ସ୍ଵାଧୀନତା ଦିବସ ସ୍ଵତନ୍ତ୍ର: ସଂଗ୍ରାମରେ ସମର୍ପିତ ସମଗ୍ର ପରିବାର

ଭାରତର ସ୍ଵାଧୀନତା ସଂଗ୍ରାମ କୌଣସି ବଳୀଦାନ ଯଜ୍ଞଠାରୁ ଉଣା ନୁହେଁ। ଦେଶର ପ୍ରତିଟି ସଚେତନ ପରିବାର ସେତେବେଳେ ଭବିଷ୍ୟତକୁ ସୁରକ୍ଷିତ କରିବା ତଥା ଏକ ଉପନେିବେଶ ଭିତ୍ତିକ ଶାସନକୁ ପ୍ରତ୍ୟାହାର କରି ନିଜେ ଶାସନ ଡୋରୀ ହାତକୁ ନେବା ପାଇଁ ମନକୁ ମନ ଉତ୍ସର୍ଗୀକୃତ ହୋଇଥିଲେ। କିଏ ସଂଗ୍ରାମ ପାଇଁ ନିଜର ସମ୍ପତ୍ତି ଦାନ କରିଥିଲା, କିଏ ନିଜର ଜୀବନ ଆଉ କିଏ ଅନ୍ୟକୁ ସଂଗ୍ରାମ ବାବଦରେ ସଚେତନ କରି ସଂଗ୍ରାମର ବଳକୁ ଶକ୍ତ କରୁଥିଲା। ଏମିତି ସଂଗ୍ରାମ ପାଇଁ ଓଡ଼ିଶାର  କାନ୍ତକବିଙ୍କ ପରିବାର ବେଶ୍‌ ଜଣାଶୁଣା।  ଆସନ୍ତୁ ଆଜି ସେ ବିଷୟରେ ମନେପକାଇବା!

କାନ୍ତକବିଙ୍କ ପରିବାରର ବୈଶିଷ୍ଟ୍ୟ ହେଉଛି, ତାଙ୍କର ସମଗ୍ର ପରିବାର ହିଁ ଜାତୀୟ ଆନ୍ଦୋଳନ ବା ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ । କାରାବରଣ କରି ଅକଥନୀୟ ଦୁର୍ଦ୍ଦଶାର ମଧ୍ୟ ସମ୍ମୁଖୀନ ହୋଇଥିଲେ  । ସେତେବେଳେ ଏହି ଘଟଣାହିଁ ସମଗ୍ର ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରିଥିଲା । ମୁଁ ଓ ମୋ ଭଳି ଯୁବକମାନେ ଏଭଳି ଘଟଣା ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲୁ । ଏହା ହେଉଛି କାନ୍ତକବିଙ୍କ ପରିବାର ସମ୍ପର୍କରେ ବିଶିଷ୍ଟ ସାମ୍ୟବାଦୀ ନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତଃ ରବି ରାୟଙ୍କ ମନ୍ତବ୍ୟ ।

ସେହିପରି ଓଡିଶାର ଅନ୍ୟତମ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବ ମଧ୍ୟ ଦର୍ଶାଇଛନ୍ତି, “କାନ୍ତକବିଙ୍କ ଜାତୀୟତାବାଦୀ ଲେଖାଗୁଡିକ ଯୁବାବସ୍ଥାରେ ମୋ ପାଇଁ ପ୍ରେରଣା ସାଜିଥିଲା” । ଅପରପକ୍ଷରେ ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଦିବଙ୍ଗତ ଯୁଧିଷ୍ଠିର ଦାସ ଉଲ୍ଲେଖ କରିଛନ୍ତି, “କାନ୍ତକବିଙ୍କ ଦ୍ୱାରା ରଚିତ୍ କାଳଜୟୀ ଦେଶାତ୍ମବୋଧକ ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏବଂ ‘ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡାଇବ ହେ’ ହେଉଛି ମୋ ପ୍ରାଣର ସଙ୍ଗୀତ । ‘ବନ୍ଦେ ଉତ୍କଳ ଜନନୀ’ ଉଚ୍ଚାରଣରେ ବିଜୁ ବାବୁ ତାଙ୍କର ସମସ୍ତ ଅଭିଭାଷଣ ସମାପ୍ତ କରୁଥିଲେ । ନବେ ଦଶକରେ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ମୁଁ ବାଚସ୍ପତି ଥିବା ବେଳେ ଏହି ସଙ୍ଗୀତକୁ ବିଧାନସଭା ଅଧିବେଶନରେ ଉଦଯାପନୀ ସଙ୍ଗୀତ ରୂପେ ସର୍ବସମ୍ମତି କ୍ରମେ ଗ୍ରହ କରିଥିଲି, ଯାହାକି ଦେଶର ଅନ୍ୟ ବିଧାନସଭା ଗୁଡିକ ଲାଗି ନଜିର ସୃଷ୍ଟି କରିଥିଲା ।

choudhari bhagabat prasad mohapatra and Labangalata debi

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ଡିସେମ୍ବର ୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୬୪ଟି ବସନ୍ତ ଅତିକ୍ରମ କରିବା ପରେ ୧୯୫୩ ଫେବୃଆରୀ ୨୪ ତାରିଖରେ ସେ ପରଲୋକ ଗମନ କରିଥିଲେ । ତେଣୁ କାନ୍ତକବି ଭୂମିଷ୍ଠ ହେବାର ୧୩୨ ବର୍ଷ ଏବଂ ଦେହାବସାନ ଘଟିବାର ୬୭ ବର୍ଷରେ ହିଁ ଅର୍ଥାତ୍ ଗତ ଜୁନ୍ ୭ ତାରିଖରେ ଓଡିଶା ସରକାର ତାଙ୍କର ଲୋକପ୍ରିୟ ଦେଶାତ୍ମବୋଧକ ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ଆନୁଷ୍ଠାନିକ ଭାବେ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି । ତେବେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମକୁ ଏହି ପରିବାରର ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ବିଭିନ୍ନ କାରଣରୁ ଅନେକ ଲୋକ ଅଦ୍ୟାବଧି ସମ୍ପୂର୍ଣ୍ଣ ରୂପେ ଅବଗତ ହୋଇପାରି ନାହାଁନ୍ତି । ମାତ୍ର ଆଜି ଅଗଷ୍ଟ କ୍ରାନ୍ତି ଦିବସ (ଭାରତ ଛାଡ ଆନ୍ଦୋଳନର ୭୮ ବର୍ଷ ପୂର୍ତ୍ତି) ଅବସରରେ କେବଳ ଦେଶର ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରକୁ କାନ୍ତକବିଙ୍କ ପରିବାରର ଅନନ୍ୟ ଅବଦାନ ବିଷୟରେ ସଂକ୍ଷିପ୍ତ ଆଲୋଚନା କରିବା ଯର୍ଥାର୍ଥ ନୁହେଁ ।

ଶାରୀରିକ ଅସୁସ୍ଥତା ଯୋଗୁଁ କାନ୍ତକବି ଅତି ଅଳ୍ପ ବୟସରୁ ଅର୍ଥାତ୍ ବି.ଏ ପାସ୍ କରିବା ପରେ ହିଁ ଚଳତ୍‌ଶକ୍ତି ହରାଇ ବସିଥିଲେ । କିନ୍ତୁ ରେଭେନ୍ସା କଲେଜରେ ପଢିବା ବେଳୁହିଁ ସେ ନିଜକୁ ରାଜ୍ୟରେ ଜଣେ ପ୍ରତିଷ୍ଠିତ କବି ହିସାବରେ ପ୍ରତିପାଦିତ କରି ସାରିଥିଲେ । ତେଣୁ ଜାତୀୟ ଆନ୍ଦୋଳନ କାଳରେ ଶାଣିତ ଲେଖନୀ ଚାଳନା ମାଧ୍ୟମରେ ହିଁ ସେ ତାଙ୍କର ସଂଗ୍ରାମୀ କାର୍ଯ୍ୟକଳାପ ଜାରି ରଖିଥିଲେ । କାନ୍ତକବି ବାଲେଶ୍ୱର ଜିଲ୍ଲା (ବର୍ତ୍ତମାନ ଭଦ୍ରକ ଜିଲ୍ଲା) ଅନ୍ତର୍ଗତ ତାଳପଦା ଗ୍ରାମର ସଂଭ୍ରାନ୍ତ ଜମିଦାର ପରିବାରର ଜ୍ୟେଷ୍ଟ ପୁତ୍ର ଭାବେ ଜନ୍ମିତ ହୋଇଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ଓଡିଶାର ଜମିଦାର ଗୋଷ୍ଠୀ ଦୁଇ ଭାଗରେ ବିଭାଜିତ ହୋଇଥିଲେ । ଗୋଟିଏ ଗୋଷ୍ଠୀ ଇଂରେଜ ସରକାରଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟ ଗୋଷ୍ଠୀଟି ଜାତୀୟ ଆନ୍ଦୋଳନର ସପକ୍ଷବାଦୀ ଥିଲେ । କାନ୍ତକବିଙ୍କ ଅନେକ ବନ୍ଧୁବାନ୍ଧବ ଇଂରେଜ ସମର୍ଥକ ଜମିଦାର ଗୋଷ୍ଠୀରେ ସାମିଲ ହୋଇଥିଲେ ସୁଦ୍ଧା ସେ ବ୍ରିଟିଶ ବିରୋଧରେ କଠୋର ସମାଲୋଚନାମୂଳକ ଲେଖା ପରିବେଷଣ କରୁଥିଲେ । ତାଙ୍କର ଶାଣିତ ଲେଖନୀ ଚାଳନା ଯୋଗୁଁ ଇଂରେଜ ସମର୍ଥକ ଜମିଦାର ଗୋଷ୍ଠୀ ତା’ର ଅସ୍ତିତ୍ୱ ହରାଇଥିଲା ।

ଲକ୍ଷ୍ମୀକାନ୍ତ ସମଗ୍ର ଓଡିଶାରେ କାନ୍ତକବି ରୂପେ ପରିଚିତ ଥିଲେ । ତାଙ୍କର ପିତା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଜଣେ ବିଶିଷ୍ଟ ଆଇନଜୀବୀ ତଥା ପ୍ରଖ୍ୟାତ୍ ଜାତୀୟତାବାଦୀ ନେତା ଥିଲେ । ବିହାର-ଓଡିଶା ଲେଜିସଲେଟିଭ କାଉନସିଲକୁ ମୋଟ୍ ୪ଥର ନିର୍ବାଚିତ ହୋଇ ସେ ଦୁଇ ଥର ଲାଗି ଭାଇସ-ପ୍ରେସିଡେଣ୍ଟ (ଉପ-ବାଚସ୍ପତି) ମନୋନୀତ ହୋଇଥିଲେ । ବ୍ରିଟିଶ ସରକାରଙ୍କ ଅନ୍ୟାୟର ପ୍ରତିବାଦରେ ଲେଜିସଲେଟିଭ କାଉନସିଲରୁ ଇସ୍ତଫା ଦେଇଥିବା ଭାଗବତ ବାବୁ ଜଣେ ସମାଜ ସଂସ୍କାରକ ଭାବେ ଯୌତୁକ ବ୍ୟବସ୍ଥାର ଉଚ୍ଛେଦ ଏବଂ ବିବାହ ଖର୍ଚ୍ଚ ହ୍ରାସ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

କାନ୍ତକବିଙ୍କର ଅନୁଜ କମଳାକାନ୍ତ ଜଣେ ଉଚ୍ଚ ଶିକ୍ଷିତ, ଅଗ୍ନିବର୍ଷୀ ବାଗ୍ମୀ ତଥା ଉଦୀୟମାନ ଯୁବ ସ୍ୱାଧୀନତା ସଂଗ୍ରାମୀ ଥିଲେ । ବି.ଏ. (ଏଲ.ଏଲ.ବି) ପାସ୍ କରିଥିବା କମଳାକାନ୍ତ ସେତେବେଳେ ବାଲେଶ୍ୱରରୁ ପ୍ରକାଶ ପାଇଥିବା ‘ପ୍ରଜାତନ୍ତ୍ର’ର କିଛି ସମୟ ଲାଗି ସମ୍ପଦେନ ଦାୟିତ୍ୱ ତୁଲାଇଥିଲେ । ‘ପ୍ରଜାତନ୍ତ୍ର’ରେ ଉଗ୍ର ବ୍ରିଟିଶ-ବିରୋଧି ଲେଖଶ ପ୍ରକାଶନ ଅଭିଯୋଗରେ ତାଙ୍କୁ ଗିରଫ କରି ଜେଲଦଣ୍ଡ ଦିଆଯାଇଥିଲା । ସେହି କାରାବରଣ ସମୟରେ ହିଁ ତାଙ୍କର ଅପ୍ରତ୍ୟାଶିତ ଭାବେ ଆକସ୍ମିକ ବିୟୋଗ ଘଟିଥିଲା । ସେତେବେଳେ ସାଧାରଣ ପରିବାରର ଲୋକମାନଙ୍କୁ ଇଂରେଜ ସରକାର ଦେଶଦ୍ରୋହ ଆରୋପରେ ଫାଶୀ ଭଳି ଦଣ୍ଡ ଦେଉଥିଲେ । କିନ୍ତୁ ପ୍ରଭାବଶାଳୀ ପରିବାରର ଲୋକମାନଙ୍କୁ ଯକ୍ଷ୍ମା ଇଜେକ୍ସନ ଦେଇ ନିପାତ କରି ଦେଉଥିଲେ । ତେଣୁ ଜେଲରେ ଥିବା ବେଳେ ଦୁରାରୋଗ୍ୟ ଯକ୍ଷ୍ମା ଇଜେକ୍ସନ ଦେଇ କମଳାକାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ଉପୁଜିଥିଲା । କିନ୍ତୁ ମହାପରାକ୍ରମୀ ଇଂରେଜ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପରା ଥିଲା । ଫଳରେ ତାଙ୍କର ଆକସ୍ମିକ ବିୟୋଗ ଜନିତ ଦୁଃଖକୁ ପରିବାର ବର୍ଗ ନିରବରେ ସହି ଯିବାକୁ ବାଧ୍ୟ ହୋଇଥିଲେ ।

Nityananda and Gourachandra

ପ୍ରଥିତଯଶା କବି ଲକ୍ଷ୍ମୀକାନ୍ତଙ୍କ ଅନୁଜା ବା ସାନ ଭଉଣୀ ଜାହ୍ନବୀ ଓ କୋକିଳା ଦେବୀ ମଧ୍ୟ ଜାତୀୟ ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ । ଜାହ୍ନବୀ ଦେବୀ ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ୱର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କ ସହଧର୍ମିଣୀ ଥିଲେ ଏବଂ କୋକିଳା ଦେବୀ ଖୁବ୍ କମ୍ ବୟସରେ ବିଧବା ହୋଇ ହରିଜନ ସେବାରେ ନିଜର ଅବଶିଷ୍ଟ ଜୀବନ ଉତ୍ସର୍ଗ କରି ଦେଇଥିଲେ । ଅବଭିକ୍ତ କଟକ ଜିଲ୍ଲାରେ ଗୋପବନ୍ଧୁ ଚୌଧୁରୀଙ୍କ ପତ୍ନୀ ରମାଦେବୀ ଓ ସାନ ଭାଇ ନବକୃଷ୍ଣ ଚୌଧୁରୀଙ୍କ ସହଧର୍ମିଣୀ ମାଳତୀ ଦେବୀ ମହିଳା ମାନଙ୍କୁ ଏକଜୁଟ କରି ସ୍ୱାଧୀନତା ସଂଗ୍ରାମରେ ସାମିଲ କରୁଥିଲେ । ସେହିପରି ଅବଭିକ୍ତ ବାଲେଶ୍ୱର ଜିଲ୍ଲାରେ ଲକ୍ଷ୍ମୀକାନ୍ତଙ୍କ ୨ ଅନୁଜା ଜାହ୍ନବୀ ଓ କୋକିଳା ଦେବୀ ମହିଳାମାନଙ୍କ ନେତୃତ୍ୱ ନେଇ ସେମାନଙ୍କୁ ଇଂରେଜ ସରକାରଙ୍କ ମୁକାବିଲା ପାଇଁ ଗଢି ତୋଳୁଥିଲେ । ଏକଦା କୁନ୍ତଳା କୁମାରୀ ସାବତଙ୍କ ପାଇଁ ବାଲେଶ୍ୱର ଠାରେ ବିଶାଳ ମହିଳା ସମାବେଶ ଆୟୋଜନର ଦାୟିତ୍ୱ ଏହି ୨ ଭଉଣୀ ଗ୍ରହଣ କରିଥିଲେ । ହରିଜନ ମାନଙ୍କୁ ସାମାଜିକ, ଆର୍ଥିକ, ଶୈକ୍ଷିକ ଦୃଷ୍ଟିରୁ ଉନ୍ନତ କରିବା ପାଇଁ ସେ ତାଙ୍କ ଜୀବନକୁ ତିଳ ତିଳ କରି ଆହୁତି ଦେଇଥିଲେ । ଏହାର ମୁକସାକ୍ଷୀ ଭାବେ କୋକିଳା ଦେବୀଙ୍କ ସମାଧି ଆଜି ମଧ୍ୟ ତାଳପଦା ଗ୍ରାମର ହରିଜନ ସାହି ନିକଟରେ ବିଦ୍ୟମାନ ରହିଛି ।

କେବଳ ଏତିକି ନୁହେଁ କାନ୍ତକବିଙ୍କର ଦୁଇ ପୁତ୍ର ନିତ୍ୟାନନ୍ଦ ଓ ଗୌରଚନ୍ଦ୍ର ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଲମ୍ଫ ପ୍ରଦାନ କରିଥିଲେ । ଗାନ୍ଧିଜିଙ୍କ ଡାକରାରେ ନିତ୍ୟାନନ୍ଦ ହାଇସ୍କୁଲ ପଢାଛାଡି ଜାତୀୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ଭଦ୍ରକ ସହର ପାଶ୍ୱବର୍ତ୍ତି ଅନ୍ନପାଳ ଅଞ୍ଚଳକୁ ସେଠିକାର ଲୋକମାନେ ପରାଧିନତାରୁ ‘ମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରିଥିଲେ । ସେଥିପାଇଁ ତା’ ପୂର୍ବରୁ ଉକ୍ତ ଇଲାକାର ଲୋକଙ୍କ ମନରେ ଉକ୍ତ ବ୍ରିଟିଶ ବିରୋଧି ମନୋଭାବ ଜାଗ୍ରତ କରାଯାଇଥିଲା । ସେହିସବୁ କାର୍ଯ୍ୟକଳାପର ନେତୃତ୍ୱ ନେଇଥିଲେ ନେଇଥିଲେ ଅଗ୍ନିବର୍ଷୀ ବାଗ୍ମୀ ଛାତ୍ର ନିତ୍ୟାନନ୍ଦ । ଅନ୍ନପାଳ ‘ମୁକ୍ତ ଅଞ୍ଚଳ’ ଭାବେ ଘୋଷଣା ହେବାର ଖବର ପାଇବା ପରେ ଇଂରେଜ ସରକାରଙ୍କ ମୁଣ୍ଡ ଗୁଡୁମ୍ ହୋଇଯାଇଥିଲା । ପୋଲିସ ପଠାଇ ସେଠାରେ ରାତିର ଘନ ଅନ୍ଧକାର ମଧ୍ୟରେ ଆଖିବୁଜା ଗୁଳି ଚାଳନା କରିଥିଲେ । ଫଳରେ ଅନେକ ଲୋକ ମୃତ୍ୟୁ ବରଣ କରିବା ବେଳେ ଆଉ କିଛି ଆହତ ହୋଇ ପଡିଥିଲେ । ନିତ୍ୟାନନ୍ଦ ଅନ୍ନପାଳ ଘଟଣାର ନେତୃତ୍ୱ ନେଇଥିବାରୁ ପୋଲିସ ଗୁଳିରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଖବର ସକାଳୁ ପ୍ରଚାରିତ ହୋଇଗଲା । ପୁତ୍ର ମୃତ୍ୟୁ ଖବର ଶୁଣି କାନ୍ତକବି ମ୍ରିୟମାଣ ହୋଇପଡିଲେ ଏବଂ ବିନା ଖାଦ୍ୟପେୟରେ ନିର୍ବାକ୍ ହୋଇ ବସି ରହିଲେ । କିନ୍ତୁ ଏସବୁ ଖବର ପତ୍ନୀ ଲବଙ୍ଗଲତାଙ୍କ ନିକଟରେ ଅପହଞ୍ଚ ଥିଲା । ତେଣୁ କିଛି ସମୟ ପରେ ଲବଙ୍ଗଲତା ପତିଙ୍କ ନିକଟକୁ ଆସି ଜଣାଇଥିଲେ, “ଭୋରୁ ଭୋରୁ ନିତାଇ (ନିତ୍ୟାନନ୍ଦ) ଆସି କବାଟ ବାଡେଇଲା । ମୁଁ ଦରଜା ଖୋଲି ଦେଖିଲା ବେଳକୁ ସେ ଝାଳ ନାଳ ହୋଇ ଫେରିଛି । ପୋଲିସ ରକ୍ତମୁଖା ହୋଇ ଗୁଳି କରୁଛି ଓ ତା’କୁ ଖୋଜୁଛି ବୋଲି କହିଲା । ତେଣୁ ମୁଁ ତାକୁ ଲୁଚାଇ ଶୁଆଇ ପକାଇଛି । ସେ ଘରେ ଅଛି ବୋଲି କାହାକୁ ଜଣାଉ ନାହିଁ । ପତ୍ନୀଙ୍କ ଏଭଳି ଆଚରଣରେ ସେ ଖଉସି ହେବା ପରିବର୍ତ୍ତେ ଅତ୍ୟନ୍ତ ନମ୍ର ଭାବରେ ଉତ୍ତର ଫେରାଇଥିଲେ, “ତୁମେ ନିତାଇକୁ କାହିଁକି ଘରେ ଲୁଚାଇ ରଖୁଥିଲ? ପୋଲିସ ଗୁଳିରେ ଯେଉଁ ମାନଙ୍କର ଜୀବନ ହାନି ଘଟିଛି, ସେମାନଙ୍କ ବାପା ମାଆଙ୍କ ମନ କ’ଣ ହେଇଥିବ ଥରେ ଚିନ୍ତା କରିଛ”? ଏହି ସଂକ୍ଷିପ୍ତ ମନ୍ତବ୍ୟର ମହନୀୟତାରୁ ହିଁ କାନ୍ତକବିଙ୍କ ଦେଶଭକ୍ତି ତଥା ଜାତୀୟତା ମନୋଭାବ ସ୍ପଷ୍ଟ ଅନୁମାନ କରାଯାଇପାରେ ।

ସେହିପରି କନିଷ୍ଠ ପୁତ୍ର ଗୌରଚନ୍ଦ୍ରଙ୍କୁ ବ୍ରିଟିଶ ପୋଲିସ ଦୁର୍ଗାପୂଜା ଅବସରରେ ନିଜ ଗ୍ରାମ ତାଳପଦାରୁ ହିଁ ଗିରଫ କରିଥିଲା । ସେତେବେଳେ ସାଆନ୍ତରା ଉଆସ (କାନ୍ତକବିଙ୍କ ବାସଭବନ ଅଞ୍ଚଳ)ରେ ଉତ୍ସବମୁଖର ପରିବେଶ । ପାରମ୍ପରିକ ଦୁର୍ଗାପୂଜା ଅବସରରେ ଗଗନ ପବନ ପ୍ରକମ୍ପିତ ହେଉଥାଏ । ସେତିକି ବେଳେ ଇଂରେଜ ଦାରୋଗା ଆସି ହାଜର ହୋଇଗଲେ । ଭଣ୍ଡାରୀପୋଖରୀ ଥାନା ପୋଡି, ବୋମା ଫୁଟାଇ ରେଳ ଲାଇନ୍ ଉଡାଇବା, ଟେଲିଗ୍ରାଫ୍ ତାର କାଟିବା, ଜଳାପୋଡା ଓ ଲୁଟ୍ ପାଟ ଭଳି ଜଘନ୍ୟ ଅପରାଧର ମିଥ୍ୟା ୱାରେଣ୍ଟ ବଳରେ ଗୌରଚନ୍ଦ୍ରଙ୍କୁ ଅଚାନକ ଗିରଫ କରାଯାଇଥିଲା । ଏସବୁ ଅପରାଧର ଦଣ୍ଡ ଫାଶୀ ବ୍ୟତିରେକ ଅନ୍ୟ କିଛି ନୁହେଁ ବୋଲି ପ୍ରଚାରିତ ହେବା ଯୋଗୁଁ ଗୌରଚନ୍ଦ୍ରଙ୍କର ଜେଲରୁ ମୁକୁଳିବା ଆଶା କ୍ଷୀଣ ହୋଇଗଲା ।

ସେତେବେଳେ ଗୋଟିଏ ପକ୍ଷରେ ପିତା ମାତାଙ୍କ ବିୟୋଗ ସମେତ ସାନ ଭାଇ, ସାନ ଭଉଣୀଙ୍କ ଆକସ୍ମିକ ଦେହାନ୍ତ କାନ୍ତକବିଙ୍କୁ ଦାରୁଣ ଆଘାତ ଦେଇଥିଲା । ଅପରପକ୍ଷେ ବ୍ରିଟିଶ ସରକାର ଦ୍ୱାରା ଜଘନ୍ୟ ମିଥ୍ୟା ମୋକଦ୍ଦମାରେ ଦୁଇ ପୁତ୍ରଙ୍କ କାରାଦଣ୍ଡାଦେଶ ଘଟଣା ତାଙ୍କର ଜୀବନ ତରୀକୁ ସମ୍ପୂର୍ଣ୍ଣ ଚହଲାଇ ଦେଇଥିଲା ।

ଏବେ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ଅତୁଟ ରଖିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟରେ ସାମିଲ ହେଉଥିବା ଯବାନ ବା ଅଫିସରଙ୍କ ପାଇଁ ପର୍ଯ୍ୟାପ୍ତ ଆର୍ଥୀକ ସୁରକ୍ଷା (ଦରମା, ପେନସନ, କ୍ଷତିପୂରଣ ଅର୍ଥରାଶି) ବ୍ୟବସ୍ଥା ରହିଛି । କିନ୍ତୁ ମହାପରାକ୍ରମୀ ବ୍ରିଟିଶ ସରକାର ବିରୋଧରେ ଅହିଂସା ଲଢେଇ ଜାରି ରଖିଥିବା ନିରସ୍ତ୍ର ସଂଗ୍ରାମୀମାନଙ୍କ ପାଇର୍ ସେତେବେଳେ କୌଣସି ଆର୍ଥୀକ ସାହର୍ଯ୍ୟର ପ୍ରତିଶ୍ରୁତି ନଥିଲା । ତେଣୁ ଜାତୀୟ ଆନ୍ଦୋଳନରେ ଲମ୍ଫ ଦେଇ ଯେଉଁ ସଂଗ୍ରାମୀ ମାନେ ମୃତାହତ ହେଉଥିଲେ, ସେମାନଙ୍କ ପରିବାର ସମ୍ପୂର୍ଣ୍ଣ ଉର୍ଚ୍ଛନ୍ନ ହୋଇ ଯାଉଥିଲା । କାରଣ ବର୍ତ୍ତମାନ ଭଳି ସେ ସମୟରେ ଗୋଟିଏ ପରିବାରରେ ଏକାଧିକ ରୋଜଗାରକ୍ଷମ ବ୍ୟକ୍ତି ନଥିଲେ । ଅନ୍ୟର୍ଥରେ କହିଲେ, ପ୍ରତି ପରିବାରରେ ସେତେବେଳେ ମାତ୍ର ଜଣେ ଲେଖାଏଁ ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଏବଂ ସେମାନଙ୍କ ଉପାର୍ଜନରେ ହିଁ ପରିବାର ପ୍ରତିପୋଷିତ ହେଉଥିଲା । ତେଣୁ ସେହି ଆୟକାରୀ ବ୍ୟକ୍ତି ଜଣକ ସଂଗ୍ରାମରେ ସାମିଲ ହୋଇ ମୃତାହାତ ହେଲେ, ସମ୍ପୃକ୍ତ ପରିବାରର ଭବିଷ୍ୟତ ଅନ୍ଧକାରଛନ୍ନ ହୋଇ ପଡୁଥିଲା । ଏଭଳି ପୃଷ୍ଠଭୂମିରେ କାନ୍ତକବିଙ୍କ ସମଗ୍ର ପରିବାର ଦେଶ ମାତୃକାର ସ୍ୱାଧୀନତା ପାଇଁ ଅନିଶ୍ଚ୍ଖଚ୍ଛ ଭବିଷ୍ୟତକୁ ଭୃକ୍ଷେପ ନକରି ଜାତୀୟ ଆନ୍ଦୋଳନରେ ସମର୍ପିତ ହେବା ଘଟଣା ବାସ୍ତବରେ ଅତ୍ୟନ୍ତ ବିରଳ ଦୃଷ୍ଟାନ୍ତ ।

ସବୁଠାରୁ ପରିତାପର ବିଷୟ ହେଉଛି, ସ୍ୱାଧୀନତା ସଂଗ୍ରାମୀକୁ ଏଭଳି ଉଲ୍ଲେଖନୀୟ ଅବଦାନ ରଖିଥିବା କାନ୍ତକବିଙ୍କ ସ୍ଥାୟୀ ସ୍ମୃତିରକ୍ଷା ଲାଗି ଅଦ୍ୟାବଧି କୌଣସି ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ । ଏ ଜାତିର ପୁଣ୍ୟତୀର୍ଥ କାନ୍ତକବିଙ୍କ ସ୍ଥାୟୀ ସ୍ମୃତିରକ୍ଷା ପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନ ପକ୍ଷରୁ ଅନେକ ଉପାଦେୟ ଦାବି ବା ପ୍ରସ୍ତାବ ଉପସ୍ଥାପନା କରାଯାଇଛି । କିନ୍ତୁ ବର୍ତ୍ତମାନ ଯାଏଁ ସେ ସମ୍ପର୍କରେ କୌଣସି ସମୁଚିତ ପଦକ୍ଷେପ ନିଆଯାଇ ନାହିଁ । ତେବେ ସେହି ଦାବି ବା ପ୍ରସ୍ତାବ ଗୁଡିକ ମଧ୍ୟରେ ପ୍ରତ୍ୟହ ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ କାନ୍ତସଙ୍ଗୀତ ପରିବେଷଣ, ରାଜଧାନୀରେ ରବୀନ୍ଦ୍ର ମଣ୍ଡପ ଢାଞ୍ଚାରେ କାନ୍ତକବି ସ୍ମୃତି ସୌଧ ନିର୍ମାଣ (ବହୁମୁଖୀ ସାଂସ୍କୃତିକ ଓ ସାରସ୍ୱତ କାର୍ଯ୍ୟକଳାପ ପାଇଁ ପ୍ରେକ୍ଷାଳୟ ସମେତ), ତାଙ୍କ ବାସଭବନକୁ ଐତିହାସିକ ସ୍ମାରକୀରେ ପରିଣତ, ଜିଲ୍ଳା ଓ ବିଶ୍ୱବିଦ୍ୟାଳୟକୁ କାନ୍ତକବିଙ୍କ ନାମରେ ନାମିତ, ତାଙ୍କର ସାରସ୍ୱତ ସ୍ମୃତି ସମ୍ଭାରକୁ ଅଧିକ ପରିମାଣରେ ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସାମିଲ, କାନ୍ତସାହିତ୍ୟର ଉପଯୁକ୍ତ ମୂଲ୍ୟାୟନ ଓ ଗବେଷଣା ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା, ସୁନାମଧନ୍ୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ବାର୍ଷିକ ସ୍ମାରକୀ ବକୃତା ପ୍ରଦାନ କାର୍ଯ୍ୟକ୍ରମୟର ଆୟୋଜନ, ରାଜଧାନୀର ଗୋଟିଏ ପ୍ରମୁଖ ଅଞ୍ଚଳ, ରାଜମାର୍ଗ ଓ ଉଦ୍ୟାନକୁ କାନ୍ତକବିଙ୍କ ସ୍ମୃତିରେ ନାମକରଣ, ସ୍ମାରକୀ ଡାକ ଟିକେଟ ପ୍ରକାଶନ ପ୍ରଭୃତି ଅନ୍ୟତମ ।

Leave a Reply