କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀଙ୍କ ଚିତ୍ର ଅସ୍ପଷ୍ଟ
ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରାପଡା ଲୋକସଭା ଆସନରେ ପାର୍ଥୀଙ୍କୁ ନେଇ ସେତିକି ଉସିାହ ବଢିବାରେ ଲାଗିଛି। ବିଜେଡି, କଂଗ୍ରେସ ଓ ବିଜେପି ଦଳରୁ ଏହି ଆସନରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଆଲୋଚନା ଜୋର ଧରିଥିବାବେଳେ ଚିତ୍ର ଅସ୍ପଷ୍ଟ ରହିଛି।

୨୦୧୪ରେ ଏଠାରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ସଂସଦକୁ ଯାଇଥିବା ବୈଜୟନ୍ତ ଏବେ ଆଉ ବିଜେଡି ତାଲିକାରେ ନାହାନ୍ତି। ବିଜେଡି ସହିତ ତାଙ୍କର ଅହି ନକୁଳ ସମ୍ପର୍କ। ଅବସ୍ଥା ଏଭଳି ହୋଇଛି କେନ୍ଦ୍ରାପଡା ଯିବାକୁ ହେଲେ ବୈଜୟନ୍ତ କେଉଁ ପଥ ଦେଇ ଯିବେ ତାହାକୁ ନେଇ ଦ୍ୱନ୍ଦରେ ପଡୁଛନ୍ତି। ଗତ ନିର୍ବାଚନରେ ଶ୍ରୀ ପଣ୍ଡା ରେକର୍ଡ ସଂଖ୍ୟକ ୬ଲକ୍ଷରୁ ଅଧିକ ଭୋଟ ପାଇଥିଲେ। ନବୀନଙ୍କ ଲୋକପ୍ରିୟତା ଯୋଗୁଁ ଶ୍ରୀ ପଣ୍ଡାଙ୍କ ଭୋଟ ପରିମାଣ ଏଭଳି ହୋଇଥିଲା। ଚଳିତଥର ଶ୍ରୀ ପଣ୍ଡାଙ୍କ ସ୍ଥାନରେ କିଏ ଲଢିବ ତାହାକୁ ନେଇ ଚାଲିଛି କଳ୍ପନା ଜଳ୍ପନା। ସେହିଭଳି ପାଖାପାଖି ୪ଲକ୍ଷ ଭୋଟ ପାଇଥିବା କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ଏଥର କଂଗ୍ରେସ ପ୍ରାର୍ଥୀ ହେବାନେଇ ଆଶାରେ ଅଛନ୍ତି। ହେଲେ ଗତ ନିର୍ବାଚନରେ ଏକଲକ୍ଷ ୧୮ହଜାର ଭୋଟ ପାଇଥିବା ବିଜେପି ପ୍ରାର୍ଥୀ ବିଷ୍ଣୁ ପ୍ରସାଦ ଦାସ ଏବେ ଦୌଡରେ ନାହାନ୍ତି।


ବିଶେଷ କରି ବିଜେଡି ଏଠାରୁ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ କଳ୍ପନା ଜଳ୍ପନା ଚାଲିଛି। ଏଠାରୁ ବିଜେଡି ପ୍ରାର୍ଥୀ ହେବାପାଇଁ ଉଭୟ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କ ନାଁ ଚର୍ଚ୍ଚାରେ ଥିବାବେଳେ ସେମାନେ ଏପର୍ଯ୍ୟନ୍ତ ବିଜେଡିରେ ଯୋଗ ଦେଇନାହାନ୍ତି। ଯଦି ବୈଜୟନ୍ତ ଏଠାରୁ ପୁଣିଥରେ ସାଂସଦ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କୁ ଟକର ଦେବାପାଇଁ ବିଜେଡି ଦିଲ୍ଲୀପ କିମ୍ୱା ବିଜୟଙ୍କୁ ମଇଦାନକୁ ଓହ୍ଲାଇବା ଆଲୋଚନା ହେଉଛି। ଦିଲ୍ଲୀପ ର୍ନିବିବାଦୀୟ ହୋଇଥିବାବେଳେ ବିଜୟଙ୍କର ଏବେ ବି କେନ୍ଦ୍ରାପଡାରେ ସଂଗଠନ ରହିଛି। ତେବେ ବିଜୟ ଏଠାରୁ ପ୍ରାର୍ଥୀ ହେବାନେଇ କିଛିଟା ବିଜେଡିରେ କିଛି କେଁ ରହିଛି। ସେହିଭଳି ବିଜେଡି ଏଠାରୁ ରାଜ୍ୟସଭା ସାଂସଦ ପ୍ରତାପ ଦେବ କିମ୍ୱା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀଙ୍କୁ ସାଂସଦ ଭାବେ ଲଢାଇବା ନେଇ ଆଲୋଚନା ଚାଲିଛି। ଉଭୟ ନେତାଙ୍କର କେନ୍ଦ୍ରାପଡା ରାଜନୀତିରେ ବେଶ୍ ପ୍ରଭାବ ରହିଛି। ଏହାବାଦ୍ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ତଥା ବର୍ତ୍ତମାନ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ସଦସ୍ୟ ସିପ୍ରା ମଲ୍ଲିକଙ୍କ ନାଁ ବି ଶୁଣାଯାଉଛି। ଯେହେତୁ ବିଜେଡି ଆଗାମୀ ନିର୍ବାଚନ ପାଇଁ ମହିଳା ସଂରକ୍ଷଣ କାର୍ଡ ଖେଳୁଛି ଓ ସିପ୍ରାଙ୍କ ପିତା ପ୍ରହଲାଦ ମଲ୍ଲିକଙ୍କର ମାର୍ଶାଘାଇ, ମହାକାଳପଡା ଏପରିକି ସମଗ୍ର ଜିଲ୍ଲାରେ ଆଜି ବି ଲୋକପ୍ରିୟତା ରହିଛି ତେଣୁ ସିପ୍ରାଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ କରିବାର ସମ୍ଭାବନା ଅଧିକ।

ଅନ୍ୟ ପକ୍ଷରେ କଂଗ୍ରେସ ମଧ୍ୟ ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦରେ ରହିଛି। କାରଣ ସୂଚନା ଅନୁଯାୟୀ ଉଭୟ ବୈଜୟନ୍ତ ଓ ଦିଲ୍ଲୀପଙ୍କୁ ନିଜ ଦଳକୁ ଆଣିବାପାଇଁ କଂଗ୍ରେସ ଜୋରଦାର ଉଦ୍ୟମ କରୁଛି। ଯଦି ବୈଜୟନ୍ତ କଂଗ୍ରେସକୁ ଆସନ୍ତି ତେବେ ସିଏ କେନ୍ଦ୍ରାପଡାରୁ କଂଗ୍ରେସ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ। କିନ୍ତୁ ବୈଜୟନ୍ତ ପ୍ରାର୍ଥୀ ହେଲେ ଧରଣୀ କୁଆଡେ ଯିବେ ବୋଲି କେନ୍ଦ୍ରାପଡା କଂଗ୍ରେସର ଗୋଟିଏ ଗୋଷ୍ଠି ପ୍ରଶ୍ନ କରୁଛନ୍ତି। ବିଜେପି ଏଠାରୁ କାହାକୁ ପ୍ରାର୍ଥୀ କରିବ ତାହା ଜଣାପଡୁନାହିଁ। କାରଣ ଏଠାରୁ ବୈଜୟନ୍ତ ବିଜେପି ପ୍ରାର୍ଥୀ ହେବେବୋଲି ଗୋଟିଏ ସମୟରେ ନିଶ୍ଚିତ ହୋଇଥିବାବେଳେ ଏବେ ବୈଜୟନ୍ତ ଓ ବିଜେପି ମଧ୍ୟରେ ଦୂରତା ବଢିବାରେ ଲାଗିଛି। ବିଜେପିରେ ଯୋଗଦେବାର ବାଟ ତାଙ୍କ ପାଇଁ ଏକ ପ୍ରକାର ବନ୍ଦହୋଇ ଗଲାଣି।

୨୦୧୪ ନିର୍ବାଚନରେ ଏଠାରୁ ୮ଜଣ ପ୍ରାର୍ଥୀ ଲୋକସଭା ପାଇଁ ଲଢିଥିବାବେଳେ ବିଜେଡି, କଂଗ୍ରେସ ଓ ବିଜେପିକୁ ବାଦ୍ ଦେଲେ ଅନ୍ୟ ୫ଜଣ ପ୍ରାର୍ଥୀଙ୍କ ଭୋଟ ୧୦ହଜାର ଟପିପାରି ନଥିଲା। ବର୍ତ୍ତମାନ ସୁଦ୍ଧା କେନ୍ଦ୍ରାପଡାରୁ ସଂସଦ ପ୍ରାର୍ଥୀ ନେଇ ଚିତ୍ର ସ୍ପଷ୍ଟ ହୋଇପାରୁନଥିବାବେଳେ ଆସନ୍ତା ନିର୍ବାଚନରେ କେତେ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବେ ତାହା ଉପରେ ଏବେ ସମସ୍ତଙ୍କ ନଜର। ୨୦୧୯ ନିର୍ବାଚନରେ କେଉଁ ଦଳ ଏଠାରୁ ମହିଳାଙ୍କୁ ପ୍ରାର୍ଥୀ ସେଥିନେଇ ବି କେନ୍ଦ୍ରାପଡା ରାଜନୀତି ଏବେ ଠାରୁ ଜୋର ଧରିଲାଣି।