କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ସରକାର ନାଟକବାଜି କରୁଛନ୍ତି: ଜୁଏଲ

0
36

ଭୁବନେଶ୍ୱର,(ଓଟି): କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ବେଶ ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ପରେ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଜୁଏଲ ଓରାମ। କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ କହିଛନ୍ତି କୁନ୍ଦୁଲି ଘଟଣାକୁ ନେଇ  ସରକାର ରାଜନୀତି କରୁଛନ୍ତି । ଯଦି ବିଚାର ବିଭାଗୀୟ ତଦନ୍ତ କରିବାର ଥିଲା ତେବେ ଏତେ ନାଟକ କାହିଁକି କଲେ ବୋଲି ପ୍ରଶ୍ନ କରିଛନ୍ତି ଜୁଏଲ ।  ଘଟଣା ଘଟିବାର ୨୭ ରୁ ୨୮ ଦିନ ବିତି ଗଲା ପରେ ବି ସରକାର ଗଣଦୁଷ୍କର୍ମ ହୋଇନାହିଁ ବୋଲି କହିଲେ। ଏହା ପୂର୍ବରୁ ସରକାର କୁଆଡ଼େ ଯାଇଥିଲେ? ଏହି ଘଟଣାରେ ସରକାରୀ ଦଳର କେହି ସମ୍ପୃକ୍ତ ଥିବାରୁ ଏଭଳି ନାଟକ ରାଜ୍ୟ ସରକାର କରୁଛନ୍ତି ବୋଲି ଜୁଏଲ କହିଛନ୍ତି । ସରକାର ନାଟକବାଜି ବନ୍ଦ କରନ୍ତୁ। ନ ହେଲେ ଅଞ୍ଚଳବାସୀ ତାଙ୍କୁ କଡ଼ା ଜବାବ ଦେବେ।

ସେପଟେ କୁନ୍ଦୁଲି ଘଟଣାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ । ତଦନ୍ତ ପରେ ଜଣା ପଡିବ ଏହି ସମ୍ବେଦନଶୀଳ ଘଟଣାରେ କାହାର ସମ୍ପୃକ୍ତି ରହିଛି । ଏହାସହ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି କେନ୍ଦ୍ର ମଧ୍ୟ କେତେକ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି, ତାହା ବି କଣ ତାମସା ।

କୁନ୍ଦୁଲି ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ପୁଲିସ ଓ ଏଚଆରପିସି ଏଡିଜିଙ୍କ ମନ୍ତବ୍ୟର ୨୪ ଘଂଟା ଭିତରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ । ଯାହା କୁନ୍ଦୁଲି ଘଟଣାକୁ ଆହୁରି ରହସ୍ୟାବୃତ କରିଛି । ପୁଲିସ କହିବା ଅନୁସାରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇନି, ଏଣେ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ।

ଗତ ୧୫ ତାରିଖରେ ରାୟଗଡ଼ା ଜିଲ୍ଲାର କୁନ୍ଦୁଲିଠାରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲରୁ ଘରକୁ ଫେରୁଥିଲା ବେଳେ, ନିଛାଟିଆ ରାସ୍ତାରେ ତାଙ୍କୁ ଯବାନଙ୍କ ପୋଷାକ ପିନ୍ଧା କିଛି ଲୋକ ତାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିବା ଅଭିଯୋଗ ହୋଇଥିଲା। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।