବା ମନ୍ତ୍ରୀ ଓ ଉଚ୍ଚପଦସ୍ତ ଅଫିସରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ତେଣୁ ଜେଲରେ ସଜା କାଟୁଥିବା କଏଦୀଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଏବଂ ଜଣେ ଜେଲ୍ ଅଧିକ୍ଷକଙ୍କୁ ନିଯୁକ୍ତି କରିବାକୁ ଅନ୍ତେବାସୀ କମିଶନଙ୍କ ନିକଟରେ ଦାବି କରିଛନ୍ତି ।

advt
< a href= "#">