ଜୟ ଲଳିତାଙ୍କ ବାୟୋପିକ୍ ପାଇଁ କଙ୍ଗନାଙ୍କ ପୂର୍ବ ପ୍ରସ୍ତୁତି
ବିବାଦ ଓ ବିଗ୍ ବଜେଟ୍ ଫିଲ୍ମ କଙ୍ଗନାଙ୍କ ଫିଲ୍ମ କ୍ୟାରିୟର୍ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । କଙ୍ଗନାଙ୍କ ଅପକମିଙ୍ଗ୍ ବିଗ୍ ବଜେଟ୍ ଫିଲ୍ମ ଭାବେ ଆସିବ ଜୟ ଲଳିତାଙ୍କ ବାୟୋପିକ୍ । କଙ୍ଗନା ଏହାର ପୂର୍ବ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଆଜିକାଲି ମନାଲିରେ ଛୁଟି କଟାଉଥିବା କଙ୍ଗନା ଏହି ବାୟୋପିକ୍ କାହାଣୀର ରିଡିଙ୍ଗ୍ ଆରମ୍ଭ କରିଛନ୍ତି । ଆସନ୍ତା ଅଗଷ୍ଟ ୯ ତାରିଖରେ ମୁମ୍ବାଇ ଫେରିବା ପରେ କଙ୍ଗନା ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି ଖବର ମିଳିଛି । ଫିଲ୍ମର ବଜେଟ୍ ରଖାଯାଇଛି ୮୦ କୋଟି ଟଙ୍କା । ଏହି ବଜେଟ୍ ମଧ୍ୟରୁ କଙ୍ଗନାଙ୍କ ଫି’ ବାବଦରେ ୨୧ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଫିଲ୍ମଟିମ୍ ପକ୍ଷରୁ ସୂଚନା ମିଳିଛି ।
ଶୈଳେଶ୍ ଆର୍ ସିଂଙ୍କ ପ୍ରଯୋଜିତ ଏହି ଫିଲ୍ମରେ ବଲିଉଡ୍ ସହିତ ଟଲିଉଡର ଅନେକ ତାରକାଙ୍କୁ କାଷ୍ଟ୍ କରାଯିବ । ତାମିଲ୍ ଓ ହିନ୍ଦୀ ଭାଷାରେ ନିର୍ମାଣ ହେବାକୁ ଥିବା ଏହି ବାୟୋପିକର ନାଁ ‘ତଲାଇଭି’ ରଖାଯିବ ବୋଲି ବହୁ ପୂର୍ବରୁ ଖବର ମିଳିଥିଲା । କିନ୍ତୁ ଏ ସମ୍ପର୍କିତ କୌଣସି ସଠିକ୍ ଖବର ମିଳିପାରିନାହିଁ । ଏହି ବାୟୋପିକ୍ ସହିତ ଆକ୍ସନ୍ ଭିତ୍ତିକ ଫିଲ୍ମ ‘ଧାକଡ଼’ରେ ମଧ୍ୟ କଙ୍ଗନାଙ୍କ ଦମଦାର୍ ପରଫରମାନ୍ସ ଦେଖିବା ପାଇଁ ପ୍ରଶଂସକ ମହଲ ଅପେକ୍ଷା କରିବସିଛି ।