ଓଟିଭି ଗ୍ରୁପ୍‍ରେ ଯୋଗଦେଲେ ସମ୍ପଦ ମହାପାତ୍ର

1
1367

ଭୁବନେଶ୍ୱର, (ଓଟି): ବରିଷ୍ଠ ସାମ୍ବାଦିକ ତଥା ନିକଟରେ “ନିତିଦିନ’ ସମ୍ପାଦକ ପଦବୀରୁ ଇସ୍ତଫା ଦେଇଥିବା ସମ୍ପଦ ମହାପାତ୍ର ଓଟିଭି ଗ୍ରୁପ୍‍ରେ ଯୋଗ ଦେଇଛନ୍ତି । ଓଡିଶାରେ ଇଲେକ୍ଟ୍ରୋନିକ୍‍ ଏବଂ ଡିଜିଟାଲ୍‍ ମିଡିଆ କ୍ଷେତ୍ରରେ ପାୟୋନିୟର ଭାବେ ପରିଗଣିତ ଏହି ଗ୍ରୁପ୍‍ର ଜଣେ ଉପଦେଷ୍ଟା ଭାବେ ସେ କାର୍ଯ୍ୟ କରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଏହି ଗ୍ରୁପ୍‍ର ଡିଜିଟାଲ୍‍ ସଂସ୍କରଣ “ଓଡ଼ିଶା ରିପୋର୍ଟର ଡଟ୍‍ଇନ୍‍’ ପୋର୍ଟାଲ୍‍ ମୁଖ୍ୟ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଛି । ଏହିକ୍ରମରେ ସେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ଧରି “ନିତିଦିନ’ର ପ୍ରତିଷ୍ଠାତା ସମ୍ପାଦକ ତଥା ସିଇଓ ଭାବେ କାର୍ଯ୍ୟ କରି ସେ ଗଲା ମାସରେ ସେ ଇସ୍ତଫା ଦେଇଥିଲେ । ଏଥିପାଇଁ ସେ ସ୍ୱାସ୍ଥ୍ୟଗତ କାରଣକୁ ଦାୟୀ କରିଥିଲେ । କିନ୍ତୁ ବାସ୍ତବରେ ଖବରକାଗଜରେ ଦିନକୁ ଦିନ ବଢ଼ୁଥିବା ରାଜନୀତିକ ହସ୍ତକ୍ଷେପକୁ ସେ ସାଲିସ କରିବାକୁ ମନା କରି ଏପରି ପଦକ୍ଷେପ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଏ ।

ସବୁବେଳେ ସରକାର ବିରୋଧି ମତବାଦକୁ ନିଜର ସାମ୍ବାଦିକତାର ମୂଳ ବିଷୟ ଭାବେ ଗ୍ରହଣ କରୁଥିବା ଶ୍ରୀ ମହାପାତ୍ରଙ୍କ ଅଭିଜ୍ଞତା, କୌଶଳକୁ ସାମ୍ପ୍ରତିକ ରାଜନୀତିକ ସନ୍ଧିକ୍ଷଣରେ ଓଟିଭି ଗ୍ରୁପ୍‍ ନିଜର କଣ୍ଟେଣ୍ଟ ଷ୍ଟ୍ରାଟେଜୀ ପାଇଁ ବ୍ୟବହାର କରିପାରେ ବୋଲି ଆଶା କରାଯାଉଛି ।

ସମ୍ପଦ ମହାପାତ୍ର ଓଡ଼ିଶାର ଜଣେ ପ୍ରତିଷ୍ଠିତ ସାମ୍ବାଦିକ । ଦେଶର ବିଭିନ୍ନ କୋଣରେ ସେ ଜଣେ ସୃଜନଶୀଳ ବ୍ୟକ୍ତି ଭାବେ ପରିଚିତ । ଇତିହାସର ଅଧ୍ୟାପକ ପଦବୀରୁ ଇସ୍ତଫା ଦେବା ପରେ ସେ କଳାତ୍ମକ ସିନେମା ନିର୍ଦ୍ଦେଶନା ତଥା ଏଭଳି ଫିଲ୍ମରେ ଅଭିନୟକୁ କ୍ୟାରିୟରର ଅଂଶ ବିଶେଷ ଭାବେ ଗ୍ରହଣ କରିଥିଲେ । ଏଥିରେ ମଧ୍ୟ ଅନେକ ସଫଳତା ଅର୍ଜନ କରିଛନ୍ତି । ଏହାପରେ ବିଳମ୍ବରେ ସେ ସାମ୍ବାଦିକତା କ୍ଷେତ୍ରରେ ପ୍ରବେଶ କରିଥିଲେ । ବିଗତ ଦିନରେ ସେ “ସମ୍ବାଦ’ର ସମ୍ପାଦକ ଦାୟିତ୍ୱ ତୁଲାଇବା ସହ “ସିନେ ସମ୍ବାଦ’ ପାଇଁ ନେତୃତ୍ୱ ନେଇଥିଲେ । ଦୀର୍ଘଦିନ ଧରି ସେ ଏନ୍‍ଡିଟିଭିର ଓଡ଼ିଶା ମୁଖ୍ୟ ତଥା ପରବର୍ତ୍ତୀ ସମୟରେ ପୂର୍ବ ଭାରତ ବ୍ୟୁରୋଚିଫ୍‍ ଭାବେ କାର୍ଯ୍ୟ କରିଛନ୍ତି । ଏହାଛଡ଼ା ଦେଶ ବିଦେଶର ବିଭିନ୍ନ ଇଂରାଜୀ ମ୍ୟାଗାଜିନ୍‍ରେ ସେ ଓଡ଼ିଶାର ରାଜନୀତି, ନକ୍ସଲ ସମସ୍ୟା, ଶିଳ୍ପ, ବିକାଶ ସମ୍ବନ୍ଧରେ ଅନେକ ପ୍ରବନ୍ଧ ଲେଖି ଚର୍ଚ୍ଚିତ ହୋଇଛନ୍ତି ।

ଏନ୍‍ଡିଟିଭିରୁ ଅବସର ନେବା ପରେ ସେ ଓଡ଼ିଶାର ମିଡିଆ ମୋଗଲ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ସମ୍ବାଦ ଗ୍ରୁପ୍‍ରେ ଯୋଗ ଦେଇ ଓଡ଼ିଶା ସନ୍‍ଟାଇମ୍ସର ଡିଜିଟାଲ ସଂସ୍କରଣ ଆରମ୍ଭ କରିଥିଲେ । “ନିତିଦିନ’ରେ ଯୋଗଦେବା ପରେ ସେ ସେଥିରୁ ଇସ୍ତଫା ଦେଇଥିଲେ । ସବୁବେଳେ ନୂଆ କରିବାକୁ ଭଲ ପାଉଥିବା ଶ୍ରୀ ମହାପାତ୍ର ଓଡ଼ିଶା ରିପୋର୍ଟର ଡଟ୍‍ ଇନ୍‍ରେ ଯୋଗ ଦେବା ପରେ ଏହାର କଳେବର ଏବଂ ବିଷୟବସ୍ତୁ ତଥା ଉପସ୍ଥାପନା ଶୈଳୀରେ ପରିବର୍ତ୍ତନ ଆସିବ ବୋଲି ଅଶା କରାଯାଉଛି ।

Loading...

1 COMMENT