ଅତି ଉତ୍ସାହିତ କେନ୍ଦ୍ରାପଡ଼ା ଏସ୍‌ପି: କ୍ଷମତା କେନ୍ଦ୍ର ଆଗରେ ସାମ୍ବାଦିକଙ୍କୁ ଚାପୁଡ଼ା ଧମକ

କେନ୍ଦ୍ରାପଡ଼ା, (ଓଟି): ରାଜ୍ୟ ଶାସନର କ୍ଷମତା କେନ୍ଦ୍ର ଆଗରେ ନିଜର ପାରିଲା ପଣିଆ ପ୍ରକାଶ କରିବାକୁ ଯାଇ ହରଡ଼ଘଣାରେ ପଡ଼ିଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି ନିତି ଶେଖର। ଏପରିକି ନିଜ ସୀମା ରେଖା ଭିତରେ ରହି ବାରିମୁଳଠାରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତକୁ ପ୍ରସାର କରୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ନାଲି ଆଖି ଦେଖାଇ ଆକ୍ରମଣ କରିବାକୁ ଆସିଛନ୍ତି। ସାମ୍ବାଦିକଙ୍କ ଉପରକୁ ହାତ ଉଠାଇ ମାଡ଼ ମାରିବାର ଧମକ ବି ଦେଇଛନ୍ତି। କେନ୍ଦ୍ରାପଡ଼ା ଏସ୍‌ପିଙ୍କ ଏପରି କାର୍ଯ୍ୟକଳାପ ନିର୍ବାଚନ ପରିଚାଳନାର ସ୍ଵଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶାସକ ଦଳ ପ୍ରତି ଅତ୍ୟଧିକ ମୋହଗ୍ରସ୍ତ ହୋଇ ନିତି ଶେଖର ନିଜର ନୀତି ହରାଇଛନ୍ତି ବୋଲି ଚର୍ଚା ହେଉଛି।

ଘଟଣା କ’ଣ?

ପାଟକୁରାରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ। ନବୀନଙ୍କ ଯାଦୁଗରୀ ପ୍ରଚାର କାଇଦାର ସିଧା ପ୍ରସାରଣ ତଥା ଟିକିନିଖି ବିବରଣୀ ଦେବା ଲାଗି ଗଣମାଧ୍ୟମର ପ୍ରତିନିଧି ସେଠାରେ ମୁତୟନ ଥିଲେ। ଭୁବନେଶ୍ଵରରୁ ସାମ୍ବାଦିକଙ୍କ ଭିଡ଼ ଲାଗିଥିଲା। ସେ ଭିତରେ ଥିଲେ ନ୍ୟୁଜ୍‌-୧୮ର ସାମ୍ବାଦିକ ଅଜେଶ ମଲ୍ଲିକ। ଗଣମାଧ୍ୟମଙ୍କ ଲାଗି ଉଦ୍ଦିଷ୍ଟ ସ୍ଥାନରେ ସେ ଆବଶ୍ୟକ ନ୍ୟୁଜ୍‌ ସଂଗ୍ରହ କାର୍ଯ୍ୟକ୍ରମ କରୁଥିଲେ। କିନ୍ତୁ ହଠାତ୍‌ ଏସ୍‌ପିଙ୍କ ଆବିର୍ଭାବ ହେଲା। ଉପସ୍ଥିତ ମିଡିଆ ପ୍ରତିନିଧିଙ୍କୁ ଗାଈ ଗୋଠ ଭଳି ପଛକୁ ଠେଲିବା ପ୍ରୟାସ କରିଥିଲେ। ଏହାକୁ ଦେଖି ସ୍ଵଭାବିକ ଭାବେ ସାମ୍ବାଦିକଙ୍କ ମନ ଆଘାତ ହୋଇଥିଲା। ପ୍ରତିବାଦ ସ୍ଵରୂପ ସେମାନେ ନିଜ ଜାଗାରେ ଅଛନ୍ତି ବୋଲି ଅଜେଶ କହିଥିଲେ। ଏହାଶୁଣି ଖପ୍ପା ହୋଇଥିଲେ ଏସ୍‌ପି ନିତି ଶେଖର। ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲ୍ଲାରେ ପାଇ ଅତି ଉତ୍ସାହିତ ଥିବା ନିତି ନିଜ ଅହଙ୍କାରକୁ ପଦାକୁ ଆଣିଥିଲେ। ଏପରିକି ନିଜର ସମସ୍ତ ନୀତି ଭୁଲି ଯାଇ ହାତ ଉଠାଇ ମାରିବାକୁ ଧମକ ଦେଲେ। ଏହା ଟିଭି କ୍ୟାମେରାରେ ବି କଏଦ ହେଲା।

ଲାଇଭ୍‌ କଟିଗଲା:

ଯଦିଓ କିଛି ଚ୍ୟାନେଲ୍‌ରେ ଏ ଦୃଶ୍ୟ ଲାଇଭ୍‌ ପ୍ରସାରଣ ପାଇଁ ସମସ୍ତ ବ୍ୟବସ୍ଥା ଥିଲା କିନ୍ତୁ ସମ୍ପାଦକମାନେ ବିଷୟକୁ ଲାଇଭ୍‌ ପ୍ରସାରଣ କରି ନଥିଲେ। ଏପରିକି ନିଜ ସାମ୍ବାଦିକର ସାହସ ଓ ଆତ୍ମ ବିଶ୍ଵାସ ତଥା ସ୍ଵାଭିମାନକୁ ବି କିଛି ସମୟ ପାଇଁ ଦବାଇ ରଖାଯାଇଥିଲା। ପରେ ଅବଶ୍ୟ ଏ ବିଷୟକୁ ପ୍ରସାର କରାଯାଇଛି। ହେଲେ ସୋଶାଲ୍‌ ମିଡିଆରେ ଏ ଭିଡିଓ ଭାଇରାଲ୍‌ ହୋଇଛି।

ସବୁଆଡ଼ୁ ଉଦ୍‌ବେଗ

ବିଭିନ୍ନ ଦଳ ପକ୍ଷରୁ ନିତିଙ୍କ ଏପରି ଆଚରଣକୁ ନିନ୍ଦା କରାଯାଇଛି। ଜଣେ କର୍ତ୍ତବ୍ୟରତ ବରିଷ୍ଠ ପୁଲିସ ଅଧିକାରୀ ଏପରି ଧୈର୍ଯ୍ୟ ହରାଇବା ଅନୁଚିତ ବୋଲି ଆଲୋଚନା ହେଉଛି। ଏହି ପ୍ରସଙ୍ଗକୁ ବିରୋଧୀ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ବିଧାନସଭାରେ ଏ ବିଷୟ ଉଠିବା ସମ୍ଭବାନା ଅଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନୀପତି ପ୍ରମୁଖ ଏ ଘଟଣଶକୁ ନିନ୍ଦା କରିଛନ୍ତି।

ଏ ଅତି ଉତ୍ସାହର କାରଣ କ’ଣ?

ଏସ୍‌ପିଙ୍କ ଏପରି ଅତି ଉତ୍ସାହିତ ହେବାର କାରଣ ନେଇ ତର୍ଜମା ଚାଲିଛି। ଗୋଟିଏ କାରଣ ହେଉଛଇ ଏସ୍‌ପି ସମ୍ପୃକ୍ତ ସ୍ଥାନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପାର୍ଷଦଙ୍କ ଉପସ୍ଥିତିରେ ନିଜର ପାରିଲା ପଣଇଆ ଦେଖାଇବାକୁ ଚାହୁଁଥିଲେ। ଏଠାରେ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ପ୍ରଭୃତିଙ୍କୁ ଦେଖି ହୁଏତ ଏସ୍‌ପି ଏପରି ପ୍ରତିକ୍ରିୟାଶୀଳ ହୋଇଥାଇ ପାରନ୍ତି। କିନ୍ତୁ ତୃତୀୟ ମହଲାର ନଜରରେ ଏହି ଘଟଣା ଯେଉଁଭଳି ଉଗ୍ର ରୂପ ନେବାକୁ ଯାଉଛି ସେଥିଲାଗି କେବଳ ବିଧାନସଭାରେ ଚର୍ଚାକୁ ଅପେକ୍ଷା କରାଯାଉଛି। ଅର୍ଥାତ୍‌ ଏସ୍‌ପିଙ୍କ ଏପରି ଦମନଗିରି ତାଙ୍କ ପାଇଁ ପରୋକ୍ଷ କାଳ ହୋଇପାରେ।

Leave a Reply

Your email address will not be published.