କବିସୂର୍ଯ୍ୟନଗର ବିଧାନସଭା : ବିଜେଡି ଚିନ୍ତା ବଢ଼ାଉଛନ୍ତି ହର-ସୁଜ୍ଞାନୀ

ବିଜୁ ଜନତା ଦଳ ପାଇଁ ୨୦୧୯ ବିଧାନସଭା ନିର୍ବାଚନ ଆଦୌ ସହଜ ହେଉ ନାହିଁ। ଏହାର ପ୍ରଥମ କାରଣଟି ହେଉଛି, ବିଜେପିର କଡ଼ ଟକ୍କର ଏବଂ ଦ୍ୱିତୀୟ କାରଣଟି ହେଉଛି ବିଜେଡି ଭିତରେ ଥିବା ଦଳୀୟ କନ୍ଦଳ। ବିଜେଡିର ଏହି ଦଳୀୟ କନ୍ଦଳ ହିଁ ବିଜେପି ପାଇଁ ବଡ଼ ସୁଯୋଗ ସୃଷ୍ଟି କରୁଛି। ଯାହାର ଏକ ଉଦାହରଣ ହେଉଛି କବିସୂର୍ଯ୍ୟନଗର ବିଧାନସଭା କ୍ଷେତ୍ର। ଏହି ବିଧାନସଭା କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ସିଧାସଳଖ ହସ୍ତକ୍ଷେପ କରୁଥିବାରୁ ବର୍ତ୍ତମାନ ଏହି ଆସନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ପ୍ରଥମେ ବିବାଦ ଆରମ୍ଭ ହୋଇଥିଲା ସୁଜ୍ଞାନୀ ଦେଓଙ୍କୁ ନେଇ। ୧୦ ଥରର ବିଧାୟିକା ସୁଜ୍ଞାନୀ ଅସୁସ୍ଥତା କାରଣରୁ ପ୍ରଥମେ ଲଢ଼ିବେ ନାହିଁ ବୋଲି କହିଥିଲେ। ପରେ ତାଙ୍କ ପୁତୁରାଙ୍କୁ ଟିକଟ ଦିଆଯାଉ ବୋଲି ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଥିଲେ। ହେଲେ ଏହା କାମ ଦେଇ ନଥିଲା। ସୁଜ୍ଞାନୀଙ୍କ ଦାବି ରହିଥିଲା, ସ୍ୱର୍ଗତ ଲଡ଼ୁ କିଶୋରଙ୍କ ପତ୍ନୀ ମଞ୍ଜୁଳା ସ୍ୱାଇଁ ଏବଂ ନିଲମ୍ୱିତ ବିଜେଡି ନେତା ହର ସାହୁଙ୍କୁ ଟିକଟ ଦିଆ ନଯାଉ। ହେଲେ ମଞ୍ଜୁଳାଙ୍କୁ ମୁଖିଆ ଟିକଟ ଦେଇଥିଲେ।

ଏହା କଷ୍ଟ ଦେଇଥିଲା ସୁଜ୍ଞାନୀଙ୍କୁ। ପରେ ଦଳ ଲତିକା ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା। ସୁଜ୍ଞାନୀଙ୍କ କଥା ରହିନାହିଁ। ଅନ୍ୟପଟେ ନିଲମ୍ୱିତ ବିଜେଡି ନେତା ହର ସାହୁ ଟିକଟ ପାଇଁ ମଧ୍ୟ ବଡ଼ ଆଶାବାନ୍ଧି ବସିଥିଲେ। ଗତ ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ି ସେ ୪୦ହଜାର ଭୋଟ ପାଇଥିଲେ। ଏବେ ଉଭୟ ସୁଜ୍ଞାନୀ ଏବଂ ହର ଦଳରୁ ମୁହଁ ଫେରାଉଛନ୍ତି। ଫଳରେ ଲତିକାଙ୍କ ପାଇଁ ଏହି ଲଢ଼େଇ ଜଟିଳ ହୋଇପଡ଼ିଛି।

କୁହାଯାଉଛି ଯେ, ଦଳର ଏହି କନ୍ଦଳ ବିଜେପି ପ୍ରାର୍ଥୀ ରଞ୍ଜନ ପଲେଇଙ୍କୁ ସୁହାଇବ। ହର ସାହୁଙ୍କୁ ଟିକଟ ନମିଳିବା ପରେ ସେ ସ୍ୱାଧୀନ ଭାବେ ଲଢ଼ିବାର ଘୋଷଣା କରିଥିଲେ। ମାତ୍ର କୁହାଯାଉଛି, ତାଙ୍କୁ ଉପର ମହଲାରୁ ଧମକ ମିଳିଥିଲା ଲଢ଼ିଲେ ସମ୍ପତ୍ତି ବାଜ୍ୟାପ୍ତି କରାଯିବ। ଏହି ଭୟରେ ହର ସାହୁ ଏବେ ନିର୍ବାଚନ ଲଢ଼ୁ ନାହାନ୍ତି କି ନିର୍ବାଚନମଣ୍ଡଳୀରେ ଦେଖା ମଧ୍ୟ ଯାଉନାହାନ୍ତି। ଅନେକ କହୁଛନ୍ତି, ସେ ଫେରାର ଅଛନ୍ତି।

ତେବେ ହରଙ୍କର ୪୦ହଜାର ଭୋଟ ଉପରେ ବିଜେଡିର ନଜର ଥିବାରୁ ଏହି ଭୋଟ ହାତେଇବା ପାଇଁ ଦଳର ନେତାମାନେ ଯେଉଁ ଉଦ୍ୟମ କରିଥିଲେ, ତାହାର କିଛିଟା ସଫଳତା ଦେଖାଯାଉଛି। ହରଙ୍କର କିଛି ସମର୍ଥକ ଏବେ ବିଜେଡିରେ ସାମିଲ ହୋଇଛନ୍ତି। ଆଉ ହରଙ୍କ ସମର୍ଥକ ବିଜେଡିରେ ମିଶିବା ପରେ ସୁଜ୍ଞାନୀଙ୍କ ସମର୍ଥକ ଦଳରୁ ଓହରିଯିବାର ଏକ ପ୍ରକାର ନିଷ୍ପତ୍ତି ନେଇଛନ୍ତି। ଯଦିଓ ଲତିକା ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି, ତେବେ ହର ଓ ସୁଜ୍ଞାନୀଙ୍କ ବିବାଦ ତାଙ୍କର ତଥା ବିଜେଡିର ଗଣିତକୁ ବିଗାଡ଼ିବାରେ ଲାଗିଛି। ଆଉ ଏହାର ଫାଇଦା ନେବା ପାଇଁ ବିଜେପିର ରଞ୍ଜନ ପଲେଇ। ରାଜ୍ୟରେ ତଥା ବିଧାନସଭା କ୍ଷେତ୍ରରେ ପରିବର୍ତ୍ତନର ସ୍ୱରର ସ୍ଲୋଗାନ ଦେଇ ଜୋରଦାର ପ୍ରଚାର ଆରମ୍ଭ କରିଛି। xxx

କଂଗ୍ରେସ ମଧ୍ୟ ଏହି ଧାରାରେ ପଛରେ ନାହିଁ। ତେବେ ଯାହା ଜଣାପଡ଼ୁଛି, ଲଢ଼େଇ ବିଜେପି ଓ ବିଜେଡି ମଧ୍ୟରେ ଜୋରଦାର ହେବ। ସୁଜ୍ଞାନୀ ଏବଂ ହରଙ୍କ ସମର୍ଥକମାନଙ୍କୁ ବୁଝାଇବାରେ ଯଦି ବିଜେଡି ବିଫଳ ହୁଏ, ତେବେ ଏହା ଦଳ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

କେଉଁ ଅବିବାହିତ ବା ସିଙ୍ଗଲ ନେତାଙ୍କ ହାତରେ ରହିବ କ୍ଷମତା ଚାବିକାଠି?

ବିଜୟ ମହାପାତ୍ରଙ୍କ ପାଇଁ ଦିଲୀପ ରାୟ ପ୍ରଚାର କରିବେ

ସନାଙ୍କ କଥାରେ ବିଜେଡି ପରିଚାଳିତ

Leave a Reply

Your email address will not be published.