ରିଲିଜ୍ ହେଲା ‘ପଲ୍ ପଲ୍ ଦିଲ୍ କେ ପାସ୍’, କରଣ ଦେଓଲଙ୍କ ପ୍ରଶଂସାରେ ଶତମୁଖ ସିନେପ୍ରେମୀ

ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଛି ସନ୍ନି ଦେଓଲଙ୍କ ସୁପୁତ୍ର କରଣ ଦେଓଲଙ୍କ ଡେବ୍ୟୁ ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ୍’ । କରଣଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିନେଇଛି ଏବଂ ସିନେ ମହଲରେ ଏବେ କେବଳ ତାଙ୍କର ହିଁ ପ୍ରଶଂସା । କରଣଙ୍କୁ ବଡ଼ ପରଦାରେ ଦେଖିବା ପରେ ସନ୍ନି ଦେଓଲଙ୍କ ପ୍ରଶଂସକଙ୍କ ମନ ମଧ୍ୟ କୁଣ୍ଢେମୋଟ ହୋଇଯାଇଛି । ରୋମାଣ୍ଟିକ୍ ଡ୍ରାମା ଭିତ୍ତିକ ଏହି ଫିଲ୍ମରେ କରଣଙ୍କ ଅନସ୍କ୍ରୀନ୍ ନାୟିକା ସାଜିଛନ୍ତି ସେହର୍ ବାମ୍ବା । ସନ୍ନିଙ୍କ ଭଳି କରଣଙ୍କ ରୋମାଣ୍ଟିକ୍ ଅନ୍ଦାଜ୍ ସହିତ ଦମଦାର୍ ଡାଇଲଗ୍ ଡେଲିଭରି ଓ ଦକ୍ଷ ଅଭିନୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି । ସେହର୍ ମଧ୍ୟ ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦ ଥାପିଛନ୍ତି । କରଣଙ୍କ ସହିତ ସେହରଙ୍କ ଅଭିନୟ ଓ ଲଭ୍ କେମେଷ୍ଟ୍ରୀ ଦର୍ଶକଙ୍କୁ ପସନ୍ଦ ଆସିଛି ।

କାହାଣୀ ଅନୁଯାୟୀ କରଣ ମନାଲିର ପ୍ରଖ୍ୟାତ ଟ୍ରାକିଙ୍ଗ୍ କମ୍ପାନୀର ମାଲିକ ଭାବେ ଅଛନ୍ତି । ବରଫ ଝଡ଼ ଯୋଗୁଁ ସେ ତାଙ୍କର ପିତା-ମାତା ଦୁଇଜଣଙ୍କୁ ହରାଇ ସାରିଛନ୍ତି । ସମୟକ୍ରମେ ସେହର ଆଡଭେନଚର୍ ଟ୍ରାକିଙ୍ଗ୍ ପ୍ଲାନ୍ ପାଇଁ କରଣଙ୍କ କମ୍ପାନୀର କ୍ୟାମ୍ପରେ ରହିଛନ୍ତି । କରଣ ଓ ସେହର ଦୁଇଜଣ ସମ୍ପୂର୍ଣ୍ଣ ବିପରିତ ସ୍ୱଭାବର । ତେଣୁ ପ୍ରଥମେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେଉଛି, ଯାହାକି ପରବର୍ତ୍ତି ସମୟରେ ଭଲ ପାଇବାର ରୂପ ନେଉଛି । କିନ୍ତୁ ପରେ ଦେଖିବାକୁ ମିଳିଛି ଲଭ୍ ଟ୍ରାଏଙ୍ଗଲ୍ । ସେହରଙ୍କ ପୂର୍ବ ବୟଫ୍ରେଣ୍ଡ୍ ବିରେନ୍ ଏହି ଦୁଇଜଣଙ୍କ ମଧ୍ୟରେ ଭିଲିଆନ୍ ସାଜିଛନ୍ତି । ତେବେ କାହାଣୀରେ ଆଗକୁ କ’ଣ ସବୁ ମୋଡ଼ ଦେଇ ଗତିକରୁଛି ଏବଂ କରଣ ଓ ସେହରଙ୍କ ପ୍ରେମ କାହାଣୀ ସଫଳ ହୋଇପାରୁଛି କି ନାହିଁ, ତାହା ଜାଣିବାକୁ ହେଲେ ସିନେପ୍ରେମୀଙ୍କୁ ସିନେମାଟି ଦେଖିବାକୁ ପଡ଼ିବ । ସନ୍ନି ଦେଓଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସଙ୍ଗୀତ ଓ ଲିରିକ୍ସ ମଧ୍ୟ ଆଜିର ଯୁବପିଢ଼ିଙ୍କୁ ଆକୃଷ୍ଟ କରିଛି । ମୋଟ ଉପରେ କହିବାକୁ ଗଲେ ଫିଲ୍ମ ପ୍ରତି ଦର୍ଶକଙ୍କ ପ୍ରତିକ୍ର୍ରିୟା ଜାଣିବା ପରେ ଏହା ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିବ ବୋଲି ସିନେ ସମୀକ୍ଷକମାନେ ମତ ଦେଇଛନ୍ତି ।

Leave a Reply

Your email address will not be published.